tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୨୭ ଶ୍ଳୋକ :ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଃଧ୍ରୁବଂ ଜନ୍ମ..

1 min read

ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଃଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯ୍ୟେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ॥

ଜନ୍ମ ନେଇଥିବା ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ ଏବଂ ମୃତ ବ୍ୟକ୍ତିର ଜନ୍ମ ନିଶ୍ଚିତ । ତେଣୁ ଯାହା ଅଟଳ ଓ ଅପରିହାର୍ଯ୍ୟ, ସେଥିପାଇଁ ତୁମେ ଶୋକ କରିବା ଅନୁଚିତ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଜୀବନର ଅଟଳ ସତ୍ୟ – ଜନ୍ମ ଓ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି । ଜୀବନ ଏକ ଅବିରତ ପରିବର୍ତ୍ତନର ଧାରା । ଯେଉଁ ଦେହ ଜନ୍ମ ନେଇଛି, ସେ ଦେହ ଦିନେ ନଶ୍ୱର ହେବା ନିଶ୍ଚିତ । ସେହିପରି, ମୃତ୍ୟୁ କେବଳ ଶେଷ ନୁହେଁ, ବରଂ ଏକ ନୂତନ ଆରମ୍ଭର ସୂଚନା – ପୁନର୍ଜନ୍ମ । ଶ୍ରୀକୃଷ୍ଣ ଏଠାରେ ଅର୍ଜୁନଙ୍କ ଶୋକକୁ ଦୂର କରିବା ପାଇଁ କହୁଛନ୍ତି ଯେ, ଯାହା ପ୍ରକୃତିର ନିୟମ ଓ ଯାହାକୁ କେହି ଅଟକାଇ ପାରିବେନି, ସେଥିପାଇଁ ମନୁଷ୍ୟ ଦୁଃଖିତ ହେବା ନିର୍ବୋଧତା । ଶୋକ ଆମକୁ ଦୁର୍ବଳ କରେ ଏବଂ କର୍ତ୍ତବ୍ୟ ପାଳନରୁ ଦୂରେଇ ନେଇଯାଏ ।
ଆଜିର ଜୀବନରେ ମଧ୍ୟ ଏହି ଶିକ୍ଷା ଅତ୍ୟନ୍ତ ପ୍ରାସଙ୍ଗିକ । ଆମେ ବିଫଳତା, ବିଚ୍ଛେଦ, କିମ୍ବା ପ୍ରିୟଜନଙ୍କୁ ହରାଇବାକୁ ନେଇ ଅତ୍ୟଧିକ ଶୋକ କରୁ । ଗୀତା ୨:୨୭ ଆମକୁ କୁହେ – ଯାହା ଅଟଳ, ତାହାକୁ ଗ୍ରହଣ କରି ସ୍ଥିର ମନରେ ଆଗକୁ ବଢ଼ିବା ହିଁ ସତ୍ୟ ଜୀବନବୋଧ । ସମାଜରେ ମୃତ୍ୟୁ ଏକ ଅପରିହାର୍ଯ୍ୟ ଘଟଣା ହେଉଥିଲେ ମଧ୍ୟ, ଏହାକୁ ନେଇ ଅତ୍ୟଧିକ ଶୋକ, ଭୟ ସାମାଜିକ କାର୍ଯ୍ୟକୁ ବିକୃତ କରେ । ଗୀତା ଏହି ଶୋକମୂଳକ ମନୋଭାବକୁ ସଂଯମ କରି ସମାଜକୁ କାର୍ଯ୍ୟଶୀଳ ରଖିବାକୁ ଦାର୍ଶନିକ ଭିତ୍ତି ଦେଉଅଛି । ଯେତେବେଳେ ସମାଜ ଏହି ସତ୍ୟକୁ ଗ୍ରହଣ କରେ ଯେ ଜନ୍ମ-ମୃତ୍ୟୁ ପ୍ରକୃତିର ନିୟମ, ସେତେବେଳେ ଯୁଦ୍ଧ, ମହାମାରୀ, ଦୁର୍ଘଟଣା ପରି ସାମୁହିକ ଦୁଃଖକୁ ସହି ମଧ୍ୟ ଆଗକୁ ବଢ଼ିବାର ସାମୂହିକ ସାହସ ଗଢ଼ିଉଠେ । ପରିବାର ମନୁଷ୍ୟର ସବୁଠାରୁ ନିକଟ ଭାବନାତ୍ମକ ଏକକ । ପରିବାରରେ କାହାର ମୃତ୍ୟୁ ଘଟିଲେ ଗଭୀର ଶୋକ ସ୍ୱାଭାବିକ । କିନ୍ତୁ ଗୀତା ପାରିବାରିକ ଶୋକକୁ ଅସ୍ୱୀକାର କରେନି; ଏହା ଶୋକକୁ ସୀମିତ କରିବାକୁ ଶିଖାଏ । ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ମୃତ୍ୟୁକୁ ଅଟଳ ସତ୍ୟ ଭାବେ ଗ୍ରହଣ କରିନିଅନ୍ତି, ତେବେ ଶୋକ ଦୀର୍ଘକାଳୀନ ଅବସାଦରେ ପରିଣତ ହେବନାହିଁ ।
ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ମୃତ୍ୟୁଭୟ ମନୁଷ୍ୟର ସବୁଠାରୁ ଗଭୀର ଆତଙ୍କ । ଏହି ଭୟ ଅନେକ ସମୟରେ ଆତଙ୍କ, ଅବସାଦ ଓ ଅସ୍ଥିରତାର କାରଣ ହୁଏ । ଗୀତା ଏହି ଭୟକୁ ଯୁକ୍ତି ମାଧ୍ୟମରେ ନିରାକରଣ କରିଅଛି । “ଯାହା ଅଟଳ, ତାହାକୁ ନେଇ ଶୋକ କରିବା ଅନାବଶ୍ୟକ” – ଏହି ଚିନ୍ତାଧାରା ଆଧୁନିକ ମନୋବିଜ୍ଞାନର acceptance ଓ coping mechanism ସହ ସମ୍ପୂର୍ଣ୍ଣ ମେଳ ଖାଏ । ଏହା ବ୍ୟକ୍ତିକୁ ଅତୀତରେ ଅଟକି ରହିବା ପରିବର୍ତ୍ତେ ବର୍ତ୍ତମାନକୁ ଗ୍ରହଣ କରି ସ୍ଥିର ମନରେ ଆଗକୁ ବଢ଼ିବାରେ ସାହାଯ୍ୟ କରେ । ଫଳସ୍ୱରୂପ ମାନସିକ ସହନଶୀଳତା (resilience) ବୃଦ୍ଧି ପାଏ ।
ଦାର୍ଶନିକ ଭାବେ ଏହି ଶ୍ଳୋକ ଦୁଇଟି ସ୍ତରରେ କଥା କହେ – ଦେହ ଜନ୍ମଶୀଳ ଓ ନଶ୍ୱର, ଏବଂ ତତ୍ତ୍ୱ ସ୍ତରରେ, ଯାହା ଜନ୍ମ ନେଇଛି, ତାହାର ବିନାଶ ଅଟଳ । ଏଠାରେ ଗୀତା ସତ୍ (being) ଓ ଅସତ୍ (becoming) ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ସୃଷ୍ଟି କରୁଅଛି । ଯାହା ପରିବର୍ତ୍ତନଶୀଳ, ସେ ଅନିତ୍ୟ; ଏବଂ ଯାହା ଅନିତ୍ୟ, ତାହାକୁ ନେଇ ଆସକ୍ତି ଦୁଃଖର ମୂଳ ।
“ଧ୍ରୁବଃ” ଶବ୍ଦଟି ଏଠାରେ ଗୁରୁତ୍ୱପୂର୍ଣ୍ଣ । ଏହା ଦାର୍ଶନିକ ଭାବେ ନିୟତିବାଦକୁ ସୂଚିତ କରେ । କିଛି ଘଟଣା ପ୍ରକୃତିର ନିୟମ ଅନୁଯାୟୀ ଅନିବାର୍ଯ୍ୟ । କିନ୍ତୁ ଗୀତାର ନିୟତିବାଦ ନିଷ୍କ୍ରିୟତାକୁ ନୁହେଁ, ବରଂ ଵୈଚାରିକ ସିଦ୍ଧାନ୍ତକୁ ଗ୍ରହଣ କରିନେବାକୁ ଉତ୍ସାହିତ କରେ । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି – ଯାହାକୁ ଏଡ଼ାଇ ପାରି ହେବନାହିଁ (ଅପରିହାର୍ଯ୍ୟ), ସେଥିପାଇଁ ଶୋକ କରିବା ଅଜ୍ଞାନତାର ଲକ୍ଷଣ । ଦାର୍ଶନିକ ଅର୍ଥରେ ଘଟଣାକୁ ନୁହେଁ, ନିଜ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।
ଗୀତା ୨:୨୭ ଦୁଃଖର କାରଣକୁ ଦୁଇଟି ସ୍ତରରେ ବିଶ୍ଳେଷଣ କରେ – ଅଜ୍ଞାନ: ପରିବର୍ତ୍ତନକୁ ସ୍ଥାୟୀ ଭାବିବା, ଆସକ୍ତି: ଅନିତ୍ୟକୁ ନିତ୍ୟ ଭାବେ ଧରିରଖିବା । ଏହି ଶ୍ଳୋକ ବୁଦ୍ଧ ଦର୍ଶନର ଅନିତ୍ୟବାଦ ଓ ଷ୍ଟୋଇକ ଦର୍ଶନର Acceptance of Fate ସହ ଗଭୀର ସାଦୃଶ୍ୟ ରଖେ। ଏଠାରେ ଶୋକକୁ ଦମନ କରାଯାଏନି; ଶୋକର ତତ୍ତ୍ୱମୂଳକ ହନନ କରାଯାଏ ।
Stoic ଦାର୍ଶନିକ Marcus Aurelius ଓ Epictetus କହନ୍ତି – ଯାହା ଆମ ନିୟନ୍ତ୍ରଣରେ ନାହିଁ, ତାହାକୁ ଗ୍ରହଣ କରିନେବା ହିଁ ଶାନ୍ତିର ଉପାୟ । ମୃତ୍ୟୁ Stoics ପାଇଁ ପ୍ରକୃତିର ନିୟମ । ଗୀତା ୨:୨୭ ଓ Stoicism ମଧ୍ୟରେ ଗଭୀର ସାଦୃଶ୍ୟ ରହିଛି – ଦୁହେଁ ଅପରିହାର୍ଯ୍ୟ ଘଟଣା ପ୍ରତି ଶୋକକୁ ନିର୍ବୋଧତା ରୂପେ ବିବେଚନା କରନ୍ତି। କିନ୍ତୁ ପାର୍ଥକ୍ୟ ହେଉଛି – Stoics ନିର୍ବିକାରତା (apatheia) ଉପରେ ଜୋର୍ ଦିଅନ୍ତି, ଅପରପକ୍ଷରେ ଗୀତା ସଚେତନ ଅନାସକ୍ତି (ନିଷ୍କାମ କର୍ମ) କୁ ମୁଖ୍ୟ ଭାବରେ ବିବେଚନା କରେ ।
ଆଧୁନିକ ଅସ୍ତିତ୍ୱବାଦୀ Heidegger ମୃତ୍ୟୁକୁ Being-towards-death ବୋଲି ବର୍ଣ୍ଣନା କରନ୍ତି । ତାଙ୍କ ମତରେ, ମୃତ୍ୟୁ ସଚେତନତା ମନୁଷ୍ୟକୁ ନୀତିସମ୍ମତ ଜୀବନ ଯାପନ କରିବାକୁ ପ୍ରେରଣା ଦିଏ । ଗୀତା ୨:୨୭ ମଧ୍ୟ ମୃତ୍ୟୁ ସଚେତନତାକୁ ଜୀବନବୋଧର କେନ୍ଦ୍ର କରେ । କିନ୍ତୁ Heidegger ଯେଉଁଠାରେ ମୃତ୍ୟୁକୁ ଅସ୍ତିତ୍ୱର ଚୂଡ଼ାନ୍ତ ଶୂନ୍ୟତା ଭାବେ ଦେଖନ୍ତି, ଗୀତା ସେଠାରେ ଏହାକୁ ପରିବର୍ତ୍ତନର ଏକ ପର୍ଯ୍ୟାୟ ଭାବେ ଦେଖେ ।
Sartre ଓ Camus ପରି ଅସ୍ତିତ୍ୱବାଦୀ ଦାର୍ଶନିକମାନେ ଜୀବନକୁ ଅର୍ଥହୀନ ଭାବେ ଦେଖି, ମନୁଷ୍ୟକୁ ନିଜେ ଜୀବନର ଅର୍ଥ ସୃଷ୍ଟି କରିବାକୁ କହନ୍ତି । ମୃତ୍ୟୁ ଏଠାରେ ଅନିବାର୍ଯ୍ୟ, କିନ୍ତୁ ମୃତ୍ୟୁର ସେପାରିରେ କୌଣସି ତତ୍ତ୍ୱମୂଳକ ନିଶ୍ଚୟତା ନାହିଁ । କିନ୍ତୁ ଗୀତା ୨:୨୭ ଜୀବନକୁ ଅର୍ଥହୀନ କହେନି; ବରଂ ଧର୍ମ ଓ କର୍ମ ମାଧ୍ୟମରେ ଜୀବନର ଅର୍ଥ ପୂର୍ବନିର୍ଦ୍ଧାରିତ ବୋଲି ମନେ କରେ। ଅସ୍ତିତ୍ୱବାଦ ଯେଉଁଠାରେ ମନୁଷ୍ୟକୁ ଅର୍ଥର ସ୍ରଷ୍ଟା କରେ, ଗୀତା ସେଠାରେ ମନୁଷ୍ୟକୁ ଅର୍ଥର ସାକ୍ଷାତକାର କରାଏ । ମୃତ୍ୟୁକୁ ବୁଝିବା ମାନେ ଜୀବନରୁ ପଳାଇବା ନୁହେଁ, ବରଂ ଭୟ ଓ ଶୋକରୁ ମୁକ୍ତ ହୋଇ କର୍ତ୍ତବ୍ୟମୟ ଜୀବନକୁ ସ୍ୱୀକାର କରିବା ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply