tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୧୧ ଶ୍ଳୋକ : ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ…

1 min read

Oplus_16908288

ଶ୍ରୀଭଗବାନୁବାଚ
ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ॥

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି – “ତୁମେ ଯେଉଁଥିପାଇଁ ଶୋକ କରିବା ଉଚିତ୍ ନୁହେଁ, ସେଥିପାଇଁ ଶୋକ କରୁଛ । ଏଥିସହିତ ଜ୍ଞାନୀଙ୍କ ଭଳି କଥା କହୁଛ । କିନ୍ତୁ ପ୍ରକୃତ ଜ୍ଞାନୀ ଲୋକ ଜୀବିତ କିମ୍ବା ମୃତ; କାହା ପାଇଁ ମଧ୍ୟ ଶୋକ କରନ୍ତି ନାହିଁ।”
ଏହି ଶ୍ଳୋକରୁ ହିଁ ଗୀତାର ଦାର୍ଶନିକ ଉପଦେଶ ଆରମ୍ଭ ହୁଏ । ଏଠାରେ ଭଗବାନ କୃଷ୍ଣ ଅର୍ଜୁନଙ୍କ ମନୋଦ୍ଵନ୍ଦକୁ ସିଧାସଳଖ ଭାବେ ପରଖି ନେଇଛନ୍ତି । ଅର୍ଜୁନ ଜ୍ଞାନୀଙ୍କ ଭଳି କଥା କହୁଛନ୍ତି – ଧର୍ମ, ଦୟା, କରୁଣାର କଥା କହୁଛନ୍ତି । କିନ୍ତୁ ଏହା ଭାବାବେଗଜନିତ ଦୟା, ସତ୍ୟ ଜ୍ଞାନ ନୁହେଁ । ପ୍ରକୃତ ଜ୍ଞାନୀ ଜୀବନ – ମୃତ୍ୟୁକୁ ପ୍ରାକୃତିକ ପରିବର୍ତ୍ତନ ଭାବେ ଦେଖନ୍ତି । ତେଣୁ ଆସକ୍ତିଜନିତ ଶୋକରୁ ମୁକ୍ତ ରହନ୍ତି ।

ଆଜିର ସମାଜରେ, ଆମେ ଅନାବଶ୍ୟକ ଭୟ ଓ ଶୋକରେ ଜୀବନ ଅତିବାହିତ କରୁ । ଦେହ, ସମ୍ପର୍କ, ପଦବୀକୁ ସର୍ବସ୍ୱ ରୂପେ ବିବେଚନା କରୁ, ଯାହା ପରିବର୍ତ୍ତନଶୀଳ । ଗୀତା ୨:୧୧ ଶିଖାଏ – ଯେଉଁଥିରେ ପରିବର୍ତ୍ତନ ଅନିବାର୍ଯ୍ୟ ସେଠାରେ ଶୋକ ନୁହେଁ – ଜ୍ଞାନ ଆବଶ୍ୟକ । ଉକ୍ତ ଶ୍ଳୋକ ଅଜ୍ଞାନରୁ ଜ୍ଞାନକୁ ଯିବାର ପ୍ରଥମ ପଦକ୍ଷେପ। ଦେହକେନ୍ଦ୍ରିକ ଚିନ୍ତାରୁ ଆତ୍ମକେନ୍ଦ୍ରିକ ଦୃଷ୍ଟିକୋଣର ଆରମ୍ଭ ।
ସମାଜରେ ଅନେକ ସମୟରେ ଲୋକେ ଭାବନାର ବଶରେ ଭୁଲ୍ ନିଷ୍ପତ୍ତି ନେଇଥାନ୍ତି । ଗୀତା ୨:୧୧ର “ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ” ବାଣୀ ସମାଜକୁ ସତର୍କ କରେ – ଯେଉଁ ବିଷୟରେ ଶୋକ କରିବା ଉଚିତ୍ ନୁହେଁ, ସେଠାରେ ଅତିରିକ୍ତ ସମ୍ବେଦନଶୀଳତା ସାମାଜିକ ଦୂର୍ବଳତା ସୃଷ୍ଟି କରେ । ଆଜିର ସମାଜରେ ଜାତି, ଧର୍ମ, ଶ୍ରେଣୀ କିମ୍ବା ସମ୍ପତ୍ତିକୁ ନେଇ ଯେଉଁ ଅନାବଶ୍ୟକ ଦ୍ଵନ୍ଦ ଦେଖାଯାଉଛି, ସେଗୁଡ଼ିକର ମୂଳ କାରଣ ହେଉଛି ବାସ୍ତବ ଜ୍ଞାନର ଅଭାବ । ପ୍ରକୃତ ଜ୍ଞାନୀ ସମାଜକୁ ଶୋକ ନୁହେଁ, ବିବେକର ପଥରେ ନେଇଯାନ୍ତି ।
ପରିବାର ହେଉଛି ଭାବନାର ସବୁଠାରୁ ଘନିଷ୍ଠ କ୍ଷେତ୍ର । ଅର୍ଜୁନଙ୍କ ଶୋକ ମୂଳତଃ ପାରିବାରିକ – ଗୁରୁ, ପିତାମହ, ଭାଇବନ୍ଧୁଙ୍କ ପ୍ରତି ଆସକ୍ତିରୁ ଜନ୍ମିତ । ଗୀତା ୨:୧୧ ଏଠାରେ ଏକ ଗଭୀର ସନ୍ଦେଶ ଦେଉଛି – ପାରିବାରିକ ସମ୍ପର୍କ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ତାହା ଯଦି କର୍ତ୍ତବ୍ୟବୋଧକୁ ଅନ୍ଧକାର କରେ, ତେବେ ସେହି ମମତା ଅବିବେକ ହୋଇଯାଏ । ସୁସ୍ଥ ପରିବାର ସେଠାରେ ଗଢ଼ିଉଠେ, ଯେଉଁଠି ସ୍ନେହ ସହ ବିବେକ ଓ ନୀତିର ସମନ୍ୱୟ ରହେ ।
“ଅଶୋଚ୍ୟାନନ୍ୱଶୋଚସ୍ତ୍ୱଂ” – ଏହି ବାକ୍ୟ ଗୀତାର ମୂଳ ଦାର୍ଶନିକ ସତ୍ୟକୁ ଉଦ୍‌ଘାଟନ କରେ । ଶୋକ ଜନ୍ମ ନେଇଥାଏ ଅଜ୍ଞାନରୁ। ଯେତେବେଳେ ମନୁଷ୍ୟ ନଶ୍ୱର ଦେହକୁ ଶାଶ୍ୱତ ଭାବେ ଭାବେ, ସେତେବେଳେ ହାନି ଓ ବିନାଶର ଭୟ ତାକୁ ଶୋକଗ୍ରସ୍ତ କରେ। ଭାରତୀୟ ଦାର୍ଶନିକ ପରମ୍ପରାନୁସାରେ ଅଜ୍ଞାନ (ଅବିଦ୍ୟା) ହେଉଛି ସମସ୍ତ ଦୁଃଖର ମୂଳ; ଗୀତା ଏଠାରେ ସେହି ସତ୍ୟକୁ ପୁନଃ ସ୍ଥାପିତ କରେ ।


“ଗତାସୂନଗତାସୂଂଶ୍ଚ”- ଏହି ପଦରେ ଗୀତାର ଆତ୍ମତତ୍ତ୍ୱର ବୀଜ ରହିଛି । ଜୀବିତ ଓ ମୃତ ଦେହ ଉପରେ ଶୋକ କରିବା ମୂଳତଃ ଦେହକୁ ଆତ୍ମା ଭାବିବାର ଫଳ । ଉପନିଷଦୀୟ ଦାର୍ଶନିକତା ଅନୁସାରେ ଆତ୍ମା ଅଜନ୍ମା, ଅବିନାଶୀ ଓ ଅପରିବର୍ତ୍ତନଶୀଳ । ଏହି ସତ୍ୟ ଉପଲବ୍ଧି ହେଲେ ଶୋକ ସ୍ୱତଃ ନଷ୍ଟ ହୁଏ । ଆତ୍ମା କୌଣସି ଅଲଗା ଦେହାତୀତ ସତ୍ତା ନୁହେଁ, ବରଂ ଜାଗୃତ ଅନୁଭୂତିର ଧାରା । ଯାହା “ମୁଁ ଅଛି”, “ମୁଁ ଜାଣୁଛି” ବୋଲି ଅନୁଭବ କରାଏ – ସେହି ଚେତନା ହିଁ ଆତ୍ମା ।

ଦେହ ବଦଳେ, ଭାବନା ବଦଳେ, ଚିନ୍ତା ବଦଳେ – କିନ୍ତୁ “ମୁଁ ଅଛି” ବୋଲି ଯେଉଁ ଅନୁଭବ, ସେ ଅବିଚ୍ଛିନ୍ନ । ଆତ୍ମା କୌଣସି ଏକ ସ୍ଥିର ସତ୍ତା ନୁହେଁ, ବରଂ ସ୍ମୃତି, ଅନୁଭବ ଓ ପରିଚୟର ଅବିରତ ଧାରା । ଗୀତା ୨:୧୧ରେ ଶ୍ରୀକୃଷ୍ଣଙ୍କ ବାଣୀରେ ଆତ୍ମାର ଅର୍ଥ – ମୂଳ ଚେତନା, ବିବେକ ଓ ମୂଲ୍ୟବୋଧ, ଯାହା ଅବିନାଶୀ, ସେଥିପାଇଁ ଶୋକ ଅସଙ୍ଗତ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply