tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୩ କିଲୋୱାଟ ପର୍ଯ୍ୟନ୍ତ ଉପଭୋକ୍ତାର ମିଟର ଭଡା ଛାଡ

1 min read

ଟିପିଏନଓଡ଼ିଏଲ ଟାରିଫ ଦରଖାସ୍ତ ଶୁଣାଣୀ;

ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଖର୍ଚ ପ୍ରବଳ ବୃଦ୍ଧି;
ଆୟୋଗ ଅସନ୍ତୋଷ

ଭୁବନେଶ୍ୱର //TATKAL ODISHA//

ଆସନ୍ତା ବର୍ଷ (୨୦୨୬-୨୭)ର ଖୁଚୁରା ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପାଇଁ ଷଷ୍ଟ ଦିନରେ ବାଲେଶ୍ଵର ଠାରେ ଟିପିଏନଓଡ଼ିଏଲ ( ଟାଟା ପାୱାର ଉତ୍ତର ଓଡିଶା ବିତରଣ କମ୍ପାନୀ)ର ରାଜସ୍ୱ ଆବଶ୍ୟକତା ଓ ଟାରିଫ ଦରଖାସ୍ତ ଉପରେ ଓଇଆରସି ଜନଶୁଣାଣି କରିଛନ୍ତି। ଜନଶୁଣାଣି ପ୍ରାରମ୍ଭରେ ଟିପିଏନଓଡ଼ିଏଲ ତରଫରୁ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଗଜାନନ କାଲେ ଓ ସାଧାରଣ ପରିଚାଳକ ମାଳଞ୍ଚା ଘୋସ ଦରଖାସ୍ତକୁ ଉପସ୍ଥାପନ କଲେ।

  • ଟିପିଏନଓଡ଼ିଏଲ ୨୦୨୬-୨୭ରେ ଗ୍ରୀଡ଼କୋ ୮୮୫୪ ନିୟୁତ ୟୁନିଟ କ୍ରୟକରି ୭୮୦୨ ନିୟୁତ ୟୁନିଟ ଉପଭୋକ୍ତାଙ୍କୁ ବିକ୍ରି କରିବା ପାଇଁ ସମୁଦାୟ ୫୧୫୨ କୋଟିଟଙ୍କା ଆବଶ୍ୟକ କରୁଛି। ଚଳିତ ବର୍ଷପାଇଁ ବିତରଣ କ୍ଷତି ୧୨.୯୬% ଅନୁମୋଦନ ହୋଇଥିବାବେଳେ ଆସନ୍ତା ବର୍ଷପାଇଁ ୧୧.୮୮% ହେବ ବୋଲି କମ୍ପାନୀ କହିଛି। ଚଳିତ ବର୍ଷର ଟାରିଫ ଅନୁସାରେ ଆସନ୍ତା ବର୍ଷରେ ୪୬୯୪ କୋଟିଟଙ୍କା ଉପଭୋକ୍ତାଙ୍କ ଠାରୁ ଅଦାୟ କରିବାକୁ କମ୍ପାନୀ ଯୋଜନା କରିଥିବାବେଳେ ଅଣ-ଟାରିଫ ଆୟ ବାବଦକୁ ୧୯୬ କୋଟିଟଙ୍କା ପାଇବ। ତେଣୁ କମ୍ପାନୀ ୪୮୮୯ କୋଟିଟଙ୍କା ସମୁଦାୟ ରାଜସ୍ୱ ଅଦାୟ ଆକଳନ କରି ନିଅଣ୍ଟ ରାଜସ୍ୱ ପରିମାଣକୁ ୨୬୩ କୋଟିଟଙ୍କା ଦର୍ଶାଇଛି।

ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ ପାଇଁ କମ୍ପାନୀ ଆକଳନ କରିଥିବା ୧୪୮୬ କୋଟିଟଙ୍କା ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତକରି ଓଇଆରସି ଅଧ୍ୟକ୍ଷ ଟାଟା ଆସିବା ପୂର୍ବରୁ ଯାହା ଖର୍ଚ ହେଉଥିଲା ୫ ବର୍ଷପରେ ତାହା ବହୁଗୁଣରେ ବୃଦ୍ଧି ପାଇଛି କିନ୍ତୁ ତୁଳନାତ୍ମକ ଭାବେ ବିଦ୍ୟୁତସେବାର ମାନ ବୃଦ୍ଧି ହୋଇନାହି ସ୍ପଷ୍ଟ କରିଥିଲେ । ତେଣୁ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ କାଟ କରିବାକୁ କହିଲେ। ଓଡିଶାରେ ଟାଟା ପାୱାର ପରୋକ୍ଷ ଭାବେ ନିଯୁକ୍ତ କରିଥିବା ପ୍ରାୟ ୫୨୦୦୦ କର୍ମଚାରୀ ଓ ନିୟମିତ ଭାବେ କାର୍ଯ୍ୟ କରୁଥିବା ୧୩୫୦୦ କର୍ମଚାରୀ କଣ କରୁଛନ୍ତି ବୋଲି ପ୍ରଶ୍ନ କଲେ। କମ୍ପାନୀ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଧେଶ ଦେଲେ।

ଟାରିଫ ଦରଖାସ୍ତଗୁଡିକୁ ସମୀକ୍ଷା କରିବା ପାଇଁ ଆୟୋଗ ନିଯୁକ୍ତ କରିଥିବା ଉପଭୋକ୍ତା ପରାମର୍ଶଦାତା ଡେଲୋଇଟ କମ୍ପାନୀ ଏକ ସଂକ୍ଷିପ୍ତ ଉପସ୍ଥାପନ କରିବା ପରେ ପ୍ରଥମ ଆପତିକର୍ତ୍ତା ବାସୁଦେବ ଭଟ୍ଟ ଉପଭୋକ୍ତା ସ୍ଵାର୍ଥ ପ୍ରସଙ୍ଗ ଉଠାଇ ତାହାର ସୁରକ୍ଷା ପାଇଁ ଆୟୋଗଙ୍କୁ ନିବେଦନ କଲେ। ପୂର୍ବତନ ବିଦ୍ୟୁତ ନିରିକ୍ଷକ ଅକ୍ଷୟ ସାହାନୀ କମ୍ପାନୀର ୧୧.୮୮% ବିତରଣ କ୍ଷତି ଉପରେ ପ୍ରଶ୍ନ ଉଠାଇ ତାହାକୁ ହେରଫେର କରାଯାଇଥିବା ଅଭିଯୋଗ କଲେ।

ରମେଶ ଶତପତି କହିଲେ ବୈଷୟିକ ଓ ବାଣିଜ୍ୟ କ୍ଷତି ହ୍ରାସ ହେଉଥିଲେବି ଟାରିଫ ବୃଦ୍ଧି କାହିଁକି ହେବ? ଜିନ୍ଦାଲ, ଭିସା ଷ୍ଟିଲ, ଟାଟା ଷ୍ଟିଲ ଓ ଶିଳ୍ପସଂଘର ପକ୍ଷରଖି ପାୱାରଟେକ ପରାମର୍ଶଦାତା ବିଭୁ ସ୍ଵାଇଁ ଶିଳ୍ପବିକାଶକୁ ଅଗ୍ରଗତି କରିବା ପାଇଁ ଗୁଣାତ୍ମକ ମାନର ନିରବଛିନ୍ନ ବିଦ୍ୟୁତ ସହଜରେ ଉପଲବ୍ଧ କରିବା ପାଇଁ ଆୟୋଗଙ୍କୁ ନିବେଦନ କଲେ।

ଗ୍ରୀଡ୍କୋର ବାଣିଜ୍ୟ ନିର୍ଦ୍ଧେଶକ ଦେବାଶିଷ ଦାସ କହିଲେ ଭାରତର ଅନ୍ୟ କେତେକ ନିୟାମକ ଆୟୋଗ ମରାମତି ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ଆକଳନ ପାଇଁ ବିଦ୍ୟୁତ ବିକ୍ରି ପରିମାଣକୁ ବିଚାରକୁ ନିଆଯାଉଛି ତେଣୁ ଓଡିଶାରେ ସ୍ଥାୟୀ ସମ୍ପତି ବଦଳରେ ବିଦ୍ୟୁତ ବିକ୍ରି ପରିମାଣକୁ ବିଚାରକୁ ନିଆଯାଉ।

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପିଏମ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନାକୁ ଦର୍ଶାଇ କହିଲେ ଗତବର୍ଷ ଟାରିଫ ନିର୍ଣ୍ଣୟ ପ୍ରଣାଳୀରେ ୨ କିଲୋୱାଟ ଉପଭୋକ୍ତାର ମିଟର ଭଡା ଆୟୋଗ ଛାଡ କରିଛନ୍ତି। କିନ୍ତୁ ପିଏମ ସୂର୍ଯ୍ୟଘରରେ ୩ କିଲୋୱାଟ ପର୍ଯ୍ୟନ୍ତ ସବସିଡି ବ୍ୟବସ୍ତା ଅଛି। ତେଣୁ ୩ କିଲୋୱାଟ ପର୍ଯ୍ୟନ୍ତ ଉପଭୋକ୍ତାର ମିଟର ଭଡା ଛାଡ କରାଯାଉ ଓ ଆବଶ୍ୟକୀୟ ପୁଞ୍ଜିଖର୍ଚକୁ ଟାରିଫରେ ଅନୁମୋଦନ କରିବା ପାଇଁ ଅନୁରୋଧ କଲେ। ରାଜ୍ୟ ଉପଦେଷ୍ଟା କମିଟି ସଭ୍ୟ ପ୍ରଭାକର ଦୋରା ଟାଟା ପ୍ରଣିତ କରିଥିବା ମୋ ବିଦ୍ୟୁତ ପୋର୍ଟାଲରେ ଥିବା ତ୍ରୁଟିଗୁଡିକୁ ସଂଶୋଧନ କରିବା ପାଇଁ ଯୁକ୍ତି ଉପସ୍ଥାପନ କଲେ।

ଜନଶୁଣାଣି ପ୍ରକ୍ରିୟାରେ ପଞ୍ଜୀକରଣ ହୋଇନଥିବା ୫ ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ମତ ରଖିବା ପାଇଁ ଶେଷରେ ଆୟୋଗ ସୁଯୋଗ ଦେଲେ। ଶକ୍ତି ବିଭାଗ ତରଫରୁ ଉପସ୍ଥିତ ଥିବା ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ ଆସନ୍ତା ୨୪ ତାରିଖ ଭିତରେ ସରକାର ମତାମତ ଦାଖଲ କରିବେ ବୋଲି ଆୟୋଗଙ୍କୁ ଅବଗତ କଲେ।

Share

Leave a Reply