tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୨୭/ ୨୮ ଶ୍ଳୋକ :ଶ୍ୱଶୁରାନ୍ ସୁହୃଦଶ୍ଚୈବ..

1 min read

ଶ୍ୱଶୁରାନ୍ ସୁହୃଦଶ୍ଚୈବ ସେନୟୋରୁ ଭୟୋରପି ।
ତାନ୍ ସମୀକ୍ଷ୍ୟ ସ କୌନ୍ତେୟଃ ସର୍ବାନ୍ ବନ୍ଧୂନବସ୍ଥିତାନ୍ ॥
କୃପୟା ପରୟାବିଷ୍ଟୋ ବିଷୀଦନ୍ନିଦମବ୍ରବୀତ୍ ।
ଅର୍ଜୁନ ଉଵାଚ
ଦୃଷ୍ଟ୍ୱେମଂ ସ୍ୱଜନଂ କୃଷ୍ଣ ଯୁୟୁତ୍ସୁଂ ସମୁପସ୍ଥିତମ୍ ॥
*

ଶ୍ୱଶୁର ଓ ସୁହୃଦ ମାନଙ୍କୁ ମଧ୍ୟ ଉଭୟ ସେନାଙ୍କ ମଧ୍ୟରେ ସେ ଦେଖିଲେ । ଯେତେବେଳେ କୁନ୍ତୀପୁତ୍ର ଅର୍ଜୁନ ସମ୍ମୁଖରେ ଥିବା ସମସ୍ତ ବନ୍ଧୁ-ବାନ୍ଧବ, ଗୁରୁଜନ ଓ ଆତ୍ମୀୟମାନଙ୍କୁ ଦେଖିଲେ, ସେ ଗଭୀର କରୁଣାରେ ଆବିଷ୍ଟ ହୋଇ ବିଷାଦଗ୍ରସ୍ତ ହେଲେ ଏବଂ ନିମ୍ନମତେ କହିଲେ ।


ଏହି ଶ୍ଳୋକରେ ଅର୍ଜୁନଙ୍କ ମାନସିକ ଭଙ୍ଗୁରତାର ଆରମ୍ଭ ଦେଖିବାକୁ ମିଳେ । ଯୁଦ୍ଧକ୍ଷେତ୍ରରେ ସେ ଯୋଦ୍ଧା ନୁହେଁ, ଏକ ସମ୍ବେଦନଶୀଳ ମନୁଷ୍ୟ ଭାବେ ଦଣ୍ଡାୟମାନ ହୋଇଛନ୍ତି । ତାଙ୍କର କ୍ଷତ୍ରିୟ ଧର୍ମ ଉପରେ ମାନବୀୟ କରୁଣା ଭରି ଯାଇଛି । ଅର୍ଜୁନ ଏଠାରେ ନିଷ୍ପତ୍ତି ନେବାର ମନୋଦୈହିକ ଶକ୍ତି ହରାଇଛନ୍ତି । କରୁଣା ତାଙ୍କର ବିବେକକୁ ଆଚ୍ଛାଦିତ କରିଦେଇଛି । ଅର୍ଜୁନଙ୍କ କରୁଣା ସ୍ୱାଭାବିକ । ଆଜିର ମନୁଷ୍ୟ ମଧ୍ୟ, ପରିବାର ବନାମ କର୍ତ୍ତବ୍ୟ, ମୋହ ବନାମ ନ୍ୟାୟ, ସମ୍ପର୍କ ବନାମ ସତ୍ୟ, ଏହି ଦ୍ୱନ୍ଦ୍ୱରେ ଅର୍ଜୁନ ପରି ବିଷାଦଗ୍ରସ୍ତ ହୁଏ ।


