03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୨୦ ଶ୍ଳୋକ :ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା..

1 min read

ଅଥ ବ୍ୟବସ୍ଥିତାନ୍ ଦୃଷ୍ଟ୍ୱା ଧାର୍ତରାଷ୍ଟ୍ରାନ୍ କପିଧ୍ୱଜଃ ।
ପ୍ରବୃତ୍ତେ ଶସ୍ତ୍ରସମ୍ପାତେ ଧନୁରୁଦ୍ୟମ୍ୟ ପାଣ୍ଡବଃ ॥

  • ହେ ରାଜା ! ସେହି ସମୟରେ ପାଣ୍ଡୁଙ୍କ ପୁତ୍ର ଅର୍ଜୁନ, କପିଧ୍ୱଜ (ତାଙ୍କର ରଥର ପତାକାରେ ହନୁମାନଙ୍କର ଚିତ୍ର ଥିଲା) ରଥରେ ବସି ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ଉପରେ ଦୃଷ୍ଟିନିକ୍ଷେପ କରି, ତାଙ୍କର ଧନୁଷ (ଗାଣ୍ଡୀବ) ଉଠାଇଲେ ।
    ଏହି ଶ୍ଳୋକରେ ଅର୍ଜୁନଙ୍କ ଯୁଦ୍ଧପୂର୍ବ ମନୋଦଶାର ଏକ ମୁଖ୍ୟ ମୁହୂର୍ତ୍ତର ଚିତ୍ରଣ ହୋଇଅଛି । ବାହ୍ୟ ଭାବେ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ, କିନ୍ତୁ ଆନ୍ତରିକ ଭାବେ ସେ ଦ୍ଵନ୍ଦରେ ଅଛନ୍ତି । ଧନୁଷ ଉଠାଇବା ମାନେ କେବଳ ଯୁଦ୍ଧ ଆରମ୍ଭ ନୁହେଁ, ଏହା ଜୀବନର ଏକ ନିଷ୍ପତ୍ତିକାରୀ କ୍ଷଣ । ଧର୍ମ ଓ ଆସକ୍ତି ମଧ୍ୟରେ ସଂଘର୍ଷ । କପିଧ୍ୱଜର ଉଲ୍ଲେଖ ହନୁମାନଙ୍କ ସାହସ, ଶକ୍ତି ଓ ଧର୍ମନିଷ୍ଠାର ପ୍ରତୀକ, ଯାହା ଅର୍ଜୁନଙ୍କୁ ଅନ୍ତର୍ନିହିତ ଭାବେ ଧର୍ମ ପଥରେ ଦୃଢ଼ ହେବାକୁ ପ୍ରେରଣା ଦେଉଛି ।
    ଆଧୁନିକ ଜୀବନରେ ମଧ୍ୟ ପ୍ରତ୍ୟେକ ମନୁଷ୍ୟ ପ୍ରତିସମୟରେ ଏହି “ଧନୁଷ ଉଠାଇବା” ମୁହୂର୍ତ୍ତକୁ ସାମ୍ନା କରେ । ଅନ୍ୟାୟ ବିରୋଧରେ କଥା କହିବେ କି ନାହିଁ, ଭୁଲକୁ ସହଯୋଗ କରିବେ କି ପ୍ରତିରୋଧ କରିବେ, ସହଜ ପଥକୁ ଆଦରି ନେବେ କି ଧର୍ମର କଠିନ ପଥରେ ଚାଲିବେ । ଆଜି ଜଣେ ସଚ୍ଚୋଟ କର୍ମଚାରୀ ଦୁର୍ନୀତି ଦେଖି ଚୁପ୍ ରହିବେ କି ଅଭିଯୋଗ କରିବେ – ସେଇ ମୁହୂର୍ତ୍ତ ହେଉଛି ଗୀତା ୧.