ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ ।ଜ୍ଞାନଯୋଗେନ ସାଂଖ୍ୟାନାଂ କର୍ମଯୋଗେନ ଯୋଗିନାମ୍ ॥
1 min read
ଶ୍ରୀମଦ୍ ଭଗବଦ୍ ଗୀତା ୩:୩ ଶ୍ଳୋକ :
ଶ୍ରୀଭଗବାନୁବାଚ
ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ ।
ଜ୍ଞାନଯୋଗେନ ସାଂଖ୍ୟାନାଂ କର୍ମଯୋଗେନ ଯୋଗିନାମ୍ ॥
ଶ୍ରୀକୃଷ୍ଣ କହୁଛନ୍ତି – “ହେ ନିଷ୍ପାପ ଅର୍ଜୁନ ! ଏହି ସଂସାରରେ ମୁଁ ପୂର୍ବରୁ ଦୁଇ ପ୍ରକାର ନିଷ୍ଠା (ମାର୍ଗ) ବିଷୟରେ କହିଛି । (ସାଂଖ୍ୟ) ଜ୍ଞାନୀମାନଙ୍କ ପାଇଁ ଜ୍ଞାନଯୋଗ, ଏବଂ କର୍ମଶୀଳ ଯୋଗୀମାନଙ୍କ ପାଇଁ କର୍ମଯୋଗ ।”
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ, ସଂସାରରେ ଆତ୍ମୋନ୍ନତି ପାଇଁ ସମସ୍ତଙ୍କ ପାଇଁ ଏକ ମାର୍ଗ ନିର୍ଦ୍ଦିଷ୍ଟ ନୁହେଁ । ମଣିଷର ମନୋବୃତ୍ତି, ସ୍ୱଭାବ ଓ ଯୋଗ୍ୟତା ଅନୁଯାୟୀ ଭିନ୍ନ-ଭିନ୍ନ ନିଷ୍ଠା ବା ଆଚରଣ ପଥ ରହିଛି । ଏହି ପରିପ୍ରେକ୍ଷୀରେ ସେ ଦୁଇଟି ପଥର କଥା କହିଛନ୍ତି – ସାଂଖ୍ୟମାନଙ୍କ ପାଇଁ ଜ୍ଞାନଯୋଗ ଏବଂ ଯୋଗୀମାନଙ୍କ ପାଇଁ କର୍ମଯୋଗ । ଜ୍ଞାନଯୋଗ ହେଉଛି ବିବେକ, ଚିନ୍ତନ ଓ ଆତ୍ମତତ୍ତ୍ୱର ଗଭୀର ଅନ୍ୱେଷଣର ପଥ । ଏହି ମାର୍ଗରେ ମଣିଷ ଦେହ ଓ ଆତ୍ମାର ଭିନ୍ନତାକୁ ବୁଝି, ଅନିତ୍ୟ ସଂସାର ପ୍ରତି ଆସକ୍ତି ତ୍ୟାଗ କରି, ସତ୍ୟ ଜ୍ଞାନ ମାଧ୍ୟମରେ ମୋକ୍ଷ ଲାଭ କରେ । ଏହା ପ୍ରଧାନତଃ ସେମାନଙ୍କ ପାଇଁ ଉପଯୁକ୍ତ, ଯେଉଁମାନେ ସ୍ୱଭାବତଃ ଚିନ୍ତନଶୀଳ, ବୈରାଗୀ ଓ ଆନ୍ତରିକ ଅନୁଶୀଳନରେ ରୁଚି ରଖନ୍ତି । ଅନ୍ୟପଟେ, କର୍ମଯୋଗ ହେଉଛି କାର୍ଯ୍ୟ ମାଧ୍ୟମରେ ଆତ୍ମଶୁଦ୍ଧିର ପଥ । ଏଠାରେ କର୍ମକୁ ତ୍ୟାଗ କରିବା ନୁହେଁ, ବରଂ ଫଳାଶା ଓ ଅହଂକାରକୁ ତ୍ୟାଗ କରି କର୍ମ କରିବାକୁ ଗୁରୁତ୍ୱ ଦିଆଯାଏ । ପରିବାର, ସମାଜ ଓ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ପାଳନ କରି, ମଣିଷ ଧୀରେ ଧୀରେ ଆତ୍ମିକ ଉନ୍ନତି କରେ । ଏହି ପଥ ସାଧାରଣ ଗୃହସ୍ଥ ଜୀବନରେ ଥିବା ଲୋକମାନଙ୍କ ପାଇଁ ଅଧିକ ସହଜ ଓ ପ୍ରାୟୋଗିକ । ଜୀବନର ଭିନ୍ନ ପରିସ୍ଥିତି ଓ ସ୍ୱଭାବ ଅନୁଯାୟୀ ଜ୍ଞାନ କିମ୍ବା କର୍ମ – ଯେକୌଣସି ପଥ ମଣିଷକୁ ସର୍ବୋଚ୍ଚ ଲକ୍ଷ୍ୟରେ ପହଞ୍ଚାଇପାରେ ।

ପରିବାର ହେଉଛି ସମାଜର ସବୁଠାରୁ ଛୋଟ ଏବଂ ମୂଳ ଏକକ । ପରିବାରରେ ପ୍ରତ୍ୟେକ ସଦସ୍ୟର ସ୍ୱଭାବ, ରୁଚି ଓ ମନୋବୃତ୍ତି ଏକାପରି ନୁହେଁ । କେହି ଶାନ୍ତ, ଚିନ୍ତନଶୀଳ ଓ ବୁଦ୍ଧିଜୀବୀ ହୁଅନ୍ତି, ଆଉ କେହି କାର୍ଯ୍ୟଶୀଳ, ଦାୟିତ୍ୱଶୀଳ ଓ ବ୍ୟବହାରିକ । ଗୀତା ଏହି ଭିନ୍ନତାକୁ ସ୍ୱୀକାର କରି, ସମସ୍ତଙ୍କୁ ଗୋଟିଏ ମାପରେ ମାପିବାକୁ ଚେଷ୍ଟା ନକରିବାକୁ ଶିଖାଏ । ଜ୍ଞାନଯୋଗର ଧାରଣା ପରିବାରରେ ବୁଦ୍ଧିଜୀବୀ, ବୃଦ୍ଧ ବା ଅନୁଭବୀ ସଦସ୍ୟମାନଙ୍କ ଭୂମିକାକୁ ସ୍ମରଣ କରାଏ । ସେମାନେ ପରିବାରକୁ ନୀତି, ସଂସ୍କାର ଓ ସଠିକ୍ ଦିଗଦର୍ଶନ ଦେଇଥାନ୍ତି । ତାଙ୍କର ଶାନ୍ତ ଚିନ୍ତନ ଓ ବିବେକପୂର୍ଣ୍ଣ ପରାମର୍ଶ ପରିବାରକୁ ସଠିକ୍ ମାର୍ଗରେ ରଖେ। ଅନ୍ୟପଟେ, କର୍ମଯୋଗ ପରିବାରର ଦୈନନ୍ଦିନ ଚାଳନାର ମୂଳ ଆଧାର । ପିତାମାତାଙ୍କର ପରିଶ୍ରମ, ଦାୟିତ୍ୱବୋଧ ଓ ନିଷ୍କାମ ସେବା ଦ୍ୱାରା ପରିବାର ସୁସ୍ଥିର ରହେ । ସନ୍ତାନ ପାଳନ, ଜୀବିକା ଅର୍ଜନ, ଗୃହ ପରିଚାଳନା – ଏହା ସବୁ କର୍ମଯୋଗର ଜୀବନ୍ତ ଦୃଷ୍ଟାନ୍ତ । ଏଠାରେ କାମର ଫଳ ନୁହେଁ, ପରିବାରର ମଙ୍ଗଳ ହିଁ ପ୍ରଧାନ । ଗୀତା ଆମକୁ ଏହା ମଧ୍ୟ ଶିଖାଏ ଯେ, ପରିବାରରେ ସମସ୍ତେ ଏକେ ଧାରାରେ ଚାଲିବା ଦରକାର ନାହିଁ । କେହି ଉପାର୍ଜନ କରିବେ, କେହି ସଂସ୍କାର ଦେବେ, କେହି ସେବା କରିବେ- ସମସ୍ତ ଭୂମିକା ଆବଶ୍ୟକ ଓ ମୂଲ୍ୟବାନ । ଯେତେବେଳେ ପରିବାରରେ ଏହି ସମନ୍ୱୟ ରହେ, ସେତେବେଳେ ଶାନ୍ତି, ସମ୍ମାନ ଓ ସ୍ନେହ ବୃଦ୍ଧି ପାଏ ।
ସମାଜ ଏକ ଜୀବନ୍ତ ସଂରଚନା, ଯେଉଁଠାରେ ଭିନ୍ନ-ଭିନ୍ନ ପ୍ରକୃତି, ରୁଚି ଓ କ୍ଷମତା ଥିବା ମଣିଷମାନେ ଏକାଠି ବସବାସ କରନ୍ତି । ଗୀତା ଏହି ବିବିଧତାକୁ ସ୍ୱୀକାର କରି କହେ ଯେ, ସମାଜର ସୁସ୍ଥିରତା ପାଇଁ ସମସ୍ତଙ୍କୁ ଏକା ଧରଣର ଜୀବନପଥ ଅନୁସରଣ କରିବା ଆବଶ୍ୟକ ନୁହେଁ । କେହି ଚିନ୍ତକ, ଶିକ୍ଷକ ବା ଦାର୍ଶନିକ ଭାବେ ସମାଜକୁ ଦିଗଦର୍ଶନ ଦେବେ, ଆଉ କେହି କର୍ମଶୀଳ ନାଗରିକ ଭାବେ ସେବା ଓ ଉତ୍ପାଦନରେ ଯୋଗ ଦେବେ । ଜ୍ଞାନଯୋଗ ସାମାଜିକ ଦୃଷ୍ଟିରୁ ଚିନ୍ତନଶୀଳ ଶ୍ରେଣୀର ପ୍ରତୀକ । ଶିକ୍ଷକ, ବୃଦ୍ଧ, ବିଚାରକ, ଦାର୍ଶନିକ ଓ ସମାଜ ସୁଧାରକମାନେ ଏହି ଶ୍ରେଣୀୟ । ସେମାନେ ସମାଜକୁ ନୀତି, ମୂଲ୍ୟବୋଧ ଓ ସଚେତନତା ଦେଇଥାନ୍ତି । ଜ୍ଞାନ ଦ୍ୱାରା ସମାଜକୁ ଆଲୋକିତ କରିବା ଏହି ପଥର ସାମାଜିକ ଭୂମିକା । ଅନ୍ୟପଟେ, କର୍ମଯୋଗ ସମାଜର କାର୍ଯ୍ୟଶୀଳ ଶକ୍ତିକୁ ପ୍ରତିନିଧିତ୍ୱ କରେ । କୃଷକ, ଶ୍ରମିକ, କର୍ମଚାରୀ, ପ୍ରଶାସକ, ଚିକିତ୍ସକ, ସେନା – ସମସ୍ତେ କର୍ମଯୋଗର ଜୀବନ୍ତ ଦୃଷ୍ଟାନ୍ତ । ଏଠାରେ କାର୍ଯ୍ୟ ହେଉଛି ସମାଜର ଗତିଶୀଳତାର ମୂଳ ଆଧାର । ଗୀତା କହେ – ଏହି କର୍ମ ଯଦି ନିଷ୍କାମ ଭାବେ, ସମାଜମଙ୍ଗଳ ଭାବନାରେ କରାଯାଏ, ତେବେ ସମାଜ ସମତୁଳିତ ଓ ନ୍ୟାୟସଂଗତ ହୁଏ ।
ଜ୍ଞାନଯୋଗରେ ସାଂଖ୍ୟ ଦର୍ଶନର ପ୍ରଭାବ ଦେଖିବାକୁ ମିଳେ । ଏଠାରେ ପୁରୁଷ (ଚେତନ ତତ୍ତ୍ୱ) ଓ ପ୍ରକୃତି (ଜଡ ତତ୍ତ୍ୱ)ର ଭେଦଜ୍ଞାନ ମୁଖ୍ୟ। ଆତ୍ମା ଶାଶ୍ୱତ, ଅକର୍ତ୍ତା ଓ ଅକ୍ଷୟ – ଏହି ବୋଧ ଜନ୍ମ ନେଲେ, ମଣିଷ ସାଂସାରିକ ବନ୍ଧନରୁ ମୁକ୍ତ ହୁଏ । ଏହି ପଥରେ ମୋକ୍ଷ ହେଉଛି ଅଜ୍ଞାନର ନାଶ ଦ୍ୱାରା ହୋଇଥିବା ଆତ୍ମସାକ୍ଷାତ୍କାର । ଅନ୍ୟପଟେ, କର୍ମଯୋଗ ମୀମାଂସା ଓ ଉପନିଷଦୀୟ କର୍ମତତ୍ତ୍ୱର ସଂଶୋଧିତ ରୂପ । ଏଠାରେ କର୍ମ ଅନିବାର୍ଯ୍ୟ, କାରଣ ପ୍ରକୃତିର ଗୁଣମାନେ ସଦା କାର୍ଯ୍ୟଶୀଳ । କିନ୍ତୁ ଗୀତା କର୍ମକୁ ଫଳାଶାରୁ ମୁକ୍ତ କରି, ତାହାକୁ ମୋକ୍ଷର ଉପାୟରେ ପରିଣତ କରିଛି । ଦାର୍ଶନିକ ଭାବେ, ଏହା କର୍ମ ଓ ବନ୍ଧନ ମଧ୍ୟରେ ଥିବା ଅନିବାର୍ଯ୍ୟ ସମ୍ପର୍କକୁ ଭାଙ୍ଗିଦିଏ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
