03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଇଭି ଯାନ ପାଇଁ ଅତ୍ୟାଧୁନିକ ଇଲେକ୍ଟ୍ରିକାଲ ଷ୍ଟିଲ୍

1 min read

  • ଜେଏସ୍‌ଡବ୍ଲ୍ୟୁ-ଜାପାନର ଜେଫଇ ଷ୍ଟିଲ ଯୁଗ୍ମ ସହଭାଗୀତାରେ ରେଙ୍ଗାଲିରେ ଶୁଭାରମ୍ଭ
  • ୩୦ ହଜାର କୋଟି ବ୍ୟୟ,କେବଳ ଜାପାନ ପୁଞ୍ଜିନିବେଶ କରିବ ୧୫,୦୦୦ କୋଟି
  • ବିକଶିତ ହେବ ‘ସମ୍ବଲପୁର ଗ୍ରୋଥ୍ କରିଡର,‘ସମୃଦ୍ଧ ହେବ ଓଡ଼ିଶା’ : ମୁଖ୍ୟମନ୍ତ୍ରୀ

ସମ୍ବଲପୁର, ରେଙ୍ଗାଲି, ଭୁବନେଶ୍ୱର,/TATKAL ODISHA//
ଇଲେକ୍ଟ୍ରିକ୍ ଯାନ ବା ଇଭି ଗାଡ଼ି ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା ନିମନ୍ତେ ସମ୍ୱଲପୁରର ରେଙ୍ଗାଲୀ ଠାରେ ଜେଏସ୍‌ଡବ୍ଲୁୁ୍ୟ ଷ୍ଟିଲ୍ ଲିମିଟେଡ୍ ଏବଂ ଜାପାନର ଜେଫଇ ଷ୍ଟିଲ୍ କର୍ପୋରେସନ୍ ଯୁଗ୍ମ ସହଭାଗିତାରେ ଅତ୍ୟାଧୁନିକ ଇଲେକ୍ଟ୍ରିକାଲ ଷ୍ଟିଲ୍ କାରଖାନା ପ୍ରତିଷ୍ଠା ହୋଇଛି। ମୋଟ୍ ୩୦ ହଜାର କୋଟି ବ୍ୟୟ ହେଉଥିଲେ ହେଁ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ ବୃଦ୍ଧି ପାଇବ। ଏଥିଯୋଗୁଁ ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।
ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ଓଡ଼ିଶାକୁ ଏକ ଲୌହ ପଥର ଉତ୍ପାଦନକାରୀ ରାଜ୍ୟରୁ ବିଶ୍ୱସ୍ତରୀୟ ଉଚ୍ଚମାନର ଇସ୍ପାତ ନିର୍ମାଣ ହବ୍‌ରେ ପରିଣତ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। “୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଆମେ ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ପାଖରେ ଆବଶ୍ୟକୀୟ ସମ୍ବଳ, ନୀତି ଏବଂ ଭିତ୍ତିଭୂମି ରହିଛି।’
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜଧାନୀ ଅଞ୍ଚଳ ଭଳି ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଏବଂ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ବିକଶିତ କରାଯିବ। ଏହି କରିଡରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନିବେଶ କରିବାକୁ ଜେଫଇ ଷ୍ଟିଲ୍ କମ୍ପାନୀକୁ ନିମନ୍ତ୍ରଣ କରାଯାଇଛି। କେନ୍ଦୁଝରରେ ଉଚ୍ଚମାନର ଲୌହ ପଥର ଓ ଉତ୍ତମ ପରିବହନ ବ୍ୟବସ୍ଥା ଯୋଗୁଁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ହ୍ରାସ ପାଇବ।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ ଜେଏସ୍‌ଡବ୍ଲ୍ୟୁ ଓ ଜେଫଇ ଷ୍ଟିଲ୍‌’ର ସହଭାଗୀତା ଖୁବ୍ ସହାୟକ ହେବ। ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ଆଜିର ଏହି ଜଏଣ୍ଟ ଭେନ୍‌ଚର ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ଓଡ଼ିଶା ବିଶ୍ୱର ପ୍ରତିଷ୍ଠିତ ନିବେଶକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିପାରିଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଛନ୍ତି ଯେ, ଏହି ଜଏଣ୍ଟ ଭେନ୍‌ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ ଷ୍ଟିଲ୍ ନିର୍ମାଣ କ୍ଷେତ୍ରରେ ଏହି ସହଯୋଗ ଓଡ଼ିଶା ଓ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ।
ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଓ ସାଉଦ କୋରିଆ କମ୍ପାନୀ ପୋସ୍କୋ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଓ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି। ଏହି ଦୁଇଟି ପ୍ରକଳ୍ପ ବର୍ଷକୁ ୧୧ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ କରିବ। ଏହାଦ୍ୱାରା ଅଗ୍ରଣୀ ଷ୍ଟିଲ ଉତ୍ପାଦକ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଆହୁରି ସୁଦୃଢ଼ ହେବ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ ଏବଂ ଜେଏସଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply