ନିୟନ୍ତ୍ରଣ ବାହାରେ ସରକାରୀ ଉଦ୍ୟୋଗ
1 min read
ସାଧାରଣ ଉଦ୍ୟୋଗ ବିଭାଗର ଦୁର୍ବଳ ସାଶନ ବ୍ୟବସ୍ତା:
- ରାଜ୍ୟରେ ଥିବା ମାନବସମ୍ବଳର ଦକ୍ଷତା ବୃଦ୍ଧି ତଥା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସାଧାରଣ ଉଦ୍ୟୋଗ ବିଭାଗ ତଥା ଏହାଦ୍ୱାରା ପରିଚାଳିତ ସରକାରୀ ଉଦ୍ୟୋଗଗୁଡିକର ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ। ଯେଉଁ ରାଜ୍ୟରେ ସରକାରୀ ଉଦ୍ୟୋଗଗୁଡିକ ଯେତେ ଉନ୍ନତମାନର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛନ୍ତି, ସେ ରାଜ୍ୟର ମାନବସମ୍ବଳ ସେତେ ସମୃଦ୍ଧ ଅର୍ଥନୀତି ସେତେ ବିକଶିତ। ଭାରତର ବିକଶିତ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସରକାରୀ ଉଦ୍ୟୋଗଗୁଡିକର କାର୍ଯ୍ୟଦକ୍ଷତା ଓ ସଫଳତା ତୁଳନାରେ ଓଡିଶା ସରକାରଙ୍କ ଉଦ୍ୟୋଗଗୁଡିକର କାର୍ଯ୍ୟଦକ୍ଷତା ଯଥେଷ୍ଟ କମ।
ଓଡିଶା ଗଣମାଧ୍ୟମରେ ଆଲୋଚନା ହେଉଥିବା ଅନେକ ଘଟଣା ପ୍ରମାଣ କରୁଛିଯେ ଓଡିଶା ସରକାର ପ୍ରଣିତ କରିଥିବା ଜନମଙ୍ଗଳ ନୀତିନିୟମକୁ ସାଧାରଣ ଉଦ୍ୟୋଗ ବିଭାଗ ସହିତ ସରକାରୀ ଉଦ୍ୟୋଗଗୁଡିକ ଖୋଲାଖୋଲି ଉଲ୍ଲଂଘନ କରି ମନଇଛା ସ୍ଵଜନପୋଷଣ ନୀତି ଆପଣେଇ ଉଦ୍ୟୋଗଗୁଡିକୁ ପରିଚାଳନା କରୁଛନ୍ତି। ଫଳରେ ସରକାରୀ ଉଦ୍ୟୋଗଗୁଡିକ କ୍ରମାଗତ ଭାବେ ଦୁର୍ବଳ ହୋଇ ରାଜ୍ୟର ଅର୍ଥନୈତିକ ବିକାଶରେ ପ୍ରତିବନ୍ଧକ ହୋଇଛି। ସରକାରୀ ଉଦ୍ୟୋଗଗୁଡିକର ଦୁର୍ବଳ ପରିଚାଳନା ଉପରେ ଓଡିଶାର ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) ଅର୍ଥବିଭାଗରେ ଦାଖଲ କରିଥିବା ଚିଠା ଅଡିଟ ରିପୋର୍ଟରେ ଥିବା କିଛି ଚମକପ୍ରଦ ତଥ୍ୟ ଗତ ସପ୍ତାହରେ ଓଡିଶା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଜିଙ୍କ ଅଭିଯୋଗରୁ ଜଣାପଡିଛିଯେ ୨୦୧୭-୧୮ରୁ ୨୦୨୪-୨୫ ପର୍ଯ୍ୟନ୍ତ ସାତବର୍ଷ ଭିତରେ ରାଜ୍ୟର ୨୩ଟି ଉଦ୍ୟୋଗ ସରକାରଙ୍କୁ ୩୫୯୩.୫୨ କୋଟିଟଙ୍କା ଲାଭାଂଶ (ଡିଭିଡ଼େଣ୍ଡ) ପଇଠ କରିନାହାନ୍ତି।
ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ (ଓପିଟିସିଏଲ) ସର୍ବାଧିକ ୧୬୧୭ କୋଟିଟଙ୍କା ଲାଭାଂଶ ପଇଠ କରିନଥିବା ବେଳେ ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି) ୫୧୭ କୋଟିଟଙ୍କା ପଇଠ କରିନାହି। ସେହିପରି ଓଏଚପିସି (ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ) ୩୧୫ କୋଟିଟଙ୍କା, ଓଏମସି (ଓଡିଶା ମାଇନିଙ୍ଗ କର୍ପୋରେସନ) ୩୨୦ କୋଟିଟଙ୍କା, ଓସିପିଏଲ (ଓଡିଶା କୋଲ ଏଣ୍ଡ ପାୱାର ଲିମିଟେଡ) ୨୪୨ କୋଟିଟଙ୍କା, ଓଏସଏଫସି (ଓଡିଶା ଷ୍ଟେଟ ଫାଇନାସିଆଲ କର୍ପୋରେସନ)୨୦୬ କୋଟିଟଙ୍କା, ଇପିକଲ (ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଓ ଇନଫ୍ରା କର୍ପୋରେସନ ଅଫ ଓଡିଶା ଲିମିଟେଡ) ୧୫୫ କୋଟିଟଙ୍କା ଏବଂ ଓଏଲଆଇସି (ଓଡିଶା ଲିଫ୍ଟ ଇରିଗେସନ କର୍ପୋରେସନ) ୬୭ କୋଟିଟଙ୍କା ଲାଭାଂଶ ସରକାରଙ୍କୁ ପଇଠ କରିନାହାନ୍ତି। ତାତ୍ପର୍ଜ୍ୟପୂର୍ଣ କଥାଟି ହେଉଛି ରାଜ୍ୟର ଅର୍ଥନୈତିକ ଓ ସାମାଜିକ ଭିତ୍ତିଭୂମିର ସୁଦୃଢୀକରଣ ଓ ନବୀକରଣ କରିବା ପାଇଁ ଓଡିଶା ସରକାର ପ୍ରତିବର୍ଷ ବାର୍ଷିକ ବଜେଟରେ ପୁଞ୍ଜିନିବେଶ ପରିମାଣ ବୃଦ୍ଧି କରିଚାଲିଛନ୍ତି। ସେଥିପାଇଁ ଦୀର୍ଘମିଆଦି ଋଣ କରାଯାଉଛି ଓ ସେ ବାବଦକୁ ସୁଧ ଆକାରରେ ହଜାର ହଜାର କୋଟିଟଙ୍କା ପରିଶୋଧ ମଧ୍ୟ କରାଯାଉଛି। କିନ୍ତୁ ସରକାରୀ ଉଦ୍ୟୋଗଗୁଡିକ ଲାଭ କରୁଥିଲେବି ଦୀର୍ଘ ୭ ବର୍ଷଧରି ଲାଭାଂଶ ବାବଦକୁ ୩୫୯୪ କୋଟିଟଙ୍କା ସରକାରଙ୍କୁ ପଇଠ ନକରିବା ଘଟଣା ସାଧାରଣ ଉଦ୍ୟୋଗ ବିଭାଗର ଦୁର୍ବଳ ପ୍ରଶାସନ ଓ ପରିଚାଳନା ବ୍ୟବସ୍ତାକୁ ସ୍ପଷ୍ଟ ଇଙ୍ଗିତ କରୁଛି। ସେଥିପାଇଁ ସରକାରୀ ଉଦ୍ୟୋଗଗୁଡିକ ଉପରେ ସିଏଜିଙ୍କ ଏପରି ଟିପ୍ପଣୀକୁ ଅର୍ଥନୀତି ସମୀକ୍ଷକମାନେ ଗୁରୁତର ସହ ଗ୍ରହଣ କରିଛନ୍ତି।
ଓଡିଶା ସରକାରଙ୍କ ଅର୍ଥ ବିଭାଗ ଫେବ୍ରୁଆରି ୨୦୧୬ରେ ଜାରି କରିଥିବା ନିର୍ଦ୍ଧେଶନାମା ଅନୁସାରେ ସରକାରୀ ଉଦ୍ୟୋଗଗୁଡିକର ବାର୍ଷିକ ଲାଭ କିମ୍ବା ସରକାର ନିବେଶ କରିଥିବା ଅଂଶଧନର ୩୦% ହିସାବ କରିବାପରେ ଯେଉଁଟି ଅଧିକ ହେବ ତାହାକୁ ଲାଭାଂଶ ଆକାରରେ ସରକାରଙ୍କୁ ପଇଠ କରିବେ। କିନ୍ତୁ ବାସ୍ତବତା ହେଉଛି ଉଦ୍ୟୋଗଗୁଡିକ ପାଇଁ ସାଧାରଣ ଉଦ୍ୟୋଗ ବିଭାଗ ନିଯୁକ୍ତ କରିଥିବା ପରିଚାଳନା ମଣ୍ଡଳୀ ଉପରେ ସରକାରଙ୍କ ନିୟନ୍ତ୍ରଣ ନରହିବାରୁ ଉଦ୍ୟୋଗଗୁଡିକ ମନଇଛା କାର୍ଯ୍ୟ କରୁଛନ୍ତି ଓ ସେଥିପାଇଁ ସରକାରଙ୍କୁ ଲାଭାଂଶ ପଇଠ କରୁନାହାନ୍ତି। ସିଏଜି କହିଛନ୍ତିଯେ ଉଦ୍ୟୋଗଗୁଡିକ ସରକାରଙ୍କୁ ଲାଭାଂଶ ପଇଠ କରୁନଥିବା ବେଳେ ଅର୍ଥବିଭାଗର ନିଷ୍କ୍ରିୟତା ଉଦ୍ୟୋଗଗୁଡିକର ମନମୁଖୀ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି।
ରାଜ୍ୟସରକାର ସରକାରୀ ଉଦ୍ୟୋଗଗୁଡିକରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧିପାଇଁ ଆବଶ୍ୟକୀୟ ନିଯୁକ୍ତି ଓ ପଦୋନ୍ନତି ନିୟମ ପ୍ରଣୟନ କରିବାପାଇଁ ଜଳସମ୍ପଦ ବିଭାଗକୁ ଦାୟିତ୍ଵ ଦେଇଛନ୍ତି। ଜଳସମ୍ପଦ ବିଭାଗ ପ୍ରଣୟନ କରିଥିବା ନିୟମ ଅନୁସାରେ ସରକାରୀ ଉଦ୍ୟୋଗଗୁଡିକ ପାଇଁ କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟାରେ ଚୟନ ଅନୁପାତ ୪୦:୬୦ ରହିବ। କିନ୍ତୁ ଶକ୍ତିକ୍ଷେତ୍ରରେ କାର୍ଯ୍ୟକ୍ଷମ ଥିବା ଉଦ୍ୟୋଗଗୁଡିକର ପରିଚାଳନା ମଣ୍ଡଳି ସ୍ଵଜନପୋଷଣ ନୀତି ଅବଲମ୍ବନ କରି କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କର ଚୟନ ଅନୁପାତ ୩୩:୬୭ ଧାର୍ଯ୍ୟକରି ନିଯୁକ୍ତି ପ୍ରଦାନ କରୁଛନ୍ତି। ଦ୍ଵିତୀୟରେ ବିଶେଷଭାବେ କନିଷ୍ଟ ଯନ୍ତ୍ରୀମାନଙ୍କର ଦକ୍ଷତା ବୃଦ୍ଧିପାଇଁ ସେମାନଙ୍କ ପଦୋନ୍ନତି କ୍ଷେତ୍ରରେ ରାଜ୍ୟସରକାର କୌଣସି ପ୍ରତିବନ୍ଧକ ରଖିନାହାନ୍ତି। ଅର୍ଥାତ ଜଣେ କନିଷ୍ଟ ଯନ୍ତ୍ରୀ ଉଦ୍ୟୋଗଗୁଡିକରେ ଥିବା ଯେକୌଣସି ପଦପଦବୀକୁ ପଦୋନ୍ନତି ପାଇ ପାରିବ। କିନ୍ତୁ ଶକ୍ତିକ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ଉଦ୍ୟୋଗଗୁଡିକ ସରକାରଙ୍କ ଦକ୍ଷତାବିକାଶ ତଥା ଜନମଙ୍ଗଳ ନିୟମକୁ ସମ୍ପୂର୍ଣ ଅନାଦେଖା କରି କନିଷ୍ଟ ଯନ୍ତ୍ରୀମାନଙ୍କର ପଦୋନ୍ନତିକୁ ସହାୟକ ସାଧାରଣ ପରିଚାଳକ (ଏଜିଏମ) ପଦ ଭିତରେ ସୀମିତ ରଖୁଛନ୍ତି। ଫଳରେ ଉଦ୍ୟୋଗଗୁଡିକରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତା ପ୍ରଭାବିତ ହେଉଛି। ପଦୋନ୍ନତିର ପର୍ଯ୍ୟାପ୍ତ ସୁଯୋଗ ନଥିବାରୁ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ସେମାନଙ୍କର ସ୍ପୃହା କମି କମି ଯାଉଛି, ଯାହା ଉଦ୍ୟୋଗଗୁଡିକର କାର୍ଯ୍ୟଦକ୍ଷତା ଉପରେ କୁପ୍ରଭାବ ପକାଇଛି। ଉଦ୍ୟୋଗଗୁଡିକରେ ଥିବା ଯନ୍ତ୍ରୀସଂଘ ଏଭଳି ମନମୁଖୀ ବ୍ୟବସ୍ତାକୁ ବାରମ୍ବାର ବିରୋଧ କରିଥିଲେବି ସରକାର ନୀରବ ରହିବା ଆଶ୍ଚର୍ଯ୍ୟଜନକ।
ସରକାରୀ ଉଦ୍ୟୋଗ ଗୁଡିକର ସଂସ୍କାର ତଥା ପୁନଃଗଠନ କରିବା ପାଇଁ ଏପ୍ରିଲ ୨୦୦୨ରେ ରାଜ୍ୟସରକାରଙ୍କ ସାଧାରଣ ଉଦ୍ୟୋଗ ବିଭାଗ ଏକ ଶ୍ୱେତପତ୍ର ଜାରି କରିଥିଲେ। ଶ୍ଵେତପତ୍ରର ପ୍ରାରମ୍ବରେ କୁହାଯାଇଥିଲାଯେ, ସରକାରୀ ଉଦ୍ୟୋଗଗୁଡ଼ିକ କରଦାତାଙ୍କ ଟଙ୍କାରେ ପରିଚାଳନା ହେଉଥିବାରୁ ସ୍ୱାଭାବିକ ଭାବରେ ଉଦ୍ୟୋଗ ଗୁଡିକର ସଂସ୍କାର ଓ ପୁନଃଗଠନ ନୀତି, ପରିଚାଳନା ମଣ୍ଡଳୀ ନିଯୁକ୍ତି ଓ କାର୍ଯ୍ୟଦକ୍ଷତା ବିଷୟଗୁଡିକୁ ଜନସାଧାରଣଙ୍କ ଅବଗତି ପାଇଁ ପ୍ରକାଶ କରାଯିବ। କିନ୍ତୁ ସାଧାରଣ ଉଦ୍ୟୋଗ ବିଭାଗ ଏହାକୁ ପରିପାଳନ କରିବାରେ ସପୁର୍ଣ ବିଫଳ ହୋଇଛି। ଫଳରେ ସରକାରୀ ଉଦ୍ୟୋଗଗୁଡିକ ଧାର୍ଯ୍ୟ ଲକ୍ଷ୍ୟରୁ ବିଚ୍ୟୁତ ହୋଇଛନ୍ତି। ଓଡିଶାରେ ଥିବା ସରକାରୀ ଉଦ୍ୟୋଗଗୁଡିକର ପରିଚାଳନା ଓ ବିକାଶ ଦାୟିତ୍ଵ ମୁଖ୍ୟତ ସାଧାରଣ ଉଦ୍ୟୋଗ ବିଭାଗ ଉପରେ ନ୍ୟସ୍ତ ହୋଇଥିବାବେଳେ ଅର୍ଥବିଭାଗ ସହାୟକ ବିଭାଗ ଭାବେ କାର୍ଯ୍ୟ କରୁଛି। ସାଧାରଣ ଉଦ୍ୟୋଗ ବିଭାଗ ନିଜ ୱେବପୋର୍ଟାଲରେ ବାର୍ଷିକ ସାଶନ ରିପୋର୍ଟ ଶେଷଥର ପାଇଁ ୨୦୧୮-୧୯ ପ୍ରକାଶ କରିଥିଲା। ତା ପରଠାରୁ ଆଉ କୌଣସି ବାର୍ଷିକ ସାଶନ ରିପୋର୍ଟ ୱେବପୋର୍ଟାଲରେ ଜନଗଣଙ୍କ ଅବଗତି ପାଇଁ ପ୍ତକାଶ କରାଯାଇ ନାହି। ସରକାରୀ ଉଦ୍ୟୋଗର ପରିଚାଳନା ମଣ୍ଡଳୀର ସଭ୍ୟମାନଙ୍କୁ (ନିର୍ଦ୍ଧେଶକ ଓ ପରିଚାଳନା ନିର୍ଦ୍ଧେଶକ) ନିଯୁକ୍ତ କରିବା ପାଇଁ ସାଧାରଣ ଉଦ୍ୟୋଗ ଚୟନ ବୋର୍ଡ- ପବ୍ଲିକ ଏଣ୍ଟରପ୍ରାଇଜ ସିଲେକ୍ସନ ବୋର୍ଡ (ପିଏସଇବି) ଗଠନ ବାଧ୍ୟତାମୂଳକ ଥିଲେବି ତାହା ଆଜି ସନ୍ଦେହ ଘେରରେ। କେନ୍ଦ୍ର ସରକାର ପିଏସଇବି ମାଧ୍ୟମରେ କେନ୍ଦ୍ରୀୟ ଉଦ୍ୟୋଗଗୁଡିକର ନିର୍ଦ୍ଧେଶକ ଓ ପରିଚାଳନା ନିର୍ଦ୍ଧେଶକ ନିଯୁକ୍ତ କରୁଥିବାବେଳେ ଓଡିଶାର ସାଧାରଣ ଉଦ୍ୟୋଗ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ ଉଦ୍ୟୋଗର ପରିଚାଳନା ମଣ୍ଡଳୀରେ ନିଯୁକ୍ତ କରି ଉଦ୍ୟୋଗଗୁଡିକୁ ଦୁର୍ବଳ କରୁଛନ୍ତି। ୨୦୧୮-୧୯ ପାଇଁ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡିଶାରେ ସର୍ବମୋଟ ୫୬ଟି ସରକାରୀ ଉଦ୍ୟୋଗ ଥିବାବେଳେ ସେଥିରୁ ୩୬ଟି କାର୍ଯ୍ୟକ୍ଷମ ଅଛନ୍ତି ଓ ୨୦ଟି ଅଚଳ ହୋଇପଡିଛନ୍ତି। ସରକାରୀ ଉଦ୍ୟୋଗଗୁଡିକରେ ଉଭୟ ସରକାରୀ କମ୍ପାନୀ ଏବଂ ବୈଧାନିକ ନିଗମଗୁଡ଼ିକ ଅନ୍ତର୍ଭୁକ୍ତ। ଜନକଲ୍ୟାଣକୁ ଦୃଷ୍ଟିରେ ରଖି ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧିପାଇଁ ସରକାରୀ ଉଦ୍ୟୋଗଗୁଡ଼ିକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ଉକ୍ତ ରିପୋର୍ଟରେ ଦିଆଯାଇଛି। ତେବେ ବାର୍ଷିକ ସାଶନ ରିପୋର୍ଟ ଓ ପିଏସଇବି ଗଠନ ସୂଚନା ଜନଗଣଙ୍କ ଅବଗତି ପାଇଁ ପ୍ରକାଶ ନକରାଯିବା ସାଧାରଣ ଉଦ୍ୟୋଗ ବିଭାଗର ଗଠନ ଓ ଲକ୍ଷ୍ୟକୁ ଯେ ପରାହତ କରିଛି, ଏଥିରେ ସନ୍ଦେହ ନାହି।
ସରକାରୀ ଉଦ୍ୟୋଗଗୁଡିକ ସ୍ଵଜନପୋଷଣ ନୀତି ଅବଲମ୍ବନ କରି ରାଜ୍ୟସ୍ଵାର୍ଥକୁ କିପରି ଜଳାଞ୍ଜଳି ଦେଇ ଚାଲିଛନ୍ତି ତାହାର ପ୍ରକୃଷ୍ଟ ଉଦାହରଣ ଶକ୍ତିକ୍ଷେତ୍ରରେ କାର୍ଯ୍ୟ କରୁଥିବା ନିଗମଗୁଡିକର କାର୍ଯ୍ୟକ୍ରମରୁ ମିଳେ। ଓଡିଶା ଶକ୍ତିକ୍ଷେତ୍ରରେ ମୁଖ୍ୟତଃ ୬ଟି ନିଗମ କାର୍ଯ୍ୟ କରୁଛନ୍ତି ଯଥା- ଓପିଜିସି, ଓସିପିଏଲ, ଓଏଚପିସି, ଜେଡକଲ (ଗ୍ରୀନ ଏନର୍ଜି ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ), ଓପିଟିସିଏଲ ଏବଂ ଗ୍ରୀଡ୍କୋ। ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପ୍ରତିବର୍ଷ ଏହି ୬ଟି ସରକାରୀ ନିଗମ ଓ ୪ଟି ଘରୋଇ ବିଦ୍ୟୁତ ବିତରଣ କମ୍ପାନୀଗୁଡିକର ଆୟ-ବୟର ଆର୍ଥିକ ବିବରଣୀ ସମୀକ୍ଷା କରି ଜନଶୁଣାଣି ମାଧ୍ୟମରେ ଖୁଚୁରା ବିଦ୍ୟୁତମୂଲ୍ୟ ଧାର୍ଯ୍ୟ କରନ୍ତି। ଚଳିତ ଆର୍ଥିକ ବର୍ଷପାଇଁ ଅନୁଷ୍ଟିତ ହୋଇଥିବା ଜନଶୁଣାଣିରେ ଏହି ଲେଖକ ଏକ ସତ୍ୟପାଠ ଜରିଆରେ ଆୟୋଗଙ୍କୁ ଅଭିଯୋଗ କରି କହିଥିଲେଯେ ଉକ୍ତ ନିଗମଗୁଡିକୁ ଘରୋଇ କମ୍ପାନୀ ଭଳି କାର୍ଯ୍ୟ କରୁଛନ୍ତି। ସରକାରୀ ନିଗମଗୁଡିକ ନିଜର ବାର୍ଷିକ ରାଜସ୍ୱ ଆବଶ୍ୟକତା ଦରଖାସ୍ତରେ ବିଦ୍ୟୁତମୂଲ୍ୟ ବୃଦ୍ଧିପାଇଁ ଯେପରି ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ଘରୋଇ କମ୍ପାନୀଙ୍କ ଯୁକ୍ତି ଭଳି ମନେହେଉଛି। ବିଦ୍ୟୁତମୂଲ୍ୟ ବୃଦ୍ଧିର ନକରାତ୍ମକ ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ପଡୁଛି ଓ ସେଥିପାଇଁ ବିକାଶ ବାଧାପ୍ରାପ୍ତ ହେଉଛି। ଆଶ୍ଚର୍ଯ୍ୟର କଥା ଆମର ଏପରି ଗୁରୁତ୍ଵପୂର୍ଣ ଅଭିଯୋଗ ଉପରେ କୌଣସି ନିଗମ ଉତ୍ତର ଦେଲେ ନାହି ଓ ଆୟୋଗ ଚୁପ ରହିଲେ। ତେଣୁ ଏଥିରୁ ସହଜରେ ଅନୁମେୟ ସରକାରୀ ଉଦ୍ୟୋଗ ଗଠନ ପଛରେ ଥିବା ସରକାରଙ୍କ ମହତ ଉଦ୍ଧେଶ୍ୟ ପରାହତ ହୋଇଛି।
ଓପିଜିସି ପରିଚାଳନାରେ ଝାରସୁଗୁଡାର ବନହରିପାଲ ସ୍ଥିତ ଇବ ତାପଜ ଶକ୍ତିକେନ୍ଦ୍ର ରାଜ୍ୟର ଏକ ତୃତୀୟାଂଶ ବିଦ୍ୟୁତ ଚାହିଦାକୁ ପୂରଣ କରୁଛି। ଓଇଆରସି ଅଧିନିୟମ ଅନୁସାରେ ପ୍ରଥମ ପର୍ଯ୍ୟାୟ ୪୨୦ ମେଗାୱାଟ (ପୁରୁଣା) ଶକ୍ତିକେନ୍ଦ୍ରରୁ ସ୍ଥାପିତ କ୍ଷମତାର ଅତିକମରେ ୮୩% ଅର୍ଥାତ ୩୪୯ ମେଗାୱାଟ ଏବଂ ଦ୍ଵିତୀୟ ପର୍ଯ୍ୟାୟ ୧୩୨୦ ମେଗାୱାଟ କେନ୍ଦ୍ରରୁ ଅତିକମରେ ଅତିକମରେ ୮୫% ଅର୍ଥାତ ୧୧୨୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବ। ଇବ ଶକ୍ତିକେନ୍ଦ୍ର ଓଇଆରସି ଦ୍ଵାରା ଧାର୍ଯ୍ୟ ଲକ୍ଷ୍ୟରୁ କମ ଉତ୍ପାଦନ କରିବେ ଓପିଜିସିକୁ ସେତିକି ଉତ୍ପାଦନ କ୍ଷତି ସହିବାକୁ ପଡିବ। ଓପିଜିସି ୱେବସାଇଟରେ ଉପଲବ୍ଧ ତଥ୍ୟ କହୁଛି, ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ୧୩୨୦ ମେଗାୱାଟ ଶକ୍ତିକେନ୍ଦ୍ର ୮୫% ଲକ୍ଷ୍ୟ ପୁରଣରେ ବିଫଳ ହୋଇ ମାତ୍ର ୭୬% ଉତ୍ପାଦନ କରି କ୍ଷତି ସହିଛି। ସେହିପରି ପୂର୍ବ ୫ ବର୍ଷରେ (୨୦୨୦-୨୧ ରୁ ୨୦୨୪-୨୫) ବର୍ଷକୁ ବର୍ଷ ହିସାବରେ ମାତ୍ର ୫୧%, ୬୩%, ୭୭%, ୮୦% ଓ ୮୭% ଉତ୍ପାଦନ କରି ଯଥାକ୍ରମେ ୩୪%, ୨୨%, ୮%, ୫% ଓ -୨% ଉତ୍ପାଦନ କ୍ଷତି ସହିଛି। ସାମଗ୍ରିକ ଭାବେ ଦେଖିଲେ ଏପ୍ରିଲ, ୨୦୨୦ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସ ଭିତରେ ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ର ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୧୯୨ ନିୟୁତ ୟୁନିଟ କମ ଉତ୍ପାଦନ କରି ୨୮୬୭ କୋଟିଟଙ୍କା ରାଜସ୍ୱ କ୍ଷତି କରିଛି। ସେହିପରି ୪୨୦ ମେଗାୱାଟ ପୁରୁଣା ଶକ୍ତିକେନ୍ଦ୍ରଟି ଧାର୍ଯ୍ୟ ଲକ୍ଷ୍ୟ ୮୩% ତୁଳନାରେ ପୂର୍ବ ୫ ବର୍ଷରେ ମାତ୍ର ୭୧%, ୮୦%, ୭୬%, ୬୮% ଓ ୭୪% ଉତ୍ପାଦନ କରି ଯଥାକ୍ରମେ ୧୨%, ୩%, ୭%, ୧୫% ଓ ୯% ଉତ୍ପାଦନ କ୍ଷତି ସହିଛି। ତେଣୁ ପୁରୁଣା ଶକ୍ତିକେନ୍ଦ୍ରଟି ଏପ୍ରିଲ, ୨୦୨୦ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସ ଭିତରେ ୧୬୭୧ ନିୟୁତ ୟୁନିଟ କମ ଉତ୍ପାଦନ କରି ୫୮୫ କୋଟିଟଙ୍କା ରାଜସ୍ୱ କ୍ଷତି କରିଛି। ଅତଏବ ଓପିଜିସିର ପରିଚାଳନାଗତ ଅପାରଗତା ପାଇଁ ଏପ୍ରିଲ, ୨୦୨୦ରୁ ସେପ୍ଟେମ୍ବର, ୨୦୨୫ ପର୍ଯ୍ୟନ୍ତ ୬୬ ମାସ ଭିତରେ ଶକ୍ତିକେନ୍ଦ୍ରରେ ବାରମ୍ବାର ତ୍ରୁଟି ଦେଖାଦେଇ ବନ୍ଦ ରହିବା କାରଣରୁ ସମୁଦାୟ ୯୮୬୪ ନିୟୁତ ୟୁନିଟ କମ ବିଦ୍ୟୁତ ଉତ୍ପାଦନ ହେବାସହ ୩୪୫୨ କୋଟିଟଙ୍କା ରାଜସ୍ୱ କ୍ଷତି ଘଟିଛି। ଓପିଜିସି ଭଳି ଏକ ଗୁରୁତ୍ଵପୂର୍ଣ ସରକାରୀ ନିଗମ ଏତେ ବୃହତ ପରିମାଣର କ୍ଷତି କରୁଥିଲେବି ସାଧାରଣ ଉଦ୍ୟୋଗ ଓ ଶକ୍ତି ବିଭାଗ ଏହାକୁ ଅଣଦେଖା କରି ଚୁପ ରହିବା ପରୋକ୍ଷରେ ବିଦ୍ୟୁତମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିଛି। ଓପିଜିସିର ପରିଚାଳନାଗତ ଅପାରଗତା ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ର (୧୩୨୦ ମେଗାୱାଟ) ନିର୍ମାଣରେ ପ୍ରତିଫଳିତ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ରର ନିର୍ମାଣ ସମୟ ଦୁଇବର୍ଷ ବିଳମ୍ବ ହେବାରୁ ସେଥିରେ ମୂଳ ଅଟକଳ ଠାରୁ ୨୫୦୦ କୋଟିଟଙ୍କା ଅଧିକ ପୁଞ୍ଜିନିବେଶ ହୋଇଛି, ଯାହାର ସିଧାସଳଖ ପ୍ରଭାବ ବିଦ୍ୟୁତମୂଲ୍ୟକୁ ବୃଦ୍ଧି କରିଛି। ଓପିଜିସି ପରିଚାଳନା ମଣ୍ଡଳୀର ଅପାରଗତା ପାଇଁ ତୃତୀୟ ପର୍ଯ୍ୟାୟ ୟୁନିଟ ୫ ଓ ୬ର (୨x୬୬୦=୧୩୨୦ ମେଗାୱାଟ) ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବ ହେଲାଣି। ତୃତୀୟ ପର୍ଯ୍ୟାୟ ଶକ୍ତିକେନ୍ଦ୍ର ପାଇଁ ଓସିପିଏଲ କୋଇଲା ଉତ୍ପାଦନ କରୁଥିଲେବି ତାହା ଓପିଜିସିରେ ବ୍ୟବହାର ନହୋଇ ନିଲାମ ପ୍ରକ୍ରିୟାରେ ଅନ୍ୟ ଶକ୍ତିକେନ୍ଦ୍ରକୁ ବିକ୍ରୟ ହେବା ଦୁର୍ଭାଗ୍ୟପୂର୍ଣ। ଓପିଜିସିର ଏସବୁ ପରିଚାଳନାଗତ ବିଫଳତା ରାଜ୍ୟସରକାରଙ୍କ ଦୁର୍ବଳ ସାଧାରଣ ଉଦ୍ୟୋଗ ସାଶନ ବ୍ୟବସ୍ତାକୁ ଦର୍ଶାଉଛି।
ରାଜ୍ୟ ଶକ୍ତିକ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ଉଦ୍ୟୋଗ ଗ୍ରୀଡ୍କୋର ଭୂମିକା ଖୁବ ଗୁରୁତ୍ଵପୂର୍ଣ କାରଣ ଏହା ଶକ୍ତିବିଭାଗର ପ୍ରତିନିଧି ଭାବେ କାର୍ଯ୍ୟକରେ। ଓଡିଶାର ଏକକୋଟି ବିଦ୍ୟୁତ ଉପଭୋକ୍ତାଙ୍କୁ ଗୁଣାତ୍ମକ ମାନର, ନିରବଚ୍ଛିନ୍ନ ଏବଂ ପରିବେଶ ଅନୁକୂଳ ବିଦ୍ୟୁତସେବା ସୁଲଭମୂଲ୍ୟରେ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟସରକାର ଗ୍ରୀଡ୍କୋକୁ ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ଵ ଅର୍ପଣ କରିଛନ୍ତି। ବାସ୍ତବତା ହେଉଛି ଗ୍ରୀଡ୍କୋର ପରିଚାଳନାଗତ ଅପାରଗତା ପାଇଁ ଓଡିଶାର ଏକକୋଟି ବିଦ୍ୟୁତ ଉପଭୋକ୍ତା ଜାତୀୟ ହାରଠାରୁ ଅଧିକ ବିଦ୍ୟୁତବିଲ ପରିଶୋଧ କରୁଥିବା ବେଳେ ବିଦ୍ୟୁତ ବିଭ୍ରାଟରେ ଓଡିଶା ଦେଶରେ ଆଗୁଆ ରହିଛି। ଗ୍ରୀଡ୍କୋ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବିଦ୍ୟୁତ ଉତ୍ପାଦନ କମ୍ପାନୀ ମାନଙ୍କ ସହିତ ଚୁକ୍ତି ସମ୍ପାଦନ କରିବାରେ ବିଫଳ ହୋଇଛି ଯାହା ଫଳରେ ରାଜ୍ୟ ପ୍ରଚୁର ପରିମାଣର ଶସ୍ତା ବିଦ୍ୟୁତ ହରାଇଛି। ରାଜ୍ୟସରକାରଙ୍କ ତରଫରୁ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କର ୪୯% ଅଂଶଧନ ଗ୍ରୀଡ୍କୋ ମାଲିକାନାରେ ରହିଥିଲେବି ଉପଭୋକ୍ତାଙ୍କ ୫୧୧୦ କୋଟିଟଙ୍କା ବାକିଥିବା ବିଦ୍ୟୁତବିଲକୁ ଟାଟାକୁ ସମର୍ପଣ କରିଦେଇଛି। ସେହିପରି ୨୦୧୭-୧୮ ରୁ ୨୦୨୩-୨୪ ଭିତରେ ବିତରଣ କମ୍ପାନୀଗୁଡିକ ଉପଭୋକ୍ତାଙ୍କ ଠାରୁ ଓଇଆରସିଙ୍କ ଦ୍ଵାରା ଧାର୍ଯ୍ୟ ଟାରିଫ ଠାରୁ ୬୧୪୦ କୋଟିଟଙ୍କା ଅଧିକ ଅଦାୟ କରିଥିଲେବି ତାହାକୁ ଉପଭୋକ୍ତାଙ୍କୁ ଫେରସ୍ତ କରିବାରେ ଗ୍ରୀଡ୍କୋ ସମ୍ପୂର୍ଣ ଅସଫଳ ହୋଇଛି। ଗ୍ରୀଡ୍କୋର ପରିଚାଳନାଗତ ତ୍ରୁଟିପାଇଁ ବିଦ୍ୟୁତମୂଲ୍ୟ ବୃଦ୍ଧି ହେବାସହ ଓଡିଶାର ଏକକୋଟି ଉପଭୋକ୍ତା ଶୋଷଣର ଶିକାର ହୋଇଛନ୍ତି।
ରାଜ୍ୟ ଶକ୍ତିକ୍ଷେତ୍ରରେ ଓଏଚପିସି ଓ ଜେଡକଲ (ଜିଇଡ଼ିସିଓଏଲ) ଭଳି ଦୁଇଟି ସରକାରୀ ଉଦ୍ୟୋଗ ଜଳ ବିଦ୍ୟୁତ ଓ ଅକ୍ଷୟଶକ୍ତି ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଗତ ୨୦ ବର୍ଷ ଭିତରେ ଓଏଚପିସି ଗୋଟିଏ ବି ନୂତନ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାରେ ସକ୍ଷମ ହୋଇନାହି। ସେହିପରି ଅକ୍ଷୟଶକ୍ତି ଉତ୍ପାଦନ ବୃଦ୍ଧିପାଇଁ ୨୦୧୩ରୁ ଜେଡକଲ କାର୍ଯ୍ୟକ୍ଷମ ହୋଇଥିଲେବି ଗତ ୧୨ ବର୍ଷଭିତରେ ମାତ୍ର ୩୨ ମେଗାୱାଟ ଅକ୍ଷୟଶକ୍ତି ଉତ୍ପାଦନ କରିବାକୁ ସକ୍ଷମ ହୋଇଛି। ସେହିପରି ଓପିଟିସିଏଲ (ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ) ରୁ ଏସଏଲଡ଼ିସି (ଷ୍ଟେଟ ଲୋଡ ଡେସ୍ପାଚ ସେଣ୍ଟର)କୁ ପୃଥକ କରି ଏସଏଲଡ଼ିସିକୁ ଏକ ସରକାରୀ କମ୍ପାନୀର ମାନ୍ୟତା ଦେବାପାଇଁ ବିଦ୍ୟୁତ ଆଇନ, ୨୦୦୩ରେ ନିର୍ଦ୍ଧେଶ ଥିଲେବି ତାହା ଆଜିପର୍ଯ୍ୟନ୍ତ ସମ୍ଭବ ହୋଇନାହି। କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ ପ୍ରଣିତ କରିଥିବା ସୂତ୍ର ଓ ପଦ୍ଧତି ଅନୁସାରେ ଓପିଟିସିଏଲର ପରିବହନ ଟାରିଫ ନିର୍ଣ୍ଣୟ କରିବାପାଇଁ ବିଧିବ୍ୟବସ୍ତା ଥିଲେବି ତାହା ଆଜି ପର୍ଯ୍ୟନ୍ତ କରାଯାଇ ନାହି। ଏଥିପାଇଁ ଓପିଟିସିଏଲର ପ୍ରବଳ ରାଜସ୍ୱ ହାନି ଘଟୁଛି।
ସରକାରୀ ଉଦ୍ୟୋଗ ଗୁଡିକର ଅପାରଗତା ଓ ବିଫଳତାର ତାଲିକା ଖୁବ ଲମ୍ବା। ଏଥିପାଇଁ ଜନଗଣ ଶୋଷଣର ଶିକାର ହେବାସହ ରାଜ୍ୟର ଅର୍ଥନୈତିକ ପ୍ରଗତି ପ୍ରବଳ ମାତ୍ରାରେ ବାଧାପ୍ରାପ୍ତ ହୋଇ ଓଡିଶା ପଛୁଆ ରାଜ୍ୟ ତାଲିକାରେ ରହିଛି। ତେବେ ଏଥିପାଇଁ ଦାୟୀ କିଏ? ଆମେ ସ୍ପଷ୍ଟଭାବେ କହୁଛୁଯେ ଏଥିପାଇଁ ରାଜ୍ୟ ସରକାରଙ୍କର ଦୁର୍ବଳ ସାଧାରଣ ଉଦ୍ୟୋଗ ସାଶନ ବ୍ୟବସା ସମ୍ପୂର୍ଣ ଦାୟୀ। ତେଣୁ ରାଜ୍ୟ ସରକାର ସାଧାରଣ ଉଦ୍ୟୋଗ ବିଭାଗକୁ ସଂସ୍କାର ଓ ପୁନଃଗଠନ କରି ପିଏସଇବି ଗଠନ କରନ୍ତୁ ଯାହାଫଳରେ ସରକାରୀ ଉଦ୍ୟୋଗଗୁଡିକର ପରିଚାଳନା ମଣ୍ଡଳୀରେ ରାଜ୍ୟସ୍ଵାର୍ଥକୁ ସୁରକ୍ଷା ଦେଇପାରୁଥିବା ଭଳି ଦକ୍ଷ, କର୍ମଠ ଓ ଯୋଗ୍ୟତାସମ୍ପର୍ଣ ବ୍ୟକ୍ତିବିଶେଷ ନିଯୁକ୍ତି ପାଇପାରିବେ।
ଶକ୍ତି ସମୀକ୍ଷକ, ଆନନ୍ଦ ମହାପାତ୍ର (ମୋବାଇଲ ନ ୮୮୯୫୪୧୮୧୬୯)
