03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୧୬ ଶ୍ଳୋକ : ନାସତୋ ବିଦ୍ୟତେ ଭାବୋ..

1 min read

ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତ୍ଵନୟୋସ୍ତତ୍ତ୍ୱଦର୍ଶିଭିଃ ॥

ଯାହା ଅସତ୍ (ଅସ୍ଥାୟୀ, ଅବାସ୍ତବ) ତାହାର କୌଣସି ସ୍ଥାୟୀ ଅସ୍ତିତ୍ୱ ନାହିଁ । ଯାହା ସତ୍ (ସତ୍ୟ, ସ୍ଥାୟୀ) ତାହାର କେବେ ଅଭାବ ହୁଏ ନାହିଁ । ତତ୍ତ୍ୱଦର୍ଶୀ ଜ୍ଞାନୀମାନେ ଏହି ଦୁଇଟିର ସତ୍ୟ ସ୍ୱରୂପକୁ ଦେଖିପାରନ୍ତି ।


ଏହି ଶ୍ଳୋକରେ ଶ୍ରୀକୃଷ୍ଣ ସତ୍ୟ (ସତ୍) ଓ ମିଥ୍ୟା/ଅସ୍ଥାୟୀ (ଅସତ୍) ମଧ୍ୟରେ ଥିବା ତାରତମ୍ୟତାକୁ ସ୍ପଷ୍ଟ କରିଛନ୍ତି । ସୁଖ-ଦୁଃଖ, ଯଶ-ଅପଯଶ, ଜୟ-ପରାଜୟ; ଏସବୁ ଅସତ୍; କାରଣ ଏଗୁଡ଼ିକ ଅସ୍ଥାୟୀ ଓ ପରିବର୍ତ୍ତନଶୀଳ । ମଣିଷର ଦୁଃଖର ମୂଳ କାରଣ ହେଉଛି; ଅସତ୍‌କୁ ସତ୍ ଭାବିବା । ଯେତେବେଳେ ଆମେ ଦେହକୁ ନିଜର ସତ୍ୟ ସ୍ୱରୂପ ଭାବୁ, ସେତେବେଳେ ଭୟ, ଶୋକ ଓ ଆସକ୍ତି ଜନ୍ମ ନିଏ । ଏହି ଶ୍ଳୋକ ଆମକୁ ଶିକ୍ଷାଦିଏ – ସତ୍ୟକୁ ସତ୍ୟ ଓ ଅସତ୍ୟକୁ ଅସତ୍ ଭାବେ ଚିହ୍ନିବା ହେଉଛି ଜ୍ଞାନ ।


ମାନସିକ ଚାପ, ଭୟ ଓ ଅବସାଦର ମୂଳ କାରଣ ହେଉଛି ଅସ୍ଥାୟୀ ପରିସ୍ଥିତିକୁ ସ୍ଥାୟୀ ଭାବିନେବା । ଏହି ଶ୍ଳୋକ ମନୁଷ୍ୟକୁ ମାନସିକ ସନ୍ତୁଳନ ଶିଖାଏ – “ଏହା ରହିବ ନାହିଁ” ବୋଲି ବୁଝିପାରିଲେ ଦୁଃଖର ତୀବ୍ରତା କମିଯାଏ । ଅସ୍ଥାୟୀ ଜିନିଷ ଉପରେ ଅତ୍ୟଧିକ ଆସକ୍ତି ରଖିବା ଉଚିତ୍ ନୁହେଁ । ସ୍ଥାୟୀ ମୂଲ୍ୟ- ସତ୍ୟ, ନୀତି, କର୍ତ୍ତବ୍ୟ- ଏଗୁଡ଼ିକୁ ଆଶ୍ରୟ କଲେ ଜୀବନ ଦୃଢ଼ ହୁଏ । ବିବେକ ଦ୍ୱାରା ସତ୍ ଓ ଅସତ୍‌ର ଭେଦ ବୁଝିଲେ ମୁକ୍ତିର ପଥ ଖୋଲେ ।


ଯାହା ଅସତ୍, ଅସ୍ଥାୟୀ ଓ ଆଭାସମାତ୍ର – ତାହାର ସ୍ଥାୟୀ ମୂଲ୍ୟ ନାହିଁ; ଯାହା ସତ୍, ସତ୍ୟ ଓ ଚିରନ୍ତନ – ତାହା କେବେ ଲୁପ୍ତ ହୁଏ ନାହିଁ । ସମାଜରେ ପଦ, ପ୍ରତିଷ୍ଠା, ଧନ, ଶକ୍ତି; ଏସବୁ ଅସତ୍‌ ଶ୍ରେଣୀୟ, କାରଣ ଏଗୁଡ଼ିକ ସମୟ ସହ ପରିବର୍ତ୍ତିତ ହୁଏ । ଏକ ସମୟରେ ସମ୍ମାନିତ ବ୍ୟକ୍ତି ପରେ ଅବହେଳିତ ହୋଇପାରେ, ଶକ୍ତିଶାଳୀ ଶ୍ରେଣୀ ଦୁର୍ବଳ ହୋଇଯାଏ । କିନ୍ତୁ ସତ୍ୟ, ନ୍ୟାୟ, କରୁଣା, ସମତା – ଏଗୁଡ଼ିକ ସତ୍; ଏଗୁଡିକ କେବେ ମୂଲ୍ୟହୀନ ହୁଏ ନାହିଁ । ଯେଉଁ ସମାଜ ଅସତ୍ ଆଡମ୍ବର ଉପରେ ନିର୍ମିତ, ସେହି ସମାଜ ଦୀର୍ଘକାଳ ସ୍ଥିର ରହିପାରେ ନାହିଁ; କିନ୍ତୁ ସତ୍ୟ ମୂଲ୍ୟ ଉପରେ ନିର୍ମିତ ସମାଜ ସ୍ଥାୟୀ ଓ ସୁସ୍ଥ ହୁଏ ।


ପରିବାରରେ ମଧ୍ୟ ଅସତ୍ ଆଶା-ଆକାଂକ୍ଷାରୁ ଅନେକ ସଂଘର୍ଷ ଜନ୍ମ ନେଇଥାଏ । ଧନ, ସମ୍ପତ୍ତି, ଅଧିକାର, ଆଡମ୍ବର – ଏସବୁ ଅସ୍ଥାୟୀ; ଏଗୁଡ଼ିକୁ ନେଇ ଦ୍ୱନ୍ଦ୍ୱ ହେଲେ ପରିବାର ଭାଙ୍ଗିଯାଏ । କିନ୍ତୁ ପ୍ରେମ, ବିଶ୍ୱାସ, ଦାୟିତ୍ୱବୋଧ ଓ ସମ୍ମାନ- ଏଗୁଡ଼ିକ ସତ୍ । ଯେଉଁ ପରିବାର ସତ୍ ମୂଲ୍ୟକୁ ଆଧାର କରେ, ସେହି ପରିବାର ସମୟର ସମସ୍ତ ଆଘାତକୁ ସହ୍ୟ କରି ମଧ୍ୟ ଏକତ୍ର ରହିପାରେ।


ରାଜନୀତିରେ ଶକ୍ତି, ସତ୍ତା, ପଦବୀ – ଏସବୁ ଅସତ୍; କାରଣ ଏଗୁଡ଼ିକ ସ୍ଥାୟୀ ନୁହେଁ । ଶାସକ ଆସନ୍ତି ଓ ଯାଆନ୍ତି, ସରକାର ବଦଳେ; କିନ୍ତୁ ଧର୍ମ (ନୀତି), ନ୍ୟାୟ, ସଂବିଧାନିକ ମୂଲ୍ୟ – ଏଗୁଡ଼ିକ ସତ୍ । ଯେତେବେଳେ ରାଜନୀତି ଅସତ୍ ଲାଭ ଓ ସ୍ୱାର୍ଥକୁ ମୂଳ୍ୟବୋଧ କରେ, ସେତେବେଳେ ରାଜ୍ୟ ଅସ୍ଥିର ହୁଏ ।


