tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ନୂଆ ପଲିସି ଖୁବଶୀଘ୍ର

1 min read
  • ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ପ୍ରାନ୍ତର ବାର୍ଷିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
  • କ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା – ଧର୍ମେନ୍ଦ୍ର ପ୍ରଧାନ


ଅନୁଗୋଳ,//TATKAL ODISHA//

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ି ଯଦି ଇଞ୍ଜିନ ହୁଅନ୍ତି, ତେବେ ଶିକ୍ଷକ ସମାଜ ହେଉଛନ୍ତି ସେମାନଙ୍କର ପ୍ରକୃତ ଦିଗଦର୍ଶକ । ଶିକ୍ଷକଙ୍କ ସମ୍ମାନଜନକ ଜୀବନ ହିଁ ରାଷ୍ଟ୍ର ନିର୍ମାଣର ପ୍ରକୃତ ଆଧାରଶୀଳା, ଯାହାଙ୍କ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ଅନୁଗୋଳ ଠାରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ (ବିଦ୍ୟାଳୟ ଶିକ୍ଷା), ଓଡ଼ିଶା ପ୍ରାନ୍ତର ବାର୍ଷିକ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ କେବଳ ଏକ ଶିକ୍ଷକ ସଂଗଠନ ନୁହେଁ, ବରଂ ଏହା ଏକ ମହାନ ବିଚାରଧାରା ।

ନିଜସ୍ୱ ତ୍ୟାଗ ଏବଂ ସମାଜ ପ୍ରତି ଥିବା ନିଃସ୍ୱାର୍ଥପର ସମର୍ପଣ ହିଁ ଶିକ୍ଷକ ସମାଜର ପ୍ରକୃତ ପରିଚୟ

ଶିକ୍ଷକତା ‘ଚଏସ୍’ ନୁହେଁ; ଏହା ହେଉଛି ଆଗାମୀ ପିଢ଼ିର ଭବିଷ୍ୟତ ଗଢ଼ିବା ପାଇଁ ଏକ ଗୁରୁଦାୟିତ୍ୱ

ଶିକ୍ଷକମାନଙ୍କର ଏକ ସମ୍ମାନଜନକ ଜୀବନ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହି ‘ସମ୍ମାନ’ କେବଳ ସେମାନଙ୍କର ଜୀବିକା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସେମାନଙ୍କର କର୍ତ୍ତବ୍ୟ ଓ ନିଷ୍ଠା ସହ ଜଡ଼ିତ । ନିଜସ୍ୱ ତ୍ୟାଗ ଏବଂ ସମାଜ ପ୍ରତି ଥିବା ନିଃସ୍ୱାର୍ଥପର ସମର୍ପଣ ହିଁ ଶିକ୍ଷକ ସମାଜର ପ୍ରକୃତ ପରିଚୟ । ଶିକ୍ଷକତା କେବଳ ଏକ ବୃତ୍ତି ବା ‘ଚଏସ୍’ ନୁହେଁ; ଏହା ହେଉଛି ଆଗାମୀ ପିଢ଼ିର ଭବିଷ୍ୟତ ଗଢ଼ିବା ପାଇଁ ଏକ ଦୃଢ଼ ଇଚ୍ଛାଶକ୍ତି ଓ ଗୁରୁଦାୟିତ୍ୱ ।

  • ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଦି ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ସ୍ୱାମୀ ବିବେକାନନ୍ଦ, ଶ୍ରୀ ଅରବିନ୍ଦ, ରବୀନ୍ଦ୍ରନାଥ ଟାଗୋର ଏବଂ ମହିମା ଗୋସାଇଁଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତୀୟତାକୁ ପ୍ରତିପାଦିତ କରିଛନ୍ତି । ବର୍ତ୍ତମାନ ସମୟରେ ଆମକୁ ‘ମାକାଉଲେ’ ମାନସିକତାରୁ ବାହାରି ନିଜର ସଂସ୍କୃତି ଓ ସ୍ୱାଭିମାନକୁ ଆପଣେଇବାକୁ ହେବ । ଏ ଦିଗରେ ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ ବି ଦାୟିତ୍ୱ ନେଇ ଆଗକୁ ଅଗ୍ରସର ହେବା ଉଚିତ୍ ।

ଓଡ଼ିଶା ୨୦୩୬ରେ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବାକୁ ଯାଉଛି । ଓଡ଼ିଶାରେ ସରକାରୀ ଓ ବେସରକାରୀ ସ୍ତରରେ ପାଖାପାଖି ୭୫ ଲକ୍ଷ ସ୍କୁଲ ପିଲା ଅଛନ୍ତି । ଏହି ସମୟ ମଧ୍ୟରେ ସରକାରୀ ସ୍କୁଲର ପିଲାମାନଙ୍କୁ ସମର୍ଥ କରିବା ପାଇଁ ଶିକ୍ଷକ, ସରକାର ଓ ସମାଜକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଆଗକୁ ନୂଆ ପଲିସି ଲାଗୁ ହେବାକୁ ଯାଉଛି, ଯାହାର ସଫଳ ରୂପାୟନର ସମ୍ପୂର୍ଣ୍ଣ ଦାୟିତ୍ୱ ହେଉଛି ସମାଜର ।

ଶିକ୍ଷକମାନେ ହେଉଛନ୍ତି ସେହି ‘ଶିଳ୍ପୀ’, ଯିଏ କୋମଳମତି ଶିଶୁରୂପୀ କଞ୍ଚାମାଟିକୁ ଏକ ସୁନ୍ଦର ରୂପ ଦେଇଥାନ୍ତି । ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ – ଏହି ତିନିଜଣଙ୍କ ସମନ୍ୱୟରେ ହିଁ ସମାଜରେ ପ୍ରକୃତ ବ୍ୟବସ୍ଥା ପରିବର୍ତ୍ତନ ଅଣାଯାଇପାରିବ ବୋଲି କହିବା ସହ ନୂଆ ଜାତୀୟ ଶିକ୍ଷା ନୀତି ଅଧୀନରେ ଓଡ଼ିଶାରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସଂସ୍କାରଭିତ୍ତିକ ନୂଆ ପାଠ୍ୟପୁସ୍ତକ ପ୍ରଣୟନ କରାଯିବା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ।

Share

Leave a Reply