tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୯ ଶ୍ଳୋକ : ଯଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର…

1 min read

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୯ ଶ୍ଳୋକ :

*ଯଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ ।*
*ତଦର୍ଥଂ କର୍ମ କୌନ୍ତେୟ ମୁକ୍ତସଙ୍ଗଃ ସମାଚର ॥*

ହେ କୌନ୍ତେୟ (ଅର୍ଜୁନ) ! ଯଜ୍ଞ (ଇଶ୍ୱରାର୍ପଣ) ଭାବରେ କରାଯାଉଥିବା କର୍ମ ଛଡ଼ା, ଅନ୍ୟ ସମସ୍ତ କର୍ମ ମଣିଷକୁ ବନ୍ଧନରେ ପକାଏ । ଏହି କାରଣରୁ, ଆସକ୍ତି ଛାଡ଼ି ଯଜ୍ଞ ଭାବନାରେ ତୁମେ କର୍ତ୍ତବ୍ୟ କର ।


ଶ୍ରୀକୃଷ୍ଣ କହୁଛନ୍ତି – କର୍ମ ନିଜେ ବନ୍ଧନକାରୀ ନୁହେଁ; କର୍ମର ପଛରେ ଥିବା ଆସକ୍ତି, ଅହଂକାର ଓ ଫଳାଶା ମଣିଷକୁ ବନ୍ଧନରେ ପକାଏ । ଯେତେବେଳେ କର୍ମକୁ “ମୁଁ କରୁଛି” ବୋଲି ନୁହେଁ, “ଇଶ୍ୱର ପାଇଁ କରୁଛି” ବୋଲି କରାଯାଏ – ସେହି କର୍ମ ମୋକ୍ଷର ପଥ ହୁଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଜ୍ଞ ଭାବରେ କରାଯାଇଥିବା କର୍ମ ବ୍ୟତୀତ ଅନ୍ୟ ସମସ୍ତ କର୍ମ ମଣିଷକୁ କର୍ମବନ୍ଧନରେ ଆବଦ୍ଧ କରେ । ଏଠାରେ “ଯଜ୍ଞ” ଶବ୍ଦ କେବଳ ବୈଦିକ ଅଗ୍ନିଯଜ୍ଞକୁ ସୂଚିତ କରେ ନାହିଁ; ବରଂ ଏହାର ଅର୍ଥ ହେଉଛି – ଇଶ୍ୱରାର୍ପଣ, ତ୍ୟାଗ ଓ ସେବାଭାବରେ କରାଯାଇଥିବା ସମସ୍ତ କର୍ମ । ସାଧାରଣ ଜୀବନରେ ମଣିଷ ଯେତେବେଳେ କର୍ମକୁ ନିଜ ସ୍ୱାର୍ଥ, ଲାଭ, ଖ୍ୟାତି ବା ଭୋଗ ପାଇଁ କରେ, ସେହି କର୍ମ ତାହାକୁ ଆସକ୍ତି ଓ ଫଳାଶାର ଶୃଙ୍ଖଳରେ ବାନ୍ଧି ଦିଏ । ଏହି ଆସକ୍ତି ହିଁ ମଣିଷର ଦୁଃଖ, ଭୟ ଓ ଅସନ୍ତୋଷର ମୂଳ କାରଣ ହୁଏ । ଏହି ପ୍ରସଙ୍ଗରେ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି – “ମୁକ୍ତସଙ୍ଗଃ ସମାଚର”, ଅର୍ଥାତ୍ ଆସକ୍ତିରୁ ମୁକ୍ତ ହୋଇ କର୍ମ କର । ଏହି ଶ୍ଳୋକ କର୍ମକୁ ତ୍ୟାଗ କରିବାର କଥା କୁହେ ନାହିଁ; ବରଂ କର୍ମର ଭାବକୁ ପରିବର୍ତ୍ତନ କରିବାର ଶିକ୍ଷା ଦିଏ । ମଣିଷ ଯଦି ନିଜ କର୍ତ୍ତବ୍ୟକୁ ଭଗବାନଙ୍କ ପ୍ରତି ଏକ ଅର୍ପଣ ଭାବେ, ସମାଜ ଓ ମାନବତା ପାଇଁ ଏକ ସେବା ଭାବେ କରେ, ତେବେ ସେହି କର୍ମ ମୁକ୍ତିର ପଥରେ ପରିଣତ ହୁଏ । ଏଭଳି କର୍ମରେ ଅହଂକାର ନଥାଏ, ଫଳର ଆଶା ନଥାଏ, କିନ୍ତୁ ଅନ୍ତରରେ ଥାଏ ସନ୍ତୋଷ ଓ ଶାନ୍ତି ।

Oplus_16908288


ପରିବାର ହେଉଛି ମଣିଷର ପ୍ରଥମ କର୍ମକ୍ଷେତ୍ର । ପିତାମାତା, ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ ଆଦି ସମସ୍ତ ସମ୍ପର୍କ କର୍ତ୍ତବ୍ୟ ଓ ଦାୟିତ୍ୱର ମାଳାରେ ବନ୍ଧା। ଯଦି ଏହି କର୍ତ୍ତବ୍ୟଗୁଡ଼ିକୁ କେବଳ ପ୍ରତିଦାନ, ସ୍ୱୀକୃତି ବା ନିଜ ସ୍ୱାର୍ଥ ଆଶାରେ କରାଯାଏ, ତେବେ ସେହି କର୍ମ ଧୀରେଧୀରେ ବନ୍ଧନ, ଅସନ୍ତୋଷ ଓ ମନୋମାଳିନ୍ୟର କାରଣ ହୁଏ । ଗୀତା ଆମକୁ ଶିଖାଏ ଯେ, ପାରିବାରିକ କର୍ମକୁ ଯଦି “ଯଜ୍ଞ” ଭାବରେ କରାଯାଏ – ଅର୍ଥାତ୍ ସେବା, ତ୍ୟାଗ ଓ ପ୍ରେମର ଭାବରେ କରାଯାଏ, ତେବେ ତାହା କର୍ମ ବନ୍ଧନ ସୃଷ୍ଟି କରେ ନାହିଁ, ବରଂ ସମ୍ପର୍କକୁ ପବିତ୍ର କରେ । ମାତାପିତାଙ୍କ ସେବା, ସନ୍ତାନଙ୍କ ପାଳନ, ପରିବାର ପାଇଁ ପରିଶ୍ରମ ଏସବୁ କାମ ଯଦି ନିସ୍ଵାର୍ଥ ଭାବରେ, ଫଳାଶା ବିନା କରାଯାଏ, ତେବେ ସେଗୁଡ଼ିକ ଧର୍ମର ରୂପ ନେଇଥାଏ । ପାରିବାରିକ ଜୀବନର ଅନେକ ସଂଘର୍ଷର ମୂଳ କାରଣ ହେଉଛି – “ମୁଁ ଏତେ କଲି, ମୋତେ କଣ ମିଳିଲା?” ଏହି ମନୋଭାବ । ଏହା ଆସକ୍ତି ଓ ଅହଂକାରରୁ ଜନ୍ମ ନିଏ । କିନ୍ତୁ ଯେତେବେଳେ ମଣିଷ ନିଜ କର୍ତ୍ତବ୍ୟକୁ ଭଗବାନଙ୍କୁ ଅର୍ପଣ କରିବା ଭାବରେ କରେ, ସେତେବେଳେ ଆଶା ଧୀରେଧୀରେ ଶାନ୍ତିରେ ପରିଣତ ହୁଏ, ଏବଂ ପରିବାର ମଧ୍ୟରେ ସହନଶୀଳତା ଓ ସମନ୍ୱୟ ବୃଦ୍ଧି ପାଏ ।


ସେହିପରି ସମାଜ ମାନେ କେବଳ ଲୋକମାନଙ୍କର ସମୁହ ନୁହେଁ; ଏହା ଦାୟିତ୍ୱ, ସହଯୋଗ ଓ ପରସ୍ପର ନିର୍ଭରଶୀଳତାର ଏକ ଜୀବନ୍ତ ପ୍ରଣାଳୀ । ଏହି ପ୍ରଣାଳୀ ଠିକ୍ ଭାବରେ କାମ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିର କର୍ମ ଆବଶ୍ୟକ । କିନ୍ତୁ ଯଦି ଏହି କର୍ମଗୁଡ଼ିକୁ କେବଳ ଲାଭ, ସତ୍ତା, ଅଧିକାର ବା ପ୍ରତିସ୍ପର୍ଧାର ଭାବରେ କରାଯାଏ, ତେବେ ସମାଜରେ ଅସମତା, ଶୋଷଣ ଓ ଅଶାନ୍ତି ଜନ୍ମ ନିଏ । କର୍ମ ଯଦି ଯଜ୍ଞଭାବରେ ଅର୍ଥାତ୍ ସମାଜର ମଙ୍ଗଳ ଓ ଲୋକହିତ ପାଇଁ କରାଯାଏ, ତେବେ ସେହି କର୍ମ ସମାଜକୁ ବନ୍ଧନରେ ନୁହେଁ, ସମନ୍ୱୟରେ ନେଇଯାଏ । ଏଠାରେ ଯଜ୍ଞ ଅର୍ଥ ହେଉଛି ନିଜ ଶକ୍ତି, ସମୟ ଓ ପ୍ରତିଭାକୁ ସାମୂହିକ ଉନ୍ନତି ପାଇଁ ଅର୍ପଣ କରିବା । ସାମାଜିକ କ୍ଷେତ୍ରରେ ଶିକ୍ଷକ, ଡାକ୍ତର, କୃଷକ, ଶ୍ରମିକ, ପ୍ରଶାସକ ପ୍ରତ୍ୟେକଙ୍କର କର୍ମ ସମାଜ ଯଜ୍ଞର ଏକ ଏକ ଆହୁତି । ଯଦି ଏହି କର୍ମଗୁଡ଼ିକୁ କେବଳ ଦରମା, ପଦ, ବା ଶକ୍ତି ପାଇଁ କରାଯାଏ, ସେଗୁଡ଼ିକ ସମାଜରେ ଅବିଶ୍ୱାସ ଓ ଅସନ୍ତୋଷ ସୃଷ୍ଟି କରେ । କିନ୍ତୁ ଯଦି ସେଗୁଡ଼ିକୁ ଦାୟିତ୍ୱ ଓ ସେବାଭାବରେ କରାଯାଏ, ସମାଜରେ ନୀତି, ସହଯୋଗ ଓ ଶାନ୍ତି ପ୍ରତିଷ୍ଠିତ ହୁଏ ।


କର୍ମ ନିଜେ ବନ୍ଧନକାରୀ ନୁହେଁ; ବନ୍ଧନ ସୃଷ୍ଟି କରେ କର୍ମର ଭୋକ୍ତାଭାବ, ଅହଂକାର ଓ ଫଳାଶା । ଯେତେବେଳେ କର୍ମକୁ ଯଜ୍ଞର ରୂପ ଦିଆଯାଏ, ଅର୍ଥାତ୍ ଇଶ୍ୱରାର୍ପଣ ଓ ତ୍ୟାଗଭାବ ସହ କରାଯାଏ, ସେତେବେଳେ ସେହି କର୍ମ ବନ୍ଧନର କାରଣ ହୁଏ ନାହିଁ । ଉପନିଷଦୀୟ ଦର୍ଶନରେ ଯଜ୍ଞକୁ ଋତ ସହ ଯୋଡ଼ାଯାଇଛି । ଯଜ୍ଞ ମାନେ ମଣିଷର କର୍ମକୁ ବ୍ରହ୍ମାଣ୍ଡୀୟ ନୀତି ସହ ସମନ୍ୱୟ କରିବା। ମଣିଷ ଯେତେବେଳେ ନିଜ କର୍ମକୁ ସମଷ୍ଟିର ମଙ୍ଗଳ ପାଇଁ ଅର୍ପଣ କରେ, ସେତେବେଳେ ସେ ଋତର ଅଂଶୀଦାର ହୁଏ। ଗୀତା କହେ – ଯଜ୍ଞଭାବରେ କରାଯାଇଥିବା କର୍ମ “ଅକର୍ମ”ର ସ୍ଥିତିକୁ ପ୍ରାପ୍ତ ହୁଏ; ଅର୍ଥାତ୍ ଫଳ ଦେଉଥିବା ସତ୍ତ୍ୱେ ବନ୍ଧନ ସୃଷ୍ଟି କରେ ନାହିଁ ।
🌹🙏🌹
*ପ୍ରଶାନ୍ତ କୁମାର ବେଉରିଆ*
*୯୪୩୭୦୪୬୮୪୯*

Share

Leave a Reply