tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଛତୁଆ କେକେଙ୍କାରୀ? କେଉଁମାନେ ସମ୍ପୃକ୍ତ?

1 min read

  • ଅଧିକାରୀଙ୍କ ରହସ୍ୟମୟ ନୀରବତା

ବଲାଙ୍ଗୀର //TATKAL ODISHA//

ରିପୋର୍ଟ : ମଳୟ ମିଶ୍ର

ଶିଶୁ ଓ ଗର୍ଭବତୀ ପ୍ରସୂତୀମାଆଙ୍କ ପୋଷଣ ନିମନ୍ତେ ଶିଶୁ ବିକାଶ ପ୍ରକଳ୍ପ ବା ଅଙ୍ଗନବାଡି କେନ୍ଦ୍ରକୁ ସରକାର ଯୋଗାଉଥିବା ଶିଶୁଖାଦ୍ୟ ଛତୁଆ ପ୍ରସ୍ତୁତ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବା ଏସଏଚଜି ଗୁଡିକୁ ଦାୟିତ୍ବ ଦିଆଯାଇଛି । ଏହା ମୁଖ୍ୟତଃ ମହିଳା ଗୋଷ୍ଠୀର ସହାୟତାର ଆଭିମୁଖ୍ୟ ରହିଥିଲେ ହେଁ , ପ୍ରକୃତ ପକ୍ଷେ ଏହାପଛରେ ବେପାରୀମାନେ ରହିଥିଲେ ଓ ପ୍ରତିମାସର ଲକ୍ଷାଧିକ ଟଙ୍କାର ବିଲ୍ ରୁ ଅସାଧୁ ଅଧିକାରୀଙ୍କ ସହ ମିଶି ମୁନାଫା କରୁଥିଲେ । ଜିଲ୍ଲାରେ ପ୍ରଥମେ ଏହି ଶିଶୁଖାଦ୍ୟ ପ୍ରସ୍ତୁତି ଲୋଇସିଂହା ଶିଶୁ ବିକାଶ ପ୍ରକଳ୍ପରେ ଆରମ୍ଭ ହେବାପରେ ଏହାର ଉତ୍କୃଷ୍ଟ ମାନ ଦେଖି ପ୍ରତିଷ୍ଠିତ ଦୁଗ୍ଧ ଉତ୍ପାଦନ କମ୍ପାନୀର ଈର୍ଷା କରିଥିବା ଚର୍ଚ୍ଚା ପ୍ରକାଶ ପାଇଥିଲା ।ପରେ ଏହାକୁ ବନ୍ଦ କରାଯାଇ ଏହାର ଦାୟିତ୍ବ କଟକ ଜଗତସିଂହପୁରର ଏକ କମ୍ପାନୀକୁ ଦିଆଯାଇଥିଲା । ଏହାପରେ ମିଶନ ଶକ୍ତିର ସଂଗଠନ ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକ୍ ବା ପ୍ରକଳ୍ପରେ ଦୁଇ / ତିନୋଟି ଗ୍ରୁପ୍ କୁ ତୁଷ୍ଟିକରଣ ନୀତିରେ ବାର୍ଷିକ ଚୁକ୍ତି ଭିତ୍ତିରେ ଏହା ପ୍ରଦାନ କରାଗଲା ।

