ସ୍ଥାନୀୟ କିସମର ପାରମ୍ପରିକ ଖାଦ୍ୟ ଶସ୍ୟର ପୁନରୁଦ୍ଧାର ପାଇଁ ଫୋକସ୍
1 min read
- ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବର୍ତ୍ତମାନ ଓଡ଼ିଶାର ଜୈବିକ ଚାଉଳ ବ୍ୟବହାର
ଭୁବନେଶ୍ୱର,//TATKAL ODISHA..
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବର୍ତ୍ତମାନ ଓଡ଼ିଶାର ଜୈବିକ ଚାଉଳ ବ୍ୟବହାର କରାଯାଉଛି। ଏହା ଓଡ଼ିଶାବାସୀଙ୍କ ପାଇଁ ବଡ଼ ଗୌରବର ବିଷୟ ଏବଂ ଆଗାମୀ ଦିନରେ କେମିତି ପୂର୍ବ ପ୍ରାନ୍ତରେ ଅଧିକରୁ ଅଧିକ ଜୈବିକ ଚାଷ ହୋଇପାରିବ, ସେଥିପାଇଁ ବ୍ୟାପକ ଗବେଷଣା ଦରକାର। ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ପାରମ୍ପରିକ ଖାଦ୍ୟ ଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ୍ ସ୍ତରରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ କରାଯାଇଛି। କେମିକାଲ୍ ସାରର ବ୍ୟବହାର କମାଇବାକୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରାଯାଇଛି।
ଭୁବନେଶ୍ୱରଠାରେ ଅନୁଷ୍ଠିତ ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
- ‘ସମୃଦ୍ଧ କୃଷକ ଯୋଜନା’ରେ ଚାଷୀଙ୍କୁ ବଡ଼ ଆଶ୍ୱାସନା ଦେଇ ପ୍ରତି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯାଉଛି, ଯାହାଦ୍ୱାରା ଗତ ଖରିଫ୍ ଋତୁରେ ପ୍ରାୟ ୧୯ ଲକ୍ଷ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି। ଏହା ବ୍ୟତୀତ ‘ସିଏମ କିଷାନ’ ଯୋଜନା ମାଧ୍ୟମରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ବାର୍ଷିକ ୪ହଜାର ଟଙ୍କା ଦିଆଯାଉଛି, ଯାହା କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ସହିତ ମିଶି ଚାଷୀଙ୍କ ହାତରେ ବାର୍ଷିକ ୧୦ହଜାର ଟଙ୍କାର ସହାୟତା ରାଶି ପହଞ୍ଚାଉଛି।
- ଚାଷୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ‘କୃଷି ବିଦ୍ୟାନିଧି ଯୋଜନା’ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଅଂଶର ସମ୍ପୂର୍ଣ୍ଣ ପ୍ରିମିୟମ ରାଜ୍ୟ ସରକାର ନିଜେ ବହନ କରୁଛନ୍ତି। ରାଜ୍ୟରେ କୃଷି ଭିତ୍ତିଭୂମି ଓ ବଜାର ସଂଯୋଗୀକରଣକୁ ମଜବୁତ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି।
- ରାଜ୍ୟର ସମସ୍ତ ୫୮ଟି ସବ୍-ଡିଭିଜନରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଆର୍ôଥକ ସହାୟତା ଯୋଜନା ଆରମ୍ଭ କରାଯାଇଛି ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ କୃଷି କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଓଡ଼ିଶାରେ ୧୮୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ସଫଳତାର ସହ କାର୍ଯ୍ୟ କରି ଗତ ଦୁଇ ବର୍ଷରେ ୧୨୬ କୋଟି ଟଙ୍କାର କାରବାର କରିଛନ୍ତି।
- କୋରାପୁଟ, କଳାହାଣ୍ଡି ଭଳି ୬ଟି ଜିଲ୍ଲାରେ ଏକ ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି। ବିଶ୍ୱ ବଜାରରେ ଓଡ଼ିଶାର କୋରାପୁଟ କଫିର ଏକ ସ୍ୱତନ୍ତ୍ର ପରିଚୟ ରହିଛି।
- ଦେଶର ଅନ୍ୟ ଅଞ୍ଚଳ ତୁଳନାରେ ପୂର୍ବ ଭାରତରେ କୃଷି ଉତ୍ପାଦକତା କମ୍ ଥିବାରୁ ଏହି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ସୁଯୋଗ ରହିଛି। ଏହି ସମ୍ମିଳନୀ ପୂର୍ବ ଭାରତର ୫ଟି ରାଜ୍ୟକୁ ପରସ୍ପରର ଶ୍ରେଷ୍ଠ ପ୍ରଣାଳୀ ଓ ଅନୁଭୂତିରୁ ଶିଖିବାରେ ଏକ ବଡ଼ ସୁଯୋଗ ଦେବ।
- ଭୁବନେଶ୍ୱର କୃଷି ସମ୍ମିଳନୀରୁ ବାହାରିବାକୁ ଥିବା ନିଷ୍କର୍ଷ ପୂର୍ବ ଭାରତର ସମସ୍ତ ରାଜ୍ୟକୁ କୃଷି କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ କରିବ ଏବଂ ଏହି ରୋଡ୍ମ୍ୟାପ୍ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନକୁ ସଫଳ କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ ସାଜିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକଟ କରିଛନ୍ତି।
