ଶ୍ରୀମନ୍ଦିରପରମ୍ପରାରେ ଆମ ଜୀବନ ଜୀବିକା
1 min read
- ++++++++
- ଶ୍ରୀକାନ୍ତ ଦାଶ
- ++++++++
.
ଶ୍ରୀମନ୍ଦିର ପରମ୍ପରା ଶ୍ରୀଜଗନ୍ନାଥଙ୍କୁ ନେଇ ସମୃଦ୍ଧ ଓ ବିକଶିତ |ଆମର ଜୀବନ ଜୀବିକାର ମୂଳ ଉତ୍ସ ସେଇ କାଳିଆ ଠାକୁର | କୃଷି, ଶିକ୍ଷା, ସଂସ୍କୃତି, ବ୍ୟବସାୟ ପରିଚାଳନା, ପରିବାର ପରିଚାଳନା,ଜ୍ଞାନବିଜ୍ଞାନ, କମ୍ପୁଟର ଜ୍ଞାନ, ଗମନା ଗମନ,ଓ ଅନ୍ୟ ଅନେକ ବିଷୟ ଯାହା ଆମକୁ ପ୍ରଭାବିତ କରେ, ସବୁର ମୂଳ ସେଇ କାଳିଆ ଠାକୁର |

ଶ୍ରୀଜଗନ୍ନାଥ ଓ କୃଷି
ଶ୍ରୀମନ୍ଦିର ରତ୍ନ ସିଂହାସନରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତି ନିମ କାଠରେ ନିର୍ମିତ |ପ୍ରଭୁଙ୍କର କୃଷ୍ଣ ବଳରାମ ବେଶରେ ବଡ଼ ଭାଇ ବଳଭଦ୍ର ବଳରାମ ବେଶ ଓ ଶ୍ରୀଜଗନ୍ନାଥ କୃଷ୍ଣ ବେଶରେ ଭଉଣୀ ସୁଭଦ୍ରାଙ୍କ ସହ ଦର୍ଶନ ଦିଅନ୍ତି ସେତେବେଳେ ଗୋବତ୍ସାଚାରଣ ଦୃଶ୍ୟ ଦେଖାଯାଏ |ପ୍ରଭୁଙ୍କ ସମ୍ମୁଖରେ “ଗାଈ ଓ ବାଛୁରୀ “ରଖାଯାଇଥାଏ |ପ୍ରଭୁ ଫୁଲ ଓ ପତ୍ର ପ୍ରିୟ |ସେଥିପାଇଁ ସକାଳୁ ରାତ୍ର ଯାଏ ବିଭିନ୍ନ ସିଂହାର ସମୟରେ ପ୍ରଭୁ ବିଭିନ୍ନ ଫୁଲ ଓ ପତ୍ରରେ ସଜ୍ଜିତ ହୁଅନ୍ତି |ଏମିତି କି ବଡ଼ ସିଂହାରବେଶରେ ବହୁତ ଫୁଲ ବ୍ୟବହାର ହୁଏ |ପ୍ରଭୁଙ୍କର ପ୍ରିୟ ଫୁଲ ଗୁଡିକ ହେଲେ ଟଗର, ମଲ୍ଲୀ, ଜୁଇ, ଯାଇ ମାଳତୀ, ରଙ୍ଗଣୀ,କଦମ୍ବ, ଚମ୍ପା, ଗଙ୍ଗଶିଉଳି, ବକୁଳ,ପଦ୍ମ, କୁଳ, ଗେଣ୍ଡୁ | ତାଙ୍କ ପାଇଁ ନିଷିଦ୍ଧ ଫୁଲ ହେଲେ କନିଅର, ନୀଳ ଅପରାଜିତା,ଦୁଦୁରା, କଇଁ,ମନ୍ଦାର, ଅରଖ, କୃଷ୍ଣ ଚୁଡା| ଚନ୍ଦନ ତୃତୀୟା ଅର୍ଥାତ ଅକ୍ଷୟ ତୃତୀୟାରେ ପ୍ରଭୁଙ୍କର ଚନ୍ଦନ ଚର୍ଚ୍ଚିତ ବେଶ ଭକ୍ତଙ୍କୁ ଆହ୍ଲାଦିତ କରେ |ପ୍ରଭୁଙ୍କର ପଦ୍ମବେଶ ଓ ଗଜ ଉଦ୍ଧାରଣ ବେଶ, ବଣଭୋଜି ବେଶ, କାଳୀୟ ଦଳନ ବେଶ ସହିତ ଅନେକ କିମ୍ବଦନ୍ତୀ ଯେମିତି ଜୟଦେବଙ୍କ ଗୀତ ଗୋବିନ୍ଦଶୁଣିବାକୁ ପ୍ରଭୁଙ୍କର ବାଇଗଣ ବାଡ଼ିରେ ପଶିବା ଓ ଦାସିଆ ବାଉରୀ ହାତରୁ ନଡ଼ିଆ ନେବା କଥା ପ୍ରତକ୍ଷ୍ୟ ଓ ପରୋକ୍ଷରେ କୃଷି ସହିତ ସମ୍ପର୍କିତ |
ଶିଳ୍ପ
ସଭ୍ୟତାର ଅଭିବୃଦ୍ଧି ଘଟିଲା ଯେବେଠାରୁ ମାନବ ସଭ୍ୟତା “ଚକ “ସମ୍ପର୍କରେ ଆସିଲା |ଚକର ଉଦ୍ଭାବନ ନ ହୋଇଥିଲେ ସଭ୍ୟତା ବୋଧେ ଏହି ଅବସ୍ଥାରେ ପହଞ୍ଚି ନ ଥାନ୍ତା |କାଳିଆର ଚକାଆକ୍ଷି ହିଁ ଶିଳ୍ପ ପ୍ରଗତିର ପ୍ରତୀକ |ପ୍ରତ୍ୟେକ ଶିଳ୍ପ ସଂସ୍ଥାର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ନିର୍ଦିଷ୍ଟ ସମୟ ସ୍ଥିରୀକୃତ ହୋଇଥାଏ |ସେ ସମୟରେ ଉତ୍ପାଦନ ସାମୟିକ ବନ୍ଦ ରହେ | ସେ ବ୍ୟବସ୍ଥା ଶ୍ରୀଶ୍ରୀମନ୍ଦିରେ ମଧ୍ୟ ରଖାଯାଇଛି |ବର୍ଷ ଯାକ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି, ମାତ୍ର ସ୍ନାନ ପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ପରେ ପ୍ରଭୁ ଜରରେ ପୀଡିତ ହୁଅନ୍ତି |ସୁସ୍ଥ ହେବାପାଇଁ ପାଚନ ପାଣି, ଅଶୁଅ ପ୍ରଭୁଙ୍କ ପାଖରେ ଲାଗିଁହୁଏ |ଦେହରେ ଫୁଲୁରୀ ତେଲ ମାଲିସ ହୁଅନ୍ତି |ବିଶ୍ରାମ ପାଇଁ ଅଣସର ଘରେ ରହନ୍ତି |ସୁସ୍ଥ ହେଲାପରେ ଡାକ୍ତର ଆମକୁ ଯେପରି ବାହାରେ ବୁଲି ମନ ପ୍ରଫୁଲ୍ଲ ରଖିବା ପାଇଁ ପରାମର୍ଶ ଦିଅନ୍ତି, ପ୍ରଭୁ ବି ସେମିତି ଅଣସର ଘରୁ ବାହାରି ରଥ ଉପରେ ବସି ରଥଯାତ୍ରାରେ ବାହାରିଯାନ୍ତି ଓ ଭକ୍ତଙ୍କ ଗହଳି ରେ ମାଉସୀମା ମନ୍ଦିର ପାଖ ମାମୁଁ ଘରକୁ ବୁଲି ଯାନ୍ତି |ଦଶ ଦିନପରେ ନୀଳାଦ୍ରି ବିଜେ ରେ ଶ୍ରୀମନ୍ଦିରକୁ ଫେରିଆସନ୍ତି |ଏ ଭିତରେ ଏକ ମାସ ପ୍ରଭୂ ମନ୍ଦିର ବାହାରେ ରହି ମନ୍ଦିର ବେଢା ଭିତରେ ରକ୍ଷଣା ବେକ୍ଷଣ ପାଇଁ ସୁଯୋଗ ସୃଷ୍ଟି କରନ୍ତି |ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ କାଠ, ପଥରରେ ବିଭିନ୍ନ ଆକାରରେ ମୂର୍ତ୍ତି ଗଢି ପୁରୀ ଓ ତତ୍ ସଂଲଗ୍ନ ଅଂଚଳର ଅନେକ କାରିଗର ପୁରୀ କୁ ଆସୁଥିବା ଭକ୍ତଙ୍କୁ ବିକ୍ରିକରି ନିଜର ରୋଜଗାର ବୃଦ୍ଧି କରନ୍ତି |ଏହି ମୂର୍ତ୍ତି ଗଢିବା ଅଞ୍ଚଳ ବାସୀଙ୍କ ପାଇଁ କୁଟୀର ଶିଳ୍ପ ହୋଇଛି |ଏମିତି କି ଅବଢ଼ା ପାଇଁ ଯେତେ ମାଟିର କୁଡୁଆ (ସାନ, ବଡ଼ ବିଭିନ୍ନ ଆକାରର )କୁମ୍ଭାରମାନଙ୍କ ଦ୍ୱାରା ପ୍ରସ୍ତୁତ ହୁଏ ତାହା ମଧ୍ୟ ମୃଣ୍ମୟ ଶିଳ୍ପର ଉଦାହରଣ |ଶ୍ରୀଜୀଉ ମାନଙ୍କ ଉପରେ ଯେଉଁ ଚାନ୍ଦୁଆ ରହେ ତାହା ପିପିଲିର ଚାନ୍ଦୁଆ ଶିଳ୍ପର ପ୍ରସ୍ତୁତି |ଏହି ଚାନ୍ଦୁଆ ସହିତ ବିଭିନ୍ନ ପଟ୍ଟଚିତ୍ର, ତାଳ ପତ୍ର ରେ ଖୋଦିତ ଠାକୁରମାନଙ୍କ ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସତରେ ଆଦୃତ ଲାଭ କରିଛି ଓ ଶିଳ୍ପୀମାନଙ୍କୁ ରୋଜଗାର ଦେଉଛି | ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଯେତେ ଯାତ୍ରୀ ଆସନ୍ତି ସେମାନଙ୍କ ରହଣି ପାଇଁ ଅନେକ ଧର୍ମଶାଳା ଓ ହୋଟେଲ ଖୋଲା ଯାଇଛି | ସ୍ଥାନୀୟ ଯୁବକ ମାନେ ଯାତ୍ରୀ ବ୍ୟବସାୟକୁ ନିଜର ବୃତ୍ତି କରିଛନ୍ତି | ଆଉ ମଧ୍ୟ ହୋଟେଲ ଶିଳ୍ପରେ ଅନେକ ରୋଜଗାର ପାଉଛନ୍ତି |ଯାତ୍ରୀ ପରିବହନ ମଧ୍ୟ ଏକ ଉନ୍ନତ ବ୍ୟବସାୟ ହୋଇଛି |

ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନ ବ୍ୟବସ୍ଥା
ଶ୍ରୀମନ୍ଦିର ରୋଷଶାଳା ହେଉଛି ପୃଥିବୀର ସର୍ବ ବୃହତ ହୋଟେଲ ଯେଇଠି ଦୈନିକ ହଜାର ହଜାର ବ୍ୟକ୍ତି ଭୋଜନର ସୁବିଧା ପାଇଥାନ୍ତି |ଆନନ୍ଦ ବଜାରରେ ବସି ପ୍ରଭୁଙ୍କ ପ୍ରସାଦ (ଅବଢ଼ା )ସେବନର ଆନନ୍ଦ ଅନନ୍ୟ |ଛପନଭୋଗୀ ଜଗନ୍ନାଥଙ୍କ ଯୋଗୁଁ ଆମେ ଓଡ଼ିଆ ଖୁବ ଖାଦ୍ୟ ପ୍ରିୟ |ଆମର ସ୍ୱାସ୍ଥ୍ୟରକ୍ଷା ପାଇଁ ଯେପରି ବ୍ରେକଫାଷ୍ଟ, ଲଞ୍ଚ, ଟିଫିନ, ଡିନର ବ୍ୟବସ୍ଥା କରିଛୁ, ପ୍ରଭୁଙ୍କର ସେପରି ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ରାତ୍ର ଧୂପ ରହିଛି |ରାତିରେ ପେଟ ଥଣ୍ଡା ପାଇଁ ପ୍ରଭୁ ବଡସିଂହାର ଧୂପରେ ପଖାଳ ଖାଇଥାନ୍ତି | ଆମର ଯେମିତି ପାଟି ସୁଖ ପାଇଁ mixture, ଚଣା ଭଜା, ମୁଢି, ବିସ୍କୁଟ ରହିଛି, ପ୍ରଭୁଙ୍କର ବି ସେମିତି ଖଜା, ଗଜା,ଖୁରୁମା, ଅସୁମାରୀ ପିଠାର ବ୍ୟବସ୍ଥା ରହିଛି |ପ୍ରଭୁଙ୍କର ବ୍ୟଞ୍ଜନରେ ରହିଛି ବିରି ର ବଡକାନ୍ତି, ମାଠ ପୁଳି,ଚଣ୍ଡ ମାଠପୁଳି,ହଂସ କେଳି, କାକତୁଆ ଝିଲି, ଅଦା ପାଚିଡି,ଏଣ୍ଡୁରି, ଶାଗ,ଖେଚୁଡ଼ି,କାନିକା, ପିଠା ପୁଳି, ବୁନ୍ଦିଆ କ୍ଷୀରି, ଆରିସା, ଧଉଳା, ଘି ପୁରି, ତାଟ ନାଡୀ, ତାଟ ଆରିସା
, କାକରା, ମରିଚ ଲଡ଼ୁ, ଘି ନାଡୀ, ସର, ପଣା, ଅମୃତ ଦୁଧ,ଥାଳି ଅନ୍ନ, ଓରିଆ, କଦମ୍ବା, ସୁବାସପଖାଳ,ଶାକର,ସାନଗଜା, ମାଣ୍ଡୁଅ,ଇତ୍ୟାଦି..
ବିଜ୍ଞାନ
ଆଜି ଆମେ ଯେଉଁ ବିଜ୍ଞାନ ବଳରେ ଅସାଧ୍ୟ ସାଧନ କରିଛେ, ସେଇ ବିଜ୍ଞାନର ଜନକ ହେଉଛନ୍ତି ମହାପ୍ରଭୁ | ବିଜ୍ଞାନର ଶ୍ରେଷ୍ଠ ଉଦ୍ଭାବନ ହେଉଛି କମ୍ପ୍ୟୁଟର| ତାର ଚାରିକୋଣିଆ ଆକୃତି ଜଗନ୍ନାଥଙ୍କ ମୁଖ ସହିତ ମିଶୁଛି |ତାର ମାଉସ ଗଣେଙ୍କ ମୂଷା ଭଳି | ଯେ କୌଣସି website ରେ ବିନ୍ଦୁ ଥିଲା ଭଳି ବିଜ୍ଞାନ କହେ “ଵିନ୍ଦୁରୁ ବ୍ରହ୍ମାଣ୍ଡ”|ଆମର ATM counter ରୁ ଚବିଶ ଘଣ୍ଟା ଟଙ୍କା ବାହାରୁଥିବା (ଆଗରୁ ଟଙ୍କା ରଖାଯାଇଥାଏ )ଆମେ ଜାଣିଛୁ |ହେଲେ ପ୍ରଭୁଙ୍କର ଚକାଆକ୍ଷି ଏମିତି ଏକ ATM ଯେଉଁଠାରୁ ଭକ୍ତ ଜନଙ୍କ ପାଇଁ ସବୁବେଳେ କୃପା ବୃଷ୍ଟି ହେଉଥାଏ |
ପରିଚାଳନା ବ୍ୟବସ୍ଥା
ଆମେ ଜାଣୁ ବିଭିନ୍ନ ସଂସ୍ଥାର ସୁସ୍ଥ ପରିଚାଳନା ପାଇଁ ସ୍ୱତନ୍ତ୍ର ବିଭାଗ ଥାଏ |ମାତ୍ର ଶ୍ରୀମନ୍ଦିରରେ ପ୍ରଭୂଙ୍କର ପରିଚାଳନା ବିଭାଗ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହେଉ |ତାଙ୍କର ସେବା ପୂଜା ପାଇଁ 119 ପ୍ରକାର ସେବାୟତ ପ୍ରଭୁଙ୍କ ସେବାରେ ନିୟୋଜିତ ଅଛନ୍ତି |ଏମାନଙ୍କ ମଧ୍ୟରେ ଗଜପତି ମହାରାଜ ପ୍ରଥମ ସେବକ |ପ୍ରଭୁଙ୍କର ଦୈନିକ ନୀତି ସହିତ ଅନେକ ଉତ୍ସବ ରେ ସ୍ୱତନ୍ତ୍ର ନୀତି ପାଳନ କରାଯାଏ |ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ରେ ପରିଚାଳନା ସମ୍ବଦ୍ଧିୟ ସମସ୍ତ ତଥ୍ୟ ଲିପିବଦ୍ଧ ହୋଇଛି |କେହି କାହାକୁ ଆଦେଶ,/ନିର୍ଦେଶ ଦେବାର ଅବକାଶ ନାହିଁ |ସବୁ କିଛି ସ୍ୱୟଂକ୍ରୀୟ ଭାବେ ହୋଇଯାଏ |
ଆମେ କୌଣସି କାର୍ଯ୍ୟ ପାଇଁ କୌଣସି କାର୍ଯ୍ୟାଳୟକୁ ଗଲେ ପ୍ରଥମେ peon, ବଡ଼ବାବୁଙ୍କୁ ଦେଖାକରୁ ଓ ପରେ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟୁ |ଶ୍ରୀମନ୍ଦିରରେ ମଧ୍ୟ ସେଇ ବ୍ୟବସ୍ଥା | ମନ୍ଦିରରେ ପାର୍ଶ୍ଵ ଦେବ ଦେବଙ୍କୁ ଦେଖି ମନ୍ଦିର ପ୍ରଦକ୍ଷିଣ କରିବାପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦର୍ଶନ କରୁ |ପାର୍ଶ୍ଵ ଦେବ ଦେବୀ ହେଲେ –ଶ୍ରୀଗଣେଶ –ସିଦ୍ଧିଦାତା, ସରସ୍ବତୀ ବିଦ୍ୟା ପ୍ରଦାୟିନୀ, ମା’ଲକ୍ଷ୍ମୀ ଧନର ଦେବୀ, ମା’ବିମଳା ଶକ୍ତିର ଦେବୀ | ଶ୍ରୀ ହନୁମାନ ସଙ୍କଟ ମୋଚନ ପାଇଁ ଶ୍ରୀମନ୍ଦିରରେ ରହିଛନ୍ତି |ନୀତି କାନ୍ତି, ପୂଜା ବିଧିରେ କିଛି ଅସୁବିଧା ହେଲେ ତାର ସମାଧାନ ଓ ନିରାକରଣ ପାଇଁ ମୁକ୍ତି ମଣ୍ଡପର ପଣ୍ଡିତଗଣ ରହିଛନ୍ତି |
ବାହୁଡା଼ରେ କାଳିଆ, ବଳିଆ ଦୁଇ ଭାଇ ଭଉଣୀ ସୁଭଦ୍ରାଙ୍କ ସହିତ ମନ୍ଦିରକୁ ଫେରିବା ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ସମ୍ମୁଖୀନ ହୁଅନ୍ତି | ଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀଙ୍କର ଅଭିମାନ ଦୂର କରନ୍ତି | ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ମିଳାମିଶା ର ଏହା ଏକ ସୁନ୍ଦର ଉଦାହରଣ|
ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ|ଶ୍ରୀଜୀଉ ମାନେ ଏଥିରୁ ବ୍ୟତିକ୍ରମ ନୁହନ୍ତି |ଏଥିପାଇଁ ସେ ସୃଷ୍ଟି କରିଛନ୍ତି’ନବ କଳେବର ଲୀଳା’ |ନବକଳେବରରେ ସେ ନୂତନ ଶରୀର ଧାରଣ କରନ୍ତି ଓ ପୁରାତନ ଶରୀରକୁ କୋଇଲି ବୈକୁଣ୍ଠ ରେ ସଂସ୍କାର କରାଯାଏ | ଆମେ ଦେଖୁ “ମଣିଷ ଭଳି ଶ୍ରୀମନ୍ଦିର ଦଣ୍ଡାୟମାନ |ଆମେ ଶରୀର ତଳ ଅଂଶକୁ କହୁ ପାଦ, ଆଉ ମନ୍ଦିର ତଳ ଅଂଶ ହେଉଛି “ପାଦଦେଶ “,|ଆମର ପାଦ ଉପରେ ରହିଛି ‘ଜଙ୍ଘ ‘, ମନ୍ଦିରର ସେହିଭଳି ରହିଛି ‘ଜଙ୍ଘା ‘|ଆମର ‘ପେଟ’, ମନ୍ଦିରର ‘ଗର୍ଭଗୃହ ‘, ତା ଉପରେ ଆମର ‘ଗଣ୍ଡି ‘ଆଉ ମନ୍ଦିରର ରହିଛି ‘ଗଣ୍ଡି’| ତାପରେ ଆମର ‘ବେକ’ଯାହା ମନ୍ଦିରର ‘ବେକି ‘|ଆମର ‘ମୁହଁ’ମନ୍ଦିରର ‘ଅମଳକ ‘|ତା ଉପରେ ‘ଖପୁରି’ମନ୍ଦିରରେ ବି ରହିଛି’ ‘ଖପୁରି’, ଆମର ‘ମୁକୁଟ’ମନ୍ଦିରରେ ହେଉଛି’କଳସ’ | ଆମର ମୁକୁଟ ଭଳି ମନ୍ଦିରରେ ରହିଛି “ଦଧିନଉତି “|ଏମିତି ଶରୀର ତତ୍ତ୍ୱକୁ ନେଇ ମନ୍ଦିର ନିର୍ମାଣ ହୋଇଛି |ଶ୍ରୀଜଗନ୍ନାଥ ଆମକୁ ପୁରୁଷ ରୂପରେ ଦେଖାଦିଅନ୍ତି, ମାତ୍ର ନାରୀ ସୁଲଭ କାର୍ଯ୍ୟ କରନ୍ତି | ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଶ୍ରୀରାମଙ୍କ ଜନ୍ମର ପୁର୍ବ ରାତିରେ ସେ ଜେଉଟ ସେବନ କରିଥାନ୍ତି ପ୍ରସୂତି ବେଦନା ଉପସମ ପାଇଁ | କାରଣ ଜଗନ୍ନାଥ ହେଉଛନ୍ତି ଅବତାରୀ ଓ ତାଙ୍କଠାରୁ ଜନ୍ମ ନେଇଛନ୍ତି ଅବତାରଗଣ |
ଏଭଳି ଭାବେ ଶ୍ରୀମନ୍ଦିର ସହିତ ଆମର ଜୀବନ ଓ
ଜୀବିକା ଜଡିତ |
ଜୟ ଜଗନ୍ନାଥ 🙏🙏
ଶ୍ରୀକାନ୍ତ ଦାଶ
ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ ଓ ସଭାପତି ‘ଅବି’ |
Email :srikantadash.bpc @gmail. com
