ଉତ୍କଳରତ୍ନ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ଅମଳିନ କୀର୍ତ୍ତି : ସୃଜନୀର ସ୍ମୃତିଚାରଣ
1 min read
ଚେନ୍ନାଇ ,ଭୁବନେଶ୍ୱର,//TATKAL ODISHA//
ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ବିଶ୍ୱର ମହାନ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁ ଙ୍କ ୧୨୪ ତମ ଜୟନ୍ତୀ ଅବସରରେ ମହାନ ବ୍ୟକ୍ତିଙ୍କ ଅମ୍ଲାନ କୃତି ପ୍ରତି ସୃଜନୀ ପରିବାର ଭକ୍ତିପୂତ ସମ୍ମାନ ଜଣାଇବା ସହ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ତଥା ଆଲୋଚକଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I
ଭବ୍ୟ ସଭାରେ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର କାହ୍ନୁ ଚରଣ ପାଢ଼ୀ ,ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ସତ୍ୟ ପ୍ରକାଶ ଦାଶ ଆଦି ବରେଣ୍ୟ ବକ୍ତା ରୂପେ ଉପସ୍ଥିତ ରହି ପ୍ରଣମ୍ୟ ସତ୍ୟନାରାୟଣ ରାଜଗୁରୁଙ୍କ ଜୀବନୀ ଏବଂ ତାଙ୍କର ବିଭିନ୍ନ କ୍ଷେତ୍ରରେ ଯଥା ଲିପିତତ୍ତ୍ୱ ଓ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଗବେଷଣା , ଓଡ଼ିଶା ଇତିହାସ ଲିଖନ ଓ ଗବେଷଣା,ସାରସ୍ୱତ ସାଧନା ,କଳା,ସଂସ୍କୃତି ଓ ନାଟକ କ୍ଷେତ୍ରରେ ଗବେଷଣା ଓ ଅବଦାନ ପ୍ରସଙ୍ଗରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିବା ସହ ମହାନ ଗୁରୁ ପ୍ରତିମ ସତ୍ୟନାରାୟଣ ରାଜଗୁରୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ I

ଲିପିତତ୍ତ୍ୱବିତ ତଥା ଗବେଷକ ଇଂ.ବିଷ୍ଣୁ ମୋହନ ଅଧିକାରୀ ଓ ସତ୍ୟନାରାୟଣ ରାଜଗୁରୁଙ୍କ ନାତି ରଘୁରାଜ ରାଜଗୁରୁ ଭବ୍ୟ ଆଭାସୀ ସଭାରେ ଉପସ୍ଥିତ ରହି ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ କୃତ୍ତି ,କୀର୍ତ୍ତି ଓ ଅବଦାନ ପ୍ରସଙ୍ଗରେ ଦୃଷ୍ଟିପାତ କରିବାସହ ଓଡିଶା ମାଟିର ମହାନ ପୁରୁଷଙ୍କ ପ୍ରତି ଭାବପୂର୍ଣ୍ଣ ସ୍ମୃତି-ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥଲେ I
ସୃଜନୀ ପରିବାରର ସଂପାଦକ ଅଶୋକ ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ର ଏବଂ ଉପଦେଷ୍ଟା ତଥା ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଙ୍କ ସହ ସୁଦୂର ଆମେରିକାରେ ଅବସ୍ଥାପିତ କରୁଥିବା ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା I ପ୍ରସାରଭାରତୀର କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକଙ୍କ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ I
ସୃଜନୀର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ସମଦୃଷ୍ଟି ପତ୍ରିକାର ସମ୍ପାଦକ ବିଘ୍ନେଶ୍ଵର ସାହୁ ସଭା ସଂଚାଳନ କରିଥିଲେ I
ସୃଜନୀର ସମ୍ପାଦକ ଶ୍ରୀ ଅଶୋକ ସାମନ୍ତଙ୍କ ଧନ୍ୟବାଦାର୍ପଣ ବକ୍ତବ୍ୟରେ ଉତ୍କଳରତ୍ନ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଙ୍କ ଅବର୍ତ୍ତମାନରେ ଆମେ କିପରି ତାଙ୍କୁ ଯଶୋଦେହରେ ବଂଚେଇ ରଖିପାରିବା ଏହି ମତ ସହ ସଭା ସାଙ୍ଗ ହୋଇଥିଲା I
