ଯେତେବେଳେ ମଣିଷ ଫଳର ଆସକ୍ତି ଛାଡ଼ି ନିଜ କର୍ତ୍ତବ୍ୟ କରେ, ସେତେବେଳେ ତାହାର ମନ ଆସକ୍ତି ଓ ଚିନ୍ତାରୁ ମୁକ୍ତ ହୁଏ
1 min read
Oplus_16908288
ଶ୍ରୀମଦ୍ ଭଗବଦ୍ ଗୀତା ୪:୧୭ ଶ୍ଳୋକ :
କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ଚ ବିକର୍ମଣଃ ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ ॥
କର୍ମ କ’ଣ, ବିକର୍ମ କ’ଣ ଏବଂ ଅକର୍ମ କ’ଣ – ଏହା ଜାଣିବା ଆବଶ୍ୟକ । କାରଣ କର୍ମର ସ୍ୱରୂପ ବହୁତ ଗହନ ଓ ଗୁପ୍ତ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଯୁଦ୍ଧଭୂମିରେ ଅର୍ଜୁନଙ୍କୁ କର୍ମର ଗୁଢ ତତ୍ତ୍ୱ ବୁଝାଇଛନ୍ତି । ମଣିଷ ଜୀବନରେ ଆମେ ସବୁବେଳେ କାମ କରୁଛୁ, କିନ୍ତୁ ସେହି କାମର ପ୍ରକୃତ ତତ୍ତ୍ୱ ସମସ୍ତଙ୍କୁ ଜଣା ନୁହେଁ । ଧର୍ମ, ନୀତି ଓ କର୍ତ୍ତବ୍ୟ ଅନୁସାରେ ଯେଉଁ କାର୍ଯ୍ୟ କରାଯାଏ ତାହାକୁ କର୍ମ କୁହାଯାଏ । ମଣିଷ ନିଜ ଜୀବନରେ ଯେତେବେଳେ ନିଷ୍ଠା, ସତ୍ୟ ଓ ନୀତି ଅନୁସାରେ କାମ କରେ, ସେହି କାମ ଶୁଭ କର୍ମ ହୋଇଥାଏ । ପରିବାର, ସମାଜ ଓ ଦେଶ ପ୍ରତି ନିଜ କର୍ତ୍ତବ୍ୟ ପାଳନ କରିବା ମଧ୍ୟ ଏହି କର୍ମର ଅଂଶ । ଯେଉଁ କାମ ଅନ୍ୟାୟ, ଲୋଭ, ଦ୍ୱେଷ ବା ଅହଂକାରରୁ ଜନ୍ମ ନେଉଛି, ସେହି କାମ ବିକର୍ମ ହୋଇଥାଏ । ଏହା ମଣିଷକୁ ନୀତିରୁ ଦୂରେ ନେଇ ଦୁଃଖ ଓ ବନ୍ଧନରେ ପକାଇ ଦିଏ । ବିକର୍ମ ମଣିଷର ମନକୁ ଅଶାନ୍ତ କରେ ଓ ସମାଜରେ ଅନ୍ୟାୟର ପ୍ରଚାର କରେ ।
“ଅକର୍ମ” ଗୀତାର ଗଭୀର ତତ୍ତ୍ୱ । ଏହାର ଅର୍ଥ ହେଉଛି – କର୍ମ କରୁଥିଲେ ମଧ୍ୟ କର୍ମରେ ବନ୍ଧିତ ନ ହେବା । ଯେଉଁ ବ୍ୟକ୍ତି ନିଷ୍କାମ ଭାବରେ, ଫଳର ଆସକ୍ତି ବିନା ନିଜ କର୍ତ୍ତବ୍ୟ ପାଳନ କରେ, ସେ କର୍ମରୁ ମୁକ୍ତ ରହେ । ସେହି ଅବସ୍ଥାକୁ ଅକର୍ମ କୁହାଯାଏ । ଏଠାରେ କାର୍ଯ୍ୟ ଥାଏ, କିନ୍ତୁ ମନରେ ଆସକ୍ତି ନଥାଏ । ମାନବ ଜୀବନର ମୂଳ ସତ୍ୟ ହେଉଛି କର୍ମ । ମଣିଷ ଚେତନାର ଜଗତରେ ରହିବାରୁ ସେ ସଦା କୌଣସି ନା କୌଣସି କାର୍ଯ୍ୟରେ ଲିପ୍ତ ରହେ । କିନ୍ତୁ କେବଳ କାର୍ଯ୍ୟ କରିବା ମାତ୍ର ଜୀବନର ସାର୍ଥକତା ନୁହେଁ; କାର୍ଯ୍ୟର ପ୍ରକୃତ ସ୍ୱରୂପ ବୁଝିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ।

ମନୋବୈଜ୍ଞାନିକ ଭାବରେ “କର୍ମ” ମଣିଷର ସଚେତନ ଓ ସଠିକ ନିଷ୍ପତ୍ତିର ପ୍ରତିଫଳନ । ଯେତେବେଳେ ମଣିଷ ନିଜ ମନକୁ ସଂଯମ କରି ସଠିକ ବିଚାର ସହିତ କାର୍ଯ୍ୟ କରେ, ସେତେବେଳେ ତାହା ମାନସିକ ସମତା ଓ ଆତ୍ମସନ୍ତୋଷ ଦେଇଥାଏ । ଏହା ମନରେ ଶାନ୍ତି ଓ ସନ୍ତୁଳନ ସୃଷ୍ଟି କରେ । “ବିକର୍ମ” ମଣିଷର ଅନିୟନ୍ତ୍ରିତ ଭାବନା, ଅହଂକାର, ଲୋଭ ଓ କ୍ରୋଧର ପ୍ରତିଫଳନ । ଯେତେବେଳେ ମଣିଷ ନିଜ ମନର ଅନ୍ଧ ଇଚ୍ଛାରେ ପ୍ରଭାବିତ ହୋଇ କାମ କରେ, ସେତେବେଳେ ସେ ବିକର୍ମରେ ଲିପ୍ତ ହୁଏ । ଏହା ମନରେ ଅଶାନ୍ତି, ଦୁଃଖ ଓ ଦ୍ୱନ୍ଦ୍ୱ ସୃଷ୍ଟି କରେ । “ଅକର୍ମ” ମନୋବୈଜ୍ଞାନିକ ଭାବରେ ଏକ ଉଚ୍ଚ ଚେତନାର ଅବସ୍ଥା । ଯେତେବେଳେ ମଣିଷ ଫଳର ଆସକ୍ତି ଛାଡ଼ି ନିଜ କର୍ତ୍ତବ୍ୟ କରେ, ସେତେବେଳେ ତାହାର ମନ ଆସକ୍ତି ଓ ଚିନ୍ତାରୁ ମୁକ୍ତ ହୁଏ ।
ଏହି ଅବସ୍ଥା ଆତ୍ମିକ ଶାନ୍ତି ଦେଇଥାଏ । ଏହା ଏକ ପ୍ରକାର ମାନସିକ ସମତା, ଯେଉଁଠାରେ ମଣିଷ କାମ କରିଥାଏ କିନ୍ତୁ ତାହାର ମନ ଚିନ୍ତା ଓ ଭୟରେ ବନ୍ଧିତ ହୁଏନି ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
9437046849
