ଶ୍ରୀମଦ୍ ଭଗବଦ୍ ଗୀତା ୧: ୨୫ ଶ୍ଳୋକ :ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ
1 min read
ଭୀଷ୍ମଦ୍ରୋଣପ୍ରମୁଖତଃ ସର୍ବେଷାଂ ଚ ମହୀକ୍ଷିତାମ୍ ।
ଉବାଚ ପାର୍ଥ ପଶ୍ୟୈତାନ୍ ସମବେତାନ୍ କୁରୂନିତି ॥
ଭୀଷ୍ମ ଓ ଦ୍ରୋଣ ଆଦି ସମସ୍ତ ରାଜାମାନଙ୍କ ସମ୍ମୁଖରେ ରଥକୁ ରଖି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ – “ହେ ପାର୍ଥ, ଏଠାରେ ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଦେଖ ।”
ଅର୍ଜୁନ ଯେଉଁମାନଙ୍କ ସହିତ ଯୁଦ୍ଧ କରିବେ, ସେମାନେ କେବଳ ଶତ୍ରୁ ନୁହଁନ୍ତି, ଭୀଷ୍ମ (ପିତାମହ), ଦ୍ରୋଣ (ଗୁରୁ), ଆତ୍ମୀୟ, ସ୍ନେହୀ ଓ ନିଜ ରକ୍ତସମ୍ପର୍କୀୟ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ “ଦେଖ” ବୋଲି କହୁଛନ୍ତି । ଏହା କେବଳ ଚକ୍ଷୁ ଦ୍ୱାରା ଦେଖିବା ନୁହେଁ, ସତ୍ୟକୁ ସାମ୍ନା କରିବା । ନିଜ ମନର ଦ୍ୱନ୍ଦ୍ୱକୁ ଅନୁଭବ କରିବା । ପରିବାର ଓ ସମାଜରେ ଅନେକ ସମୟରେ ନ୍ୟାୟ ଓ ସମ୍ପର୍କ ମଧ୍ୟରେ ସଂଘର୍ଷ ହୁଏ । ଏହି ଶ୍ଳୋକ ଶିକ୍ଷା ଦିଏ – ସମସ୍ୟାକୁ ଏଡ଼ାଇଯିବା ନୁହେଁ, ସାହସର ସହିତ ସତ୍ୟକୁ ଦେଖିବା ହିଁ ଜୀବନର ପ୍ରଥମ ଲକ୍ଷ୍ୟ ହେବ ଉଚିତ ।
ମହାଭାରତ ଯୁଦ୍ଧଭୂମି ହେଉଛି କେବଳ ଏକ ଐତିହାସିକ ଘଟଣା ନୁହେଁ; ଏହା ମାନବ ମନର ଦ୍ୱନ୍ଦ୍ୱ, ନୀତି ଓ କର୍ତ୍ତବ୍ୟର ପ୍ରତୀକ। ଗୀତାର ପ୍ରଥମ ଅଧ୍ୟାୟର ୨୫ତମ ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧଭୂମିର ମଧ୍ୟଭାଗକୁ ନେଇ ଯାଇ କହନ୍ତି – “ହେ ପାର୍ଥ, ଏକତ୍ରିତ ହୋଇଥିବା କୁରୁମାନଙ୍କୁ ଦେଖ ।” ଏହି “ଦେଖ” ଶବ୍ଦଟି ଗଭୀର ଦାର୍ଶନିକ ଅର୍ଥ ବହନ କରେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧରୁ ଦୂରେଇ ନେଇ ନାହାନ୍ତି, ବରଂ ସମସ୍ୟାର ମଧ୍ୟ ଭାଗକୁ ନେଇ ଯାଇଛନ୍ତି । ଏହାର ଅର୍ଥ – ସମସ୍ୟାରୁ ମୁକ୍ତି ପଳାୟନରେ ନୁହେଁ, ବରଂ ଏହାକୁ ସଚେତନ ଭାବରେ ସାମ୍ନା କରିବାରେ ହିଁ ମିଳେ । ଜୀବନର ଯେକୌଣସି ନୀତିଗତ ସଂକଟରେ ପ୍ରଥମ ପଦକ୍ଷେପ ହେଉଛି ସତ୍ୟକୁ ସ୍ପଷ୍ଟ ଭାବେ ଦେଖିବା ।
ଏହି ଶ୍ଳୋକରେ ଅର୍ଜୁନ ଯେଉଁମାନଙ୍କୁ ଦେଖୁଛନ୍ତି, ସେମାନେ ତାଙ୍କର ପିତାମହ, ଗୁରୁ, ଭାଇବନ୍ଧୁ । ପରିବାର ମଧ୍ୟରେ ଯେତେବେଳେ ମନୋମାଳିନ୍ୟ ଘଟେ, ସେତେବେଳେ ନୀରବ ରହିବା କି ନ୍ୟାୟ ପକ୍ଷକୁ ସମର୍ଥନ କରିବା – ଏହି ପ୍ରଶ୍ନ ଉପସ୍ଥିତ ହୁଏ । ଭୀଷ୍ମ ଓ ଦ୍ରୋଣ ଭାରତୀୟ ସଂସ୍କୃତିରେ ଶ୍ରଦ୍ଧା ଓ ସମ୍ନାନର ପ୍ରତୀକ । କିନ୍ତୁ ଏହି ଶ୍ଳୋକ ଦର୍ଶାଏ, ଶ୍ରଦ୍ଧା ଯଦି ନୀତିବିରୋଧୀ ହୁଏ, ତେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରେ । ଆଧୁନିକ ସମାଜରେ ବୟୋଜ୍ୟେଷ୍ଠ, ଗୁରୁ, ନେତା କିମ୍ବା ପ୍ରତିଷ୍ଠିତ ବ୍ୟକ୍ତି ଭୁଲ୍ କଲେ,“ସେ ବଡ଼ ଲୋକ” ବୋଲି ଚୁପ୍ ରହିବାକୁ ଗୀତା ଧର୍ମ ରୂପେ ମାନେନାହିଁ । ସମାଜରେ ଅନେକ ସମୟରେ ଅନ୍ୟାୟ, ଶକ୍ତିଶାଳୀଙ୍କ ହାତରେ ଥାଏ । ଭୀଷ୍ମ ଓ ଦ୍ରୋଣ ପରି ମହାନ ଲୋକମାନେ ମଧ୍ୟ କେବେ କେବେ ଅନ୍ୟାୟ ପକ୍ଷକୁ ସମର୍ଥନ କରିଥାନ୍ତି । ଏହି ଶ୍ଳୋକ ସୂଚାଏ ଯେ ପଦମର୍ଯ୍ୟାଦା ନୁହେଁ, ନୀତି ହେଉଛି ସତ୍ୟର ମାପଦଣ୍ଡ । ସମାଜ ସୁଧାର ପାଇଁ ସାହସିକ ସଚେତନତା ଆବଶ୍ୟକ । ଅନ୍ୟାୟ ଦେଖି ଚୁପ୍ ରହିବା କ’ଣ ପାପ ନୁହେଁ? ଭୀଷ୍ମ ଓ ଦ୍ରୋଣ ଅନ୍ୟାୟକୁ ପ୍ରତିରୋଧ କଲେ ନାହିଁ। ସେମାନଙ୍କର ମୌନ ହେଉଛି କୁରୁକ୍ଷେତ୍ର ଯୁଦ୍ଧର ମୂଳ କାରଣ ମଧ୍ୟରୁ ଗୋଟିଏ । ଗୀତା ଶିଖାଏ – ଅନ୍ୟାୟରେ ନୀରବତା ମଧ୍ୟ ଏକ ପକ୍ଷଗ୍ରହଣ ।
ଗୀତା ୧.୨୫ କେବଳ ଯୁଦ୍ଧଭୂମିର ଏକ ଦୃଶ୍ୟ ନୁହେଁ; ଏହା ପ୍ରତ୍ୟେକ ମାନବ ଜୀବନର ଏକ ଦର୍ପଣ ସଦୃଶ । ଶ୍ରୀକୃଷ୍ଣ ଆମକୁ ଶିକ୍ଷା ଦିଅନ୍ତି – ସତ୍ୟକୁ ଦେଖ, ଦ୍ୱନ୍ଦ୍ୱକୁ ଅନୁଭବ କର, ତାପରେ ନୀତିର ପଥ ଚୟନ କର । ଏହି ଶିକ୍ଷା ଆଜିର ସମାଜ ଓ ଜୀବନରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ଏକମାତ୍ର ନିର୍ଦ୍ଦେଶ ଦେଲେ – “ପଶ୍ୟ” (ଦେଖ) – ଏହା ଉପଦେଶ ନୁହେଁ, ଜାଗୃତିର ଆହ୍ୱାନ । ମନୁଷ୍ୟ ଯେତେବେଳେ ସତ୍ୟକୁ ଦେଖିବାକୁ ଅସ୍ୱୀକାର କରେ, ସେତେବେଳେ ଅନ୍ୟାୟ ସାଧାରଣ ହୋଇଯାଏ । ଶ୍ରୀକୃଷ୍ଣଙ୍କର ଗୋଟିଏ ପଦ “ଦେଖ” ଅର୍ଜୁନଙ୍କ ମନରେ ଭାବନାତ୍ମକ ଭଙ୍ଗୁରତା ସୃଷ୍ଟି କରିଥିଲା । ଜୀବନରେ ଯେତେବେଳେ ଆମେ ନିଜ ଆତ୍ମୀୟ, ନିଜ ଅତୀତ ଓ ନିଜ ସ୍ମୃତି ସହିତ ମୁହାଁମୁହିଁ ହେଉ, ସେତେବେଳେ ନିଷ୍ପତ୍ତି ନେବା ସବୁଠାରୁ କଠିନ ହୋଇଯାଏ । ଶ୍ରୀକୃଷ୍ଣ ଯୁଦ୍ଧ ଶିଖାନ୍ତି ନାହିଁ, ସେ ସତ୍ୟକୁ ଦେଖିବା ଶିଖାନ୍ତି ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
