tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଯୁଦ୍ଧ ବାହାନାରେ ଅସାଧୁ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

1 min read

  • ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର
    ଉପଲବ୍‌ଧତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର,//TATKAL ODISHA//

ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି । ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡ଼ିକର କଳାବଜାରୀ ନହୁଏ, ସେଥିପ୍ରତି ସଜାଗ ରହିବା ସହିତ ରାଜ୍ୟବ୍ୟାପୀ ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ରବିଋତୁ ଚାଷ ପାଇଁ ଯଥେଷ୍ଟ ସାର ମହଜୁଦ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏ ସମସ୍ୟା ବିଷୟରେ ରାଜ୍ୟବାସୀ ଯେପରି ଆଶଙ୍କିତ ନ ହୁଅନ୍ତି, ସେଥିପ୍ରତି ସରକାରୀସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ପେଟ୍ରୋଲିୟମ ସାମଗ୍ରୀ ତଥା ଏଲ୍.ଏନ୍.ଜି ପାଇଁ ଭାରତ ବିଭିନ୍ନ ଗଲ୍‌ଫ ଦେଶମାନଙ୍କ ଉପରେ ନିର୍ଭର କରିଥାଏ । ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପେଟ୍ରୋଲ ଓ ଏଲ୍.ପି.ଜି ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଏ ସବୁ ସାମଗ୍ରୀର ଉପଲବ୍‌ଧତା ଓ ବଣ୍ଟନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଥିଲେ ।

ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମସ୍ୟାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିସ୍ତୃତ ବିବରଣୀ ରଖିଥିଲେ । ବୈଠକରେ ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ସାର ଯୋଗାଣ ଯେପରି ଅବ୍ୟାହତ ରହିବ, ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply