ଶ୍ରୀମଦ୍ ଭଗବଦ୍ ଗୀତା ୨:୫୦ ଶ୍ଳୋକ :ବୁଦ୍ଧିୟୁକ୍ତୋ ଜହାତୀହ ଉଭେ..
1 min read
ବୁଦ୍ଧିୟୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ ।
ତସ୍ମାଦ୍ ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଲମ୍ ॥
ସମତତ୍ୱବୁଦ୍ଧିଯୁକ୍ତ ବ୍ୟକ୍ତି ଏହି ଜୀବନରେ ଭଲ ଓ ମନ୍ଦ ଉଭୟ ଫଳକୁ ତ୍ୟାଗ କରେ । ତେଣୁ, ତୁମେ ଯୋଗରେ ଯୁକ୍ତ ହୁଅ; କାରଣ କର୍ମରେ କୁଶଳତା ହିଁ ଯୋଗ ଅଟେ ।
ଯିଏ ଫଳର ଲୋଭ ବିନା, ସଫଳତା-ବିଫଳତାରେ ସମଭାବ ରଖି, ଅହଂକାର ଓ ଆସକ୍ତିରୁ ମୁକ୍ତ ହୋଇ କର୍ମ କରେ ସେହି ବ୍ୟକ୍ତିକୁ ଶ୍ରୀକୃଷ୍ଣ “ବୁଦ୍ଧିଯୁକ୍ତ” କହିଛନ୍ତି । ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ବୁଦ୍ଧିଯୁକ୍ତ ମଣିଷ ସୁକୃତ ଓ ଦୁଷ୍କୃତ ଉଭୟ ଫଳକୁ ତ୍ୟାଗ କରେ । ବୁଦ୍ଧିଯୁକ୍ତ ମଣିଷ ସଠିକ୍ ବିବେକରେ ନିଜ କର୍ମକୁ ନିର୍ବାହ କରେ । ସେ ନା ଭଲ ଫଳ ପାଇବା ଆଶାରେ କର୍ମ କରେ, ନା ମନ୍ଦ ଫଳ ଆସିବାର ଭୟରେ କର୍ମକୁ ଏଡ଼େଇ ଯାଏ । ଏପରି ବ୍ୟକ୍ତି ପାଇଁ କର୍ମ ହେଉଛି କର୍ତ୍ତବ୍ୟ, ଫଳ ନୁହେଁ ଲକ୍ଷ୍ୟ ।
ଶ୍ଳୋକର ଦ୍ୱିତୀୟ ଅଂଶରେ “ସୁକୃତ” ଓ “ଦୁଷ୍କୃତ” ତ୍ୟାଗର କଥା କୁହାଯାଇଛି । ଏଠାରେ ତ୍ୟାଗର ଅର୍ଥ କର୍ମ ତ୍ୟାଗ ନୁହେଁ; ବରଂ କର୍ମର ଫଳ ପ୍ରତି ଆସକ୍ତିର ତ୍ୟାଗ । ଯେଉଁଠି ମଣିଷ ଫଳ ପାଇଁ କର୍ମ କରେ, ସେଠି ବନ୍ଧନ ସୃଷ୍ଟି ହୁଏ । କିନ୍ତୁ ଯେତେବେଳେ କର୍ମ ନିଷ୍କାମ ହୁଏ, ସେତେବେଳେ ସେହି କର୍ମ ମୁକ୍ତିର ପଥ ହୁଏ । ଏହି ଧାରଣା ଗୀତାର କର୍ମଯୋଗ ତତ୍ତ୍ୱର ମୂଳ ଆଧାର । ଏଠାରେ ଶ୍ରୀକୃଷ୍ଣ ଯୋଗକୁ କୌଣସି ପଳାୟନମୂଳକ ଧ୍ୟାନପ୍ରଣାଳୀ ଭାବେ ନୁହେଁ, ବରଂ ଜୀବନର ପ୍ରତ୍ୟେକ କର୍ମରେ ସଚେତନତା, ନୀତିବୋଧ ଓ ନିଷ୍ଠା ସହ କାର୍ଯ୍ୟ କରିବାର କଳା ଭାବେ ଦେଖାଇଛନ୍ତି । ଦକ୍ଷତାର ଅର୍ଥ କେବଳ ପ୍ରାଯୁକ୍ତିକ କୌଶଳ ନୁହେଁ; ଏହା ମନର ସମତା, ଚିତ୍ତର ଶୁଦ୍ଧତା ଓ କର୍ତ୍ତବ୍ୟପ୍ରତି ସମର୍ପଣକୁ ସୂଚିତ କରେ ।
ସାମାଜିକ ଦୃଷ୍ଟିକୋଣରୁ ଦେଖିଲେ, ସମାଜର ଅନେକ ସମସ୍ୟାର ମୂଳ କାରଣ ହେଉଛି ଅତ୍ୟଧିକ ଫଳାଶା, ପଦ-ପ୍ରତିଷ୍ଠା ଲୋଭ ଓ ସ୍ୱାର୍ଥପୂର୍ଣ୍ଣ ମନୋଭାବ । ଗୀତା ଏହାର ବିପରୀତ ଧାରଣା ପ୍ରସ୍ତୁତ କରେ । ଯେତେବେଳେ ବ୍ୟକ୍ତି ସମାଜ ପାଇଁ କାମ କରେ, ସେ ଯଦି ନିଜ ସ୍ୱାର୍ଥକୁ ପଛରେ ରଖି କର୍ତ୍ତବ୍ୟକୁ ପ୍ରାଥମିକତା ଦିଏ, ସେଠାରେ ସାମାଜିକ ସମନ୍ୱୟ ଓ ନ୍ୟାୟ ଉତ୍ପନ୍ନ ହୁଏ । ଏପରି କର୍ମଯୋଗୀ ନାଗରିକ ଦୁର୍ନୀତି, ହିଂସା ଓ ଅସମତାରୁ ସମାଜକୁ ଦୂରେଇ ରଖିପାରେ ।
ପାରିବାରିକ ଜୀବନରେ ମଧ୍ୟ ଏହି ଶ୍ଳୋକର ଅର୍ଥ ଅତ୍ୟନ୍ତ ଗଭୀର । ପରିବାରରେ ପିତା-ମାତା, ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଅପେକ୍ଷା ଓ ଆଶା ଉପରେ ଭିତ୍ତି କରିଥାଏ । ଯେତେବେଳେ ଏହି ଆଶା ଅତ୍ୟଧିକ ହୁଏ, ସେତେବେଳେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ମନୋମାଳିନ୍ୟ ସୃଷ୍ଟି ହୁଏ । ଗୀତା କହେ – ନିଜ କର୍ତ୍ତବ୍ୟ କର, କିନ୍ତୁ ପ୍ରତିଦାନର ଆଶାରେ ନୁହେଁ । ଏହି ଭାବନା ପାରିବାରିକ ସମ୍ପର୍କକୁ ଅଧିକ ପବିତ୍ର, ସହନଶୀଳ ଓ ସ୍ନେହମୟ କରେ ।
ଏହି ଶ୍ଳୋକରେ କୁହାଯାଇଛି ଯେ ବୁଦ୍ଧିଯୁକ୍ତ ମଣିଷ “ସୁକୃତ” ଓ “ଦୁଷ୍କୃତ” ଉଭୟକୁ ତ୍ୟାଗ କରେ । ଦାର୍ଶନିକ ଭାବେ ଏହା ଦ୍ୱନ୍ଦ୍ୱତ୍ମକ ଚେତନାର ଅତିକ୍ରମଣକୁ ସୂଚାଏ । ଯେଉଁଠି ପୁଣ୍ୟ-ପାପ, ଲାଭ-ହାନି, ସୁଖ-ଦୁଃଖର ଭେଦ ଅଛି, ସେଠି ବନ୍ଧନ ଅଛି; ଏହାକୁ ଅତିକ୍ରମ କରିବା ହିଁ ଆତ୍ମଜ୍ଞାନର ପରିଣତି । “ତସ୍ମାଦ୍ ଯୋଗାୟ ଯୁଜ୍ୟସ୍ୱ”- ଏହି ଆହ୍ୱାନ ଦାର୍ଶନିକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଯୋଗ କୌଣସି ସନ୍ନ୍ୟାସମୂଳକ ପଳାୟନ ନୁହେଁ; ଏହା ହେଉଛି କର୍ମ ମଧ୍ୟରେ ଅବସ୍ଥିତ ଆନ୍ତରିକ ସମତା । “ଯୋଗଃ କର୍ମସୁ କୌଶଲମ୍” – ଏଠାରେ କୌଶଳର ଅର୍ଥ କେବଳ କାର୍ଯ୍ୟକୁଶଳତା ନୁହେଁ, ବରଂ ଚେତନାର ଶୁଦ୍ଧତା । ଅଦ୍ୱୈତ ବେଦାନ୍ତ ଦୃଷ୍ଟିକୋଣରୁ, ଯେତେବେଳେ କର୍ତ୍ତାଭାବ ଅହଂକାରରୁ ମୁକ୍ତ ହୁଏ, ସେତେବେଳେ କର୍ମ ଅକର୍ମ ହୋଇଯାଏ – ଅର୍ଥାତ୍ କର୍ମ କରିଲେ ମଧ୍ୟ ବନ୍ଧନ ସୃଷ୍ଟି କରେନାହିଁ । ଏହି ଅବସ୍ଥା ହିଁ କୌଶଳର ସର୍ବୋଚ୍ଚ ରୂପ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
