ଶ୍ରୀମଦ୍ ଭଗବଦ୍ ଗୀତା ୨: ୨୧ ଶ୍ଳୋକ :ବେଦାବିନାଶିନଂ ନିତ୍ୟଂ ୟ ଏ..
1 min read
ବେଦାବିନାଶିନଂ ନିତ୍ୟଂ ୟ ଏନମଜମବ୍ୟୟମ୍ ।
କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍ ॥
ହେ ପାର୍ଥ (ଅର୍ଜୁନ) ! ଯେଉଁ ପୁରୁଷ ଏହି ଆତ୍ମାକୁ ଅବିନାଶୀ, ନିତ୍ୟ, ଅଜନ୍ମା ଓ ଅବ୍ୟୟ (ଯାହାର କ୍ଷୟ ନାହିଁ) ବୋଲି ଜାଣେ, ସେ କିପରି କାହାକୁ ହତ୍ୟା କରିପାରିବ ? କିମ୍ବା କାହାକୁ ହତ୍ୟା ହେଉଛି ବୋଲି ଭାବିପାରିବ ?
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଆତ୍ମାର ସତ୍ୟ ସ୍ୱରୂପକୁ ସ୍ପଷ୍ଟ କରୁଛନ୍ତି । ଆତ୍ମା ଶରୀର ସହିତ ଜନ୍ମ ନିଏନାହିଁ ଓ ଶରୀର ନଷ୍ଟ ହେଲେ ମଧ୍ୟ ନଷ୍ଟ ହୁଏ ନାହିଁ । ସେ ନିତ୍ୟ, ଅବିନାଶୀ ଓ ପରିବର୍ତ୍ତନହୀନ । ଅର୍ଜୁନ ଯୁଦ୍ଧରେ ନିଜ ଆତ୍ମୀୟଙ୍କୁ ହତ୍ୟା କରିବା ଭୟରେ ଅସ୍ଥିର ହେଉଥିବାବେଳେ, କୃଷ୍ଣ କହୁଛନ୍ତି – ଯଦି ଆତ୍ମାକୁ ନାଶହୀନ ବୋଲି ବୁଝାଯାଏ, ତେବେ “ମୁଁ ମାରୁଛି” ବା “ସେ ମରୁଛି” ବୋଲି ଭ୍ରମ ରହିନଥାଏ । ଅର୍ଥାତ୍, ଯେଉଁ ପୁରୁଷ ଅବିନାଶୀ ଆତ୍ମାକୁ ଜଣେ, ସେ କଦାପି ଜୀବନର ବାସ୍ତବିକତାକୁ ସମ୍ମୁଖୀନ ହେବାରେ ଶୋକାକୁଳ ହୁଏ ନାହିଁ ।
ସମାଜରେ ହିଂସା, ଦ୍ୱେଷ, ପ୍ରତିଶୋଧ ଓ ଅହଂକାର ଅଧିକାଂଶ ସମୟରେ “ମୁଁ- ତୁମେ” ଭାବନାରୁ ଜନ୍ମ ନେଇଥାଏ । ଗୀତା ୨:୨୧ ଶ୍ଳୋକ ସମାଜକୁ ଶିଖାଏ – ମଣିଷ କେବଳ ଶରୀର ନୁହେଁ; ସେ ଏକ ଅବିନାଶୀ ସତ୍ତାର ପ୍ରତିନିଧି । ଏହି ଦୃଷ୍ଟିକୋଣ ମାନବକୁ ଜାତି, ଧର୍ମ, ଶ୍ରେଣୀ ଓ ଧନ-ଗରିବ ଭେଦଭାବରୁ ଉପରକୁ ଉଠାଏ । ଯଦି ସମାଜ ଏହି ସତ୍ୟକୁ ଅନୁଭବ କରେ, ତେବେ ଅନ୍ୟକୁ ଆଘାତ କରିବା ମାନେ ନିଜ ମାନବିକତାକୁ ଆଘାତ କରିବା ବୋଲି ପ୍ରତ୍ୟେକ ବୁଝିପାରିବେ ।
ପରିବାର ମଧ୍ୟରେ ଦ୍ୱନ୍ଦ୍ୱ, ଅହଂ, ଅଧିକାରବୋଧ ଓ ଆଶାଭଙ୍ଗ ଅନେକ ସମୟରେ ସମ୍ପର୍କକୁ ଭାଙ୍ଗିଦିଏ । ଗୀତା ୨:୨୧ ର ସନ୍ଦେଶ ପାରିବାରିକ ଜୀବନକୁ ଶିଖାଏ – ସମ୍ପର୍କ ଶରୀର ବା ହାନି ଲାଭ ଉପରେ ନୁହେଁ, ବରଂ ସମ୍ମାନ ଓ ସଚେତନତାକୁ ଭିତ୍ତି କରି ଗଢ଼ିଉଠିବା ଉଚିତ । ଯଦି ଆମେ ପରିବାରସଦସ୍ୟଙ୍କୁ କେବଳ “ମୋର” ବୋଲି ନ ଭାବି, ଏକ ସ୍ୱତନ୍ତ୍ର ଓ ଅବିନାଶୀ ସତ୍ତା ବୋଲି ଦେଖିବା, ତେବେ ଆମ ଆଚରଣରେ ଧୈର୍ଯ୍ୟ, କ୍ଷମା ଓ ବୁଝାମଣା ବୃଦ୍ଧି ପାଇବ । ଏହା ପରିବାରକୁ ହିଂସା ଓ ମାନସିକ ଚାପରୁ ରକ୍ଷା କରିବ । ଆତ୍ମାର ଅବିନାଶୀତ୍ୱକୁ ବୁଝିଲେ, ମଣିଷ ହିଂସାରୁ ଦାୟିତ୍ୱ, ଦ୍ୱେଷରୁ ସମ୍ବେଦନା ଓ ସ୍ୱାର୍ଥରୁ ସେବାର ଦିଗକୁ ଗତି କରିପାରେ।
ଅର୍ଜୁନଙ୍କ ମାନସିକ ଅବସ୍ଥା ଆଧୁନିକ ମଣିଷଙ୍କ ସହ ଅତ୍ୟନ୍ତ ସମାନ: “ମୋ କାର୍ଯ୍ୟରେ ଅନ୍ୟ ଆଘାତ ପାଇବେ” ଭାବନାରୁ ମନ ଅସ୍ଥିର ହୁଏ । ଶ୍ରୀକୃଷ୍ଣ କହୁଛନ୍ତି – ମଣିଷ ଯଦି ନିଜକୁ କେବଳ “କର୍ତ୍ତା” ବୋଲି ନ ଭାବି, ବରଂ କର୍ତ୍ତବ୍ୟର ଏକ ମାଧ୍ୟମ ବୋଲି ବୁଝେ, ତେବେ ଦୋଷବୋଧ କମିଯାଏ । ଏହି ଶ୍ଳୋକ ଭାବନାକୁ ଦମନ ନୁହେଁ, ଭାବନାର ଦାସ ନ ହେବା ପାଇଁ ଶିଖାଏ । ଏହି ସନ୍ତୁଳନ ମାନସିକ ସ୍ୱାସ୍ଥ୍ୟର ମୂଳ ଆଧାର । ଆଧୁନିକ ସମାଜରେ ମଣିଷ ନିଜ ପରିଚୟକୁ ପଦବୀ, ସଫଳତା, ଆର୍ଥିକ ସ୍ଥିତି ସହ ଯୋଡ଼ିଦିଏ । ଫଳସ୍ୱରୂପ ବିଫଳତାକୁ “ଆତ୍ମନାଶ” ଭଳି ଅନୁଭବ କରେ । ଗୀତା ଏହି ଭ୍ରମକୁ ଦୂର କରି କୁହେ -ମଣିଷର ମୂଳ ସତ୍ତା କୌଣସି ବାହ୍ୟ ଘଟଣାରେ ନଷ୍ଟ ହୁଏ ନାହିଁ ।
ଗୀତା କହେ – ଆତ୍ମା ନାଶଶୀଳ ନୁହେଁ । ମଣିଷ ଜୀବନରେ ଭୂମିକା ବଦଳାଏ – ଛାତ୍ର, କର୍ମଚାରୀ, ପିତାମାତା – କିନ୍ତୁ ନିଜ “ମୁଁ” ର ଅନୁଭୂତି ଅବିଚ୍ଛିନ୍ନ ରହେ । ଗୀତାରେ ଆତ୍ମା ହେଉଛି ଚେତନାର ଆଧାର । ଆଧୁନିକ ନ୍ୟୁରୋସାଇନ୍ସ ଆତ୍ମା ଶବ୍ଦ ବ୍ୟବହାର କରେନାହିଁ, କିନ୍ତୁ consciousness କୁ ମାନବ ଅନୁଭବର କେନ୍ଦ୍ର ମାନେ । ଗୀତା ଯାହାକୁ ଅବିନାଶୀ କହେ, ଆଧୁନିକ ବିଜ୍ଞାନ ସେହି ଅନୁଭବକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିପାରେକି ? – ଏହା ଏକ ଖୋଲା ପ୍ରଶ୍ନ ।
Plato ଙ୍କ ଭାଷା ଅନୁଯାୟୀ, ଆତ୍ମା ଶରୀରର ପୂର୍ବରୁ ଅବସ୍ଥିତ ଓ ଶରୀର ମୃତ୍ୟୁ ପରେ ମଧ୍ୟ ରହେ। ତାଙ୍କ Phaedo ଗ୍ରନ୍ଥରେ ସେ କହନ୍ତି – ଶରୀର ନାଶଶୀଳ, ଆତ୍ମା ଅମର । ଗୀତା ୨:୨୧ ଓ Plato, ଉଭୟେ ଆତ୍ମାକୁ ଅବିନାଶୀ ମାନନ୍ତି । କିନ୍ତୁ Plato ଆତ୍ମାକୁ ଏକ ବ୍ୟକ୍ତିଗତ ସତ୍ତା ଭାବେ ଦେଖନ୍ତି, ମାତ୍ର ଗୀତା ଆତ୍ମାକୁ ଏକ ସାର୍ବଭୌମ ଚେତନା ସହ ଏକାତ୍ମ କରେ ।
Aristotle ପାଇଁ ଆତ୍ମା ହେଉଛି ଶରୀରର form – ଜୀବନକୁ କାର୍ଯ୍ୟକ୍ଷମ କରୁଥିବା ସୂତ୍ର । ସୁତରାଂ ଗୀତା ଓ Aristotle ଉଭୟେ ଆତ୍ମାକୁ ଚେତନାର ଆଧାର ମାନନ୍ତି । କିନ୍ତୁ Aristotle ଆତ୍ମାକୁ ଶରୀର ଠାରୁ ସଂପୂର୍ଣ୍ଣ ଭିନ୍ନ ଓ ଅମର ବୋଲି ମାନନ୍ତି ନାହିଁ; ଗୀତା ତାହାକୁ ଶରୀର ଉପରେ ଅତିକ୍ରମଶୀଳ ବୋଲି କହେ ।
Descartes କହିଥିଲେ – “Cogito, ergo sum” (ମୁଁ ଚିନ୍ତା କରୁଛି, ତେଣୁ ମୁଁ ଅଛି) । ତେଣୁ ଉଭୟଙ୍କ ମତରେ “ମୁଁ” ଦେହ ଠାରୁ ଭିନ୍ନ । କିନ୍ତୁ Descartes ର “ମୁଁ” ଚିନ୍ତନଶୀଳ ବ୍ୟକ୍ତିଗତ ସତ୍ତା; ଗୀତାର ଆତ୍ମା ଚିନ୍ତାକୁ ମଧ୍ୟ ଅତିକ୍ରମ କରେ ।
Kant ଆତ୍ମାକୁ ମେଟାଫିଜିକ୍ ଭାବେ ପ୍ରମାଣ କରିପାରିବା ଯୋଗ୍ୟ ମାନନ୍ତି ନାହିଁ, କିନ୍ତୁ ନୀତି ପାଇଁ ଆତ୍ମାର ଅସ୍ତିତ୍ୱକୁ practical postulate ଭାବେ ଗ୍ରହଣ କରନ୍ତି । ଗୀତା ଓ Kant ଉଭୟଙ୍କ ମତରେ ଆତ୍ମା ନୀତିକ ଦାୟିତ୍ୱର ଆଧାର । କିନ୍ତୁ Kant ଆତ୍ମାକୁ ଜ୍ଞାନର ବିଷୟ ନୁହେଁ, ନୀତିର ଆବଶ୍ୟକତା ବୋଲି ଦେଖନ୍ତି; ଗୀତା ଏହାକୁ ଜ୍ଞାନର ସାର୍ଥକ ଲକ୍ଷ୍ୟ କରେ ।
ସେହିପରି Heidegger ମୃତ୍ୟୁକୁ ଅସ୍ତିତ୍ୱର ଶେଷ ସୀମା ଭାବେ ଦେଖୁଥିବା ବେଳେ; ଗୀତା ମୃତ୍ୟୁକୁ ପରିବର୍ତ୍ତନ ରୂପେ ମାତ୍ର ମନେକରେ। କିନ୍ତୁ ଉଭୟେ ଗୀତା ଓ Heidegger ମୃତ୍ୟୁଭୟକୁ ଅତିକ୍ରମ କରି ସତ୍ୟ ଜୀବନକୁ ଦେଖନ୍ତି ।
Sartre ଆତ୍ମାର ଅମରତାକୁ ଅସ୍ୱୀକାର କରନ୍ତି; ସେ କହନ୍ତି – ମଣିଷ ନିଜ କାର୍ଯ୍ୟ ଦ୍ୱାରା ନିଜ ସ୍ୱରୂପ ଗଢ଼େ । ଉଭୟେ ଗୀତ ଓ Sartre ମଣିଷକୁ କର୍ତ୍ତବ୍ୟଶୀଳ ଓ ସ୍ୱାଧୀନ ମାନନ୍ତି । କିନ୍ତୁ Sartreଙ୍କ ସ୍ୱାଧୀନତା ଶୂନ୍ୟତାରୁ ଆସେ; ଗୀତାର ସ୍ୱାଧୀନତା ଶାଶ୍ୱତ ସତ୍ତାର ଜ୍ଞାନରୁ ଆସେ ।
ଗୀତା ୨:୨୧ ଓ ପାଶ୍ଚାତ୍ୟ ଦାର୍ଶନିକତା ଭିନ୍ନ ମାର୍ଗରେ ଚାଲିଥିଲେ ମଧ୍ୟ, ଏକ ମୂଳ ପ୍ରଶ୍ନକୁ ସମ୍ବୋଧନ କରନ୍ତି – ମଣିଷ କିଏ? ଗୀତା ଉତ୍ତର ଦେଇଛି – ମଣିଷ ଅବିନାଶୀ ଚେତନା । ପାଶ୍ଚାତ୍ୟ ଦର୍ଶନ ଉତ୍ତର ଦେଇଛି – ମଣିଷ ଚେତନ, ନୀତିଶୀଳ, ସ୍ୱାଧୀନ ସତ୍ତା ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
