tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୨୯ ଶ୍ଳୋକ : ସୀଦନ୍ତି ମମ..

1 min read

ସୀଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି ।
ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ॥

ଅର୍ଜୁନ କହିଲେ –

  • ହେ କୃଷ୍ଣ ! ଏହି ଯୁଦ୍ଧ କରିବାକୁ ଆସିଥିବା ନିଜ ସ୍ୱଜନମାନଙ୍କୁ ଦେଖି ମୋ ଶରୀର ଅଶକ୍ତ ହେଉଛି, ମୋ ମୁଖ ଶୁଷ୍କ ହୋଇଯାଉଛି । ମୋ’ ଶରୀର କମ୍ପିତ ହେଉଛି, ଲୋମ ଟାଙ୍କୁରି ଉଠୁଛି ।
    ଏହି ଶ୍ଳୋକରେ ଅର୍ଜୁନଙ୍କୁ ମାନସିକ ଭାବରେ ଭାଙ୍ଗିପଡ଼ିବାର ପ୍ରଥମ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ।
  • ଯୁଦ୍ଧଭୂମିରେ ସେ ଯେତେବେଳେ ଶତ୍ରୁମାନଙ୍କୁ ନୁହେଁ, ବରଂ ନିଜ ଗୁରୁ, ଭାଇ, ଆତ୍ମୀୟ ଓ ପରିଚିତମାନଙ୍କୁ ଦେଖନ୍ତି, ସେତେବେଳେ ତାଙ୍କ ହୃଦୟ କମ୍ପିଉଠେ । ଅର୍ଜୁନଙ୍କ ଶରୀରରେ ପ୍ରତିକ୍ରିୟା – ଶରୀର ଥରି ଉଠିବା, ମୁଖ ଶୁଷ୍କ ହେବା – ଏହା ଭୟ, ଶୋକ ଓ ଅତିରିକ୍ତ ଭାବନାତ୍ମକ ଦ୍ୱନ୍ଦ୍ୱର ପ୍ରତିକ । ଯେତେବେଳେ ମଣିଷ ଦୁଇଟି ବିରୋଧାଭାସୀ ମୂଲ୍ୟବୋଧ ମଧ୍ୟରେ ଫସିଯାଏ – କର୍ତ୍ତବ୍ୟ ବନାମ ଭାବନା, ନ୍ୟାୟ ବନାମ ସ୍ନେହ – ସେତେବେଳେ ମନ ଶରୀରକୁ ଅଶକ୍ତ କରିଦିଏ । ଗୀତା ଏଠାରେ ପ୍ରତ୍ୟେକ ମଣିଷର ମାନସିକ ସ୍ଥିତିର ସତ୍ୟତାକୁ ନିର୍ଲଜ୍ଜ ଭାବରେ ଖୋଲିଦେଇଛି ।
  • ଯେତେବେଳେ ମଣିଷ ନିଜ ମୂଲ୍ୟବୋଧ ଓ କର୍ତ୍ତବ୍ୟ ମଧ୍ୟରେ ଫସିଯାଏ, ସେତେବେଳେ ଏପରି ଶାରୀରିକ ଲକ୍ଷଣ ପ୍ରକାଶ ପାଏ। ଅର୍ଜୁନ ଏଠାରେ ଯୋଦ୍ଧା ନୁହେଁ, ଜଣେ ସମ୍ବେଦନଶୀଳ ମଣିଷ ପାଲଟି ଯାଇଛନ୍ତି । ସ୍ୱଜନମୋହ ତାଙ୍କ ଆତ୍ମଜ୍ଞାନକୁ ଢାଙ୍କି ଦେଇଛି । ଆଜି ମଧ୍ୟ, ପରିବାର ବନାମ କର୍ତ୍ତବ୍ୟ, ଭାବନା ବନାମ ନୀତି, ସମ୍ପର୍କ ବନାମ ସତ୍ୟ – ଏହି ଦ୍ୱନ୍ଦ୍ୱରେ ମଣିଷ ଅର୍ଜୁନଙ୍କ ପରି ଦୁର୍ବଳ ହୋଇପଡ଼େ । ଏହି ଏକ ଶ୍ଳୋକରେ ଗୀତା ମଣିଷ ମନର ସବୁଠାରୁ ଗଭୀର ଦୁର୍ବଳତାକୁ ସ୍ପଷ୍ଟ କରିଦେଇଛି।
  • ଯୁଦ୍ଧଭୂମିରେ ଦଣ୍ଡାୟମାନ ଅର୍ଜୁନ ଏକ ସାଧାରଣ ସୈନିକ ନୁହଁନ୍ତି; ସେ ହେଉଛନ୍ତି ଏକ ସଚେତନ ମଣିଷ, ଯିଏ ନିଜ କର୍ତ୍ତବ୍ୟ ଓ ନିଜ ଭାବନା ମଧ୍ୟରେ ଚୂର୍ଣ୍ଣ ହୋଇଯାଉଛନ୍ତି । ଅର୍ଜୁନ ଯେତେବେଳେ ନିଜ ସ୍ୱଜନ – ଗୁରୁ, ପିତୃସମ, ଭାଇ ଓ ଆତ୍ମୀୟମାନଙ୍କୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଥିବାର ଦେଖନ୍ତି, ସେତେବେଳେ ତାଙ୍କର ପାରିବାରିକ ଅନୁରାଗ ଜାଗ୍ରତ ହୋଇଉଠେ । ଏହି ସ୍ନେହ ତାଙ୍କୁ ଶାରୀରିକ ଭାବେ ମଧ୍ୟ ଅଶକ୍ତ କରିଦେଉଛି । ଏଠାରେ ଗୀତା କୁହେ – ପରିବାର ପ୍ରତି ମମତା ପବିତ୍ର, କିନ୍ତୁ ସେଇ ମମତା ଯଦି କର୍ତ୍ତବ୍ୟକୁ ଅବରୋଧ କରେ, ସେ ମୋହର ଆକାର ନେଇଥାଏ । ଅର୍ଜୁନଙ୍କ ଦୁର୍ବଳତା ଏକ ବ୍ୟକ୍ତିଗତ ଘଟଣା ନୁହେଁ; ଏହା ସମଗ୍ର ମାନବ ସମାଜର ସାଧାରଣ ରୋଗ ।