୨୦। ଜଣେ ଶିକ୍ଷକ କପି କରୁଥିବା ଛାତ୍ରକୁ ସମର୍ଥନ କରିବେ କି ନୀତି ପାଳନ କରିବେ – ସେଇ ମୁହୂର୍ତ୍ତ ହେଉଛି ଗୀତା ୧.୨୦।
  • ଗୀତା ୧.୨୦ : ନିଷ୍ପତ୍ତିର ମୁହୂର୍ତ୍ତ – ଧର୍ମ ଓ ପାରିବାରିକ ଆସକ୍ତି ମଧ୍ୟରେ ଦ୍ଵନ୍ଦ । ମହାଭାରତ ଯୁଦ୍ଧର ମୁଖ୍ୟ ମଞ୍ଚ କୁରୁକ୍ଷେତ୍ର କେବଳ ଏକ ଯୁଦ୍ଧକ୍ଷେତ୍ର ନୁହେଁ; ଏହା ମାନବ ମନର ଦ୍ଵନ୍ଦ, ଧର୍ମ ଓ କର୍ତ୍ତବ୍ୟର ଜୀବନ୍ତ ପ୍ରତୀକ । ଏଠାରେ ଅର୍ଜୁନ ଧନୁଷ ଉଠାଇଛନ୍ତି -ଏକ ପକ୍ଷରେ ଯୁଦ୍ଧ ପାଇଁ ପ୍ରସ୍ତୁତି, ଅନ୍ୟ ପକ୍ଷରେ ଆସନ୍ନ ମାନସିକ ସଂକଟର ସୂଚନା । ଏହି ଶ୍ଳୋକର ସବୁଠାରୁ ମର୍ମସ୍ପର୍ଶୀ ଦିଗ ହେଉଛି ପାରିବାରିକ ସଂଘର୍ଷ । ଅର୍ଜୁନ ଯାହାଙ୍କ ସହ ଯୁଦ୍ଧ କରିବାକୁ ଯାଉଛନ୍ତି, ସେମାନେ ତାଙ୍କର ଆତ୍ମୀୟ, ପିତୃସମ ଗୁରୁ, ଭାଇ, ବନ୍ଧୁ । ପରିବାରରେ ଜନ୍ମ ନେଇଥିବା ସ୍ନେହ, ସମ୍ପର୍କ ଓ ମମତା ଏଠାରେ ଧର୍ମକୁ ଆହ୍ୱାନ କରୁଛି । ଧନୁଷ ଉଠାଇବାର ଅର୍ଥ – ନ୍ୟାୟ ପାଇଁ ନିଜ ଲୋକଙ୍କ ବିରୋଧରେ ମଧ୍ୟ ଦୃଢ ହେବା । ଆଧୁନିକ ପରିବାରରେ ମଧ୍ୟ ଏହି ପରିସ୍ଥିତି ଦେଖାଯାଏ, ଯେତେବେଳେ ଭୁଲ କାମରେ ଆତ୍ମୀୟ ଜଡିତ ଥାନ୍ତି, ସେତେବେଳେ ନୀରବ ରହିବା ସହଜ, କିନ୍ତୁ ଧର୍ମସମ୍ମତ ନୁହେଁ। ସମାଜ ଦୃଷ୍ଟିରୁ ଗୀତା ୧.