ଯୁଦ୍ଧକ୍ଷେତ୍ରରେ ଦଣ୍ଡାୟମାନ ଅର୍ଜୁନ ଯେତେବେଳେ ନିଜକୁ ବନ୍ଧୁ, ଗୁରୁ ଓ ଆତ୍ମୀୟମାନଙ୍କୁ ସମ୍ମୁଖରେ ଦେଖନ୍ତି, ସେତେବେଳେ ତାଙ୍କର ମନ କରୁଣାରେ ଆଚ୍ଛାଦିତ ହୋଇଯାଏ । ଏହି କରୁଣା ତାଙ୍କୁ ଯଦିଓ ମହାନ କରେ, କିନ୍ତୁ ସେହି ସମୟରେ ତାଙ୍କୁ ନିଷ୍କ୍ରିୟ ଓ ବିଷାଦଗ୍ରସ୍ତ କରିଦେଉଛି । ଅର୍ଜୁନଙ୍କ ପାଇଁ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, କେବଳ ଯୁଦ୍ଧଶତ୍ରୁ ନୁହେଁ, ବରଂ ପିତୃତୁଲ୍ୟ ଓ ଗୁରୁତୁଲ୍ୟ।

ଅର୍ଜୁନଙ୍କ ମନର ପ୍ରଶ୍ନ -“ମୁଁ କିପରି ନିଜ ଲୋକଙ୍କୁ ମାରିବି?” ଆଜିର ପାରିବାରିକ ଜୀବନରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏହି ଦ୍ୱନ୍ଦ୍ୱ ଦେଖାଯାଏ । ଏହିପରି ସ୍ଥିତିରେ ମନୁଷ୍ୟ ସଠିକ୍ ନିଷ୍ପତ୍ତି ନେଇପାରେ ନାହିଁ । ଏହିପରି ସ୍ଥିତିରୁ ମୁକ୍ତି ପାଇଁ ଶ୍ରୀକୃଷ୍ଣଙ୍କ ଉପଦେଶ ଆବଶ୍ୟକ ହୁଏ । ଗୀତା ୧.୨୭ ଆମକୁ କୁହେ – ପରିବାର ପ୍ରେମ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ସେ ପ୍ରେମ ଯଦି ଅନ୍ୟାୟକୁ ଆଶ୍ରୟ ଦିଏ, ସେଥିରେ ଧର୍ମ ନଥାଏ । କରୁଣା ମନୁଷ୍ୟକୁ ମହାନ କରେ, କିନ୍ତୁ ବିବେକ ବିନା କରୁଣା ମନୁଷ୍ୟକୁ ଅସମର୍ଥ କରେ।


ଭାରତୀୟ ପରିବାର ବ୍ୟବସ୍ଥା ମମତା, ସମ୍ପର୍କ ଓ ଆନୁଗତ୍ୟ ଉପରେ ନିର୍ମିତ । କିନ୍ତୁ ଗୀତା ୧.୨୭ ଏକ କଠୋର ପ୍ରଶ୍ନ ଉଠାଏ- ପରିବାର ପାଇଁ ଅନ୍ୟାୟକୁ ଢାଙ୍କିଦେବା କ’ଣ ଧର୍ମ? ଅପରାଧ କରୁଥିବା ପୁଅକୁ ରକ୍ଷା କରୁଥିବା ପିତାମାତା,ଦୁର୍ନୀତି କରୁଥିବା ଭାଇକୁ “ଆମ ଲୋକ” ବୋଲି ସମର୍ଥନ କରିବା – ଏହା ସବୁ ଅର୍ଜୁନୀୟ ବିଷାଦର ଆଧୁନିକ ରୂପ । ଗୀତା କହେ – ମମତା ଯେତେବେଳେ ନ୍ୟାୟକୁ ଦମନ କରେ, ସେତେବେଳେ ସେ ପାପର ସହଯୋଗୀ ହୁଏ ।


ଗୀତା ୧.୨୭ କହେ – ବିଷାଦ ଅପରାଧ ନୁହେଁ, କିନ୍ତୁ ବିଷାଦରେ ସ୍ଥିର ହୋଇ ରହିଯିବା ହେଉଛି ପରାଜୟ । ଯଦି ଅର୍ଜୁନ ବିଷାଦଗ୍ରସ୍ତ ହେଇନଥାନ୍ତେ, ଗୀତା ଜନ୍ମ ନେଇନଥାନ୍ତା ଏବଂ ମନୁଷ୍ୟ ନିଜକୁ ଚିହ୍ନିପାରିନଥାନ୍ତା ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯

Share

Leave a Reply