ଦାର୍ଶନିକ ଭାଷାରେ ସତ୍ ଅର୍ଥ- ଯାହା ସ୍ୱୟଂସିଦ୍ଧ, ସ୍ଥାୟୀ ଓ କାଳାତୀତ । ତାହାର ଅସ୍ତିତ୍ୱ କୌଣସି ପରିବର୍ତ୍ତନରେ ନଷ୍ଟ ହୁଏନାହିଁ। ଅସତ୍ ଅର୍ଥ – ଯାହା ପରିବର୍ତ୍ତନଶୀଳ, ନଶ୍ୱର ଓ ଅନୁଭୂତିମାତ୍ରରେ ନିର୍ଭରଶୀଳ । ଗୀତା କହେ- ଅସତ୍‌ର କୌଣସି ସ୍ଥାୟୀ ଭାବ ନାହିଁ, ଏବଂ ସତ୍‌ର କେବେ ଅଭାବ ହୁଏ ନାହିଁ । ପରିବର୍ତ୍ତନ ହେଉଛି ଅସତ୍‌ର ଲକ୍ଷଣ । ଯାହା ଜନ୍ମ ନେଉଛି, ବୃଦ୍ଧି ପାଉଛି ଓ ନଷ୍ଟ ହେଉଛି – ତାହା ସତ୍ୟର ସର୍ବୋଚ୍ଚ ସ୍ତର ନୁହେଁ । ଦେହ, ମନ, ଭାବନା – ଏସବୁ ପରିବର୍ତ୍ତନଶୀଳ; ତେଣୁ ଏଗୁଡ଼ିକୁ ଗୀତା ଅସତ୍‌ ଶ୍ରେଣୀରେ ରଖେ । କିନ୍ତୁ ଯେଉଁ ଚେତନା ଏହି ପରିବର୍ତ୍ତନକୁ ଦେଖୁଛି, ସେହି ହିଁ ସତ୍ ।


ଦାର୍ଶନିକ ଭାବେ ଅଜ୍ଞାନର ଅର୍ଥ – ଅସତକୁ ସତ୍ ଭାବିବା । ମନୁଷ୍ୟ ଯେତେବେଳେ ଦେହକୁ ଅବିନାଶୀ, ଭୋଗକୁ ସୁଖ ଓ ପଦକୁ ଅସ୍ତିତ୍ୱ ଭାବେ ଧାରଣ କରେ, ସେତେବେଳେ ଭ୍ରାନ୍ତି ଜନ୍ମ ନେଇଥାଏ । ଜ୍ଞାନ ହେଉଛି – ସତ୍ ଓ ଅସତ୍‌ର ଏହି ଭେଦକୁ ବିବେକ ଦ୍ୱାରା ଚିହ୍ନିବା । ତେଣୁ ଶ୍ଳୋକର ଶେଷରେ “ତତ୍ତ୍ୱଦର୍ଶିଭିଃ” ଶବ୍ଦ ବ୍ୟବହୃତ ହୋଇଅଛି । ଯେଉଁମାନେ ଏହି ତତ୍ତ୍ୱକୁ ଦେଖିଛନ୍ତି, ସେମାନେ ଏହି ସତ୍ୟକୁ ଅନୁଭବ କରିଛନ୍ତି । ଯେତେବେଳେ ମନୁଷ୍ୟ ବୁଝିଯାଏ ଯେ ସେ ଅସତ୍ ଦେହ ନୁହେଁ, ବରଂ ସତ୍ ଚେତନା, ସେତେବେଳେ ଭୟ, ଶୋକ ଓ ମୋହ ନଷ୍ଟ ହୋଇଯାଏ ।


ଆମ ଭିତରେ ଏମିତି ଏକ ସତ୍ତା ଅଛି, ଯାହା ପରିବର୍ତ୍ତନ ମଧ୍ୟରେ ରହି ମଧ୍ୟ ଆମର ବିଭିନ୍ନ ଅନୁଭବଗୁଡିକୁ ଏକତ୍ର ବାନ୍ଧି ରଖେ। ସେହି ସତ୍ତା ହେଉଛି – ଆମ ନିଜର ଚୈତନ୍ୟ । ଜୀବନ, ଯାହାକି ରାଶି ରାଶି ଅନୁଭବର ଏକ ପ୍ରବାହ, ଏହି ଚୈତନ୍ୟ ଯୋଗୁଁ ହିଁ ସମ୍ଭବ । ବାଲ୍ୟାବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥାରେ ହେଉଥିବା ଅନୁଭବଗୁଡିକୁ ଏହି ଚୈତନ୍ୟ ହିଁ ପ୍ରକାଶିତ କରେ । ଅନୁଭବ ଆସେ ଏବଂ ଚାଲିଯାଏ । ଯେଉଁ ଚୈତନ୍ୟ ହେତୁ ମୁଁ ସବୁକୁ ଜାଣୁଛି, ଯାହାର ବିନା ମୋର କୌଣସି ଅସ୍ତିତ୍ଵ ନାହିଁ, ସେହି ଚୈତନ୍ୟ – ଯାହାକୁ ଆତ୍ମା ମଧ୍ୟ କୁହାଯାଇପାରେ – ତାହା ଜନ୍ମ ଓ ମୃତ୍ୟୁ ରହିତ, ନିତ୍ୟ ସତ୍ୟ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply