ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ ।ନ ଚାସ୍ୟ ସର୍ବଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ ॥
1 min read
Oplus_16908288
ଶ୍ରୀମଦ୍ ଭଗବଦ୍ ଗୀତା ୩:୧୮ ଶ୍ଳୋକ :
ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ ।
ନ ଚାସ୍ୟ ସର୍ବଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ ॥
ଯେଉଁ ବ୍ୟକ୍ତି ଆତ୍ମଜ୍ଞାନ ପ୍ରାପ୍ତ କରିଛି, ସେ କର୍ମ କରିଲେ କିମ୍ବା ନ କରିଲେ କୌଣସି ବ୍ୟକ୍ତିଗତ ଲାଭ କିମ୍ବା କ୍ଷତିର ଅନୁଭବ କରେନାହିଁ । ସେ ମଧ୍ୟ ଅନ୍ୟ କୌଣସି ଜୀବ ଉପରେ ନିଜ ସ୍ୱାର୍ଥ ପାଇଁ ନିର୍ଭର କରେନାହିଁ ।
ଏହି ଶ୍ଳୋକ କର୍ମଯୋଗର ଏକ ଉଚ୍ଚତମ ଅବସ୍ଥାକୁ ବ୍ୟାଖ୍ୟା କରେ । ଗୀତାର ପୂର୍ବ ଶ୍ଳୋକ (୩:୧୭) ରେ କୁହାଯାଇଛି ଯେ ଯିଏ ଆତ୍ମରତି, ଆତ୍ମତୃପ୍ତ ଓ ଆତ୍ମସନ୍ତୁଷ୍ଟ, ସେ ସ୍ୱୟଂସମ୍ପୂର୍ଣ୍ଣ । ଏହି ଶ୍ଳୋକରେ ତାହାର ପରିଣତିକୁ ଦର୍ଶାଏ । ସେ କର୍ମ କଲେ ତାହାର କୌଣସି ସ୍ୱାର୍ଥ ସିଦ୍ଧ ହୁଏ ନାହିଁ, କର୍ମ ନ କଲେ ମଧ୍ୟ ତାହାର କୌଣସି କ୍ଷତି ହୁଏ ନାହିଁ । ସେ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଜୀବମାନଙ୍କ ଉପରେ ଆଶ୍ରୟ କରେନାହିଁ। ଏହାର ଅର୍ଥ ହେଉଛି ଯିଏ ଆତ୍ମସାକ୍ଷାତକାର କରିଛି, ସେ ଅଭାବବୋଧରୁ ମୁକ୍ତ । ସାଧାରଣ ମନୁଷ୍ୟ କର୍ମ କରେ ଧନ, ଯଶ, ସୁଖ କିମ୍ବା ପ୍ରଶଂସା ପାଇବା ପାଇଁ । କିନ୍ତୁ ଆତ୍ମଜ୍ଞାନୀ ବ୍ୟକ୍ତି ଆତ୍ମସନ୍ତୁଷ୍ଟ, ତେଣୁ ସେ କର୍ମର ଫଳରେ ବାନ୍ଧିତ ହୁଏନାହିଁ । ଆତ୍ମଜ୍ଞାନୀ ବ୍ୟକ୍ତି କର୍ମ କରେ, କିନ୍ତୁ ସେ କର୍ମରେ ବନ୍ଧିତ ହୁଏନାହିଁ । ସେ କର୍ମକୁ ନିଜର ଲାଭ ପାଇଁ କରେନାହିଁ, ବରଂ ଧର୍ମ ଓ କର୍ତ୍ତବ୍ୟବୋଧରୁ କରେ । ଯେତେବେଳେ ମନୁଷ୍ୟ ବାହ୍ୟ ଆଶ୍ରୟରୁ ମୁକ୍ତ ହୋଇ ଆତ୍ମତତ୍ତ୍ୱରେ ଅବସ୍ଥିତ ହୁଏ, ସେ ସତ୍ୟ ସ୍ୱାଧୀନତାକୁ ଅନୁଭବ କରେ ।
ପରିବାରରେ ସାଧାରଣତଃ ଲୋକମାନେ ଆଶା ଓ ପ୍ରତ୍ୟାଶାରେ ବାନ୍ଧିତ ରହିଥାନ୍ତି । ପିତାମାତା ସନ୍ତାନଙ୍କୁ ନିଜ ସ୍ୱପ୍ନ ପୂରଣର ମାଧ୍ୟମ ଭାବେ ଦେଖନ୍ତି, ସନ୍ତାନ ପିତାମାତାଙ୍କୁ ସର୍ବଦା ସୁବିଧାଦାତା ଭାବେ ଆଶା କରେ, ଦମ୍ପତି ପରସ୍ପରକୁ ନିଜ ସୁଖର ଆଧାର ଭାବେ ଧରନ୍ତି । ଏହି ପ୍ରକାରର ଆଶ୍ରୟବୃତ୍ତି ଅନେକ ସମୟରେ ଦୁଃଖ ଓ ବିରୋଧର କାରଣ ହୁଏ । କିନ୍ତୁ ଗୀତା ୩:୧୮ ଆମକୁ ଶିଖାଏ ଯେ ଯିଏ ଆନ୍ତରିକ ଭାବେ ସନ୍ତୁଷ୍ଟ, ସେ ସମ୍ପର୍କକୁ ସ୍ୱାର୍ଥର ଆଧାରରେ ନୁହେଁ, ବରଂ ପ୍ରେମ ଓ କର୍ତ୍ତବ୍ୟର ଆଧାରରେ ଗଢ଼େ । ଏହି ଶ୍ଳୋକ ପାରିବାରିକ ଜୀବନରେ ନିଷ୍କାମ ସେବାର ମୂଲ୍ୟକୁ ଉଜାଗର କରେ । ଯଦି ପରିବାରର କୌଣସି ସଦସ୍ୟ ନିଜ ସ୍ୱାର୍ଥ ପାଇଁ କାମ କରେ, ସେଥିରେ ମଧୁରତା ରହେନାହିଁ । କିନ୍ତୁ ଯେତେବେଳେ କର୍ତ୍ତବ୍ୟବୋଧ ଓ ନିର୍ଲୋଭ ଭାବ ଥାଏ, ସେତେବେଳେ ପରିବାରରେ ସମନ୍ୱୟ ଓ ଶାନ୍ତି ସ୍ଥାପିତ ହୁଏ । ଆତ୍ମସନ୍ତୁଷ୍ଟ ବ୍ୟକ୍ତି ଅନ୍ୟଙ୍କୁ ଦୋଷ ଦିଏ ନାହିଁ, ସେ ନିଜର ଦାୟିତ୍ୱକୁ ସ୍ୱୀକାର କରେ ଓ ଶାନ୍ତ ଭାବେ ପୂରଣ କରେ । ପରିବାରରେ ଅନେକ ସମୟରେ ମନୋମାଳିନ୍ୟର ମୂଳ କାରଣ ହେଉଛି “ମୋ ପାଇଁ କିଏ କ’ଣ କଲେ?” ଏହି ଚିନ୍ତାଧାରା । ଗୀତା ୩:୧୮ ଆମକୁ ଏହାର ବିପରୀତ ଭାବନା ଦେଖାଏ – “ମୁଁ କର୍ତ୍ତବ୍ୟବଶତଃ କାମ କରିବି, କିନ୍ତୁ ତାହାର ଫଳରେ ଆଶା ରଖିବିନାହିଁ।” ଏହି ମନୋଭାବ ଗ୍ରହଣ କରିଲେ ପରିବାର ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ଦୂର ହୋଇପାରେ । ପରିବାର ମଧ୍ୟରେ ଥିଲେ ମଧ୍ୟ ମନୁଷ୍ୟ ଆନ୍ତରିକ ଭାବେ ସ୍ୱାଧୀନ ହୋଇପାରେ। ଏହି ସ୍ୱାଧୀନତା ଅହଂକାର ନୁହେଁ, ବରଂ ଆନ୍ତରିକ ସନ୍ତୋଷର ପ୍ରତୀକ। ଯେତେବେଳେ ପ୍ରତ୍ୟେକ ସଦସ୍ୟ ନିଜର କର୍ତ୍ତବ୍ୟ ପାଳନ କରନ୍ତି ଓ ଅନ୍ୟଙ୍କୁ ନିଜ ସ୍ୱାର୍ଥ ପାଇଁ ଆଶ୍ରୟ କରନ୍ତିନାହିଁ, ସେତେବେଳେ ପରିବାର ସୁସ୍ଥ ଓ ସମୃଦ୍ଧ ହୁଏ ।

ସମାଜର ଅନେକ ସମସ୍ୟାର ମୂଳ କାରଣ ହେଉଛି ସ୍ୱାର୍ଥପରତା । ଲୋକମାନେ କର୍ମ କରନ୍ତି ଧନ, ପଦ, ପ୍ରତିଷ୍ଠା ଓ ପ୍ରଭୁତ୍ୱ ପାଇଁ । ଏହି ସ୍ୱାର୍ଥବୃତ୍ତି ଅନେକ ସମୟରେ ଶୋଷଣ, ଅନ୍ୟାୟ ଓ ଅସମତାର ଜନ୍ମ ଦେଇଥାଏ । କିନ୍ତୁ ଗୀତା ୩:୧୮ ଆମକୁ ଏମିତି ଏକ ବ୍ୟକ୍ତିତ୍ୱର ଆଦର୍ଶ ଦେଖାଏ, ଯିଏ ନିଜ ଭିତରେ ସନ୍ତୁଷ୍ଟ ଓ ସମ୍ପୂର୍ଣ୍ଣ । ସେ ସମାଜ ପାଇଁ କାମ କରେ, କିନ୍ତୁ ସ୍ୱାର୍ଥ ପାଇଁ ନୁହେଁ; କର୍ତ୍ତବ୍ୟ ଓ ଲୋକମଙ୍ଗଳ ପାଇଁ । ଯେତେବେଳେ ନେତା କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ନିଜ ସ୍ୱାର୍ଥକୁ ପରିତ୍ୟାଗ କରି ସାଧାରଣ ଲୋକଙ୍କ ମଙ୍ଗଳକୁ ମୂଳ ଲକ୍ଷ୍ୟ କରନ୍ତି, ସମାଜରେ ନ୍ୟାୟ ଓ ସମତା ସ୍ଥାପିତ ହୁଏ । ଆତ୍ମସନ୍ତୁଷ୍ଟ ବ୍ୟକ୍ତି ଅନ୍ୟଙ୍କୁ ଉପଯୋଗ କରେନାହିଁ; ସେ ସମ୍ମାନ ଓ ସହଯୋଗର ମାଧ୍ୟମରେ ସମ୍ପର୍କ ଗଢ଼େ । ସମାଜର ଶ୍ରେଷ୍ଠତା ବାହ୍ୟ ସମ୍ପଦରେ ନୁହେଁ, ବରଂ ବ୍ୟକ୍ତିର ଆନ୍ତରିକ ମୂଲ୍ୟବୋଧରେ ନିର୍ଭର କରେ । ଯଦି ବ୍ୟକ୍ତି ଆତ୍ମଜ୍ଞାନ ଓ ଆନ୍ତରିକ ସନ୍ତୋଷରେ ଅବସ୍ଥିତ ହୁଏ, ସେ ସମାଜକୁ ନିର୍ମଳ ଓ ସୁସଂଘଟିତ କରିପାରେ ।
ଦାର୍ଶନିକ ଦୃଷ୍ଟିରୁ ମନୁଷ୍ୟର ସମସ୍ତ କର୍ମ ଅଭାବବୋଧରୁ ଜନ୍ମ ନେଇଥାଏ । ଆମେ ସୁଖ, ସମ୍ପତ୍ତି, ପ୍ରଶଂସା କିମ୍ବା ସ୍ୱୀକୃତି ପାଇବା ପାଇଁ କାମ କରୁ । କିନ୍ତୁ ଗୀତା କହେ, ଆତ୍ମା ସ୍ୱରୂପତଃ ପୂର୍ଣ୍ଣ (ପୂର୍ଣ୍ଣମଦଃ ପୂର୍ଣ୍ଣମିଦମ୍) । ଯିଏ ଏହି ପୂର୍ଣ୍ଣତାକୁ ଅନୁଭବ କରିଛି, ସେ ବାହ୍ୟ ଉପରେ ନିର୍ଭର କରେନାହିଁ । ତାହାର କର୍ମ ଅଭାବ ପୂରଣ ପାଇଁ ନୁହେଁ, ବରଂ ସ୍ୱାଭାବିକ ଧର୍ମର ପ୍ରକାଶ । ଯେତେବେଳେ ଜୀବ ନିଜର ସତ୍ୟ ସ୍ୱରୂପକୁ ଜାଣିଥାଏ, ସେ ବ୍ରହ୍ମସ୍ୱରୂପରେ ଅବସ୍ଥିତ ହୁଏ । ସେଥିରେ କର୍ମର ଫଳ ତାଙ୍କୁ ବାନ୍ଧିପାରେନାହିଁ । ଏହା “କର୍ମଣ୍ୟକର୍ମ”ର ଅବସ୍ଥା – କର୍ମ କରିଥିଲେ ମଧ୍ୟ ଅକର୍ମର ଅନୁଭୂତି । ସାଂଖ୍ୟ ଦର୍ଶନ କହେ ପୁରୁଷ ସଦା ନିର୍ଲିପ୍ତ ଓ ସାକ୍ଷୀ; ପ୍ରକୃତି କର୍ମ କରେ । ଯିଏ ଏହି ଭେଦଜ୍ଞାନ ପାଇଛି, ସେ ନିଜକୁ କର୍ତ୍ତା ଭାବେ ଦେଖେନାହିଁ । ତେଣୁ କର୍ମ ତାଙ୍କୁ ବନ୍ଧନରେ ପକାଇପାରେନାହିଁ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
