tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କୃଷିଭିତ୍ତିକ ଅର୍ଥନୀତିକୁ କରାଯିବ ‘କମର୍ସିଆଲ ମଡେଲ’

1 min read

ସମ୍ବଲପୁର ନୀଲଡୁଙ୍ଗୁରିରେ ‘ପୁଷ୍ପ ଅବଶେଷରୁ କଳାକୃତି ଦ୍ୱାରା ନାରୀ ସଶକ୍ତିକରଣ ଶିବିର’ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

  • ନୀଲଡୁଙ୍ଗୁରି/ସମ୍ବଲପୁର, //TATKAL ODISHA// –

ସମ୍ବଲପୁରର ନିଲଡୁଙ୍ଗୁରୀ ଠାରେ ‘ପୁଷ୍ପ ଅବଶେଷରୁ କଳାକୃତି, ଅଗରବତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତିକରଣ ପ୍ରଶିକ୍ଷଣ ଶିବିର’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମର ମା’ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବାର ଏକ ସଶକ୍ତ ମାଧ୍ୟମ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ଶ୍ରୀ ପ୍ରଧାନ ଆଜି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏଚଟିଆଇ) ପରିସରରେ ସିଏସଆଇଆର-ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ, ଲକ୍ଷ୍ନୌ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି “ହ୍ୟାଣ୍ଡସ୍-ଅନ୍-ଟ୍ରେନିଂ” ପ୍ରଶିକ୍ଷଣ ଶିବିରକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ- ପୁଷ୍ପକୃଷି ମିଶନ ଅଧୀନରେ ଏଠାରେ ଆମର ମାଆ ଭଉଣୀମାନେ ଅବଶେଷ ଫୁଲରୁ ନିମନ୍ତ୍ରଣ ପତ୍ର, ଅନ୍ୟାନ୍ୟ କଳାକୃତି ସାମଗ୍ରୀ ତିଆରି କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ମାତୃଶକ୍ତିଙ୍କୁ ‘ଲକ୍ଷପତି ଦିଦି’ ଭାବରେ ଦେଖିବାର କଳ୍ପନା କରିଛନ୍ତି । ଆଜିର ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଉଦ୍ୟୋଗୀ ହେବେ । ସ୍ଥାନୀୟ ସମ୍ବଳର ସଦୁପଯୋଗ ହେବା ସହ ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ । ଏହି ପ୍ରଶଂସନୀୟ ପ୍ରୟାସ ପାଇଁ ଶ୍ରୀ ପ୍ରଧାନ ସିଏସଆଇଆର-ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି, ଆମ ସମ୍ବଲପୁରର ଯୁଜୁମୁରା ଅଞ୍ଚଳ ପରିଶ୍ରମୀ ଚାଷୀମାନଙ୍କର ଅଞ୍ଚଳ । ଏହି ମାଟିର ଚାଷୀ ଭାଇମାନେ ଡାଲି, ବାଦାମ, ଛତୁ, ବିଭିନ୍ନ ଫଳ ଏବଂ ପନିପରିବା ଚାଷରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । କିନ୍ତୁ ଏହି ଦକ୍ଷତାକୁ ଏକ ବଡ଼ ବ୍ୟବସାୟିକ ରୂପ ଦେବା ପାଇଁ ଆମକୁ କିଛି ଦୃଢ଼ ପଦକ୍ଷେପ ନେବାକୁ ହେବ । ଆମକୁ ପ୍ରତିଟି ପଞ୍ଚାୟତ ସ୍ତରରେ ଏକ ‘କୃଷିଭିତ୍ତିକ ମାଷ୍ଟରପ୍ଲାନ୍’ ପ୍ରସ୍ତୁତ କରିବାକୁ ପଡ଼ିବ । ମୁଁ ଜିଲ୍ଲା ପ୍ରଶାସନକୁ ଏହି ଦାୟିତ୍ୱ ଦେଉଛି ଯେ, ଯୁଜୁମୁରା ଅଞ୍ଚଳରେ ଜଳସେଚନ ପ୍ରକଳ୍ପଗୁଡ଼ିକୁ କିପରି ତ୍ୱରାନ୍ୱିତ କରାଯିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଜଳସେଚନର ସୁବିଧା ହେଲେ ଚାଷୀମାନେ ବର୍ଷସାରା ଫସଲ ଅମଳ କରିପାରିବେ ।

ଆଜିର ସମୟରେ କେବଳ ପାରମ୍ପରିକ ଚାଷ କଲେ ହେବ ନାହିଁ, ବରଂ କୃଷିଭିତ୍ତିକ ଅର୍ଥନୀତିକୁ ଏକ ‘କମର୍ସିଆଲ ମଡେଲ’ ବା ବ୍ୟବସାୟିକ ରୂପ ଦେବାକୁ ପଡ଼ିବ । ଲୋକଙ୍କ ଆର୍ଥିକ ସମ୍ପନ୍ନତା ପାଇଁ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବା ଆମର ମୂଳ ଲକ୍ଷ୍ୟ । ଫୁଲ ଚାଷ ହେଉ ବା ପନିପରିବା ଚାଷ, ଏହାର ଦୁଇଟି ମୂଳ ସର୍ତ୍ତ ହେଲା ଠିକ୍ ପ୍ରଶିକ୍ଷଣ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା । ଅର୍ଥାତ୍ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପାଇବା ଆବଶ୍ୟକ । ଯୁଜୁମୁରାରେ ଉତ୍ପାଦିତ ସାମଗ୍ରୀଗୁଡ଼ିକର ଏକ ‘ଲୋକାଲ୍ ବ୍ରାଣ୍ଡ’ ତିଆରି ହେଉ । ଯଦି ଆମର ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ ବିଶ୍ୱସ୍ତରୀୟ ହେବ, ତେବେ ଆମ ସାମଗ୍ରୀର ଚାହିଦା ବଢ଼ିବ । ଆଜି ଆମ ରାଜ୍ୟର ପନିପରିବା ବିଦେଶ ବଜାରକୁ ରପ୍ତାନି ହେଉଛି । ଆମ ଯୁଜୁମୁରା ଏବଂ ସମ୍ବଲପୁରର ଚାଷୀଙ୍କ ହାତତିଆରି ସାମଗ୍ରୀ ମଧ୍ୟ ବିଦେଶ ବଜାରରେ ପହଞ୍ଚାଇବା ପାଇଁ ପ୍ରୟାସ ହେବା ଉଚିତ୍ । ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେହି ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ମତପ୍ରକାଶ କରିଥିଲେ ।

Share

Leave a Reply