ଚଳିତ ସରକାର ମାନ ପରୀକ୍ଷଣ ଆଳରେ ରାଜ୍ୟବ୍ୟାପି ଏହି ଏସ୍ ଏଚ ଜି ଗୁଡିକରୁ କଟାବଛା କରି ପ୍ରତି ଛଅମାସରେ ଓ ଏବେ ତିନିମାସରେ ଚୁକ୍ତିବଦ୍ଧ କରାଯିବାର ନୂତନ ନିୟମ ଜାରୀ କରାଯାଇଛି। ସଂପ୍ରତି ଏହି ମହିଳା ଓ ଶିଶୁବିକାଶ ବିଭାଗଟି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ରହିଛି । ମଝିରେ ଏହି ଛତୁଆ ପ୍ରସ୍ତୁତକାରୀ ଗୋଷ୍ଠୀଗୁଡିକ ସଂଘବଦ୍ଧ ହୋଇ ସରକାରଙ୍କ ଏଭଳି ସ୍ବଳ୍ପକାଳୀନ ନୂଆ ନବୀକରଣ ନୀତିର ବିରୋଧ କରି କୋରାପୁଟ ଅଞ୍ଚଳର ଜନୈକା ଏସ୍ ଏଚ୍ ଜି କର୍ମକର୍ତ୍ତୀଙ୍କ ନେତୃତ୍ୱରେ ରାଜ୍ୟର ସୋନପୁର ଓ ଅନ୍ୟାନ୍ୟ ଜିଲ୍ଲାର ବହୁ ଗୋଷ୍ଠୀର କର୍ମକର୍ତ୍ତୀଙ୍କ ତରଫରୁ ସରକାରଙ୍କୁ ଏକ ଦାବିପତ୍ର ଦେଇଥିବା ଦୃଷ୍ଟିକୁ ଆସିଥିଲା । କିନ୍ତୁ ଏହା ଫସକି ଯାଇଥିଲା ।

  • ଉକ୍ତ ମାନ ପରୀକ୍ଷଣ ଓ ନୂତନ ୩ ମାସିଆ ଚୁକ୍ତି ଆଳରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଳା ବନାମ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ ଜିଗୁଡିକ ମଧ୍ୟରୁ ଅଧାରୁ ଅଧିକଙ୍କୁ କାଟି ଦିଆଯାଇଛି ।

ଗତବର୍ଷ ନୂଆଖାଇ ପୂର୍ବରୁ ବିଲ୍ ବା ବକେୟା ପାଉଣା ବି ବନ୍ଦ କରି ଦିଆଯିବାରୁ ଏହାପଛରେ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଶୀର୍ଷ ରାଜନେତ୍ରୀଙ୍କ ବିରୁଦ୍ଧରେ ତାଙ୍କ ନୋମିନୀଙ୍କ ଦ୍ବାରା ଓ ସିଧା ଖମାରକୁ ଡକାଇ ମାସେ / ଦୁଇମାସର ବିଲ୍ ରାଜଦଣ୍ଡ ଆଦାୟ କରାଯାଉଥିବା ଅଭିଯୋଗର ଚର୍ଚ୍ଚା ଉଠି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବିଧାୟକ ପୂର୍ବ ସରକାରଙ୍କ ଅମଳରେ କରିଥିବା ପାପ ଗଙ୍ଗାରେ ଧୋଇହେଲା ‘ ବୋଲି ଭତ୍ସନା କରିଥିବା ବି ପ୍ରକାଶ ପାଇଲା । ତେବେ ପୂଜାପାଠ ଉତ୍ତାରୁ କଟିଯାଇଥିବା ବୀରମହାରାଜପୁର ଓ ତରଭା ବ୍ଲକ୍ ର ବଡ କଦଳୀପାଲି ସମେତ କେତେକ ଗୋଷ୍ଠୀକୁ ଦୀର୍ଘ କିଛିମାସର ବିରତି ପରେ ପୁନଃଦାୟିତ୍ବ ଦିଆଯାଇଥିବା ଦେଖାଗଲା । ସେହିପରି ଏହି ରାଜତଣ୍ଡର ପରିମାଣ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ୍ ର ବୁବେଲ ଏସଏଚଜି ରୁ ୪ଲକ୍ଷରୁ ଲୋଇସିଂହା ବ୍ଳକର ଏକ ଏସ ଏଚ ଜି ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୋଲି ସେମାନଙ୍କ ସୂତ୍ରରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୧୪ + ୬ ଟି ବ୍ଲକ୍ ରେ ଘଟିଥିବା ବହୁଚର୍ଚ୍ଚିତ ଅଭିଯୋଗ ।

ଆଶ୍ଚର୍ଯ୍ୟର ବିଷୟ ଯେ, ଚଳିତବର୍ଷ ମଧ୍ୟ ଠିକ୍ ଆଗାମୀ ନୂଆଖାଇ ପୂର୍ବରୁ ଉପରୁ ଅନୁଦାନ ଆସି ନ ଥିବା କୁହାଯାଇ ବଲାଙ୍ଗୀର ଜିଲ୍ଲାର ୨୬ ଟି ଏସ୍ ଏଚ ଜିଙ୍କର ଗତ ଜାନୁୟାରୀରୁ ଅଗଷ୍ଟ ୮ ମାସ ଓ କାହା କାହାର ୪ ମାସ ବା ମାସକର ବିଲ୍ ଅଟକା ଯାଇଥିଲା । ଏଥିପାଇଁ କିଛିଦିନ ତଳେ ଦୁଇଥର ବଲାଙ୍ଗୀର ଡି ଏସ୍ ଡବ୍ଲୁ ଓ ଙ୍କ ଅଫିସ୍ ସମ୍ମୁଖରେ କୁଲଥିପାଲି ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ ଜିଙ୍କ ନେତୃତ୍ବରେ ମହିଳା ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବକେୟା ପାଉଣା ଦାବି କରି ଏଡିଏମ୍ ଓ ଜିଲ୍ଲାପାଳଙ୍କୁ ଭେଟି ଦାବି କରାଯାଇଥିଲା । ସେତେବେଳେ କୁଲଥିପାଲି ଏସ ଏଚ ଜି ର ସଭାନେତ୍ରୀ ବା ସମ୍ପାଦିକା ବିନୋଦିନୀ ସ୍ବାଇଁ ମିଡିଆ ସମ୍ମୁଖରେ ଚେତାବନୀ ଦେଇ ଥିଲେ । ଏହି ଅନୁଯାୟୀ ଗତ ୧୦ ତାରିଖରୁ ଜିଲ୍ଲାକୁ ଅନୁଦାନ ଆସିସାରି ଥିଲେ ହେଁ , ଦିଆଯାଉ ନ ଥିବା ଓ ଗତ ୨୦୨୩ , ୨୦୨୪ ଓ ୨୦୨୫ ର ବିଲ୍ ବକେୟା ରହିଯାଇଥିବା କ୍ଷୋଭ ପ୍ରକାଶ ପାଇଥିଲା । କୁଆଡେ ତତ୍କାଳୀନ ଜନୈକ କିରାଣୀଙ୍କ ଦ୍ବାରା ୬ କୋଟି ଟଙ୍କା ଫେରିଯାଇଥିବା ଅଭିଯୋଗ କରାଯାଇଛି । ତେବେ ଏତେସବୁ ହୋ ହଲ୍ଲା ହେବାରୁ ଦୁଇଦିନ ତଳେ କିଛିମାସର ବକେୟା ବିଲ୍ ପ୍ରଦାନ କରାଯାଇଥିବା ଜଣାଯାଇଛି । ଏ ସମ୍ପର୍କରେ ଏଇ କିଛିଦିନ ହେଲା ଆସିଥିବା ଡିଏସ୍ ଡବ୍ଲୁଓ ବିଜୟଲକ୍ଷ୍ମୀ ନିଶଙ୍କଙ୍କୁ ପଚାରିବାରୁ ସେ ଗତ ୨୦୨୫ – ଡିସେମ୍ବର ରୁ କିଛି କିଛି ମାସର ବକେୟା ରହିଥିବା ବିଲ୍ କୁ ମିଶାଇ ଏବେ ପେମେଣ୍ଟ କରାଯାଇଥିବା ସଫେଇ ଦେଇଛନ୍ତି ।

