tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୪୦ ଶ୍ଳୋକ : କୁଳକ୍ଷୟେ ପ୍ରଣଶ୍ୟନ୍ତି..

1 min read

କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ ।
ଧର୍ମେ ନଷ୍ଟେ କୁଳଂ କୃତ୍ସ୍ନମଧର୍ମୋଽଭିଭବତ୍ୟୁତ ॥

କୁଳ (ବଂଶ) ନାଶ ହେଲେ ସନାତନ କୁଳଧର୍ମ ଧ୍ୱଂସ ହୋଇଯାଏ । ଧର୍ମ ନଷ୍ଟ ହେଲେ ସମଗ୍ର କୁଳ ଅଧର୍ମ ଆଚରଣ କରନ୍ତି ।


ଏହି ଶ୍ଳୋକରେ ଅର୍ଜୁନ ତାଙ୍କର ଗଭୀର ଆଶଙ୍କାକୁ ପ୍ରକାଶ କରୁଛନ୍ତି । ଯୁଦ୍ଧରେ ନିଜ କୁଳର ନାଶ ହେଲେ କେବଳ ଲୋକ ମରିବେ ନୁହେଁ, ବରଂ ପିଢ଼ୀ-ପିଢ଼ୀ ଧରି ଚାଲିଆସୁଥିବା ନୀତି, ଆଚାର, ସଂସ୍କାର ଓ ଧାର୍ମିକ ମୂଲ୍ୟବୋଧ ମଧ୍ୟ ଭଙ୍ଗ ହୋଇଯିବ। ଧର୍ମ ଭଙ୍ଗ ହେଲେ ସମାଜରେ ଅନ୍ୟାୟ, ଅନୈତିକତା ଓ ଅସ୍ଥିରତା ବଢ଼ିଯାଏ – ଏହି ଚିନ୍ତା ଅର୍ଜୁନଙ୍କୁ ଯୁଦ୍ଧରୁ ବିମୁଖ କରୁଛି । କୁଳଧର୍ମ ମାନେ କେବଳ ପାରମ୍ପରିକ ରୀତି ନୁହେଁ; ସେଗୁଡ଼ିକ ସମାଜକୁ ଏକତା, ନୀତି ଓ ଦାୟିତ୍ୱରେ ବାନ୍ଧି ରଖେ ।

ବୟୋଜ୍ୟେଷ୍ଠ ବ୍ୟକ୍ତିଗଣ ଅକାଳ ମୃତ୍ୟୁବରଣ କଲେ, ସମାଜର ନୀତିଗତ ଭିତିଭୂମି ଦୁର୍ବଳ ହୋଇଯାଏ । ବଞ୍ଚିରହୁଥିବା ଅଳ୍ପବୟସ୍କ ବ୍ୟକ୍ତିଗଣ ଅଧର୍ମାଚରଣ କରିପାରନ୍ତି ଏବଂ ତଦ୍ୱାରା ସେମାନେ ଆଧ୍ୟାତ୍ମିକ ଉନ୍ନତି କରିବାର ସୁଯୋଗରୁ ବଂଚିତ ହୋଇଯାଇପାରନ୍ତି । କର୍ତ୍ତବ୍ୟ (ଯୁଦ୍ଧ) ଓ ମୂଲ୍ୟବୋଧ (ପରିବାର-ସମାଜ ରକ୍ଷା) ମଧ୍ୟରେ ଅର୍ଜୁନଙ୍କ ମନୋବଳ ଭାଙ୍ଗିପଡ଼ୁଛି। ଭବିଷ୍ୟତର ସାମାଜିକ ଅବ୍ୟବସ୍ଥାର ଆଶଙ୍କା ତାଙ୍କୁ ଆତଙ୍କିତ କରୁଛି ।


ଏଠାରେ ଅର୍ଜୁନ “ଧର୍ମ”କୁ ବ୍ୟକ୍ତିଗତ କର୍ତ୍ତବ୍ୟରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ତାଙ୍କ ଧାରଣା ଧର୍ମ ଯଦି ରହିଥାଏ, ସମାଜ ବଞ୍ଚିରହେ; ଧର୍ମ ଭଙ୍ଗ ହେଲେ ସମାଜ ଭଙ୍ଗ ହୁଏ । ଅର୍ଜୁନ ଭାବୁଛନ୍ତି – ପିତାମାତା, ଗୁରୁ, ଜ୍ୟେଷ୍ଠଙ୍କ ନାଶ ହେଲେ; ସମାଜରେ ପରମ୍ପରା, ନୀତିଶିକ୍ଷା ଓ ମୂଲ୍ୟବୋଧର ସଂଚାର ଭାଙ୍ଗିଯିବ । ଏଠାରେ ସେ ପରିବାରକୁ ଏକ ନୀତିଶାଳା ଭାବେ ଦେଖୁଛନ୍ତି । ପରିବାର ଭାଙ୍ଗିଲେ ସମାଜର ନୀତିଗତ ଭିତିଭୂମି ଭାଙ୍ଗିଯାଏ । ଅର୍ଜୁନଙ୍କ ଯୁକ୍ତି – ଯୁଦ୍ଧ କିମ୍ବା ଶକ୍ତିଲାଭ ପାଇଁ ଯଦି ନୀତି, ମାନବିକତା ଓ ସଂସ୍କାର ନଷ୍ଟ ହୁଏ ତେବେ ଏହା ରାଜ୍ୟଧର୍ମର ବିଫଳତା ।

