03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବୃଦ୍ଧ ବାପା

1 min read

Oplus_16908288


[ଏକ ସୁନ୍ଦର ଇଂରାଜୀ ଗଳ୍ପର ଓଡ଼ିଆ ଅନୁବାଦ]

ବାପା ବୃଦ୍ଧ ହୋଇ ଯାଇଥିଲେ ଏବଂ ଚାଲିବା ସମୟରେ କାନ୍ଥକୁ ଧରି ଚାଲୁଥିଲେ। ଫଳସ୍ୱରୂପ, କାନ୍ଥଗୁଡ଼ିକ ଧିରେ ଧିରେ ମଇଳା ଦିଶିଲା। ଯେଉଁଠାରେ ସେ ସ୍ପର୍ଶ କରୁଥିଲେ, ସେଠାରେ ତାଙ୍କ ଆଙ୍ଗୁଠିର ଛାପ ବାରି ହୋଇ ଯାଉଥିଲା। ମୋ ପତ୍ନୀ ଏହା ଦେଖି ଅନେକ ସମୟରେ ମଇଳା ଦେଖା ଯାଉଥିବା କାନ୍ଥଗୁଡ଼ିକ ବିଷୟରେ ଅଭିଯୋଗ କରୁଥିଲେ।

ଦିନେ ବାପାଙ୍କ ମୁଣ୍ଡବିନ୍ଧା ହେଲା, ତେଣୁ ସେ ତାଙ୍କ ମୁଣ୍ଡରେ କିଛି ତେଲ ମାଲିସ କଲେ। ଚାଲିବା ସମୟରେ କାନ୍ଥରେ ତେଲ ଦାଗ ସୃଷ୍ଟି ହେଲା। ଏହା ଦେଖି ମୋ ପତ୍ନୀ ମୋତେ ଚିତ୍କାର କଲେ ଏବଂ ମୁଁ ପରବର୍ତ୍ତୀ ସମୟରେ ମୋ ବାପାଙ୍କୁ ପାଟି କରି ତାଙ୍କ ସହିତ କଥାବାର୍ତ୍ତା କଲି ଏବଂ ଚାଲିବା ସମୟରେ କାନ୍ଥକୁ ସ୍ପର୍ଶ ନକରିବାକୁ ପରାମର୍ଶ ଦେଲି।

ସେ ଆଘାତପ୍ରାପ୍ତ ଦେଖା ଯାଉଥିଲେ। ମୁଁ ମଧ୍ୟ ମୋ ଆଚରଣପାଇଁ ଲଜ୍ଜିତ ଅନୁଭବ କରୁଥିଲି, କିନ୍ତୁ ତାଙ୍କୁ କିଛି କହିଲି ନାହିଁ। ଏଣିକି; ବାପା ଚାଲିବା ସମୟରେ କାନ୍ଥ ଧରିବା ବନ୍ଦ କରିଦେଲେ ଏବଂ ଦିନେ ତଳେ ପଡ଼ିଗଲେ। ଫଳରେ ସେ ଶଯ୍ୟାଶାୟୀ ହୋଇ ଶୀଘ୍ର ଆମକୁ ଛାଡ଼ି ଚାଲିଗଲେ। ମୁଁ ମନେ ମନେ ନିଜକୁ ଦୋଷୀ ଅନୁଭବ କଲି ଏବଂ ତାଙ୍କ ଅଭିବ୍ୟକ୍ତିକୁ କେବେବି ଭୁଲି ପାରିଲି ନାହିଁ। ଚଟାଣରେ ପଡ଼ିବାର ମାତ୍ର କିଛି ଦିନ ପରେ ତାଙ୍କର ଦେହାନ୍ତ ହେବାରୁ ମୁଁ ନିଜକୁ କ୍ଷମା କରି ପାରିଲି ନାହିଁ।

ଦଶାହ କର୍ମ ମଧ୍ୟରେ ଆମେ ଆମ ଘରକୁ ରଙ୍ଗ କରିବାକୁ ଚାହୁଁଥିଲୁ। ଯେତେବେଳେ ଚିତ୍ରକରମାନେ (ରଙ୍ଗ ମିସ୍ତ୍ରୀ) ଆସିଲେ, ମୋ ପୁଅ, ଯିଏ କି ତାଙ୍କ ଜେଜେଙ୍କୁ ବହୁତ ଭଲ ପାଉଥିଲା, ଚିତ୍ରକରମାନଙ୍କୁ ବାପାଙ୍କ ଆଙ୍ଗୁଠି ଛାପ ସଫା କରିବାକୁ ଏବଂ ସେହି ଅଂଶରେ ରଙ୍ଗ ଦେବାକୁ ଅନୁମତି ଦେଲା ନାହିଁ। ଚିତ୍ରକାରମାନେ ବହୁତ ଭଲ ଏବଂ ଅଭିନବ ଥିଲେ। ସେମାନେ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ମୋ ବାପାଙ୍କ ଫିଙ୍ଗର ପ୍ରିଣ୍ଟ ଅପସାରଣ କରିବେ ନାହିଁ, ବରଂ ଏହି ଚିହ୍ନଗୁଡିକର ଚାରିପାଖରେ ଏକ ସୁନ୍ଦର ବୃତ୍ତ ଅଙ୍କନ କରିବେ ଏବଂ ଏକ ନିଆରା ଡିଜାଇନ୍ ସୃଷ୍ଟି କରିବେ।

ଏହା ପରେ କାର୍ଯ୍ୟ ଜାରି ରହିଲା ଏବଂ ସେହି ହାତଛାପଗୁଡ଼ିକ ଆମ ଘର କାନ୍ଥର ଅଂଶ ହୋଇଗଲା। ଘରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ସେଇ ଅନନ୍ୟ ଡିଜାଇନ୍ କୁ ପ୍ରଶଂସା କରୁଥିଲେ। ଗତିଶୀଳ ସମୟ ସହିତ ମୁଁ ମଧ୍ୟ ବୃଦ୍ଧ ହୋଇଗଲି। ବର୍ତ୍ତମାନ ଚାଲିବାପାଇଁ ମୁଁ କାନ୍ଥର ସମର୍ଥନ ଆବଶ୍ୟକ କରୁଥିଲି। ଦିନେ ଚାଲିବା ସମୟରେ ମୁଁ ମୋ ବାପାଙ୍କୁ ଦେଇଥିବା କଥା ମନେ ପକାଇଲି ଏବଂ ବିନା ସହାୟତାରେ ଚାଲିବାକୁ ଚେଷ୍ଟା କଲି। ପୁଅ ଏହା ଦେଖି ସଙ୍ଗେ ସଙ୍ଗେ ମୋ ପାଖକୁ ଆସି ମୋତେ କାନ୍ଥକୁ ଧରି ଚାଲିବାକୁ କହିଲା। ମୁଁ ବିନା ସହାୟତାରେ ଗଲାବେଳେ ହୁଏତ ପଡ଼ିଯିବି ବୋଲି ସେ ଚିନ୍ତିତ ରହୁଥିଲା। ଅନୁଭବ କରୁଥିଲି, ମୋ ପୁଅର ଆନ୍ତରିକ ଭାବନାକୁ।

ମୋର ବଡ଼ ଝିଅ ସଙ୍ଗେ ସଙ୍ଗେ ଆଗକୁ ଆସି ସ୍ନେହପୂର୍ଣ୍ଣ ଭାବରେ ମୋତେ ସାହାଯ୍ୟପାଇଁ କାନ୍ଧରେ ହାତ ରଖିବାକୁ କହିଲା। ମୁଁ ଅବ୍ୟକ୍ତ ଦୁଃଖରେ ନିଃଶବ୍ଦ ରୋଦନ କରିବାକୁ ଲାଗିଲି। ଅନ୍ତର୍ବେଦନା ମୋତେ ଦଂଶନ କରି କହୁଥିଲା – ଯଦି ମୁଁ ମୋ ବାପାଙ୍କପାଇଁ ସମାନ କାର୍ଯ୍ୟ କରିଥା’ନ୍ତି, ତେବେ ହୁଏତ ସେ ଆଉ କିଛି ଅଧିକ ଦିନ ବଞ୍ଚିଥା’ନ୍ତେ। ଝିଅ ମୋତେ ସାଙ୍ଗରେ ନେଇ ସୋଫାରେ ବସାଇଲା। ନାତୁଣୀ ମୋତେ ଦେଖାଇବାପାଇଁ ତା’ର ଚିତ୍ରାଙ୍କନ ଖାତାଟି ବାହାର କଲା। ଶିକ୍ଷକ ତା’ ଚିତ୍ରାଙ୍କନକୁ ଖୁବ୍ ପ୍ରଶଂସା କରିଥିଲେ ଏବଂ ସେଥିରେ ତାକୁ ଉତ୍କୃଷ୍ଟ ମନ୍ତବ୍ୟ ଦେଇଥିଲେ।

Oplus_16908288

ତେବେ ଏହି ସ୍କେଚ୍ ଥିଲା କାନ୍ଥର ସେଇ ହାତଛାପ ଚିହ୍ନଟି: ଯେଉଁଟିକୁ ପ୍ରାୟ ପଚାଶ ବର୍ଷ ପୂର୍ବେ ମୋ ପୁଅ ଏକ ଗୋଲେଇ ଭିତରେ ସାଇତି ରଖିଥିଲା। ନାତୁଣୀର ଖାତାରେ ଥିଲା ଶିକ୍ଷକଙ୍କର ଅମୂଲ୍ୟ ମନ୍ତବ୍ୟ – “ମୋର ଇଚ୍ଛା, ପ୍ରତ୍ୟେକ ପିଲା ବଡ଼ମାନଙ୍କୁ ଏହିପରି ଭାବରେ ଭଲ ପାଆନ୍ତୁ।”

ମୁଁ ମୋ ରୁମକୁ ଫେରି ବାପାଙ୍କଠାରୁ କ୍ଷମା ମାଗି କାନ୍ଦିବାକୁ ଲାଗିଲି, ଯିଏ ଆଉ ନଥିଲେ।

ସମୟ ସହିତ ଆମେବି ଦିନେ ବୃଦ୍ଧ ହେବା। ଆସନ୍ତୁ ଆମେ ଆମର ବୟସ୍କମାନଙ୍କର ଯତ୍ନ ନେବା ଏବଂ ଆମ ପିଲାମାନଙ୍କୁ ମଧ୍ୟ ସମାନ ଶିକ୍ଷା ଦେବା।_(ସଂଗୃହିତ)
🙏

Share

Leave a Reply