ଶ୍ରୀମଦ୍ ଭଗବଦ୍ ଗୀତା ୨:୭୨ ଶ୍ଳୋକ : ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ…
1 min read
ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ ନୈନାଂ ପ୍ରାପ୍ୟ ବିମୁହ୍ୟତି ।
ସ୍ଥିତ୍ୱାସ୍ୟାମନ୍ତକାଲେଽପି ବ୍ରହ୍ମନିର୍ବାଣମୃଚ୍ଛତି ॥
ହେ ପାର୍ଥ (ଅର୍ଜୁନ) ! ଏହାହିଁ ବ୍ରହ୍ମଜ୍ଞାନର ଶ୍ରେଷ୍ଠ ସ୍ଥିତି । ଏହି ସ୍ଥିତିକୁ ପ୍ରାପ୍ତ କରିଲେ ମନୁଷ୍ୟ କେବେ ମୋହିତ ହୁଏ ନାହିଁ । ମୃତ୍ୟୁ ସମୟରେ ମଧ୍ୟ ଯଦି ମନୁଷ୍ୟ ଏହି ସ୍ଥିତିରେ ଅବସ୍ଥିତ ରହେ, ତେବେ ସେ ବ୍ରହ୍ମନିର୍ବାଣ (ମୋକ୍ଷ) ପ୍ରାପ୍ତ କରେ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ସ୍ଥିତପ୍ରଜ୍ଞ ମନୁଷ୍ୟର ଅନ୍ତିମ ଆଦର୍ଶକୁ ପ୍ରକାଶ କରିଛନ୍ତି । “ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ” ବାକ୍ୟ ଦ୍ୱାରା ଶ୍ରୀକୃଷ୍ଣ କହୁଛନ୍ତି ଯେ, ଏହି ଅବସ୍ଥା ହେଉଛି ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ଅବସ୍ଥା । ବ୍ରାହ୍ମୀ ସ୍ଥିତିର ଅର୍ଥ କେବଳ ସନ୍ନ୍ୟାସ କିମ୍ବା ସଂସାର ତ୍ୟାଗ ନୁହେଁ; ଏହା ହେଉଛି ଜୀବନର ସମସ୍ତ ପରିସ୍ଥିତି ମଧ୍ୟରେ ଆତ୍ମାନୁଭୂତି ଓ ଚେତନାର ସ୍ଥିରତା । ଏମିତି ମନୁଷ୍ୟ ସୁଖ–ଦୁଃଖ, ଲାଭ–ହାନି, ସମ୍ମାନ–ଅପମାନରେ ଅଟଳ ରହେ । କାମ, କ୍ରୋଧ, ଲୋଭ ଭଳି ବିକାରରୁ ମୁକ୍ତ ହୁଏ । ଶ୍ଳୋକର ଦ୍ୱିତୀୟ ପାଦରେ କୁହାଯାଇଛି -“ନୈନାଂ ପ୍ରାପ୍ୟ ବିମୁହ୍ୟତି”। ଅର୍ଥାତ୍, ଯେଉଁ ବ୍ୟକ୍ତି ଏହି ବ୍ରାହ୍ମୀ ସ୍ଥିତିକୁ ପ୍ରାପ୍ତ କରେ, ସେ କେବେ ମୋହ, ଭ୍ରମ କିମ୍ବା ଅଜ୍ଞାନରେ ପଡ଼େ ନାହିଁ । ତାଙ୍କର ବୁଦ୍ଧି ଇନ୍ଦ୍ରିୟସୁଖରେ ଆକର୍ଷିତ ହୁଏ ନାହିଁ, ବରଂ ସତ୍ୟ ଓ ନିତ୍ୟ ଆତ୍ମତତ୍ତ୍ୱରେ ଏକାଗ୍ର ରହେ। ଶ୍ଳୋକର ଶେଷ ଅଂଶରେ – “ସ୍ଥିତ୍ୱାସ୍ୟାମନ୍ତକାଲେଽପି ବ୍ରହ୍ମନିର୍ବାଣମୃଚ୍ଛତି” – ଶ୍ରୀକୃଷ୍ଣ କହୁଛନ୍ତି, ଯଦି ମନୁଷ୍ୟ ଜୀବନର ଶେଷ କ୍ଷଣରେ ମଧ୍ୟ ଏହି ବ୍ରାହ୍ମୀ ସ୍ଥିତିରେ ଅବସ୍ଥିତ ରହେ, ତେବେ ସେ ବ୍ରହ୍ମନିର୍ବାଣ, ଅର୍ଥାତ୍ ମୋକ୍ଷ ପ୍ରାପ୍ତ କରେ । ମୋକ୍ଷ କେବଳ ମୃତ୍ୟୁ ପରେ ପ୍ରାପ୍ତ ହେବା ଯୋଗ୍ୟ କୌଣସି ଦୂରସ୍ଥ ଲକ୍ଷ୍ୟ ନୁହେଁ; ଏହା ଜୀବନକାଳରେ ମନର ସ୍ଥିରତା ଓ ଆତ୍ମଜ୍ଞାନ ଦ୍ୱାରା ଲାଭ କରାଯାଇପାରେ । ମୃତ୍ୟୁ ସମୟରେ ମଧ୍ୟ ତାଙ୍କ ମନ ଶାନ୍ତ ଓ ସଚେତନ ରହେ । ଏହି ଶାନ୍ତ ଚେତନା ଅବସ୍ଥାରେ ଦେହ ତ୍ୟାଗ କଲେ ସେ ମୋକ୍ଷ ବା ବ୍ରହ୍ମନିର୍ବାଣ ପ୍ରାପ୍ତ କରେ ।
ମୋକ୍ଷ ଶବ୍ଦଟି ସଂସ୍କୃତ “ମୁଚ୍” ଧାତୁରୁ ଉଦ୍ଭୂତ, ଯାହାର ଅର୍ଥ “ମୁକ୍ତ ହେବା” ବା “ବନ୍ଧନରୁ ମୁକ୍ତହେବା”। ଉପନିଷଦ, ଗୀତା ଓ ବେଦାନ୍ତ ଦର୍ଶନରେ ମୋକ୍ଷର ମୂଳ ଅର୍ଥ ହେଉଛି – ଜନ୍ମ – ମୃତ୍ୟୁର ସଂସାର ଚକ୍ରରୁ ମୁକ୍ତି । ଏଠାରେ ବନ୍ଧନ, ଅବିଦ୍ୟା, ଅହଂକାର, କର୍ମଫଳ ଓ ଆସକ୍ତିକୁ କୁହାଯାଏ । ମୋକ୍ଷ ପ୍ରାପ୍ତିରେ ଆତ୍ମା ନିଜର ସତ୍ୟ ସ୍ୱରୂପକୁ ଜାଣି, ନିତ୍ୟ ଓ ଶୁଦ୍ଧ ଚେତନାରେ ପ୍ରତିଷ୍ଠିତ ହୁଏ । ଅଦ୍ୱୈତ ବେଦାନ୍ତରେ ମୋକ୍ଷକୁ “ଜୀବନ୍ମୁକ୍ତି” ଭାବେ ବ୍ୟାଖ୍ୟା କରାଯାଏ । ଅର୍ଥାତ୍, ଦେହ ଥିବା ସମୟରେ ମଧ୍ୟ ଆତ୍ମଜ୍ଞାନ ଦ୍ୱାରା ମନୁଷ୍ୟ ମୁକ୍ତ ହୋଇପାରେ । ଏଠାରେ ମୋକ୍ଷ କୌଣସି ସ୍ଥାନ ବା ସ୍ୱର୍ଗ ନୁହେଁ; ଏହା ହେଉଛି ଜ୍ଞାନଜନିତ ଚେତନା ଅବସ୍ଥା।

ଗୀତାର ଦୃଷ୍ଟିକୋଣରେ ବ୍ରହ୍ମନିର୍ବାଣର ଅର୍ଥ ହେଉଛି – ଅହଂକାର, କାମନା, କ୍ରୋଧ ଓ ଆସକ୍ତିର ଅଗ୍ନି ନିର୍ବାପିତ ହୋଇ ବ୍ରହ୍ମଚେତନାରେ ପ୍ରତିଷ୍ଠିତ ହେବା । ଏଠାରେ “ନିର୍ବାଣ” ଶୂନ୍ୟତା ନୁହେଁ; ଏହା ହେଉଛି ସମ୍ପୂର୍ଣ୍ଣ ଶାନ୍ତି ଓ ସମତାର ଅବସ୍ଥା । ବୌଦ୍ଧ ଦର୍ଶନରେ “ନିର୍ବାଣ” ଶବ୍ଦଟି ଭିନ୍ନ ଅର୍ଥ ବହନ କରେ । ଏଠାରେ ନିର୍ବାଣ ଅର୍ଥ ହେଉଛି – ତୃଷ୍ଣା, ଦ୍ୱେଷ ଓ ଅବିଦ୍ୟାର ସମ୍ପୂର୍ଣ୍ଣ ନାଶ। ବୌଦ୍ଧ ଦର୍ଶନ ଆତ୍ମାର ନିତ୍ୟତାକୁ ମାନେ ନାହିଁ; ତେଣୁ ନିର୍ବାଣ କୌଣସି ଆତ୍ମା – ବ୍ରହ୍ମ ଏକାତ୍ମତା ନୁହେଁ, ବରଂ ଦୁଃଖର ସମାପ୍ତି। ଏହି ଦୃଷ୍ଟିକୋଣରେ ମୋକ୍ଷ ଓ ନିର୍ବାଣ ଶବ୍ଦ ଧାରଣାଗତ ଭାବେ ସ୍ପଷ୍ଟ ଭିନ୍ନ । “ଅନ୍ତକାଲେଽପି” ଶବ୍ଦଟି ସୂଚାଏ ଯେ, ମୋକ୍ଷ କୌଣସି ଭବିଷ୍ୟତ ଲୋକର ଘଟଣା ନୁହେଁ; ଏହା ଜୀବନରେ ଉପଲବ୍ଧ ଚେତନା ଅବସ୍ଥା । ଯିଏ ଜୀବନକାଳରେ ବ୍ରାହ୍ମୀ ସ୍ଥିତିକୁ ପ୍ରାପ୍ତ କରିଛି, ତା’ ପାଇଁ ମୃତ୍ୟୁ କୌଣସି ଅନ୍ତ ନୁହେଁ, ବରଂ ଏକ ପରିବର୍ତ୍ତନ ମାତ୍ର । “ବ୍ରହ୍ମନିର୍ବାଣ” କୌଣସି ଶୂନ୍ୟତା ନୁହେଁ, ବରଂ ଚେତନାର ସର୍ବୋଚ୍ଚ ପୂର୍ଣ୍ଣତା । ଏଠାରେ ବ୍ୟକ୍ତିଗତ “ଅହଂ” ବିଲୀନ ହୁଏ, କିନ୍ତୁ ଚେତନା ଲୁପ୍ତ ହୁଏ ନାହିଁ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
