03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପିଏମ୍ କିଷାନର ୨୨ତମ କିସ୍ତି ପାଇଲେ ଓଡ଼ିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ

1 min read

ଗୌହାଟିରେ ପିଏମ୍ କିଷାନର ୨୨ତମ କିସ୍ତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ

  • କେନ୍ଦ୍ର-ରାଜ୍ୟ ମିଶି କୃଷକଙ୍କର ଆୟ କରିଛୁ ବହୁଗୁଣିତ: ମୁଖ୍ୟମନ୍ତ୍ରୀ
    ଭୁବନେଶ୍ୱର,//TATKAL ODISHA//
    ପିଏମ୍ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ଦେଶର ୯. ୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପାଇଥିବାବେଳେ ଓଡ଼ିଶାରେ ୩୪ ଲକ୍ଷ ୨୪ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀଙ୍କୁ କିସ୍ତି ବାବଦକୁ ୨ ହଜାର ଟଙ୍କା ହିସାବରେ ସମୁଦାୟ ୬୮୪ କୋଟି ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି।

    ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା ପ୍ରକାଶ କରିଛନ୍ତି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। “ଜୟ କିଷାନ”ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ।ପିଏମ-କିଷାନ ଯୋଜନା ଚାଷୀଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି। ଏହି ୨୦୦୦ ଟଙ୍କାର କିସ୍ତି ଏବଂ ତିନୋଟି କିସ୍ତିରେ ବର୍ଷକୁ ସର୍ବମୋଟ ୬ ହଜାର ଟଙ୍କା ହୁଏତ ସାଧାରଣ ଲୋକଙ୍କ ପାଇଁ ଏକ ସାମାନ୍ୟ ଅର୍ଥ ହୋଇପାରେ, କିନ୍ତୁ ଜଣେ କ୍ଷୁଦ୍ର ଚାଷୀ ପାଇଁ ଏହା ତାର ପରିଶ୍ରମର ଏକ ବଡ଼ ସମ୍ମାନ। ଆଜିର ଦିନକୁ, ସାରା ଦେଶ ତଥା ରାଜ୍ୟରେ ପି.ଏମ୍ କିଷାନ ଉତ୍ସବ ଦିବସ ଭାବରେ ପାଳନ କରୁଛି। ଏଥି ସହିତ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ କୃଷକମାନଙ୍କ ମଧ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପିଏମ୍ କିଷାନ ଯୋଜନାରେ ଦରକାର ହେଉଥିବା ସମସ୍ତ ବାଧ୍ୟତାମୂଳକ ମାନଦଣ୍ଡ ଯଥା ର-କଣଉ, ଜମିଜମାର ବିବରଣୀ, ଆଧାର -ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍‌, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି କାର୍ଯ୍ୟ ସମାପନ କରି ଏହି ଯୋଜନାର ସମସ୍ତ ସହାୟତା ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ କରିଥିଲେ।
    ପିଏମ୍ କିଷାନ୍ ସହିତ ଆମ ସରକାର ମଧ୍ୟ ରାଜ୍ୟରେ ‘ସିଏମ୍ କିଷାନ’ ଯୋଜନାରେ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରି ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସିଏମ୍ କିଷାନ ଯୋଜନା ଅଧୀନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀଙ୍କୁ ମୋଟ ୨୯୯୧ କୋଟିରୁ ଅଧିକ ଟଙ୍କାର ସହାୟତାରାଶି ପ୍ରଦାନ କରାଯାଇଛି, ଯେଉଁଥିରେ ୩୨୩୬ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀର ଚାଷୀ ଏବଂ ୩୧ ହଜାର ୬୯୫ ଜଣ ସହରାଞ୍ଚଳର ଚାଷୀ ସାମିଲ ଅଛନ୍ତି।
    ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପିଲାମାନଙ୍କୁ କୃଷି ବିଦ୍ୟାନିଧି ଯୋଜନାରେ ରାଜ୍ୟ ଭିତରେ ଏବଂ ବାହାରେ ଥିବା ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ, ନର୍ସିଂ, ଡିପ୍ଲୋମା ଏବଂ ଆଇଟିଆଇ ଭଳି ବୃତ୍ତିଗତ ଏବଂ ବୈଷୟିକ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହା ଫଳରେ ସିଏମ୍ କିଷାନ ଯୋଜନା ହିତାଧିକାରୀ ପରିବାରର ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ କୃଷି ବିଦ୍ୟା ନିଧି ଯୋଜନା ଅଧୀନରେ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ସହାୟତା ପାଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୫ ଗୁଣ ଅଧିକ ଥିଲା । ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ କୃଷିବିଦ୍ୟାନିଧି ଯୋଜନାରେ ଆଜି ସୁଦ୍ଧା ୬୮ ହଜାର ୯୧୫ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିଛନ୍ତି ଓ ଏଥିପାଇଁ ସେମାନଙ୍କୁ ୨୯୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ଯାହାକି ଏକ ସର୍ବକାଳୀନ ରେକର୍ଡ।
    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆମେ କେବଳ ଧାନ ଚାଷରେ ସୀମିତ ନରହି ଡାଲି ଜାତୀୟ ଫସଲ, ପନିପରିବା, ଫଳ ଏବଂ ଅର୍ଥକାରୀ ଫସଲ ଉପରେ ଧ୍ୟାନ ଦେବା ଉଚିତ। ଓଡ଼ିଶାର ମାଟି ଅତ୍ୟନ୍ତ ଉର୍ବର ଏବଂ ଏହାର ସଦୁପଯୋଗ କରି ଆମେ କୃଷି ରପ୍ତାନି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବା। ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରିଥିଲେ ହେଁ, ଆମକୁ ଆଗକୁ ଆସୁଥିବା ଆହ୍ୱାନ ଗୁଡ଼ିକ ପ୍ରତି ସଚେତନ ରହିବାକୁ ହେବ । ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଏବଂ ମୃତ୍ତିକା କ୍ଷୟ ଆମ କୃଷି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି । କୃଷି ବିଶେଷଜ୍ଞମାନଙ୍କ ମତରେ କୃଷି କ୍ଷେତ୍ରରେ ନବସୃଜନ, ଜଳବାୟୁ-ସହନଶୀଳ ପଦ୍ଧତି, ଡିଜିଟାଲ୍ ସମାଧାନ ଏବଂ ଗୋଷ୍ଠୀ-ଭିତ୍ତିକ ଆଭିମୁଖ୍ୟ ହିଁ ଆମକୁ ଏକ ସ୍ଥାୟୀ ଖାଦ୍ୟ ପ୍ରଣାଳୀ ଆଡ଼କୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
    ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଏହି ବର୍ଷର ପ୍ରଥମ ପିଏମ୍‌- କିଷାନ କିସ୍ତି ଆଜି ପ୍ରଦାନ କରାଯାଉଛି। ୨୨ ତମ କିସ୍ତିରୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଆଧାର-ବ୍ୟାଙ୍କ ଲିଙ୍କ, ଜମିଜମା ସଂକ୍ରାନ୍ତୀୟ ପରିଚୟପତ୍ର ଠିକ ଭାବେ ଦାଖଲ କରିବାକୁ କହିଥିଲେ। ଏହାଦ୍ୱାରା କୌଣସି ବି ଯୋଗ୍ୟ ଚାଷୀ ସହାୟତା ପାଇବାରୁ ଆଉ ବାଦ ପଡ଼ିବେ ନାହିଁ। ଏଥିରେ ପ୍ରଦାନ କରାଯାଉଥିବା ଟଙ୍କା ଭଲ ଫସଲ ଅମଳ କରିବାରେ ସହାୟକ ହେଉଛି । ଚଳିତ ବର୍ଷ ପ୍ରଚୁର ମାତ୍ରାରେ ଫସଲ ହେଇଛି ଯାହା ଜାତୀୟ ହାର ଠାରୁ ମଧ୍ୟ ଅଧିକ। ଏଥିସହ କୃଷକଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନୂତନ ପଦକ୍ଷେପ ଗୁଡ଼ିକ ଯଥା ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ଓ ସୋନପୁର ଜିଲ୍ଲାରେ ମତ୍ସ୍ୟ ମହାବିଦ୍ୟାଳୟ ନିର୍ମାଣ ପାଇଁ ଅନୁମତି ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ।
    ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ, ଏକାମ୍ର-ଭୁବନେଶ୍ୱର, ବାବୁ ସିଂ ମହୋଦୟ, ବିଧାୟକ, ଖୋର୍ଦ୍ଧା, ପ୍ରଶାନ୍ତ ଜଗଦ୍ଦେବ, କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ପ୍ରଭାତ କୁମାର ରାଉଳ ନିର୍ଦ୍ଦେଶକ, କୃଷି ଏବଂ ଖାଦ୍ୟ ଉତ୍ପାଦନ, ଶୁଭମ ସକ୍‌ସେନା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ ପ୍ରମୁଖ ମଂଚାସୀନ ଥିଲେ।(ଜିତେନ୍ଦ୍ର)

Share

Leave a Reply