ଆଧୁନିକ ଜୀବନରେ ମଧ୍ୟ ଆଜି ଆମେ ଯେତେବେଳେ ଲୋଭ, ଶକ୍ତି, ସ୍ୱାର୍ଥ ପାଇଁ ପରିବାର, ସମାଜ ଓ ନୀତିକୁ ଅବହେଳା କରୁ, ସେତେବେଳେ ଗୀତା ୧.୩୯ ଆମକୁ ସତର୍କ କରେ – “ନୀତି ବିନା ବିଜୟ ମାନେ ପରାଜୟ।” ଅର୍ଜୁନଙ୍କ ଦୃଷ୍ଟିରେ ‘କୁଳ’ କେବଳ ରକ୍ତସମ୍ପର୍କର ଏକ ଗୋଷ୍ଠୀ ନୁହେଁ, ବରଂ ଏହା ଏକ ନୀତିଗତ ସଂସ୍ଥା । ପିତାମାତା, ଜ୍ୟେଷ୍ଠ, ଗୁରୁ ଓ ପରମ୍ପରା ମାଧ୍ୟମରେ ଯେଉଁ ସନାତନ ଧର୍ମ, ସଂସ୍କାର ଓ ଆଚାର; ପିଢ଼ୀରୁ ପିଢ଼ୀକୁ ପ୍ରବାହିତ ହୁଏ, ସେହି କୁଳଧର୍ମ ଯଦି ଭାଙ୍ଗିଯାଏ, ତେବେ ସମାଜର ନୀତିଗତ ଭିତିଭୂମି ଭୁସୁଡ଼ିପଡ଼େ । ଏହି କାରଣରୁ ଅର୍ଜୁନ କୁଳନାଶକୁ ମାନବ ସଭ୍ୟତା ପାଇଁ ଏକ ଭୟାବହ ବିପଦ ଭାବରେ ଦେଖୁଛନ୍ତି ।
ଏହି ଶ୍ଳୋକ ଧର୍ମକୁ ଏକ ବ୍ୟକ୍ତିଗତ ଆଚରଣ ନୁହେଁ, ବରଂ ଏକ ସାମୁଦାୟିକ ନୀତିବ୍ୟବସ୍ଥା ରୂପେ ଦର୍ଶାଇଥାଏ । ଧର୍ମ ହେଉଛି ସମାଜର ସମନ୍ୱୟଶୀଳତାର ମୂଳ ଆଧାର । ଯେତେବେଳେ ଧର୍ମ ନଷ୍ଟ ହୁଏ, ସେତେବେଳେ ଅଧର୍ମ,ଅନ୍ୟାୟ, ଲୋଭ, ହିଂସା ଓ ସ୍ୱାର୍ଥ; ସମଗ୍ର ସମାଜକୁ ଆକ୍ରାନ୍ତ କରେ । ଅର୍ଜୁନଙ୍କ ମନରେ ଏହି ଧାରଣା ଗଭୀର ଭାବେ ପ୍ରତିଷ୍ଠିତ ହୋଇଅଛି । ପାରିବାରିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ଶ୍ଳୋକ ପରିବାରକୁ ମାନବ ମୂଲ୍ୟବୋଧର ପ୍ରଥମ ବିଦ୍ୟାଳୟ ଭାବେ ଉପସ୍ଥାପନ କରେ । ଯୁଦ୍ଧରେ ପରିବାରର ବୃଦ୍ଧ ଓ ନୀତିର ରକ୍ଷକମାନେ ନଷ୍ଟ ହେଲେ, ଯୁବ ପିଢ଼ୀ ନୀତିହୀନ ଓ ଦିଗଭ୍ରାନ୍ତ ହୋଇପଡ଼ିବ। ଏହା ସମାଜରେ ଅସ୍ଥିରତା ଓ ନୀତିହୀନତାକୁ ଜନ୍ମ ଦେବ । ଗୀତା ୧.୩୯ ଅର୍ଜୁନଙ୍କ ଯୁଦ୍ଧଭୀତି ନୁହେଁ, ବରଂ ଏକ ନୀତିଜ୍ଞ ମନୁଷ୍ୟର ଆର୍ତ୍ତନାଦ । ଏହା ଆମକୁ ପ୍ରଶ୍ନ କରେ – “ଆମ ନିଷ୍ପତ୍ତି ସମାଜକୁ କେଉଁ ଦିଗକୁ ନେଉଛି?” “ଆମ ବିଜୟ କାହାର ମୂଲ୍ୟରେ?”
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply