ଦଇତାପତି, ନିଯୋଗ, ସେବାୟତ ଓ ମଠଗୁଡ଼ିକ ବ୍ୟବହାର କରୁଥିବା ଜମିର ହେବ ସୁବନ୍ଦୋବସ୍ତ
1 min read
- ଜମି ବନ୍ଦୋବସ୍ତ ନୀତି ଓ ପରିଚାଳନା ଆଇନ ସଂଶୋଧନ ନେଇ ଆଲୋଚନା: ହରିଚନ୍ଦନ
ଭୁବନେଶ୍ୱର //TATKAL ODISHA//
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି । ସଠିକ୍ ପରିଚାଳନା ଅଭାବରୁ ଅନେକ ଜମି ଜବରଦଖଲରେ ରହିଛି । ଫଳରେ ଏଥିରୁ ଶ୍ରୀମନ୍ଦିରର କିଛି ଆୟ ହେଉନାହିଁ ।
ଅନେକ ସ୍ଥଳରେ ଗରିବ ତଥା ଭୂମିହୀନ ସେବାୟତମାନେ ଦୀର୍ଘ ବର୍ଷ ବର୍ଷ ହେବ ଏହି ଜମିରେ ବସବାସ କରୁଥିଲେ ମଧ୍ୟ ଏହି ଜମି ଉପରେ କୌଣସି ଅଧିକାର ସାବ୍ୟସ୍ତ କରିପାରୁ ନାହାନ୍ତି । ଏହିସବୁ ସମସ୍ୟାର ସମାଧାନ ନେଇ ଆସିଥିବା ପ୍ରସ୍ତାବ ଉପରେ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମଙ୍ଗଳବାର ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ସଠିକ୍ ବନ୍ଦୋବସ୍ତ, ଦୀର୍ଘଦିନ ହେବ ସ୍ଥାୟୀ ଭାବେ ବସବାସ କରୁଥିବା ଦଇତାପତି, ନିଯୋଗ, ସେବାୟତ ଓ ମଠଗୁଡ଼ିକୁ ଜମି ପ୍ରଦାନ ନେଇ ଥିବା ନୀତିରେ ସଂଶୋଧନ କରାଯିବା ଉପରେ ଆଲୋଚନା ହୋଇଥିଲା । ଏହି ସଂଶୋଧିତ ନୀତି ବଳରେ ଦୀର୍ଘଦିନ ହେବ ବସବାସ କରୁଥିବା ସେବାୟତ ଓ ଅଣସେବାୟତମାନେ ସୁଫଳ ପାଇପାରିବେ । ଏଥି ସହିତ ଶ୍ରୀମନ୍ଦିର ରାଜସ୍ୱ ଆଦାୟ ମଧ୍ୟ ସୁଗମ ହୋଇପାରିବ ।
ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ବହୁ ମୂଲ୍ୟବାନ ସମ୍ପତ୍ତିକୁ ଜବରଦଖଲମୁକ୍ତ କରି ସର୍ବୋଚ୍ଚ ମୂଲ୍ୟରେ ଆବଣ୍ଟିତ କରିବା ନେଇ ଆସିଥିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ଅବସରରେ ଶୃଙ୍ଖଳିତ ନୀତିକାନ୍ତି, ସେବାପୂଜା ଓ ପରିଚାଳନା ଥିବା ଶ୍ରୀମନ୍ଦିର ଆଇନରେ ଆବଶ୍ୟକ ସଂଶୋଧନ ଉପରେ ଆଲୋଚନା ହୋଇଥିଲା । ବହୁ ପୁରାତନ ଏହି ଆଇନରେ ଆବଶ୍ୟକୀୟ ସଂଶୋଧନ କରି ବିଭିନ୍ନ ସବ୍କମିଟି ଗଠନ ସହ ଶୃଙ୍ଖଳିତ ରୀତିନୀତି, ବିଶୃଙ୍ଖଳ ଆଚରଣକୁ ରୋକିବା ଏବଂ ନିଷେଧ ବସ୍ତୁ ଶ୍ରୀମନ୍ଦିର ଭିତରକୁ ବାରଣ ନେଇ ଆଇନରେ ସଂସ୍କାର ଅଣାଯିବା ସହ ଦଣ୍ଡବିଧାନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ଏଥି ସହିତ ମନ୍ଦିର ପରିସର ମଧ୍ୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଶାଳୀନତା ରକ୍ଷା କରିବା ଭଳି ଭାରତୀୟ ପୋଷାକ ପରିଧାନ ଉପରେ ସଚେତନତା ସୃଷ୍ଟି କରାଯିବା ସହ ଶ୍ରୀଜଗନ୍ନାଥ ସଂସ୍କୃତି ନେଇ ଭୁଲ ସୂଚନା ପ୍ରଦାନ ଏବଂ ସାମାଜିକ ଗଣମାଧ୍ୟମରେ ଅପପ୍ରଚାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନରେ ପ୍ରାବଧାନ କରାଯିବା ନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଡାଏରୀକୁ ମନ୍ତ୍ରୀ ହରିଚନ୍ଦନ ଉନ୍ମୋଚନ କରିଥିଲେ ।
ବୈଠକରେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ପବିତ୍ର ମୋହନ ସାମଲ, ସ୍ୱତନ୍ତ୍ର ଶାସନ ସଚିବ ଭଗବାନ ପ୍ରସାଦ ସାହୁ, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଯୁଗ୍ମ ଶାସନ ସଚିବ ଅଂଶୁମାନ ମହାନ୍ତି, ରାଜସ୍ୱ ବିଭାଗ ଅତିରିକ୍ତ ଶାସନ ସଚିବ ଅମୀୟ କୁମାର ଓ ଯୁଗ୍ମ ଶାସନ ସଚିବ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