୨୦ ଏକ ସ୍ପଷ୍ଟ ସନ୍ଦେଶ ଦେଉଛି – ଅନ୍ୟାୟ ଯେତେବେଳେ ସଂଗଠିତ ଓ ଶକ୍ତିଶାଳୀ ହୁଏ, ସେତେବେଳେ ନୀରବତା ମଧ୍ୟ ଅପରାଧ । ଅର୍ଜୁନଙ୍କ ଧନୁଷ ଉଠାଇବା ମାନେ ସମାଜରେ ସତ୍ୟ ଓ ନ୍ୟାୟ ପାଇଁ ଦୃଢ ସ୍ୱର ଉତ୍ତୋଳନ କରିବା । ଆଜିର ସମାଜରେ ଦୁର୍ନୀତି, ଅନ୍ୟାୟ, ଶୋଷଣ ଦେଖି ମଧ୍ୟ ମଣିଷ ଚୁପ୍ ରହିଯାଏ । ଗୀତା କହେ,ଏହି ମୁହୂର୍ତ୍ତରେ ଧନୁଷ ଉଠାଇବା ଆବଶ୍ୟକ, ଅର୍ଥାତ୍ ସତ୍ୟ ପକ୍ଷରେ କଥା କହିବା ଆବଶ୍ୟକ ।
  • ଗୀତାର ପ୍ରଥମ ଅଧ୍ୟାୟର ୨୦ତମ ଶ୍ଳୋକ ଦୃଶ୍ୟତଃ ଯୁଦ୍ଧର ଆରମ୍ଭ ଭଳି ଲାଗିଥାଏ, କିନ୍ତୁ ତାହାର ଗଭୀରତା ଯୁଦ୍ଧ ଠାରୁ ଅଧିକ। ଏହା ମାନବ ମନର ଏକ ନିଷ୍ପତ୍ତିକାରୀ ମୁହୂର୍ତ୍ତ । ଅର୍ଜୁନ ଧନୁଷ ଉଠାଇଛନ୍ତି, କିନ୍ତୁ ଏହି କ୍ରିୟା ତାଙ୍କର ଭିତରେ ଚାଲିଥିବା ଭୟ, ସନ୍ଦେହ ଓ ଧର୍ମବୋଧର ମଧ୍ୟରେ ଏକ ଅସ୍ଥାୟୀ ସମତୁଳନ । ଧନୁଷ କେବଳ ଅସ୍ତ୍ର ନୁହେଁ; ଏହା ମଣିଷର ଇଚ୍ଛାଶକ୍ତିର ପ୍ରତୀକ । ଯେତେବେଳେ ଅର୍ଜୁନ ଧନୁଷ ଉଠାନ୍ତି, ସେତେବେଳେ ମଣିଷର ମନ ଏକ ନିର୍ଦିଷ୍ଟ ଦିଗ ଆଡକୁ ରହିଥାଏ, କିନ୍ତୁ ସେହି ଦିଗ ଏପର୍ଯ୍ୟନ୍ତ ସ୍ଥିର ନୁହେଁ । ତେଣୁ ଏହି ଶ୍ଳୋକ ନିଷ୍ପତ୍ତି ଓ ଦ୍ଵିଧାର ଏକ ମଧ୍ୟବର୍ତ୍ତୀ ଅବସ୍ଥା । ଅର୍ଜୁନ ନିଷ୍ପତ୍ତି ନେବାକୁ ଯାଉଛନ୍ତି, କିନ୍ତୁ ମନ ଭିତରେ ଅତୀତ ସମ୍ପର୍କ, ଭବିଷ୍ୟତ ଫଳାଫଳ ଓ ବର୍ତ୍ତମାନର କର୍ତ୍ତବ୍ୟକୁ ନେଇ ମାନସିକ ମନ୍ଥନ ଚାଲିଅଛି । ଏହା ଥିଲା କୌଣସି ନିଷ୍ପତ୍ତି ପୂର୍ବରୁ ଆସୁଥିବା ସ୍ୱାଭାବିକ ମାନସିକ ଅସ୍ଥିରତା । ଏହା ଥିଲା “ଏକ ଅଟକି ଯାଇଥିବା ମୁହୂର୍ତ୍ତ” ସଦୃଶ । ଯୁଦ୍ଧ ଆରମ୍ଭ ହେଉଛି, କିନ୍ତୁ ଗୀତା ତାହାକୁ କିଛି ସମୟ ପାଇଁ ଅଟକାଇ ଦେଇ କହୁଛି – କ୍ରିୟା ପୂର୍ବରୁ ଚିନ୍ତନ ଆବଶ୍ୟକ । ଏହା ମାନବ ଜୀବନର ମୂଳ ନୀତି ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply