Skip to content
- ବ୍ୟୟବରାଦ ହୋଇଛି ୮,୩୦୦ କୋଟି
- ମୋଟ୍ ୬୬୦ ଏକର ଜମିର ଆବଶ୍ୟକ
- ତିନି ପର୍ଯ୍ୟାୟରେ ହେବ ୧୧୧ କିମି ରାସ୍ତା
ଭୁବନେଶ୍ୱର,
ଖୋର୍ଦ୍ଧା ରାମେଶ୍ୱରରୁ ବିଲିପଡ଼ା ପର୍ଯ୍ୟନ୍ତ ସଂଯୋଗ କରୁଥିବା କ୍ୟାପିଟାଲ ରିଜନ ରିଙ୍ଗ୍ ରୋଡ୍ କାର୍ଯ୍ୟ ଏପ୍ରିଲ ପ୍ରଥମ ସପ୍ତାହରୁ କାମ ଆରମ୍ଭ କରାଯିବ। ପ୍ରକଳ୍ପ ପାଇଁ ମୋଟ୍ ୬୬୦ ଏକର ଜମିର ଆବଶ୍ୟକତା ଥିବାବେଳେ ୨୨୦ ଏକର ଜମି ସରକାରଙ୍କ ଅଧୀନରେ ରହିଛି। ବାକି ୪୪୦ ଏକର ସାଧାରଣ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଛି। ୧୧୧ କିଲୋମିଟର ଏହି ରାସ୍ତା ତିନୋଟି ପର୍ଯ୍ୟାୟରେ କାମ ହେବ। ଏଥିପାଇଁ ମୋଟ୍ ୮,୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅଢ଼େଇ ବର୍ଷ ଭିତରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଜାତୀୟ ରାଜପଥ କତ୍ତୃପକ୍ଷର ସିଜିଏମ୍ ବୀରେନ୍ଦ୍ର ସିଂହ କହିଛନ୍ତି ଯେ, ତିନୋଟି ପ୍ୟାକେଜ୍ରେ ପ୍ରକଳ୍ପ ହେବ। ପ୍ରତି ପ୍ୟାକେଜ୍ ପାଇଁ ୧୫ଟି ଲେଖାଏଁ ବିଡ୍ ଗ୍ରହଣ କରାଯାଇଛି। ଆଗାମୀ ଦେଢ଼ ମାସ ଭିତରେ କାମ ଆବଣ୍ଟିତ କରାଯିବ। ଠିକାସଂସ୍ଥା ଦୁଇରୁ ଅଢ଼େଇ ବର୍ଷ ଭିତରେ ପ୍ରକଳ୍ପ ସାରିବ। ୧୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ। ଏଥିରେ ୧୨୫ ଅଣ୍ଡାରପାସ, ୩୦୦ କଲଭର୍ଟ ନିର୍ମାଣ କରାଯିବ। ୪ଟି ସ୍ଥାନରେ ପେଟ୍ରୋଲ ପମ୍ପ, ଢ଼ାବା, ଗାଡି ମରାମତି ଦୋକାନ ଆଦିର ବ୍ୟବସ୍ଥା ରହିବ। ଏହା ହେଉଛି ଆକ୍ସେସ କଣ୍ଟ୍ରୋଲ ଗ୍ରୀନ ଫିଲଡ଼ ପ୍ରକଳ୍ପ। ଏଥିରେ ସୀମିତ ସଂଖ୍ୟାରେ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥା ରହିବ । ଅର୍ଥାତ ଗୋଟିଏ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନକୁ ମିଶାଇ ମୋଟ ୮ଟି ସ୍ଥାନରେ ପଥଚାରୀମାନେ ପ୍ରବେଶ ପ୍ରସ୍ଥାନ କରିପାରିବେ । ଏହାଦ୍ୱାରା ଅଯଥା ଟ୍ରାଫିକ ଭିଡ଼ ସୃଷ୍ଟି ହେବ ନାହିଁ। ଏହି ପ୍ରକଳ୍ପ ଯୋଗୁଁ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ରାସ୍ତାରୁ ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପକୁ ନେଇ ପରିବେଶ ସମେତ ଅନ୍ୟାନ୍ୟ ମଞ୍ଜୁରୀ ମିଳିସାରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।(ଜିତେନ୍ଦ୍ର)