ଶ୍ରୀମଦ୍ ଭଗବଦ୍ ଗୀତା ୨: ୩ ଶ୍ଳୋକ : କ୍ଳୈବ୍ୟଂ ମା ସ୍ମ ଗମଃ…
1 min read
କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱୟ୍ୟୁପପଦ୍ୟତେ ।
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତ୍ୱୋତ୍ତିଷ୍ଠ ପରନ୍ତପ ॥
ହେ ପାର୍ଥ (ଅର୍ଜୁନ) ! କ୍ଳୀବ (କାପୁରୁଷ ବା ନପୁଂସକ) ହୁଅ ନାହିଁ । ଏହା ତୁମ ପାଇଁ ଯୋଗ୍ୟ ନୁହେଁ । ହେ ପରନ୍ତପ ! ହୃଦୟର କ୍ଷୁଦ୍ର ଦୁର୍ବଳତାକୁ ତ୍ୟାଗ କରି ଜାଗ୍ରତ ହୁଅ ।
ଗୀତାର ଦ୍ଵିତୀୟ ଅଧ୍ୟାୟର ତୃତୀୟ ଶ୍ଳୋକଟି ଅର୍ଜୁନଙ୍କ ମନୋଦୁର୍ବଳତା ଉପରେ ଶ୍ରୀକୃଷ୍ଣଙ୍କର ଦୃଢ଼, ସ୍ପଷ୍ଟ ଓ ଉତ୍ସାହଜନକ ପ୍ରତିକ୍ରିୟା । ପୂର୍ବ ଶ୍ଳୋକରେ କୃଷ୍ଣ ଅର୍ଜୁନଙ୍କ ଦୟାକୁ “ଅନାର୍ଯ୍ୟ” ବୋଲି କହିଥିଲେ; ଏଠାରେ ସେ ତାହାର ମୂଳ କାରଣ, ହୃଦୟଦୌର୍ବଲ୍ୟକୁ ଚିହ୍ନଟ କରୁଛନ୍ତି ।
“କ୍ଳୈବ୍ୟ” ଶବ୍ଦର ଅର୍ଥ ନପୁଂସକତା ବା କାପୁରଷତା । ଏହି ଶବ୍ଦର ବ୍ୟବହାର ଏଠାରେ ଶାରୀରିକ ନୁହେଁ, ମାନସିକ ଭୀରୁତାର ପ୍ରତୀକ । କୃଷ୍ଣ କହୁଛନ୍ତି, ଯୁଦ୍ଧଭୂମିରେ ଏପରି ଭୟ, ଆତ୍ମସନ୍ଦେହ ଓ ଭାବାବେଗ ଅର୍ଜୁନଙ୍କ ମହାନତା ସହ ମେଳ ଖାଉନାହିଁ । “ନୈତତ୍ତ୍ୱୟ୍ୟୁପପଦ୍ୟତେ” – ନିଜ ସ୍ୱରୂପକୁ ଚିହ୍ନ । କୃଷ୍ଣ ଅର୍ଜୁନଙ୍କୁ ସ୍ମରଣ କରାନ୍ତି – ତୁମେ କିଏ? ତୁମେ ଧନୁର୍ଧର, ଧର୍ମର ପକ୍ଷରେ ଦଣ୍ଡାୟମାନ ଏକ କ୍ଷତ୍ରିୟ । ଏହି ଦୁର୍ବଳତା ତୁମ ଆତ୍ମସ୍ୱରୂପ ସହ ସାମଞ୍ଜସ୍ୟ ରଖୁନାହିଁ । “ହୃଦୟଦୌର୍ବଲ୍ୟ” – ଅର୍ଜୁନ ଯୁଦ୍ଧକୁ ଡରୁନାହାନ୍ତି, ସେ ଅପରାଧବୋଧ, ଭାବନାତ୍ମକ ଆସକ୍ତି ଓ ଭବିଷ୍ୟତ ଫଳର ଭୟରେ ଅଟକି ଯାଇଛନ୍ତି । କୃଷ୍ଣ ଏହାକୁ “କ୍ଷୁଦ୍ର” ବୋଲି କହିଛନ୍ତି – କାରଣ ଏହା ଅସ୍ଥାୟୀ ଓ ଅଜ୍ଞାନଜନିତ ।
ଶ୍ଳୋକର ଶେଷ ଶବ୍ଦ “ଉତ୍ତିଷ୍ଠ” ଗୀତାର କର୍ମଦର୍ଶନର ମୂଳମନ୍ତ୍ର । ଏହା କେବଳ ଶାରୀରିକ ସ୍ତରରେ ଉଠିବା ନୁହେଁ – ମନର ନିରାଶାରୁ ଉଠି କର୍ତ୍ତବ୍ୟପଥରେ ପ୍ରବେଶ କରିବା । ଆଜିର ମାନବ ମଧ୍ୟ ଅର୍ଜୁନଙ୍କ ପରି; ପରିବାର, ସମାଜ, କାର୍ଯ୍ୟକ୍ଷେତ୍ରରେ ନିଷ୍ପତ୍ତି ନେବାବେଳେ ଭାବାବେଗରେ ଅଟକି ଯାଏ ।
କୁରୁକ୍ଷେତ୍ରର ଯୁଦ୍ଧଭୂମି କେବଳ ଦୁଇଟି ସେନାର ସଂଘର୍ଷ ନୁହେଁ; ଏହା ପାରିବାରିକ ଆସକ୍ତି, ସାମାଜିକ ନୀତି ଓ ରାଜନୈତିକ କର୍ତ୍ତବ୍ୟର ଏକ ଜଟିଳ ସମ୍ମିଳନ । ଅର୍ଜୁନଙ୍କ ଦୁର୍ବଳତାର ମୂଳ କାରଣ ପାରିବାରିକ ଆସକ୍ତି । ପିତାମହ, ଗୁରୁ, ଭାଇବନ୍ଧୁ – ଏମାନଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାଇବା ଭାବନା ତାଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଥିଲା । କିନ୍ତୁ କୃଷ୍ଣଙ୍କ ଉପଦେଶ ଏଠାରେ ଗଭୀର ସୂଚନା ଦିଏ – ପରିବାର ପ୍ରତି ସ୍ନେହ ଯଦି ଧର୍ମ ଓ ନ୍ୟାୟକୁ ଆଚ୍ଛାଦିତ କରେ, ତେବେ ସେହି ସ୍ନେହ ଦୁର୍ବଳତାରେ ପରିଣତ ହୁଏ । ପାରିବାରିକ ସମ୍ପର୍କ ମୂଲ୍ୟବାନ, କିନ୍ତୁ ତାହା କର୍ତ୍ତବ୍ୟର ବାଧା ହେବା ଉଚିତ୍ ନୁହେଁ ।
ସମାଜ ଧର୍ମ ଉପରେ ଦୃଢ ହୋଇ ରହିଥାଏ । ଯେତେବେଳେ ନ୍ୟାୟ ଉପରେ ଅନ୍ୟାୟ ଜୟଲାଭ କରେ, ସେତେବେଳେ ଦାୟିତ୍ୱଶୀଳ ବ୍ୟକ୍ତିଙ୍କର ନିଷ୍କ୍ରିୟତା ସମାଜକୁ ଦୁର୍ବଳ କରେ । ଅର୍ଜୁନଙ୍କ ପରି ଯଦି ସମାଜର ଶକ୍ତିଶାଳୀ ଲୋକମାନେ “ହୃଦୟଦୌର୍ବଲ୍ୟ”ରେ ଆକ୍ରାନ୍ତ ହୁଅନ୍ତି, ତେବେ ସମାଜ ଅନ୍ୟାୟରେ ଭାରାକ୍ରାନ୍ତ ହୋଇଯିବ । ଏହି ଶ୍ଳୋକ ଏକ ସାମାଜିକ ଆହ୍ୱାନ – ସଚେତନ ନାଗରିକ ଭାବେ ଅନ୍ୟାୟ ଦେଖି ନିରବ ରହିବା ମଧ୍ୟ ଏକ ପ୍ରକାର କ୍ଳୈବ୍ୟ । ରାଜନୀତିରେ ନେତୃତ୍ୱର ମୂଳ ଗୁଣ ହେଉଛି ସାହସିକ ନିଷ୍ପତ୍ତି । ଅର୍ଜୁନ ଜଣେ ସେନାନାୟକ; ତାଙ୍କର ଦୁର୍ବଳତା ସମଗ୍ର ପାଣ୍ଡବ ସେନାକୁ ଅସ୍ଥିର କରିଦେବ । ଏହି ପ୍ରସଙ୍ଗରେ “ଉତ୍ତିଷ୍ଠ ପରନ୍ତପ” କେବଳ ଯୁଦ୍ଧର ଆଦେଶ ନୁହେଁ, ଏହା ଶାସନ ଓ ନୀତିନିର୍ଣ୍ଣୟର ମୂଳମନ୍ତ୍ର । ଆଧୁନିକ ରାଜନୀତିରେ ମଧ୍ୟ ଯଦି ଶାସକମାନେ ସମ୍ପର୍କ କିମ୍ବା ଭୟରେ ସଠିକ୍ ନିଷ୍ପତ୍ତି ନନିଅନ୍ତି , ତେବେ ରାଜ୍ୟ ଦୁର୍ବଳ ହୋଇଯିବ ।
ଗୁରୁ, ପିତାମହ ଓ ସ୍ୱଜନମାନଙ୍କ ପ୍ରତି ଅତିରିକ୍ତ ଆସକ୍ତି ଅର୍ଜୁନଙ୍କ ଲକ୍ଷ୍ୟକୁ ଧ୍ୱଂସ କରିଛି । ଆଧୁନିକ ମନୋବିଜ୍ଞାନ କୁହେ – ଅତ୍ୟଧିକ ଭାବାବେଗ ନ୍ୟାୟସଙ୍ଗତ ଚିନ୍ତାକୁ ବିକୃତ କରେ; ଏହି ଶ୍ଳୋକ ଉକ୍ତ ସତ୍ୟକୁ ହଜାର ବର୍ଷ ପୂର୍ବରୁ ପ୍ରକାଶିତ କରିଛି । “ନୈତତ୍ତ୍ୱୟ୍ୟୁପପଦ୍ୟତେ” – ଏଠାରେ କୃଷ୍ଣ ଅର୍ଜୁନଙ୍କୁ ନିଜ ସ୍ୱରୂପ ସ୍ମରଣ କରାନ୍ତି । ଅର୍ଜୁନ ଏକ କ୍ଷତ୍ରିୟ, ଏକ ଯୋଦ୍ଧା, କିନ୍ତୁ ସେ ନିଜକୁ ସେହି ଭୂମିକାରେ ଅନୁଭବ କରିପାରୁନାହାନ୍ତି ।
ମନୋବିଜ୍ଞାନ କୁହେ – ନିଷ୍କ୍ରିୟତା ମାନସିକ ରୋଗକୁ ବଢ଼ାଏ, କାର୍ଯ୍ୟବ୍ୟସ୍ତତା ତାହାକୁ କମାଏ । କୃଷ୍ଣ ଜାଣନ୍ତି – ଅର୍ଜୁନ ଚିନ୍ତାରେ ଯେତେ ଅଟକି ରହିବେ, ସେତେ ଦୁର୍ବଳ ହେବେ; କାର୍ଯ୍ୟରେ ପ୍ରବେଶ କଲେ ସେ ମାନସିକ ସମତୁଳନ ଫେରିପାଇବେ । ଏଠାରେ ଶ୍ରୀକୃଷ୍ଣ ଏକ ଗୁରୁ, ଏକ ପରାମର୍ଶଦାତା ଓ ଏକ ମନୋଚିକିତ୍ସକର ଭୂମିକା ଗ୍ରହଣ କରିଛନ୍ତି । ସେ ଅର୍ଜୁନଙ୍କୁ ଶିକ୍ଷା ଦେଇଛନ୍ତି – ମନର ଦୁର୍ବଳତାକୁ ଚିହ୍ନିବା, ତାହାକୁ ତ୍ୟାଗ କରିବା ଓ କର୍ତ୍ତବ୍ୟମୁଖୀ ଜୀବନକୁ ଅଙ୍ଗୀକାର କରିବା ହିଁ ମାନସିକ ମୁକ୍ତିର ପଥ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
