03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜୀବନବ୍ୟାପୀ ବ୍ୟଙ୍ଗଚିତ୍ର ସାଧନା ପାଇଁ ସ୍ୱର୍ଗତ ଜ୍ଞାନ ରଥ, କିଶୋର ରଥଙ୍କୁ ସମ୍ବର୍ଦ୍ଧନା

1 min read

ଓଡ଼ିଶା କାର୍ଟୁନ୍ ଏକାଡେମୀର ବାର୍ଷିକ କାର୍ଟୁନ୍ ପ୍ରଦର୍ଶନୀ ଉଦଘାଟିତ


ଭୁବନେଶ୍ୱର//TATKAL ODISHA//

ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଓଡ଼ିଶା କାର୍ଟୁନ୍ ଏକାଡେମୀ ଦ୍ୱାରା ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କାର୍ଟୁନିଷ୍ଟ ମାନଙ୍କର କାର୍ଟୁନ୍ ତଥା ନୂତନ ପିଢ଼ିର କାର୍ଟୁନିଷ୍ଟ ମାନଙ୍କର କାର୍ଟୁନ୍ କୁ ନେଇ ଦୁଇ ଦିନିଆ ବାର୍ଷିକ କାର୍ଟୁନ୍ ପ୍ରଦର୍ଶନୀ ୨୦୨୬ ଉଦଘାଟିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ତଥା ପରିବହନ କମିସନର ଅମିତାଭ ଠାକୁର, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ମହାଲେଖାକାର ସୁବୁ ଆର୍ ଏବଂ ନ୍ୟାସନାଲ ହ୍ୟୁମାନ ୱେଲଫେଆର ବୋର୍ଡ ଟ୍ରଷ୍ଟ ର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଓଡ଼ିଶା କାର୍ଟୁନ୍ ଏକାଡେମୀ ର ସଭାପତି କମଳାକାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଜୀବନବ୍ୟାପୀ ସାଧନା ପାଇଁ ଦୁଇ ଦିବଙ୍ଗତ କାର୍ଟୁନିଷ୍ଟ ଜ୍ଞାନ ରଥ ଏବଂ କିଶୋର ରଥଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଶ୍ରୀ ଠାକୁର ପରିବହନ ଓ ସଡ଼କ ସୁରକ୍ଷା ବାର୍ତ୍ତା ସମ୍ବଳିତ କାର୍ଟୁନ୍ ଗୁଡ଼ିକ ସଚେତନତା ସୃଷ୍ଟି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଅଭିହିତ କରିବା ସହ ଆସନ୍ତା ଦିନ ମାନଙ୍କରେ ଆହୁରି ନୂତନ କାର୍ଟୁନିଷ୍ଟ ନିର୍ମାଣ ଦିଗରେ ସହଯୋଗ କରିବା ନେଇ ସମ୍ମତି ପ୍ରଦାନ କରିଥିଲେ, ସମ୍ମାନିତ ଅତିଥି ଶ୍ରୀ ସୁବୁ ଆର୍. ଅଡିଟ ଓ କାର୍ଟୁନ୍ ସହ ତାଙ୍କ ସମ୍ପର୍କ ବିଷୟରେ ମତାମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶାରଦା ମହାପାତ୍ର ନୂତନ କାର୍ଟୁନିଷ୍ଟ ନିର୍ମାଣ କ୍ଷେତ୍ରରେ ସଂସ୍ଥାର ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରତ୍ୟକ୍ଷ ସହଯୋଗିତା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କାର୍ଟୁନିଷ୍ଟ କିଶୋର ରଥଙ୍କ ପରିବାର ତରଫରୁ ତାଙ୍କ ପତ୍ନୀ ରୋଜଳିନୀ ଷଡ଼ଙ୍ଗୀ ଏବଂ ଜ୍ୟେଷ୍ଠ ପୁତ୍ର ଦେବଦଳନ ରଥ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ।

ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଅନୁଷ୍ଠିତ କାର୍ଟୁନ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଫଳକ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଟୁନିଷ୍ଟ କିଶୋର ରଥ, ଜ୍ଞାନ ରଥ, ସୁନାରାମ ସିଂ, କେଶୁ ଦାସ, ପରେଶ ନାଥ, କେ. କେ. ରଥ, ଉତ୍କଳ ଗୌରବ, ଅଶ୍ୱିନୀ -ଅବନୀ, ଚୁଡ଼ାମଣି ଦାସ, ଦେବାଶିଷ ସିଂ, ପ୍ରଶାନ୍ତ ମାଝୀ, ଟି. ନନ୍ଦେଶୁ, ପ୍ରଶାନ୍ତ ମହାକୁର, ବିବେକ ଦାସ ଙ୍କ ସହ ନୁତନ ପିଢ଼ୀର କାର୍ଟୁନିଷ୍ଟ ମାନଙ୍କର କାର୍ଟୁନ୍ ପ୍ରଦର୍ଶିତ ହୋଇଛି। ସମ୍ପାଦକ ଦେବାଶିଷ ସିଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିଳ୍ପୀ କେଶୁ ଦାସ ଧନ୍ଯବାଦ ପ୍ରଦାନ କରିଥିଲେ ।

ବହୁ ବ୍ୟଙ୍ଗଚିତ୍ର ପ୍ରେମୀ ତଥା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା କାର୍ଟୁନ୍ ପ୍ରଦର୍ଶନୀ ବୁଲି ଦେଖି ପ୍ରଶଂସା କରିଥିଲେ।

Share

Leave a Reply