  • ଉଲ୍ଲେଖଯୋଗ୍ଯ ଯେ , ବଲାଙ୍ଗୀର ଓ ସୁବର୍ଣ୍ଣପୁର ପରି ଆଦିବାସୀ ଅଧ୍ୟୁଷିତ ଦାଦନପ୍ରବଣ ମାଓ ଉପଦ୍ରୁତ ପଛୁଆ ଦରିଦ୍ରତମ ଜିଲ୍ଲାରେ ବିଭିନ୍ନ ଆଳରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି । ଶିଶୁଖାଦ୍ୟ ଛତୁଆ ପ୍ରସ୍ତୁତ କରୁଥିବା ତଥାକଥିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଆଦି କର୍ମକର୍ତ୍ତୀଙ୍କ ଦ୍ବାରା ବର୍ଷ ବର୍ଷ ଧରି ନିମ୍ନମାନର ଛତୁଆ ପ୍ରସ୍ତୁତ ଓ ବଣ୍ଟନ କରାଯାଇ ନିର୍ବାଚିତ ଲୋକପ୍ରତିନିଧି ମନ୍ତ୍ରୀ ,ଏମ୍ ପି , ଏମ୍ ଏଲ ଏ ଙ୍କ ଠାରୁ ବିଭାଗୀୟ ଅଧିକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ , ସିଡିପିଓ, ସୁପରଭାଇଜର ପ୍ରମୁଖଙ୍କୁ ପ୍ରଚୁର ହାତଗୁଞ୍ଜା ଦେଇ କୋଟିପତି ପାଲଟିଗଲେଣି । ଗ୍ରାମବାସୀଙ୍କୁ ହାତରେ ରଖିବାକୁ ଗାଁ ମଣ୍ଡପ , ମନ୍ଦିର ଓ ଉତ୍ସବାନୁଷ୍ଠାନକୁ ବରାବର ମୋଟାଅଙ୍କର ଚାନ୍ଦା ଦିଆଯାଉଛି । ଏଣୁ ଏହି ବାଟମାରଣାରେ ପ୍ରାୟ ସମସ୍ତେ ସାମିଲ୍ ରହିଥିବା ଏକ ଅପ୍ରିୟ ସତ୍ୟ ।

ପୂର୍ବରୁ ପାଟଣାଗଡ ଉପଜିଲ୍ଲାପାଳ ଥିବା ଅଭିଜ୍ଞ ପ୍ରଶାସକ ବିଜୟାନନ୍ଦ ସେଠୀ ସଂପ୍ରତି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଓ ଗତ କିଛିବର୍ଷ ହେଲା ଜଣେ ଯୁବ ଆଇ ଏ ଏସ ଗୌରବ ଶିବାଜୀ ଇସଲୱାର୍ ଜିଲ୍ଲାପାଳ ଥିବା ବେଳେ ଡବଲ ଇଞ୍ଜିନ୍ ସରକାରଙ୍କର ଜନପ୍ରିୟ ସାଂସଦ ମହାରାଣୀ ସଙ୍ଗୀତା ସିଂହଦେଓ ଓ ତାଙ୍କ ସ୍ବାମୀ ମହାରାଜା ପାଟଣାଗଡ ବିଧାୟକ ତଥା ଉପ- ମୁଖ୍ୟମନ୍ତ୍ରୀ ଭାବରେ କନକବର୍ଦ୍ଧନ ସିଂହଦେଓ ରହିଛନ୍ତି । ତଥାପି ଏହି ଉଭୟ ଅବହେଳିତ କୁପୋଷଣ ରହିଥିବା ଜିଲ୍ଲା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ଓ ମହିଳାଙ୍କ ପୁଷ୍ଟିକର ଖାଦ୍ୟ ଯୋଜନାର ଏଭଳି ବିଶୃଙ୍ଖଳା ବୃଦ୍ଧି ପାଉଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଜନସାଧାରଣଙ୍କ ଠାରୁ ପ୍ରକାଶ ।

Share

Leave a Reply