  • ଅର୍ଜୁନ ହେଉଛନ୍ତି ଏକ ସେନାନାୟକ, ଏକ ନେତା – ଯାହାଙ୍କ ନିଷ୍ପତ୍ତିରେ ଏକ ରାଜ୍ୟ, ଏକ ସମାଜ ଓ ଏକ ଧର୍ମର ଭବିଷ୍ୟତ ନିର୍ଭର କରେ । ଅର୍ଜୁନ ଯୁଦ୍ଧଭୂମିରେ ଏକ ସାଧାରଣ ବ୍ୟକ୍ତି ନୁହେଁ; ସେ ହେଉଛନ୍ତି ନ୍ୟାୟର ପକ୍ଷଧର । ତଥାପି, ଯେତେବେଳେ ସେ ନିଜ ସ୍ୱଜନମାନଙ୍କୁ ଶତ୍ରୁ ଭାବେ ଦେଖନ୍ତି, ସେତେବେଳେ ତାଙ୍କର ରାଜନୈତିକ ସ୍ପଷ୍ଟତା ପାଣ୍ଡୁର ହୋଇଉଠେ । ଏହା ପ୍ରମାଣ କରେ; ନେତା ଯଦି ନିଜସ୍ୱ ସମ୍ପର୍କରୁ ଉପରକୁ ଉଠିପାରିବି ନାହିଁ, ସେ ନ୍ୟାୟ କରିପାରିବାରେ ସମର୍ଥ ହୋଇପାରିବନାହିଁ । ଯେଉଁଠାରେ ଶାସକ ନିଜ ଲୋକଙ୍କୁ ଆଇନରୁ ଉର୍ଦ୍ଧ୍ଵରେ ରଖେ, ସେଠାରେ ରାଜ୍ୟ ଧୀରେ ଧୀରେ ଅଧର୍ମରେ ପରିଣତ ହୁଏ । ଯେତେବେଳେ ନେତା ଭୟ, ଦୟା କିମ୍ବା ଆତ୍ମୀୟତାରେ ଆକ୍ରାନ୍ତ ହୁଏ, ସେତେବେଳେ ସମ୍ପୂର୍ଣ୍ଣ ପ୍ରଶାସନ ଅକ୍ଷମ ହୋଇପଡ଼େ ।
  • ଏହି ଶ୍ଳୋକରେ ଅର୍ଜୁନଙ୍କ ମନ ଏକ ତୀବ୍ର ଉତ୍ତେଜନା ଅବସ୍ଥାରେ ପ୍ରବେଶ କରୁଛି । “ଶରୀର ଦୁର୍ବଳ ଲାଗିବା ” – ଶକ୍ତି ହ୍ରାସ, “ମୁଖ ଶୁଷ୍କ ହେବା” । ମନର ଭୟ ଓ ଦ୍ୱନ୍ଦ୍ୱ ଶରୀରକୁ ପ୍ରଭାବିତ କରିଦେଇଛି । ଅର୍ଜୁନ ମଧ୍ୟ ଦୁଇଟି ବିପରୀତ ଧାରଣା ମଧ୍ୟରେ ଫସିଛନ୍ତି – “ମୁଁ ଯୋଦ୍ଧା, ମୋର କର୍ତ୍ତବ୍ୟ ଯୁଦ୍ଧ”, “ଏମାନେ ମୋର ନିଜ ଲୋକ” – ଏହି ଦୁଇ ଚିନ୍ତାର ସଂଘର୍ଷ ତାଙ୍କ ମନକୁ ଅଚଳ କରିଦେଉଛି । ଅର୍ଜୁନ ଏକାସାଥିରେ, ଶୋକ, ଭୟ, ଦୟା, ଦୋଷବୋଧ, ଏସବୁ ଭାବନାକୁ ସମ୍ଭାଳି ପାରୁନାହାନ୍ତି । ଏହି ଭାବପ୍ରବଣତାର ବୋଝ ମନକୁ ନିଷ୍କ୍ରିୟ କରିଦେଉଛି – ଯାହାର ପ୍ରଥମ ଲକ୍ଷଣ ହେଲା ଶରୀର ଅଶକ୍ତ ହୋଇଯିବା ।
  • ସାଧାରଣତଃ ଭୟ ସମୟରେ ତିନିଟି ଚିନ୍ତା ମନକୁ ଆସେ – Fight (ଲଢ଼ିବା), Flight (ପଳାଇବା) କିମ୍ବା Freeze (ଅଚଳ ବା ଶକ୍ତିହୀନ ହୋଇଯିବା) । ଗୀତା ୧.୨୯ରେ ଅର୍ଜୁନ ଅଚଳାବସ୍ଥାରେ ପହଁଚିଯାଇଛନ୍ତି । ସେ ନା ଯୁଦ୍ଧ କରୁଛନ୍ତି, ନା ପଳାଉଛନ୍ତି; ସେ ଅଚଳ ହୋଇଯାଇଛନ୍ତି । ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ଆବଶ୍ୟକ କରୁଛନ୍ତି ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply