02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ ।ତାନକୃତ୍ସ୍ନବିଦୋ ମନ୍ଦାନ୍‌ କୃତ୍ସ୍ନବିନ୍ନ ବିଚାଳୟେତ୍‌ ॥

1 min read

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୨୯ ଶ୍ଳୋକ :

ପ୍ରକୃତେର୍ଗୁଣସମ୍ମୂଢାଃ ସଜ୍ଜନ୍ତେ ଗୁଣକର୍ମସୁ ।
ତାନକୃତ୍ସ୍ନବିଦୋ ମନ୍ଦାନ୍‌ କୃତ୍ସ୍ନବିନ୍ନ ବିଚାଳୟେତ୍‌ ॥

ପ୍ରକୃତିର ତିନି ଗୁଣ ଦ୍ୱାରା ମୋହିତ ଲୋକମାନେ ଗୁଣ ଓ ତାହାର କର୍ମରେ ଆସକ୍ତ ହୁଅନ୍ତି । ସମ୍ପୂର୍ଣ୍ଣ ତତ୍ତ୍ୱଜ୍ଞାନ ନଥିବା ସେହି ଅପୂର୍ଣ୍ଣ ଜ୍ଞାନଯୁକ୍ତ ମନ୍ଦବୁଦ୍ଧିମାନଙ୍କୁ, ପୂର୍ଣ୍ଣଜ୍ଞାନ ପ୍ରାପ୍ତ ବ୍ୟକ୍ତି ବିଚଳିତ କରିବା ଉଚିତ୍‌ ନୁହେଁ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ମନୁଷ୍ୟ ଆଚରଣର ମୂଳକାରଣ ବିଷୟରେ କହୁଛନ୍ତି । ସେ କହିଛନ୍ତି ଯେ ପ୍ରକୃତିର ତିନି ଗୁଣ – ସତ୍ତ୍ୱ, ରଜ, ତମ – ମନୁଷ୍ୟର ଚରିତ୍ର ଓ କାର୍ଯ୍ୟକୁ ପ୍ରଭାବିତ କରେ । ପ୍ରକୃତିର ଏହି ତିନି ଗୁଣ ମନୁଷ୍ୟଙ୍କୁ ଏମିତି ମୋହିତ କରେ ଯେ ସେ ନିଜକୁ କର୍ମର କର୍ତ୍ତା ବୋଲି ଭାବିଥାଏ ଓ ସେହି କର୍ମରେ ଆସକ୍ତ ହୋଇଯାଏ । କିନ୍ତୁ ଯିଏ ସତ୍ୟ ଜ୍ଞାନର ଅଧିକାରୀ, ସେ ଜାଣେ ଯେ ଆତ୍ମା ପ୍ରକୃତିର ଗୁଣମାନଙ୍କୁ ଅତିକ୍ରମ କରିଥାଏ । ଏହି ଜ୍ଞାନ ତାଙ୍କୁ ନିରାସକ୍ତ ଓ ସମତାବାନ କରେ । ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିର ଗୁଣମାନଙ୍କ ପ୍ରଭାବରେ କାମ କରେ । ଯେତେବେଳେ ରଜ ଗୁଣ ବଳବାନ ହୁଏ, ମନୁଷ୍ୟ କାମନା ଓ କାର୍ଯ୍ୟରେ ବ୍ୟସ୍ତ ହୁଏ; ତମ ଗୁଣ ବଳବାନ ହେଲେ ଅଜ୍ଞାନ ଓ ଆଳସ୍ୟତା ବଢ଼ିଥାଏ; ଏବଂ ସତ୍ତ୍ୱ ଗୁଣ ବଳବାନ ହେଲେ ଜ୍ଞାନ ଓ ଶାନ୍ତି ଉଦ୍ଭବ ହୁଏ । କିନ୍ତୁ ସାଧାରଣ ଲୋକ ଏହି ଗୁଣମାନଙ୍କ ପ୍ରଭାବକୁ ବୁଝିପାରନ୍ତି ନାହିଁ । ସେମାନେ ନିଜକୁ ସ୍ୱାଧୀନ କର୍ତ୍ତା ବୋଲି ଭାବିଥାନ୍ତି ଓ କର୍ମରେ ଆସକ୍ତ ହୋଇପଡ଼ନ୍ତି । ଏହି ଆସକ୍ତି ହେଉଛି ବନ୍ଧନର କାରଣ ।
ଏହି ଶ୍ଳୋକର ଶ୍ରୀକୃଷ୍ଣ ଆହୁରି ମଧ୍ୟ କହୁଛନ୍ତି ଯେ ଯିଏ ସମ୍ପୂର୍ଣ୍ଣ ତତ୍ତ୍ୱଜ୍ଞାନର ଅଧିକାରୀ, ସେ ଅଜ୍ଞାନୀଙ୍କୁ ବିଚଳିତ କରିବା ଉଚିତ୍ ନୁହେଁ । ଏହାର ଅର୍ଥ, ଜ୍ଞାନୀ ବ୍ୟକ୍ତି ଅନ୍ୟମାନଙ୍କ ଅବସ୍ଥାକୁ ବୁଝି ସହିଷ୍ଣୁତା ଓ କରୁଣା ସହ ଆଚରଣ କରିବା ଉଚିତ । ଯଦି ସେ ଅଜ୍ଞାନୀଙ୍କୁ ହଠାତ୍ ଉଚ୍ଚ ତତ୍ତ୍ୱ ଶିଖାଇବାକୁ ଚେଷ୍ଟା କରିବେ, ସେମାନେ ତାହାକୁ ବୁଝିପାରିବେ ନାହିଁ ଓ ତାହା ତାଙ୍କ ପାଇଁ ଅଶାନ୍ତିର କାରଣ ହେବ । ତେଣୁ ଜ୍ଞାନୀଙ୍କ ଦାୟିତ୍ୱ ହେଉଛି, ନିଜ ଆଚରଣ ଦ୍ୱାରା ଉଦାହରଣ ସୃଷ୍ଟି କରିବା ଓ ଧୀରେ ଧୀରେ ଅନ୍ୟମାନଙ୍କୁ ସତ୍ୟ ପଥରେ ନେବା । ପ୍ରତ୍ୟେକ ବ୍ୟକ୍ତି ତାଙ୍କର ମନୋବୃତ୍ତି ଓ ପ୍ରବୃତ୍ତି ଅନୁଯାୟୀ କାମ କରେ । ଯଦି କୌଣସି ବ୍ୟକ୍ତି ଅଜ୍ଞାନରେ ଅଛନ୍ତି, ତାଙ୍କୁ ବଳପୂର୍ବକ ପରିବର୍ତ୍ତନ କରିବା ଉଚିତ୍ ନୁହେଁ । ପରିବର୍ତ୍ତନ ସ୍ୱାଭାବିକ ଭାବେ ଓ ଧୀରେ ଧୀରେ ଆସିବା ଉଚିତ । ସମାଜରେ ସମସ୍ତେ ସମାନ ଜ୍ଞାନ ଓ ଚେତନାର ସ୍ତରରେ ନାହାନ୍ତି । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଭିତରେ ଗଢ଼ିଉଠିଥିବା ମନୋବୃତ୍ତି, ଚତୁଃପାର୍ଶ୍ଵର ପରିବେଶ ଓ ଅନୁଭବ ଦ୍ୱାରା ପ୍ରେରିତ ହୁଏ । ଯଦି କୌଣସି ଲୋକ ଅଜ୍ଞାନରେ କାମ କରୁଥାଏ, ତାଙ୍କୁ ହଠାତ୍ ଉଚ୍ଚ ଆଦର୍ଶ ପ୍ରଦାନ କରି ବିଚଳିତ କରିଲେ ତାହା ଉପକାରୀ ହୁଏ ନାହିଁ । ପରିବର୍ତ୍ତନ ଧୀରେ ଧୀରେ ଓ ସହାନୁଭୂତି ସହ କରାଯିବା ଉଚିତ ।

Oplus_16908288


ସେହିପରି ପରିବାରରେ ସମସ୍ତଙ୍କର ସ୍ୱଭାବ, ଚିନ୍ତା ଓ ବୁଦ୍ଧି ଏକ ସମାନ ନୁହେଁ । ପରିବାରରେ କେହି ଅଧିକ ବୁଦ୍ଧିମାନ, ଶାନ୍ତ ଓ ସହିଷ୍ଣୁ ଥିଲାବେଳେ, ଯେତେବେଳେ ଅନ୍ୟ କେହି ଅଧିକ ଭାବପ୍ରବଣ, ଅସ୍ଥିର କିମ୍ବା ଅଜ୍ଞାନ ହୋଇଥାନ୍ତି । ଏହା ପ୍ରକୃତିର ସ୍ୱାଭାବିକ ବ୍ୟବସ୍ଥା । ଯଦି ପରିବାରର ଜ୍ଞାନୀ ବ୍ୟକ୍ତି ଯେପରିକି ପିତା, ମାତା କିମ୍ବା ବୃଦ୍ଧ ସଦସ୍ୟ ଅନ୍ୟମାନଙ୍କ ଦୁର୍ବଳତାକୁ ଦେଖି ତାଙ୍କୁ କଠୋର ଭାବରେ ସମାଲୋଚନା କରନ୍ତି, ତେବେ ପରିବାରରେ ଅଶାନ୍ତି ଓ ବିରୋଧ ସୃଷ୍ଟି ହୁଏ । କିନ୍ତୁ ଯଦି ସେମାନେ ସହନଶୀଳତା ଓ ପ୍ରେମ ସହ ତାଙ୍କୁ ମାର୍ଗଦର୍ଶନ କରିବେ, ତେବେ ପରିବାରରେ ଶାନ୍ତି ଓ ସମନ୍ୱୟ ବଜାୟ ରହିବ । ତେଣୁ ଆମେ ଅନ୍ୟମାନଙ୍କୁ ଦୋଷ ଦେବା ପୂର୍ବରୁ ତାଙ୍କର ଅବସ୍ଥାକୁ ବୁଝିବା ଉଚିତ। ଯେପରିକି ଛୋଟ ଶିଶୁମାନେ ଅଜ୍ଞାନତାର କାରଣରୁ ଭୁଲ କରନ୍ତି, କିନ୍ତୁ ପିତାମାତା ସେମାନଙ୍କୁ ରାଗ କରିବା ପରିବର୍ତ୍ତେ ଧୀରେ ଧୀରେ ଶିଖାନ୍ତି । ଏହାହିଁ ଗୀତାର ଶିକ୍ଷା – ଜ୍ଞାନୀ ବ୍ୟକ୍ତି ଅଜ୍ଞାନୀଙ୍କୁ ବିଚଳିତ କରିବା ନୁହେଁ, ବରଂ ସହାନୁଭୂତି ସହ ତାଙ୍କୁ ଉନ୍ନତ କରିବା ।
ସମାଜରେ ସମସ୍ତ ଲୋକ ସମାନ ମାନସିକ ଓ ଆଧ୍ୟାତ୍ମିକ ସ୍ତରରେ ନଥାନ୍ତି । କେହି ଜ୍ଞାନୀ, ସହିଷ୍ଣୁ ଓ ସମତାବାନ ହୋଇଥାନ୍ତି, ଯେତେବେଳେ ଅନ୍ୟ କେହି ଅଜ୍ଞାନ, ଆସକ୍ତ କିମ୍ବା ଭାବପ୍ରବଣ ହୋଇଥାନ୍ତି । ଏହା ପ୍ରକୃତିର ସ୍ୱାଭାବିକ ବ୍ୟବସ୍ଥା । ଯଦି ଜ୍ଞାନୀ ବ୍ୟକ୍ତି ଅଜ୍ଞାନୀଙ୍କୁ ଅବମାନ କରିବେ କିମ୍ବା ତାଙ୍କର ଆସ୍ଥା ଓ କାର୍ଯ୍ୟକୁ ସମାଲୋଚନା କରିବେ, ତେବେ ସମାଜରେ ବିରୋଧ, ଅଶାନ୍ତି ଓ ଅସମାନତା ସୃଷ୍ଟି ହେବ । ତେଣୁ ଗୀତା ଶିଖାଏ ଯେ ଜ୍ଞାନୀ ବ୍ୟକ୍ତିଙ୍କ ଦାୟିତ୍ୱ ହେଉଛି ସମାଜର ସମନ୍ୱୟକୁ ରକ୍ଷା କରିବା । ଜ୍ଞାନୀ ବ୍ୟକ୍ତି ଅନ୍ୟମାନଙ୍କ ଅଜ୍ଞାନକୁ ବୁଝି ସେମାନଙ୍କୁ ଧୀରେ ଧୀରେ ସତ୍ୟ ପଥରେ ନେବା ଉଚିତ । ସେ ନିଜ ଆଚରଣ ଦ୍ୱାରା ଏକ ଆଦର୍ଶ ସୃଷ୍ଟି କରିବା ଉଚିତ, ଯାହା ଦେଖି ଅନ୍ୟମାନେ ପ୍ରେରିତ ହେବେ । ଜ୍ଞାନୀ ବ୍ୟକ୍ତି ଅଜ୍ଞାନୀଙ୍କୁ ବିଚଳିତ କରେ ନାହିଁ, କାରଣ ସେ ବୁଝେ ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱଭାବ ଓ ପ୍ରକୃତି ଅନୁଯାୟୀ କାମ କରୁଛନ୍ତି ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯

Share

Leave a Reply