ଶ୍ରୀମଦ୍ ଭଗବଦ୍ ଗୀତା ୧: ୧୬ ଶ୍ଳୋକ : ଅନନ୍ତବିଜୟଂ ରାଜା…
1 min read
ଅନନ୍ତବିଜୟଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷମଣିପୁଷ୍ପକୌ
- ଧର୍ମରାଜ ଯୁଧିଷ୍ଠିର ନିଜର ‘ଅନନ୍ତବିଜୟ’ ଶଙ୍ଖ ବାଦନ କଲେ । ନକୁଳ ‘ସୁଘୋଷ’ ଓ ସହଦେବ ‘ମଣିପୁଷ୍ପକ’ ଶଙ୍ଖନାଦ କଲେ । ଅନନ୍ତବିଜୟ ଅର୍ଥ – ଧର୍ମର ବିଜୟ ଯାହାର କେବେ ସମାପ୍ତି ଆସେନାହିଁ । ଯୁଧିଷ୍ଠିର ଯୁଦ୍ଧ କରୁଛନ୍ତି କ୍ରୋଧରେ ନୁହେଁ, ନୀତି ଓ କର୍ତ୍ତବ୍ୟବୋଧରେ । ନକୁଳ ଓ ସହଦେବଙ୍କ ଶଙ୍ଖ ଧ୍ୱନି ଦର୍ଶାଏ – ଯୁଦ୍ଧ କେବଳ ବଳରେ ନୁହେଁ, ସମନ୍ୱୟରେ ଜିତାଯାଏ ।
- ପାଣ୍ଡବମାନେ ଭିନ୍ନ ଭିନ୍ନ ମାତାଙ୍କର ପୁତ୍ର ହେଲେ ମଧ୍ୟ ସମସ୍ତେ ଏକାଠି ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଅଛନ୍ତି । ଏହା ପରିବାରରେ ଏକତା, ସମ୍ମାନ ଓ ଭୂମିକା ବୋଧର ଉଦାହରଣ । ଏହା ଶିକ୍ଷା ଦିଏ – ପରିବାରର ଶକ୍ତି ହେଉଛି ସହଯୋଗ, ପ୍ରତିସ୍ପର୍ଧା ନୁହେଁ । ଯୁଧିଷ୍ଠିରଙ୍କ ଶଙ୍ଖ “ଅନନ୍ତବିଜୟ” ମାନସିକ ଦୃଢତାର ପ୍ରତୀକ । ଏହା ଆତ୍ମବିଶ୍ୱାସର ଧ୍ୱନି, କିନ୍ତୁ ଅହଂକାରର ନୁହେଁ । ଯୁଧିଷ୍ଠିରଙ୍କ ମନ ଦ୍ୱନ୍ଦ୍ୱମୁକ୍ତ – “ମୁଁ ଠିକ୍, କାରଣ ମୋ ପକ୍ଷରେ ଧର୍ମ ଅଛି”। ନକୁଳ ଓ ସହଦେବଙ୍କ ଶଙ୍ଖ ଦର୍ଶାଏ – ଶାନ୍ତ, ନୀରବ ଲୋକମାନେ ମଧ୍ୟ ଆନ୍ତରିକ ଭାବେ ଶକ୍ତିଶାଳୀ ।
- ମହାଭାରତ ଯୁଦ୍ଧଭୂମିରେ ଯେତେବେଳେ ଶଙ୍ଖନାଦ ଆରମ୍ଭ ହୋଇଥିଲା, ସେଥିରେ କେବଳ ଯୁଦ୍ଧର ଘୋଷଣା ନୁହେଁ, ବରଂ ଧର୍ମ ଓ ଅଧର୍ମର ମୁକାବିଲାର ଆତ୍ମିକ ସନ୍ଦେଶ ମଧ୍ୟ ରହିଥିଲା । ଯୁଧିଷ୍ଠିର ‘ଅନନ୍ତବିଜୟ’ ଶଙ୍ଖ ବଜାଇଥିବା ଘଟଣା ଧର୍ମର ଅବିରତ ବିଜୟର ପ୍ରତୀକ । ପରିବାରରେ ଯଦି ଧର୍ମ, ସତ୍ୟ ଓ ନ୍ୟାୟ ଆଧାର ହୋଇଥାଏ, ତେବେ ସେହି ପରିବାର କୌଣସି ସଙ୍କଟରେ ଭାଙ୍ଗି ପଡ଼େନାହିଁ । ଯୁଧିଷ୍ଠିର ସବୁଠୁ ବଡ଼ ଭାଇ ହେଲେ ମଧ୍ୟ ଅହଂକାରୀ ନୁହେଁ; ତାଙ୍କର ନେତୃତ୍ୱ ଭୟରେ ନୁହେଁ, ଆଦର ଓ ନୀତିରେ ଗଢ଼ା ।
- ଆଜିର ପରିବାରମାନଙ୍କରେ ବଡ଼ମାନେ ଶାସକ ନୁହେଁ, ପଥପ୍ରଦର୍ଶକ ହେବା ଉଚିତ । ନକୁଳ ଓ ସହଦେବଙ୍କ ଶଙ୍ଖନାଦ ପାରିବାରିକ ସମତା ଓ ସହଯୋଗର ପ୍ରତୀକ । ସେମାନେ ଅନ୍ୟ ଭାଇମାନଙ୍କ ପରି ପ୍ରସିଦ୍ଧ ନୁହନ୍ତି, କିନ୍ତୁ ଯୁଦ୍ଧରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ। ମାଆ, ବାପା, ଭାଇ-ଭଉଣୀ, କିମ୍ବା ବୃଦ୍ଧ ଆତ୍ମୀୟମାନଙ୍କର ନିରବ ତ୍ୟାଗ ବିନା ପରିବାର ଅସ୍ଥିର ହୋଇଯାଏ । ଯେଉଁ ପରିବାରରେ ସମ୍ମାନ, ସମନ୍ୱୟ ଓ କର୍ତ୍ତବ୍ୟବୋଧ ରହିଛି, ସେଠି ଅନନ୍ତବିଜୟ ନିଶ୍ଚିତ ।
- ଯୁଧିଷ୍ଠିର ପରିବାରର ସବୁଠୁ ବଡ଼ ସଦସ୍ୟ । ‘ଅନନ୍ତବିଜୟ’ ଶଙ୍ଖ ବଜାଇବା ମାଧ୍ୟମରେ ସେ ପରିବାରକୁ ଏକ ସ୍ପଷ୍ଟ ସନ୍ଦେଶ ଦିଅନ୍ତି – ସଙ୍କଟ ସମୟରେ ବଡ଼ମାନେ ଭୟ କିମ୍ବା କ୍ରୋଧ ନୁହେଁ, ବରଂ ଧୈର୍ଯ୍ୟ ଓ ନୀତିରେ ଆଗୁଆ ହେବା ଉଚିତ । ପରିବାରର ମୁଖ୍ୟ ବ୍ୟକ୍ତି ଯଦି ନୀତିନିଷ୍ଠ ଓ ସଂଯମୀ ହୁଅନ୍ତି, ତେବେ ସମଗ୍ର ପରିବାର ଆତ୍ମବିଶ୍ୱାସ ଓ ସୁରକ୍ଷା ଅନୁଭବ କରେ । ନକୁଳ ଓ ସହଦେବ ପରିବାରର କନିଷ୍ଠ ସଦସ୍ୟ । ସେମାନେ ଅଧିକ ଚର୍ଚ୍ଚିତ ନୁହନ୍ତି, କିନ୍ତୁ ତାଙ୍କର ଶଙ୍ଖନାଦ ଦର୍ଶାଏ ଯେ ପରିବାରରେ ପ୍ରତ୍ୟେକ ସଦସ୍ୟର ଭୂମିକା ସମାନ ଭାବେ ମୂଲ୍ୟବାନ । ପରିବାର କେବଳ ବଡ଼ମାନଙ୍କ ନାମରେ ଚାଲେନାହିଁ; ଏହା ଚାଲେ ଛୋଟମାନଙ୍କ ଦାୟିତ୍ୱବୋଧ, ଆଜ୍ଞାକାରୀତା ଓ ତ୍ୟାଗରେ।
- ଏହି ଶ୍ଳୋକରେ ଭାଇମାନଙ୍କ ମଧ୍ୟରେ କୌଣସି ପ୍ରତିସ୍ପର୍ଧା ନାହିଁ । ପ୍ରତ୍ୟେକେ ନିଜ ନିଜ ଶଙ୍ଖ ବାଜାଉଛନ୍ତି, କିନ୍ତୁ ଉଦ୍ଦେଶ୍ୟ ଏକ- ପରିବାରର ଧର୍ମ ଓ ସମ୍ମାନକୁ ରକ୍ଷା କରିବା । ଆଜିର ପରିବାର ଗୁଡ଼ିକରେ ଯେଉଁଠି ଇର୍ଷା, ଅସହିଷ୍ଣୁତା ଓ ଆତ୍ମକେନ୍ଦ୍ରିତ ମନୋଭାବ ବଢ଼ୁଛି, ସେଉଁଠି ଏହି ଶ୍ଳୋକ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ – ଏକତା ରହିଲେ ପରିବାର ତିଷ୍ଠି ରହେ, ନଚେତ୍ ତାହା ଭାଙ୍ଗିଯାଏ। ଗୀତା ପରିବାରକୁ ଏକ ସଂଘର୍ଷ ମଞ୍ଚ ଭାବେ ନୁହେଁ, ବରଂ ଏକ ଧର୍ମକ୍ଷେତ୍ର ଭାବେ ବିବେଚନା କରିବାକୁ ଶିଖାଏ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
