03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶାରେ ୩୫ଙ୍କୁ  ମିଳିଲା ନାଗରିକତା ପ୍ରମାଣପତ୍ର 

1 min read

ନାଗରିକତା (ସଂଶୋଧନ) ଆଇନ ଓଡ଼ିଶାରେ କାର୍ଯ୍ୟକାରୀ

  • ଭାରତର ପରମ୍ପରାଗତ ମାନବତା ଓ ଆଶ୍ରୟଦାନର ମୂଲ୍ୟବୋଧ ପୁଣି ଥରେ ଉଜ୍ଜିବୀତ :-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,//TATKAL ODISHA//

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ଆଜି ନବରଙ୍ଗପୁର ଜିଲ୍ଲାର ୩୫ ଜଣ ଆବେଦକଙ୍କୁ ନାଗରିକତା ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି । 

ଗୁରୁବାର ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶାର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏବେ ଆମ ଭବିଷ୍ୟତର ଅଂଶବିଶେଷ । ଆପଣମାନଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ମୁଖ୍ୟମନ୍ତ୍ରୀ କହିଥିଲେ,  “ଆପଣମାନଙ୍କୁ ଭାରତର ନାଗରିକ ଭାବରେ ମୁଁ ସ୍ବାଗତ କରୁଛି”।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାଗରିକତା (ସଂଶୋଧନ) ଆଇନ ୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣପତ୍ର ପ୍ରଦାନ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି।

“ଆମ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହେଉଥିବା ସଂଖ୍ୟାଲଘୁମାନଙ୍କ ପାଇଁ ନାଗରିକତା (ସଂଶୋଧନ) ଆଇନ ୨୦୧୯ ହେଉଛି *ପାପନାଶିନୀ ଓ ଦୁଃଖନାଶିନୀ ପବିତ୍ର ଗଙ୍ଗା ପରି । ଏହି ପବିତ୍ର ଆଇନ ବର୍ଷ ବର୍ଷ ଧରି ନିର୍ଯ୍ୟାତିତ ସଂଖ୍ୟାଲଘୁମାନଙ୍କ ପାଇଁ ଆଶା ଓ ଆଶ୍ୱାସନାର ମାର୍ଗ ପ୍ରଦାନ କରିଛି I”

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ନାଗରିକତା ପ୍ରମାଣପତ୍ର ପ୍ରଦାନ ମାଧ୍ୟମରେ *ଭାରତ ବର୍ଷର ସଦା ପରମ୍ପରାଗତ କରୁଣା, ମାନବତା ଓ ଆଶ୍ରୟଦାନର ମୂଲ୍ୟବୋଧ ପୁଣି ଥରେ ଉଜ୍ଜିବୀତ ହୋଇଛି । ଯୁଗ ପରିବର୍ତ୍ତନର ସାରଥୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ହେଉଛନ୍ତି ଭାରତ ବର୍ଷରେ  ଏହି ଆଇନ ପ୍ରଣୟନ ପ୍ରକ୍ରିୟାର ପ୍ରକୃତ ଭଗୀରଥ । ଏହା କାର୍ଯ୍ୟକାରୀ ହେବା ପଛରେ ସବୁଠାରୁ ବଳିଷ୍ଠ ଅବଦାନ ରହିଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର* । 

ଏହି ଆଇନର ଯଥାର୍ଥତା ବିଷୟରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଅନ୍ୟ ଯେ କୌଣସି ଧର୍ମର ବ୍ୟକ୍ତି କୌଣସି ଦେଶରେ ନିର୍ଯ୍ୟାତିତ ହେଲେ ତାଙ୍କୁ ଆଶ୍ରୟ ଦେବା ପାଇଁ ପୃଥିବୀରେ ଅନେକ ଦେଶ ରହିଛି । କିନ୍ତୁ, ଅନ୍ୟ କୌଣସି ଦେଶରେ ହିନ୍ଦୁମାନେ ନିର୍ଯ୍ୟାତିତ ହେଲେ, ତାଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ନାହିଁ । ତେଣୁ ଭାରତରେ ଏଭଳି ଆଇନ ହେବନାହିଁ ତ କେଉଁଠି ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । 

ଏହି ଅବସରରେ ନିଜର ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶରେ ସଂଖ୍ୟାଲଘୁ ମାନଙ୍କ ସ୍ୱର ହେବା ପାଇଁ ବ୍ୟାପକ ଶକ୍ତି ରହିଛି । କିନ୍ତୁ ଆମ ପଡ଼ୋଶୀ ରାଷ୍ଟ୍ରରେ ଅଳ୍ପସଂଖ୍ୟକ ମାନଙ୍କ ନିର୍ଯ୍ୟାତନା ଉପରେ ସେମାନେ ନୀରବ ରୁହନ୍ତି । *ବର୍ତ୍ତମାନ ଏ ମାନସିକତାରେ ପରବର୍ତ୍ତନ ଆସୁଛି । ଧର୍ମନିରପେକ୍ଷତା ନାଁ ରେ ଯେପରି କେବଳ ଗୋଟିଏ ଧର୍ମକୁ ଆପ୍ୟାୟିତ କରାଯାଉଥିଲା ସେଥିରେ ବିରାମ ଲାଗିଛି । ଆଜି ଦେଶରେ ଧର୍ମୀୟ ଆଧାରରେ ଆଉ ବାଛ ବିଚାର ହେଉନାହିଁ । ଆଇନ ଆଖିରେ ସମସ୍ତେ ସମାନ । ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟ ଏହି ସିଦ୍ଧାନ୍ତର ଏକ ସଫଳ ରୂପାୟନ*  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବାଙ୍ଗଲାଦେଶ ଓ ପାକିସ୍ତାନରେ ନିର୍ଯାତିତ ହେଉଥିବା ନାଗରିକମାନେ ମୂଳତଃ ଭାରତର ଅଧିବାସୀ ହୁଏତ ସେମାନଙ୍କ ପୂର୍ବ ପୁରୁଷ ଭାରତର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିବେ । ଏହି ସଂଖ୍ୟାଲଘୁମାନଙ୍କ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ଯଶସ୍ୱୀ ପ୍ରଧାନମନ୍ତ୍ରୀ CAA ଆଇନ ସଂଶୋଧନର ପରିକଳ୍ପନା କରିଥିଲେ । ନୂଆକରି ନାଗରିକତା ପାଇଥିବା ନବରଙ୍ଗପୁର ଜିଲ୍ଲାର ବାସିନ୍ଦାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ଆପଣମାନଙ୍କୁ ନାଗରିକତା ପ୍ରମାଣପତ୍ର ମିଳିଲା । ଭାରତର ନାଗରିକ ଭାବେ ସମସ୍ତ ସୁବିଧା ସୁଯୋଗ ପାଇବେ, ଭୂମିହୀନଙ୍କୁ ଭୂମି ପ୍ରଦାନ କରାଯିବ ଏବଂ ଆବଶ୍ୟକସ୍ଥଳେ ଜାତି ପ୍ରମାଣପତ୍ର ମଧ୍ୟ ଯୋଗାଇ ଦିଆଯିବ ।

ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶ ସ୍ୱାଧୀନତା ପରେ ନିଜ ଭିଟାମାଟିରେ ଶରଣାର୍ଥୀ ହୋଇ ରହିବା ଅତ୍ୟନ୍ତ କଷ୍ଟଦାୟକ । ଆଜି ଏହି ନାଗରିକତା ପ୍ରମାଣପତ୍ର ପ୍ରଦାନ ମାଧ୍ୟମରେ ଏଥିରୁ ସେମାନଙ୍କୁ ମୁକ୍ତି ମିଳିଛି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । 

ନୂଆକରି ନାଗରିକତ୍ୱ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୯୯୮ରୁ ବାଙ୍ଗଲାଦେଶରୁ ଆସିଥିବା ବାପିନ ମିର୍ଦ୍ଧା କହିଥିଲେ ଯେ, ଏହି ନାଗରିକତା ପ୍ରମାଣପତ୍ର ଆମକୁ ଭିଟାମାଟିର ବାସିନ୍ଦା ଭାବେ ନୂଆ ପରିଚୟ ଦେଇଛି । ଏହା ମାଧ୍ୟମରେ ଆମର ବହୁଦିନର ସ୍ୱପ୍ନ ପୂରଣ ହୋଇଛି । ଆଜିର ଏହି ଦିବସ ଆମକୁ ଭାରତୀୟ ନାଗରିକତ୍ୱ ଦେଇ ଗର୍ବିତ କରିଛି ।

କାର୍ଯ୍ୟକ୍ରମରେ ଜନଗଣନା ନିର୍ଦ୍ଦେଶକ ଶ୍ରୀ ନିଖିଲ ପବନ କୁମାର ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ  ହେମନ୍ତ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply