ଶ୍ରୀମଦ୍ ଭଗବଦ୍ ଗୀତା ୨:୪୭ ଶ୍ଳୋକ :କର୍ମଣ୍ୟେବାଧିକାରସ୍ତେ ମା..
1 min read
କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳହେତୁର୍ଭୂର୍ମା ତେ ସଙ୍ଗୋଽସ୍ତ୍ୱକର୍ମଣି ॥
ହେ ଅର୍ଜୁନ ! ତୁମର ଅଧିକାର କେବଳ କର୍ମ କରିବାରେ ଅଛି, ଫଳ ଉପରେ କେବେ ନୁହେଁ । ତେଣୁ ତୁମେ କର୍ମଫଳର କାରଣ (କର୍ତ୍ତା) ବା ଭୋକ୍ତା ହୁଅ ନାହିଁ ଏବଂ ଅକର୍ମରେ ମଧ୍ୟ ତୁମର ଆସକ୍ତି ରହିବା ଉଚିତ୍ ନୁହେଁ ।
ଏହି ଶ୍ଳୋକଟି ଗୀତାର କର୍ମଯୋଗ ଦର୍ଶନର ମୂଳ ଶିକ୍ଷା । ଶ୍ରୀକୃଷ୍ଣ ଏଠାରେ ମନୁଷ୍ୟଙ୍କୁ ଏହି ସତ୍ୟ ବୁଝାଉଛନ୍ତି ଯେ – ମନୁଷ୍ୟ ନିଜ ପ୍ରୟାସ, ନିଷ୍ଠା ଓ କର୍ତ୍ତବ୍ୟ ପାଳନକୁ ନିୟନ୍ତ୍ରଣ କରିପାରେ, କିନ୍ତୁ ଫଳ ସମ୍ପୂର୍ଣ୍ଣ ଭାବେ ତାଙ୍କ ହାତରେ ନାହିଁ । ଯେତେବେଳେ ଆମେ କେବଳ ଫଳ ପାଇଁ କର୍ମ କରୁ, ସେତେବେଳେ ଭୟ, ଲୋଭ, ଆଶା ଓ ନିରାଶା ଆମକୁ ବାନ୍ଧି ରଖେ । ଫଳାଶା ତ୍ୟାଗ କରି କର୍ମ କଲେ, କର୍ମ ଉପାସନା ହୋଇଯାଏ ଏବଂ ମନ ଶୁଦ୍ଧ ହୁଏ । ଶ୍ରୀକୃଷ୍ଣ ଏହା ମଧ୍ୟ କହୁଛନ୍ତି ଯେ କର୍ମ ଛାଡ଼ି ଦେବା (ଆଳସ୍ୟ ବା ପଳାୟନ) ମଧ୍ୟ ଠିକ୍ ନୁହେଁ । ନିଷ୍କାମ ଭାବରେ, କର୍ତ୍ତବ୍ୟ ବୋଧ ସହ କର୍ମ କରିବା – ଏହାହିଁ ଯଥାର୍ଥ ଯୋଗ ।
ଆମ୍ଭମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଅସଫଳତାଜନିତ ଭୟରେ ମହାନ କାର୍ଯ୍ୟକୁ ନିଜ ହାତକୁ ନେବାକୁ ସ୍ୱୀକାର କରନ୍ତି ନାହିଁ । ଯଦି କେହି ଅଳ୍ପ ସଂଖ୍ୟକ ଲୋକ ଏଭଳି ସାହସ କରନ୍ତି, ସେମାନେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ନିରୁତ୍ସାହିତ ହୋଇ ସେହି କାର୍ଯ୍ୟକୁ ଅପୂର୍ଣ୍ଣ ଛାଡି ଦିଅନ୍ତି । ଏହାର କାରଣ ହେଉଛି, ମାନସିକ ଶକ୍ତିର ଅଭାବ ଓ ଅପଚୟ । ଏହି ଅପଚୟର ନିରାକରଣ କରିବାର ଏକମାତ୍ର ଉପାୟ ହେଉଛି – ‘କୌଣସି ଶ୍ରେଷ୍ଠ ଆଦର୍ଶ ପ୍ରତି ସବୁ କର୍ମଗୁଡିକୁ ସମର୍ପଣ କରିଦେବା’। ପ୍ରେରଣଯୁକ୍ତ ଏହି କର୍ମଗୁଡିକର ପରିସମାପ୍ତି ଗୌରବମୟ ସଫଳତା ଆଣିଥାଏ । ଏହାହିଁ କର୍ମର ସନାତନ ନିୟମ ।
ଭବିଷ୍ୟତର ନିର୍ମାଣ ସର୍ବଦା ବର୍ତ୍ତମାନ ହିଁ ହୋଇଥାଏ । ଆଗାମୀ କାଲିର ଫସଲ ଆଜିର ଜମି-ଚାଷ ବା ବୀଜ-ରୋପଣ ଉପରେ ନିର୍ଭର କରେ । କିନ୍ତୁ ଭବିଷ୍ୟତରେ ସମ୍ଭାବିତ ଫସଲର ହାନି ବିଷୟ କଳ୍ପନା କରି ଯଦି କୌଣସି କୃଷକ ଭୂମିକୁ ହଳ କରିବା ତଥା ସେଥିରେ ବୀଜରୋପଣ ନ କରେ, ତେବେ ତାକୁ କୌଣସି ଫଳ ମିଳିବ ନାହିଁ । ତେଣୁ ଗୀତାର ଏହି ଶ୍ଳୋକରେ କୁହାଯାଇଛି ଯେ, ‘ଯଦି ତୁମେ ସଫଳତା ଚାହୁଁଛ, ତେବେ ଏଭଳି ମନରେ ପ୍ରଚେଷ୍ଟା କର ନାହିଁ, ଯାହାକି ଫଳ ପ୍ରାପ୍ତି ଚିନ୍ତା ଏବଂ ଭୟରେ ବିକ୍ଷିପ୍ତ ହୋଇଥିବ ।’
ଯଦି ପ୍ରତ୍ୟେକ ବ୍ୟକ୍ତି ଫଳ ଆଶା ଛାଡ଼ି ନିଜ କର୍ତ୍ତବ୍ୟ ସଠିକ୍ ଭାବରେ କରେ, ତେବେ ସମାଜ ଲୋଭ, ଦୁର୍ନୀତି ଓ ଅନ୍ୟାୟରୁ ମୁକ୍ତ ହୁଏ । ଫଳକୁ କେନ୍ଦ୍ର କରି ସମାଜ ଗଠିତ ହେଲେ ଈର୍ଷ୍ୟା, ଦ୍ୱେଷ, ଅସହିଷ୍ଣୁତା ବଢ଼େ । କର୍ମକୁ କେନ୍ଦ୍ର କଲେ ସହଯୋଗ, ଶ୍ରମର ମର୍ଯ୍ୟାଦା ଓ ସାମୂହିକ ଉନ୍ନତି ହୁଏ । ଆଧୁନିକ ସମାଜରେ ଅଧିକାର ଓ ଫଳ ପ୍ରତି ଅତ୍ୟଧିକ ଆସକ୍ତି ଲୋଭ, ଈର୍ଷ୍ୟା ଓ ଦୁର୍ନୀତିକୁ ଜନ୍ମ ଦେଇଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ମନୁଷ୍ୟଙ୍କର ନିୟନ୍ତ୍ରଣ କେବଳ କର୍ମରେ ଅଛି, ଫଳରେ ନୁହେଁ । ଯଦି ଏହି ଭାବନା ସମାଜର ପ୍ରତ୍ୟେକ କ୍ଷେତ୍ର – ଶିକ୍ଷା, ପ୍ରଶାସନ, ରାଜନୀତି ଓ ଅର୍ଥନୀତିରେ ପ୍ରୟୋଗ ହୁଏ, ତେବେ ସମାଜ ନ୍ୟାୟ, ସହଯୋଗ ଓ ନୀତିଶୀଳତାର ପଥରେ ଆଗେଇଯାଏ । ଫଳାଶା ବିନା କର୍ମ କରୁଥିବା ବ୍ୟକ୍ତି ସମାଜକୁ ସେବା ଭାବରେ ଦେଖେ, ପ୍ରତିସ୍ପର୍ଧା ଭାବରେ ନୁହେଁ ।
ସେହିପରି ପରିବାରରେ ପିତାମାତା, ସନ୍ତାନ, ସ୍ୱାମୀ–ସ୍ତ୍ରୀ ସମ୍ପର୍କ ଯଦି ଫଳ (ପ୍ରତିଦାନ, ଆଶା, ସର୍ତ୍ତ) ଉପରେ ଆଧାରିତ ହୁଏ, ତେବେ ଅସନ୍ତୋଷ ଓ ଦୂରତା ଜନ୍ମ ନେଇଥାଏ । ନିଷ୍କାମ କର୍ତ୍ତବ୍ୟ ଭାବ ପରିବାରକୁ ସ୍ନେହମୟ କରେ । ତ୍ୟାଗ ଓ ସମର୍ପଣର ସମତୁଳନ ରହିବା ଆବଶ୍ୟକ । ତେଣୁ ପରିବାରରେ ଦାୟିତ୍ୱ ନେବା ବେଳେ, “ମୋ ତ୍ୟାଗକୁ ଚିହ୍ନାଯାଉ” ବୋଲି ଆଶା ରଖିବା ଉଚିତ ନୁହେଁ । ସମ୍ପର୍କ ଯଦି ଆଶା ଓ ପ୍ରତିଦାନ ଉପରେ ନିର୍ଭର କରେ, ତେବେ ସେଠାରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ଅନିବାର୍ଯ୍ୟ ହୋଇଯାଏ । ଗୀତା ପରିବାରକୁ ଶିଖାଏ – ନିଜ କର୍ତ୍ତବ୍ୟକୁ ନିଷ୍କାମ ଭାବରେ ପାଳନ କରିବା, ଫଳ ଓ ସ୍ୱୀକୃତି ପ୍ରତି ଆସକ୍ତ ନହେବା । ପାରିବାରିକ ଜୀବନରେ ଦାୟିତ୍ୱରୁ ପଳାୟନ କରିବା ନୁହେଁ, ବରଂ ନିଜ ତ୍ୟାଗକୁ ଗଣନା ନ କରି ସେବା କରିବା ହେଉଛି ସତ୍ୟ ଯୋଗ । ଏଭଳି ଭାବନା ପରିବାରକୁ ଧୈର୍ଯ୍ୟ, ସହନଶୀଳତା ଓ ଆନ୍ତରିକ ସମନ୍ୱୟ ପ୍ରଦାନ କରେ ।
ଦାର୍ଶନିକ ଭାବେ, ଗୀତା କର୍ମ ଓ ଫଳର ମଧ୍ୟରେ ଥିବା ଭିନ୍ନତାକୁ ମୂଳ ଧାରଣା ଭାବରେ ସ୍ଥାପନା କରେ। ଭାରତୀୟ ଦର୍ଶନ ଅନୁସାରେ ମନୁଷ୍ୟ କର୍ତ୍ତା ହେଲେ ମଧ୍ୟ ସର୍ବାଙ୍ଗୀନ ନିୟନ୍ତ୍ରକ ନୁହେଁ । ଫଳ କେବଳ ବ୍ୟକ୍ତିଗତ ପ୍ରୟାସରେ ନଥାଏ; ସେଥିରେ ପ୍ରକୃତି, ସମୟ ଓ ଦୈବ ମଧ୍ୟ ସଂଲଗ୍ନ । ଏହି ଦୃଷ୍ଟିକୋଣ ମନୁଷ୍ୟକୁ ଅହଂକାରରୁ ମୁକ୍ତ କରେ ଓ ତାଙ୍କର ସ୍ୱାଧୀନତାକୁ ସୀମିତ କିନ୍ତୁ ସାର୍ଥକ ଭାବେ ବୁଝିବାକୁ ସାହାଯ୍ୟ କରେ । ଗୀତା କର୍ତ୍ତୃତ୍ୱ ଓ ଅକର୍ତ୍ତୃତ୍ୱର ଦ୍ୱନ୍ଦ୍ୱକୁ ସମାଧାନ କରେ । “ମା କର୍ମଫଳହେତୁର୍ଭୂଃ” ବାକ୍ୟ ମନୁଷ୍ୟକୁ ଫଳର କର୍ତ୍ତା ଭାବିବାରୁ ରୋକେ, ଓ “ମା ତେ ସଙ୍ଗୋଽସ୍ତ୍ୱକର୍ମଣି” କର୍ମତ୍ୟାଗର ପ୍ରବୃତ୍ତିକୁ ମଧ୍ୟ ଦୂର କରେ । ଏଠାରେ ଗୀତା ମଧ୍ୟମାର୍ଗ ଦର୍ଶନ ପ୍ରଦାନ କରେ – ନା ଅତିଆସକ୍ତି, ନା ଅତିତ୍ୟାଗ ।
ଇମ୍ମାନୁଏଲ କାଣ୍ଟଙ୍କ ନୀତିଦର୍ଶନ ସହ ତୁଳନା କଲେ, ଗୀତା ୨:୪୭ ସହ ଗଭୀର ସାମ୍ୟ ପ୍ରକାଶ ପାଏ । କାଣ୍ଟ କହିଥିଲେ ଯେ ନୀତିମୟ କର୍ମ ହେଉଛି ସେଇ କର୍ମ, ଯାହା ଫଳ ଆଶା ବା ସୁଖ ପାଇଁ ନୁହେଁ, ବରଂ “କର୍ତ୍ତବ୍ୟ ବୋଧ”ରୁ କରାଯାଏ । ଏହି ଧାରଣା ଗୀତାର ନିଷ୍କାମ କର୍ମ ସିଦ୍ଧାନ୍ତ ସହ ପ୍ରାୟ ଏକାକାର । କିନ୍ତୁ ଭିନ୍ନତା ହେଉଛି – କାଣ୍ଟଙ୍କ ଦର୍ଶନ ଶୁଦ୍ଧ ଯୁକ୍ତି ଓ ନୀତିନିୟମରେ ଆଧାରିତ, ଯେତେବେଳେ ଗୀତାର କର୍ମଯୋଗ ଈଶ୍ୱର-ସମର୍ପଣ ଓ ଆତ୍ମଶୁଦ୍ଧି ସହ ଜଡିତ । ସେହିପରି ଷ୍ଟୋଇକ୍ ଦର୍ଶନ (Stoicism) ସହ ଗୀତା ୨:୪୭ର ଗଭୀର ସାମ୍ୟ ରହିଛି । ଷ୍ଟୋଇକ୍ ଦାର୍ଶନିକ ଏପିକ୍ଟିଟସ୍ କହିଥିଲେ – ମନୁଷ୍ୟ ନିଜ କର୍ମ ଓ ମନୋଭାବକୁ ନିୟନ୍ତ୍ରଣ କରିପାରେ, କିନ୍ତୁ ଫଳ ଓ ବାହ୍ୟ ପରିସ୍ଥିତିକୁ ନୁହେଁ । ଏହା ପ୍ରାୟତଃ ଗୀତାର “ଫଳେଷୁ କଦାଚନ” ଧାରଣା ସହ ସମାନ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
