tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୨: ୩୭ ଶ୍ଳୋକ :ହତୋ ବା ପ୍ରାପ୍ସ୍ୟସି…

1 min read

ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତନିଶ୍ଚୟଃ ॥

ହେ କୁନ୍ତୀପୁତ୍ର ଅର୍ଜୁନ ! ଯଦି ତୁମେ ଯୁଦ୍ଧରେ ନିହତ ହେବ, ତେବେ ସ୍ୱର୍ଗ ପ୍ରାପ୍ତ କରିବ; ଯଦି ବିଜୟୀ ହେବ, ତେବେ ପୃଥିବୀର ରାଜ୍ୟ ଭୋଗ କରିବ । ଏହିପରି ନିଶ୍ଚୟ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଅ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିର୍ଭୟତା, କର୍ତ୍ତବ୍ୟନିଷ୍ଠା ଓ ଫଳ ଆଶକ୍ତିର ତ୍ୟାଗ ବିଷୟରେ କହିଛନ୍ତି । ଶ୍ରୀକୃଷ୍ଣ କହୁଛନ୍ତି – ଫଳ କ’ଣ ହେବ, ତାହା ଭାବି କର୍ତ୍ତବ୍ୟ ଛାଡ଼ିବା ଉଚିତ୍ ନୁହେଁ। କ୍ଷତ୍ରିୟ ଭାବେ ଅର୍ଜୁନଙ୍କର ଧର୍ମ ହେଉଛି ନ୍ୟାୟ ପାଇଁ ଯୁଦ୍ଧ କରିବା । ମୃତ୍ୟୁ ହେଲେ ସ୍ୱର୍ଗ, ବିଜୟ ହେଲେ ରାଜ୍ୟ; ଅର୍ଥାତ୍ ଧର୍ମପଥରେ କୃତ କର୍ମ କେବେ ନିଷ୍ଫଳ ନୁହେଁ । ସବୁ ପ୍ରକାର ମାନସିକ ଦୁର୍ବଳତାଗୁଡିକୁ ତ୍ୟାଗ କରି ମନୁଷ୍ୟ ତା’ର ଜୀବନ ସଂଘର୍ଷରେ ଆସୁଥିବା ଦ୍ୱନ୍ଦଗୁଡିକୁ ଅତ୍ୟନ୍ତ ସାହସ, ଧୈର୍ଯ୍ୟ ତଥା ଦୃଢ଼ତା ପୂର୍ବକ ସଫଳତା ପ୍ରାପ୍ତି ଲାଗି ସମ୍ମୁଖୀନ ହେବ ଉଚିତ ।


ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି – ଧର୍ମପଥରେ କରାଯାଇଥିବା କର୍ମ କେବେ ବ୍ୟର୍ଥ ହୁଏ ନାହିଁ । ଏହା ସମାଜକୁ ଏହି ଶିକ୍ଷା ଦିଏ ଯେ, ସତ୍ୟ ଓ ନ୍ୟାୟ ପାଇଁ ଲଢ଼ିବାରେ ଭୟ କରିବା ଉଚିତ୍ ନୁହେଁ । ସେହିପରି ପରିବାର ହେଉଛି ମନୁଷ୍ୟର ପ୍ରଥମ ସମାଜ । ଅର୍ଜୁନଙ୍କ ଦ୍ୱନ୍ଦ୍ୱ ମୂଳତଃ ପାରିବାରିକ – ନିଜ ଭାଇ, ପିତାସମ ଗୁରୁ, ଆତ୍ମୀୟଙ୍କ ସହ ଯୁଦ୍ଧ କରିବାର ଯନ୍ତ୍ରଣା । କିନ୍ତୁ ଶ୍ରୀକୃଷ୍ଣ ତାଙ୍କୁ ବୁଝାଉଛନ୍ତି ଯେ, ଅନ୍ୟାୟକୁ ସମର୍ଥନ କରିବା କିମ୍ବା ନୀରବ ରହିବା ମଧ୍ୟ ଅଧର୍ମ । ପରିବାରରେ ଯଦି କୌଣସି ସଦସ୍ୟ ଭୁଲ୍ ପଥରେ ଚାଲୁଛି, ସେଠାରେ ଭାବନା ନୁହେଁ, ନୀତିକୁ ଆଗରେ ରଖିବା ଦରକାର ।
ଗୀତାର ଆତ୍ମତତ୍ତ୍ୱ ଅନୁଯାୟୀ, ସ୍ୱର୍ଗ କୌଣସି ଭୌତିକ ଲୋକ ନୁହେଁ; ଏହା ହେଉଛି ଆତ୍ମା ଓ ବୁଦ୍ଧିର ସମନ୍ୱୟ । ଯେତେବେଳେ ମନୁଷ୍ୟ ଧର୍ମସମ୍ମତ କର୍ତ୍ତବ୍ୟ କରି ଅନ୍ତର୍ଦ୍ୱନ୍ଦ୍ୱରୁ ମୁକ୍ତ ହୁଏ, ସେହିଁ ଅବସ୍ଥା ହିଁ ସ୍ୱର୍ଗଲାଭ ଅବସ୍ଥା । ସ୍ୱର୍ଗ ଏଠାରେ ଏକ ନୀତିଗତ ସ୍ୱୀକୃତି । ଯେଉଁ ବ୍ୟକ୍ତି ଅନ୍ୟାୟ ସାମ୍ନାରେ ନତ ହୁଏ ନାହିଁ, ନିଜ କର୍ତ୍ତବ୍ୟ ପାଳନ କରିଥାଏ, ସେ ନିଜ ଆତ୍ମସମ୍ମାନ ହାରାଏ ନାହିଁ। ଏହି ଆତ୍ମସନ୍ତୋଷ ହିଁ ନୀତିଗତ ସ୍ୱର୍ଗ । ଗୀତା ୨:୩୭ ରେ “ସ୍ୱର୍ଗଲାଭ” ହେଉଛି – ଧର୍ମସମ୍ମତ କର୍ମରୁ ଜନ୍ମ ନେଇଥିବା ଭୟମୁକ୍ତ, ଅର୍ଥପୂର୍ଣ୍ଣ ଓ ଶାନ୍ତ ଚେତନା । ଏହି ଚେତନା ଜୀବନରେ ଥିଲେ – ଜୀବନ ହିଁ ସ୍ୱର୍ଗ, ମୃତ୍ୟୁ ମଧ୍ୟ ସ୍ୱର୍ଗଲାଭ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply