03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମା’ତାରିଣୀଙ୍କ ପୀଠର ବଦଳିବ କାୟାକଳ୍ପ  : ୩୧୨ କୋଟି ବ୍ୟୟ

1 min read
  • ଶୀଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

– ବିକାଶ ହେବ ଯାତ୍ରୀ ସୁବିଧା, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହ
– ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀ ନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା 
– ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବଡ଼ ବିକାଶ 

ଭୁବନେଶ୍ୱର,//TATKAL ODISHA//
 ମା’ ତାରିଣୀ ପୀଠର ବିକାଶ ହେବ। ରବିବାରଠୁ ଆରମ୍ଭ ହୋଇଛି ମା’ଙ୍କ ପୀଠର କାୟାକଳ୍ପ। ପ୍ରାୟ ୬୦ ଏକର ପରିମିତ ଜମି ଉପରେ ମା’ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ପଡ଼ିଛି I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାରିଣୀ ପୀଠର ସାମଗ୍ରିକ ଉନ୍ନତି ପାଇଁ ଶିଳାନ୍ୟାସ କରିଛନ୍ତି I

 ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା’ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍ ଟାୱାର ହେବ। ଏହି ପ୍ରକଳ୍ପ ସମୁହ ପାଇଁ ୩୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି I 

 ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ରୋଡ ଶୋ କରି ତାରିଣୀ ପୀଠକୁ ଯାଇଥିଲେ I ତାଙ୍କ ସହିତ ଥିଲେ ବିଜେପି ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ I

  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମା’ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳଗୁଡିକର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁସଙ୍ଗିକ ବ୍ୟବସ୍ଥାର ଯୋଜନା ହୋଇଛି। ଯଥା ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଜଳ ଯୋଗାଣ, ବିଦ୍ୟୁତ ଏବଂ ଆଲୋକୀକରଣ ବ୍ୟବସ୍ଥା, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସମେତ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡି ପରିଚାଳନା ପାଇଁ ସୁବନ୍ଦୋବସ୍ତ ଏହି ଯୋଜନାରେ ସାମିଲ ଅଛି।


 ପୁଷ୍କରିଣୀ ଆମ ଧର୍ମୀୟ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଧ୍ୟାନରେ ରଖି ବୃହତ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିରର ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳ ପଡ଼ିଆ ନିକଟରେ ପୁଷ୍କରିଣୀକୁ ବିକାଶ ମାଧ୍ୟମରେ ସୁଦୃଶ୍ୟ କରିବା ପାଇଁ ଏହି ଯୋଜନାରେ ସାମିଲ କରାଯାଇଛି। ଏହା ସହ ସଡକ ବିକାଶ ଏହି ଯୋଜନାର ପ୍ରମୁଖ ଅଙ୍ଗ। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ୧୨ ମିଟର ଚଉଡ଼ା ରାସ୍ତା ସଂଯୋଗ କରିବ । ଏହା ସହ ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ I 

Share

Leave a Reply