tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜୀବନକୁ ସମତା, ସମନ୍ୱୟ ଓ ନ୍ୟାୟରେ ଧାରଣ ହିଁ ଧର୍ମ

1 min read

ଶ୍ରୀମଦ୍ ଭଗବଦ୍ ଗୀତା ୪:୮ ଶ୍ଳୋକ :

ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ॥

ସାଧୁଜନଙ୍କର ରକ୍ଷା ପାଇଁ, ଦୁଷ୍ଟମାନଙ୍କର ବିନାଶ ପାଇଁ ଏବଂ ଧର୍ମର ସ୍ଥାପନା ପାଇଁ ମୁଁ ପ୍ରତ୍ୟେକ ଯୁଗରେ ଜନ୍ମ ଗ୍ରହଣ କରେ ।


ଏହି ଶ୍ଳୋକରେ ଶ୍ରୀକୃଷ୍ଣ ତାଙ୍କର ଅବତାରତ୍ତ୍ୱର ମୂଳ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବ ଶ୍ଳୋକ (୪:୭) ସହ ସମ୍ପୃକ୍ତ, ଯେଉଁଠାରେ ସେ କହିଥିଲେ ଯେ ଧର୍ମର ଅବନତି ଓ ଅଧର୍ମର ବୃଦ୍ଧି ହେଲେ ସେ ଅବତୀର୍ଣ୍ଣ ହୁଅନ୍ତି । ଏହି ଶ୍ଳୋକରେ ଭଗବାନ ଅବତାର ଗ୍ରହଣ କରିବାର ତିନୋଟି ମୂଳ ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି – ସାଧୁଜନଙ୍କର ପରିତ୍ରାଣ, ଦୁଷ୍ଟମାନଙ୍କର ବିନାଶ ଓ ଧର୍ମର ସଂସ୍ଥାପନା ।

‘ସାଧୁ’ ଶବ୍ଦଟି କେବଳ ଧାର୍ମିକ ବେଶଭୂଷାଧାରୀ ବ୍ୟକ୍ତିଙ୍କୁ ସୂଚାଏ ନାହିଁ; ବରଂ ଯେଉଁମାନେ ସତ୍ୟ, ନ୍ୟାୟ, କରୁଣା ଓ ନୀତିର ପଥରେ ଚାଲନ୍ତି, ସେମାନେ ମଧ୍ୟ ସାଧୁ । ସମାଜରେ ଯେତେବେଳେ ଅନ୍ୟାୟ ଓ ଅତ୍ୟାଚାର ବଢ଼ିଯାଏ, ସେମାନଙ୍କର ସୁରକ୍ଷା ଆବଶ୍ୟକ ହୁଏ । ଭଗବାନଙ୍କ ଅବତାର ସେମାନଙ୍କୁ ରକ୍ଷା କରିବାର ଏକ ଦିବ୍ୟ ପ୍ରତିଶ୍ରୁତି । ‘ଦୁଷ୍କୃତ’ ମାନେ ଯେଉଁମାନେ ଅଧର୍ମ, ଅନୀତି ଓ ଅନ୍ୟାୟରେ ଲିପ୍ତ । ଏଠାରେ ବିନାଶର ଅର୍ଥ କେବଳ ଶାରୀରିକ ନାଶ ନୁହେଁ; ଦୁଷ୍ଟ ପ୍ରବୃତ୍ତିର ନାଶକୁ ମଧ୍ୟ ବୁଝାଯାଏ । ଅର୍ଥାତ୍ ଭଗବାନ ଅଧର୍ମର ମୂଳକୁ ଉତ୍ପାଟନ କରି ସମାଜକୁ ପବିତ୍ର କରନ୍ତି । ତୃତୀୟ ଉଦ୍ଦେଶ୍ୟ ‘ଧର୍ମସଂସ୍ଥାପନା’। ଧର୍ମ ଏଠାରେ କେବଳ ଆଚାର ବିଧି କିମ୍ବା ରୀତିନୀତି ନୁହେଁ; ଏହା ମାନବଜୀବନର ନୈତିକ ଭିତ୍ତିଭୂମି । ଧର୍ମ ମାନେ ଯାହା ଜୀବନକୁ ସମତା, ସମନ୍ୱୟ ଓ ନ୍ୟାୟରେ ଧାରଣ କରାଏ । ଯେତେବେଳେ ସମାଜର ନୈତିକ ମୂଲ୍ୟବୋଧ କ୍ଷୀଣ ହୋଇଯାଏ, ସେତେବେଳେ ଅବତାରର ଆବଶ୍ୟକତା ଅନୁଭୂତ ହୁଏ । ଭଗବାନ ସେହି ଧର୍ମକୁ ପୁନଃ ସ୍ଥାପନ କରି ସମାଜରେ ନୈତିକ ଶୃଙ୍ଖଳା ଫେରାଇ ଆଣନ୍ତି ।


ଦାର୍ଶନିକ ଭାବରେ ଏହି ଶ୍ଳୋକ ଈଶ୍ୱରଙ୍କର ସକ୍ରିୟ ଭୂମିକାକୁ ପ୍ରକାଶ କରେ । ସେ କେବଳ ନିର୍ଲିପ୍ତ ସାକ୍ଷୀ ନୁହେଁ; ସେ ଜଗତର ନୈତିକ ସମତାର ରକ୍ଷକ । ଏହା ମାନବଜାତିକୁ ଏକ ନୈତିକ ଆଶ୍ୱାସନ ଦେଇଥାଏ ଯେ ସମୟ ଯେତେ ବି କଠିନ ହେଉ, ଧର୍ମର ଜୟ ନିଶ୍ଚିତ ।
ପ୍ରତ୍ୟେକ ମନୁଷ୍ୟର ମନରେ ‘ସାଧୁ’ ଓ ‘ଦୁଷ୍କୃତ’ ଏହି ଦୁଇ ପ୍ରବୃତ୍ତି ରହିଛି । ସାଧୁପ୍ରବୃତ୍ତି ମାନେ ସତ୍ୟ, କରୁଣା, ନ୍ୟାୟ ଓ ସହିଷ୍ଣୁତାର ଗୁଣ; ଦୁଷ୍ଟପ୍ରବୃତ୍ତି ମାନେ କ୍ରୋଧ, ଲୋଭ, ମୋହ, ଇର୍ଷ୍ୟା ଇତ୍ୟାଦି । ଯେତେବେଳେ ଦୁଷ୍ଟ ପ୍ରବୃତ୍ତି ଆମ ମନରେ ପ୍ରବଳ ହୁଏ, ସେତେବେଳେ ଆମର ଅନ୍ତର୍ନିହିତ ଶାନ୍ତି ନଷ୍ଟ ହୁଏ ଓ ଜୀବନରେ ଅସନ୍ତୁଳନ ସୃଷ୍ଟି ହୁଏ । ଏହି ସମୟରେ ‘ଅବତାର’ ଏକ ଆନ୍ତରିକ ଜାଗରଣର ପ୍ରତୀକ ହୋଇଥାଏ । ଅର୍ଥାତ୍ ଆମର ବିବେକ ଓ ଆତ୍ମଚେତନା ଜାଗୃତ ହୋଇ ଦୁଷ୍ଟ ପ୍ରବୃତ୍ତିକୁ ନିୟନ୍ତ୍ରଣ କରେ ।

“ପରିତ୍ରାଣାୟ ସାଧୁନାଂ”ର ମନୋବୈଜ୍ଞାନିକ ଅର୍ଥ ହେଉଛି ଆମ ଭିତରର ଶୁଭ ଗୁଣମାନଙ୍କର ସୁରକ୍ଷା । ଯେତେବେଳେ ଆମେ ନକାରାତ୍ମକ ଚିନ୍ତା, ଭୟ କିମ୍ବା ଅନିଶ୍ଚିତତା ଦ୍ୱାରା କବଳିତ ହେଉ, ସେତେବେଳେ ଆମର ଭଲ ଗୁଣମାନେ ଦୁର୍ବଳ ହୋଇଯାନ୍ତି । ଏହି ଶ୍ଳୋକ ଆମକୁ ଶିଖାଏ ଯେ ଆମର ଭିତରର ସଦ୍‌ଗୁଣମାନଙ୍କୁ ସଚେତନ ଭାବରେ ପୋଷଣ କରିବା ଆବଶ୍ୟକ ।

“ବିନାଶାୟ ଚ ଦୁଷ୍କୃତାମ୍” ମନୋବୈଜ୍ଞାନିକ ଭାବେ ଦୁଷ୍ଟ ଭାବନାମାନଙ୍କର ନିରୋଧକୁ ସୂଚାଏ । ଏହା ଦମନ ନୁହେଁ, ବରଂ ରୂପାନ୍ତରଣ । କ୍ରୋଧକୁ ଶକ୍ତିରେ, ଲୋଭକୁ ସନ୍ତୋଷରେ, ମୋହକୁ ଜ୍ଞାନରେ ପରିଣତ କରିବା ହେଉଛି ଆନ୍ତରିକ ବିଜୟ । “ଧର୍ମସଂସ୍ଥାପନାର୍ଥାୟ” ମନୋବୈଜ୍ଞାନିକ ଭାବେ ମାନସିକ ସମତାର ପୁନଃସ୍ଥାପନା । ଧର୍ମ ଏଠାରେ ଆମର ଅନ୍ତର୍ନିହିତ ସମନ୍ୱୟ, ଯେଉଁଠାରେ ଚିନ୍ତା, ଭାବନା ଓ କାର୍ଯ୍ୟରେ ଏକତା ଥାଏ । ଯେତେବେଳେ ଏହି ଏକତା ଭଙ୍ଗ ହୁଏ, ସେତେବେଳେ ମନୋବିକଳ୍ପ ଓ ଅସନ୍ତୋଷ ଜନ୍ମ ନିଏ । ଅବତାର ତତ୍ତ୍ୱ ଏଠାରେ ଆତ୍ମସଚେତନତା ଓ ନୈତିକ ଜାଗରଣର ପ୍ରତୀକ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply