ଶ୍ରୀମଦ୍ ଭଗବଦ୍ ଗୀତା ୧: ୨୧ ଶ୍ଳୋକ : ହୃଷିକେଶଂ ତଦା ବାକ୍ୟମିଦମାହ…
1 min read
ହୃଷିକେଶଂ ତଦା ବାକ୍ୟମିଦମାହ ମହୀପତେ ।
ଅର୍ଜୁନ ଉବାଚ
ସେନୟୋରୁଭୟୋର୍ମଧ୍ୟେ ରଥଂ ସ୍ଥାପୟ ମେଽଚ୍ୟୁତ ॥
- ହେ ମହୀପତେ ! ଏହି ପ୍ରକାର ଯେତେବେଳେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିଲା, ଅର୍ଜୁନ କହିଲେ – “ହେ ଅଚ୍ୟୁତ (ଶ୍ରୀକୃଷ୍ଣ) ! ଦୟାକରି ମୋର ରଥକୁ ଦୁଇ ସେନାର ମଧ୍ୟରେ ନେଇ ସ୍ଥାପନ କରାନ୍ତୁ ।”
ଯୁଦ୍ଧ ଆରମ୍ଭ ପୂର୍ବରୁ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରୁଛନ୍ତି, ଦୁଇ ପକ୍ଷର ସେନା ମଧ୍ୟରେ ତାଙ୍କ ରଥକୁ ସ୍ଥାପନ କରାଇବାକୁ । ଏହା କେବଳ ଏକ ସାମରିକ ଅନୁରୋଧ ନୁହେଁ, ଏହା ଅର୍ଜୁନଙ୍କ ଅନ୍ତର୍ମନରେ ସନ୍ଦେହ, ଚିନ୍ତା ଓ ବିବେକ ଜାଗ୍ରତ ହେବାର ପ୍ରଥମ ସଙ୍କେତ । “ଅଚ୍ୟୁତ” ବୋଲି ସମ୍ବୋଧନ କରିବା ଦ୍ୱାରା ଅର୍ଜୁନ ଶ୍ରୀକୃଷ୍ଣଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ପ୍ରକାଶ କରୁଛନ୍ତି । ଅଚ୍ୟୁତ ଅର୍ଥ – ଯିଏ କେବେ ଧର୍ମପଥରୁ ବିଚ୍ୟୁତ ହୁଅନ୍ତି ନାହିଁ ।
ଦୁଇ ସେନା ମଧ୍ୟରେ ନିଜକୁ ଅବସ୍ଥାନ କରେଇବାର ଅର୍ଥ – ଧର୍ମ ଓ ଅଧର୍ମ ମଧ୍ୟରେ ମନୁଷ୍ୟର ସ୍ଥିତି । କର୍ତ୍ତବ୍ୟ ଓ ମମତା ମଧ୍ୟରେ ଦ୍ୱନ୍ଦ୍ୱ । ବିବେକର ଆଲୋକରେ ସତ୍ୟକୁ ଦେଖିବାର ଇଚ୍ଛା । ଅର୍ଜୁନ ଏଠାରେ ଯୁଦ୍ଧ କରିବା ପୂର୍ବରୁ “ମୁଁ କାହା ସହ ଯୁଦ୍ଧ କରୁଛି?” ବୋଲି ଜାଣିବାକୁ ଚାହୁଁଛନ୍ତି ।
ଆଧୁନିକ ଜୀବନରେ ମଧ୍ୟ ମଣିଷ ଏମିତି ଅନେକ ସମୟରେ ଜୀବନର “ଦୁଇ ସେନା” ମଧ୍ୟରେ ନିଜକୁ ଦେଖିବାକୁ ପାଇଥାଏ – ପରିବାର ଓ ପେଷା, ସତ୍ୟ ଓ ସ୍ୱାର୍ଥ, ନୀତି ଓ ସୁବିଧା । ଏମିତି ସମୟରେ ଶ୍ରୀକୃଷ୍ଣଙ୍କ ଭଳି ସଠିକ୍ ମାର୍ଗଦର୍ଶକ (ବିବେକ, ଜ୍ଞାନ, ସତ୍ୟ) ଆବଶ୍ୟକ । ଗୀତା ୧.୨୧ ହେଉଛି ମନୁଷ୍ୟର ଦ୍ୱନ୍ଦ୍ୱ ଓ ବିବେକର ଆହ୍ୱାନ ।
ଅର୍ଜୁନ ଏଠାରେ ଯେଉଁ ଯୁଦ୍ଧକ୍ଷେତ୍ରକୁ ଦେଖିବାକୁ ଚାହୁଁଛନ୍ତି, ସେଠାରେ ତାଙ୍କର ପିତୃତୁଲ୍ୟ ଭୀଷ୍ମ, ଗୁରୁ ଦ୍ରୋଣ, ଭାଇ, ଭାତୃପୁତ୍ର, ଆତ୍ମୀୟ ଉପସ୍ଥିତ । ପରିବାର ମଧ୍ୟରେ ଯେତେବେଳେ ସଂଘର୍ଷ ଜନ୍ମ ନିଏ, ସେତେବେଳେ ମଣିଷ “ଦୁଇ ସେନାର ମଧ୍ୟରେ” ନିଜକୁ ରହିଥିବାର ପାଏ – ମମତା ଓ କର୍ତ୍ତବ୍ୟର ମଧ୍ୟରେ । ପାରିବାରିକ ବିବାଦ, ସମ୍ପତ୍ତି ଝଗଡ଼ା, ପିଢ଼ୀଗତ ମତଭେଦରେ ମଣିଷ ଅର୍ଜୁନ ହୋଇଯାଏ ।
ରାଜନୈତିକ ଦୃଷ୍ଟିକୋଣରେ ମଧ୍ୟ, ସତ୍ତା ଓ ସେବା, ଦଳୀୟ ସ୍ୱାର୍ଥ ଓ ଜନସ୍ୱାର୍ଥ, ନୀତି ଓ ସୁଯୋଗବାଦ ମଧ୍ୟରେ ଦ୍ୱନ୍ଦ୍ୱ ଥାଏ । ଯେଉଁ ନେତା ଶ୍ରୀକୃଷ୍ଣଙ୍କ ପରି “ଅଚ୍ୟୁତ”, ଅର୍ଥାତ୍ ଧର୍ମରୁ ବିଚ୍ୟୁତ ହୁଅନ୍ତି ନାହିଁ, ସେମାନେ ହିଁ ଇତିହାସ ଗଢ଼ନ୍ତି । ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ ଅର୍ଜୁନ, ଏବଂ ପ୍ରତ୍ୟେକଙ୍କର ବିବେକ “ଅଚ୍ୟୁତ” । ମଣିଷ ଯେତେବେଳେ ଜୀବନରେ ନିଷ୍ପତ୍ତି ନେବା ପୂର୍ବରୁ ନିଜ ଭିତରକୁ ଚାହିଁ ଦେଖେ, ସେ ମଧ୍ୟସ୍ଥ ଅବସ୍ଥାରେ ପହଞ୍ଚେ । ଏହି “ମଧ୍ୟ” ହେଉଛି – ଭାବନା ଓ ବୁଦ୍ଧିର ସନ୍ତୁଳନ, ଆକାଂକ୍ଷା ଓ ବିବେକର ସମନ୍ୱୟ ।
🌹🙏🌹 - ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
