tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଯସ୍ତ୍ୱିନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।କର୍ମେନ୍ଦ୍ରିୟୈଃ କର୍ମୟୋଗମସକ୍ତଃ ସ ବିଶିଷ୍ୟତେ ॥

1 min read

Oplus_16908288

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୭ ଶ୍ଳୋକ :

ଯସ୍ତ୍ୱିନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।
କର୍ମେନ୍ଦ୍ରିୟୈଃ କର୍ମୟୋଗମସକ୍ତଃ ସ ବିଶିଷ୍ୟତେ ॥

ହେ ଅର୍ଜୁନ ! ଯେଉଁ ବ୍ୟକ୍ତି ମନ ଦ୍ୱାରା ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି, ଆସକ୍ତି ବିନା କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରେ, ସେଇ ବ୍ୟକ୍ତି ଶ୍ରେଷ୍ଠ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ସତ୍ୟ କର୍ମଯୋଗ କ’ଣ, ତାହା ସ୍ପଷ୍ଟ କରୁଛନ୍ତି । ଏହି ଶ୍ଳୋକ ଦ୍ୱାରା ସେ କହୁଛନ୍ତି ଯେ ସତ୍ୟ ସଂଯମ ଓ ସତ୍ୟ ସାଧନା ଜୀବନରୁ ପଳାୟନରେ ନୁହେଁ, ବରଂ ସଚେତନ ଓ ନିରାସକ୍ତ କର୍ମରେ ରହିଛି । ସେ କହୁଛନ୍ତି, ଯେଉଁ ବ୍ୟକ୍ତି ମନ ଦ୍ୱାରା ନିଜ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି, କର୍ମେନ୍ଦ୍ରିୟ ମାଧ୍ୟମରେ ନିଷ୍ଠାର ସହ କର୍ମ କରେ ଏବଂ ତାହାର ଫଳ ପ୍ରତି ଆସକ୍ତ ହୁଏ ନାହିଁ, ସେଇ ବ୍ୟକ୍ତି ପ୍ରକୃତରେ ଶ୍ରେଷ୍ଠ । ଏଠାରେ “ମନସା ନିୟମ୍ୟ” ବୋଲି କହିବା ମାନେ – ବାହ୍ୟ ଦମନ ନୁହେଁ, ଅନ୍ତର୍ନିହିତ ସଂଯମ । ମନ ଯଦି ସଂଯମିତ ହୁଏ, ତେବେ ଇନ୍ଦ୍ରିୟ ଆପେଆପେ ଶାନ୍ତ ହୋଇଯାଏ । ପୂର୍ବ ଶ୍ଳୋକରେ ଯିଏ ବାହ୍ୟ ଭାବେ ସନ୍ୟାସୀ ରୂପେ ପ୍ରତିପାଦିତ କରନ୍ତି କିନ୍ତୁ ମନରେ ଭୋଗକାମନା ପୋଷଣ କରନ୍ତି, ତାଙ୍କୁ ନିନ୍ଦା କରାଯାଇଛି । ତାହାର ବିପରୀତରେ ୩:୭ ଶ୍ଳୋକରେ ଶ୍ରୀକୃଷ୍ଣ ପ୍ରକୃତ କର୍ମଯୋଗୀଙ୍କ ଚିତ୍ର ଆଙ୍କିଦେଇଛନ୍ତି । ଏହା ଦ୍ୱାରା ଗୀତା ସ୍ପଷ୍ଟ କରେ ଯେ କର୍ମ ତ୍ୟାଗ ନୁହେଁ, କାମନା ତ୍ୟାଗ ହିଁ ମୋକ୍ଷର ପଥ । ଆଜିର ମଣିଷ କର୍ମକ୍ଷେତ୍ର, ପରିବାର ଓ ସମାଜରେ ବିଭିନ୍ନ ଦାୟିତ୍ୱରେ ବାନ୍ଧିତ। ସେଠାରୁ ପଳାଇବା ନୁହେଁ, ବରଂ ଆସକ୍ତି, ଅହଂକାର ଓ ଫଳାଶା ଛାଡ଼ି କାର୍ଯ୍ୟ କରିବା ହିଁ ମନୋଶାନ୍ତିର ମୂଳ ଉପାୟ ।
ପରିବାର ହେଉଛି ମନୁଷ୍ୟ ଜୀବନର ପ୍ରଥମ କର୍ମକ୍ଷେତ୍ର । ଏଠାରେ ପ୍ରତ୍ୟେକ ସଦସ୍ୟ – ପିତାମାତା, ସନ୍ତାନ, ସ୍ୱାମୀ-ସ୍ତ୍ରୀ – ନିଜ ନିଜ ଭୂମିକା ଓ ଦାୟିତ୍ୱ ନେଇ ଏକାଠି ବସବାସ କରନ୍ତି । ଭଗବଦ୍‌ଗୀତା ପାରିବାରିକ ଜୀବନକୁ କେମିତି ସୁସ୍ଥ, ସମନ୍ୱିତ ଓ ଶାନ୍ତିମୟ କରାଯାଇପାରିବ ତାହାର ଗଭୀର ମାର୍ଗଦର୍ଶନ ଦିଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ମନ ଦ୍ୱାରା ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି, ଆସକ୍ତି ବିନା କର୍ମ କରେ, ସେ ଶ୍ରେଷ୍ଠ । ପାରିବାରିକ ପରିପ୍ରେକ୍ଷୀରେ ଏହାର ଅର୍ଥ – ନିଜ ଆତ୍ମସୁଖ, ଅହଂକାର କିମ୍ବା ଆଶାକୁ ସର୍ବୋପରି ନରଖି, ପରିବାରର ସାମଗ୍ରିକ ମଙ୍ଗଳକୁ ଧ୍ୟାନରେ ରଖି କର୍ତ୍ତବ୍ୟ ପାଳନ କରିବା। ପରିବାରରେ ଅନେକ ସମୟରେ ଆମେ କହୁ – “ମୁଁ ଏତେ କରୁଛି, କିଏ ମୋତେ ମୂଲ୍ୟ ଦେଉନାହିଁ।” ଏହି ଅସନ୍ତୋଷର ମୂଳ କାରଣ ହେଉଛି ଫଳାଶା । ଗୀତା ଏହି ମନୋଭାବକୁ ସୁଧାରିବାକୁ କହେ । ଯଦି ଜଣେ ପିତାମାତା ସନ୍ତାନଙ୍କ ପାଇଁ ଦାୟିତ୍ୱ ପାଳନ କରନ୍ତି କେବଳ କର୍ତ୍ତବ୍ୟବୋଧରୁ, ବିନା ପ୍ରତିଦାନ ଆଶାରେ, ତେବେ ସେଠାରେ ମମତା ଅସନ୍ତୋଷରେ ପରିଣତ ହୁଏ ନାହିଁ । କ୍ରୋଧ, ଇର୍ଷା, ଆଶା-ନିରାଶା ଭଳି ମାନସିକ ଆବେଗକୁ ନିୟନ୍ତ୍ରଣ କରିପାରିଲେ, ପରିବାର ଏକ ଶାନ୍ତ ଓ ସୁରକ୍ଷିତ ଆଶ୍ରୟସ୍ଥଳ ହୋଇପାରେ । ରକ୍ଷଣ, ଉପାର୍ଜନ, ସେବା, ଲାଳନ-ପାଳନ ସବୁ କାମ ଯଦି ନିରାସକ୍ତ ଭାବେ କରାଯାଏ, ତେବେ ପରିବାର ହିଁ ସାଧନା କ୍ଷେତ୍ର ହୋଇଯାଏ ।

Oplus_16908288


ଭାରତୀୟ ଦର୍ଶନ ଅନୁସାରେ ମନ ହେଉଛି ଇନ୍ଦ୍ରିୟ ଓ ବୁଦ୍ଧିର ମଧ୍ୟସ୍ଥ ସେତୁ । ଯଦି ମନ ଅସଂଯତ, ତେବେ କର୍ମ ଆକାଂକ୍ଷାରେ ପରିଣତ ହୁଏ; ଯଦି ମନ ସଂଯତ, ତେବେ ସେଇ କର୍ମ ଯୋଗ ହୋଇଯାଏ । ଏଠାରେ ଗୀତା ସ୍ପଷ୍ଟ କରୁଛି – ବାହ୍ୟ କର୍ମନିରୋଧ ନୁହେଁ, ଅନ୍ତର୍ନିହିତ ମନୋନିୟନ୍ତ୍ରଣ ହିଁ ଦାର୍ଶନିକ ସାଧନାର ମୂଳ । ସାଂଖ୍ୟ ଦର୍ଶନ କହେ – ପୁରୁଷ ନିଷ୍କ୍ରିୟ, ପ୍ରକୃତି କ୍ରିୟାଶୀଳ । ଗୀତା ଏହି ତତ୍ତ୍ୱକୁ ଗ୍ରହଣ କରି କହୁଛି – ଜ୍ଞାନୀ ଜାଣେ ଯେ କର୍ମ ପ୍ରକୃତି ଦ୍ୱାରା ହେଉଛି, ତେଣୁ ସେ କର୍ତ୍ତାଭାବରେ ଆସକ୍ତ ହୁଏ ନାହିଁ । ଏହି କର୍ତ୍ତାଭାବ ତ୍ୟାଗ ହିଁ କର୍ମକୁ ବନ୍ଧନରୁ ମୁକ୍ତ କରେ । ଯେତେବେଳେ ମଣିଷ ନିଜକୁ କର୍ମର ଫଳ ସହ ଏକାକାର କରେ, ସେତେବେଳେ ସେ ସଂସାର ବନ୍ଧନରେ ପଡ଼େ । ଯେତେବେଳେ କର୍ମ ଆତ୍ମବୋଧ ସହ ଯୁକ୍ତ ହୁଏ, ସେତେବେଳେ ଜୀବନ ଦାର୍ଶନିକ ଅର୍ଥ ପାଏ । ମନ ସଂଯମ, କର୍ତ୍ତାଭାବ ତ୍ୟାଗ ଓ ନିଷ୍କାମ କର୍ମ – ଏହି ତିନିଟିର ସମନ୍ୱୟ ମାନବକୁ ସଂସାରରେ ରହି ମଧ୍ୟ ଆତ୍ମମୁକ୍ତିର ଅନୁଭୂତି ଦେଇପାରେ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply