ଶ୍ରୀମଦ୍ ଭଗବଦ୍ ଗୀତା ୨: ୩୯ ଶ୍ଳୋକ :ଏଷା ତେଽଭିହିତା..
1 min read
ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ୟୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ॥
ହେ ପାର୍ଥ ! ତୁମକୁ ସାଂଖ୍ୟ ବିଷୟକ ଜ୍ଞାନ କୁହାଗଲା । ଏବେ କର୍ମଯୋଗ ସମ୍ବନ୍ଧୀୟ ଜ୍ଞାନକୁ ଶୁଣ । ଯେଉଁ ଜ୍ଞାନରେ ଯୁକ୍ତ ହୋଇ କର୍ମ କଲେ, ତୁମେ କର୍ମବନ୍ଧନରୁ ମୁକ୍ତ ହେବ ।
ଏହି ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନର ଦୁଇଟି ମୂଳ ମାର୍ଗ ସ୍ପଷ୍ଟ କରୁଛନ୍ତି – ସାଂଖ୍ୟ ଓ ଯୋଗ (କର୍ମଯୋଗ) । ସାଂଖ୍ୟର ଅର୍ଥ ହେଉଛି ତତ୍ତ୍ୱଜ୍ଞାନ – ଆତ୍ମା ଅବିନାଶୀ, ଶରୀର ନଶ୍ୱର । ଏହା ମନୁଷ୍ୟକୁ ମୃତ୍ୟୁ, ଭୟ, ଶୋକ ଓ ଆସକ୍ତିରୁ ଉପରକୁ ଉଠାଏ। ପୂର୍ବ ଶ୍ଳୋକଗୁଡ଼ିକରେ ଏହି ଜ୍ଞାନକୁ କୃଷ୍ଣ ବ୍ୟାଖ୍ୟା କରିଛନ୍ତି । ଏହି ଶ୍ଳୋକରେ କୃଷ୍ଣ କହୁଛନ୍ତି – କେବଳ ଜ୍ଞାନ ପର୍ଯ୍ୟାପ୍ତ ନୁହେଁ; କର୍ମ କରିବା ଆବଶ୍ୟକ, କିନ୍ତୁ ଫଳରେ ଆସକ୍ତି ଛାଡ଼ି । ସାଧାରଣତଃ କର୍ମର ଫଳ ଭୋଗ କରିବାକୁ ପଡ଼େ । ଏହାକୁ କର୍ମବନ୍ଧନ କୁହାଯାଏ । କିନ୍ତୁ ଯେତେବେଳେ କର୍ମ ନିଷ୍କାମ ହୁଏ, ସେତେବେଳେ କର୍ମ ଫଳ ସୃଷ୍ଟି ହୁଏନାହିଁ, ଏବଂ ମଣିଷ ମୋକ୍ଷ ପଥରେ ଅଗ୍ରସର ହୁଏ ।
ସମାଜ ମଣିଷଙ୍କ ସମୂହ କର୍ମର ଫଳ । ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ କାର୍ଯ୍ୟ କେବଳ ସ୍ୱାର୍ଥ ଓ ଫଳ ଆଶାରେ କରେ, ତେବେ ସମାଜରେ ପ୍ରତିସ୍ପର୍ଧା, ଇର୍ଷ୍ୟା, ଦ୍ୱନ୍ଦ୍ୱ ଓ ଅସ୍ଥିରତା ବଢ଼େ । ଗୀତା ଏହି ସ୍ୱାର୍ଥପର କର୍ମପ୍ରବୃତ୍ତିର ବିକଳ୍ପ ଦିଏ – କର୍ତ୍ତବ୍ୟବୋଧ ସହ କର୍ମ । ସମାଜରେ ଶିକ୍ଷକ, ଡାକ୍ତର, ପ୍ରଶାସକ, କୃଷକ କିମ୍ବା ଶ୍ରମିକ ସମସ୍ତଙ୍କର ନିଜସ୍ୱ ଧର୍ମ ଅଛି । ଯେତେବେଳେ ଏହି କର୍ମ ମର୍ଯ୍ୟାଦା, ନୀତି ଓ ସମର୍ପଣ ସହ କରାଯାଏ, ସେତେବେଳେ ସମାଜରେ ନ୍ୟାୟ ଓ ସମନ୍ୱୟ ସୃଷ୍ଟି ହୁଏ । ଆଧୁନିକ ସମାଜରେ ଲାଭ, ପଦ, ଖ୍ୟାତି ଓ ଶକ୍ତି ପ୍ରତି ଅତ୍ୟଧିକ ଆସକ୍ତି ସାମାଜିକ ମୂଲ୍ୟବୋଧକୁ କ୍ଷୟ କରୁଛି । ଗୀତାର କର୍ମଯୋଗ ଏହାର ନିରାକରଣ କରିବାକୁ ଯାଇ ନିଷ୍କାମ କର୍ମ ମାଧ୍ୟମରେ ସମାଜକୁ ସେବା କରିବା ନିମନ୍ତେ କହିଅଛି ।
ପରିବାର ହେଉଛି ସମାଜର ସବୁଠାରୁ ଛୋଟ ଏବଂ ମୂଳ ଏକକ । ପରିବାରର ସୁଖ-ଶାନ୍ତି ବଜାୟ ରହିବ, ଯେତେବେଳେ ସଦସ୍ୟମାନେ ନିଜ-ନିଜ କର୍ତ୍ତବ୍ୟକୁ ଆସକ୍ତି ଓ ଉପେକ୍ଷା ବିନା ପାଳନ କରିବେ । ମାତା–ପିତାଙ୍କର କର୍ତ୍ତବ୍ୟ ସନ୍ତାନ ପାଳନ, ସନ୍ତାନଙ୍କର କର୍ତ୍ତବ୍ୟ ସମ୍ମାନ ଓ ଦାୟିତ୍ୱବୋଧ, ସ୍ୱାମୀ–ସ୍ତ୍ରୀଙ୍କର କର୍ତ୍ତବ୍ୟ ପରସ୍ପର ସହଯୋଗ ଓ ବିଶ୍ୱାସ । ଯେତେବେଳେ ପରିବାରିକ ସମ୍ପର୍କ ଲାଭ–ହାନି, ଆଶା–ନିରାଶା ଉପରେ ଆଧାରିତ ହୁଏ, ସେତେବେଳେ ଦ୍ୱନ୍ଦ୍ୱ ଜନ୍ମ ନେଇଥାଏ । ଗୀତା କହେ- କର୍ମ କର, କିନ୍ତୁ ତାହାର ଫଳରେ ଆସକ୍ତ ହୁଅନାହିଁ । ଆଜିର ପାରିବାରିକ କଳହ, ମାନସିକ ଚାପ ଓ ସମ୍ପର୍କର ଦୂରତା ମୂଳତଃ ଅତିଆଶା ଓ ଅସନ୍ତୋଷର ଫଳ । ନିଷ୍କାମ କର୍ମର ଶିକ୍ଷା ପରିବାରକୁ ପୁନଃ ସାମଞ୍ଜସ୍ୟର ପଥରେ ନେଇଯାଇପାରେ ।
ଗୀତା ସ୍ପଷ୍ଟ କରେ ଯେ ମୁକ୍ତି କେବଳ ବନବାସ କିମ୍ବା ସନ୍ନ୍ୟାସରେ ନୁହେଁ, ବରଂ ଦୈନନ୍ଦିନ ସାମାଜିକ ଓ ପାରିବାରିକ ଜୀବନରେ କର୍ତ୍ତବ୍ୟନିଷ୍ଠ କର୍ମରେ ଅଛି । ଯେତେବେଳେ ବ୍ୟକ୍ତି ନିଜ କର୍ମକୁ ସମର୍ପଣ, ସଚେତନତା ଓ ନିଷ୍କାମ ଭାବରେ କରେ, ସେତେବେଳେ ସମାଜ ନ୍ୟାୟମୟ ହୁଏ ଏବଂ ପରିବାର ସୁଖୀ ଓ ସ୍ଥିର ରହେ । ଗୀତା ୨:୩୯ରେ “ସାଂଖ୍ୟେ ବୁଦ୍ଧିଃ” ଓ “ବୁଦ୍ଧିଯୋଗ” ଶବ୍ଦର ବ୍ୟବହାର ଦ୍ୱାରା ଶ୍ରୀକୃଷ୍ଣ ଦର୍ଶାନ୍ତି ଯେ ଦର୍ଶନ କେବଳ ତତ୍ତ୍ୱଚର୍ଚ୍ଚା ନୁହେଁ, ଏହା ଜୀବନ-ଚର୍ଯ୍ୟାର ମାର୍ଗ । ସାଂଖ୍ୟ ଦର୍ଶନ ପୁରୁଷ (ଚେତନ) ଓ ପ୍ରକୃତି (ଜଡ଼) ମଧ୍ୟରେ ପାର୍ଥକ୍ୟକୁ ସ୍ଥାପନ କରେ । ଏହି ଜ୍ଞାନ ମଣିଷକୁ ଆସକ୍ତି, ଭୟ ଓ ଶୋକରୁ ମୁକ୍ତ କରେ । କିନ୍ତୁ ଗୀତାର ଦୃଷ୍ଟିରେ ଏହି ଜ୍ଞାନ ପ୍ରଜ୍ୟାପ୍ତ ନୁହେଁ । ଯୋଗ ଦର୍ଶନ, ବିଶେଷତଃ କର୍ମଯୋଗ, ଏହି ଜ୍ଞାନକୁ କାର୍ଯ୍ୟରେ ପରିଣତ କରେ । ଏହି ଶ୍ଳୋକର ଦାର୍ଶନିକ ମୂଳ ଭାବ – ଜ୍ଞାନ ବିନା କର୍ମ ଅନ୍ଧ, ଓ କର୍ମ ବିନା ଜ୍ଞାନ ଅପୂର୍ଣ୍ଣ ।
ଭାରତୀୟ ଦର୍ଶନର ଏକ କେନ୍ଦ୍ରୀୟ ସମସ୍ୟା ହେଉଛି – କର୍ମ କିପରି ବନ୍ଧନର କାରଣ ହୁଏ ଓ କିପରି ମୋକ୍ଷର ମାଧ୍ୟମ ହୁଏ । ଗୀତା ୨:୩୯ ଏହି ପ୍ରଶ୍ନର ଦାର୍ଶନିକ ସମାଧାନ ଦିଏ । କୃଷ୍ଣ କହୁଛନ୍ତି – କର୍ମ ନିଜେ ବନ୍ଧନକାରୀ ନୁହେଁ; ବନ୍ଧନର କାରଣ ହେଉଛି ଆସକ୍ତି ଓ କର୍ତ୍ତୃତ୍ୱବୋଧ (ଅହଂକାର) । ଯେତେବେଳେ ବ୍ୟକ୍ତି ନିଜକୁ କର୍ତ୍ତା ଭାବେ ଭାବେ, ସେ କର୍ମର ଫଳରେ ବନ୍ଧିତ ହୁଏ । କିନ୍ତୁ ଯେତେବେଳେ ସେ ବୁଝେ ଯେ କର୍ମ ପ୍ରକୃତି ଦ୍ୱାରା ହେଉଛି, ଏବଂ ଆତ୍ମା କେବଳ ସାକ୍ଷୀ, ସେତେବେଳେ କର୍ମ ମଧ୍ୟରେ ରହି ମୋକ୍ଷ ସମ୍ଭବ ହୁଏ ।
ଏହି ଶ୍ଳୋକରେ “ବୁଦ୍ଧିଯୋଗ” ଧାରଣା ଅତ୍ୟନ୍ତ ଗଭୀର । ବୁଦ୍ଧି ଏଠାରେ କେବଳ ବୁଦ୍ଧିମତା ନୁହେଁ, ବରଂ ବିବେକ – ଯାହା ସତ୍ୟ ଓ ଅସତ୍ୟ, ନୀତି ଓ ଅନୀତିକୁ ପାର୍ଥକ୍ୟ କରେ । ବୁଦ୍ଧିଯୋଗ ମାନେ ହେଉଛି ବିବେକପୂର୍ଣ୍ଣ କର୍ମ, ଯାହା ଆସକ୍ତି ଓ ଅଜ୍ଞାନତାକୁ ଦୂର କରେ । ଦାର୍ଶନିକ ଭାବରେ ଏହା ମଧ୍ୟମ ମାର୍ଗ – ନିର୍ମମ କର୍ମବାଦ ଓ ପଳାୟନମୂଳକ ସନ୍ନ୍ୟାସ – ଉଭୟଙ୍କ ମଧ୍ୟରେ ଏକ ସମତୁଳିତ ଦୃଷ୍ଟି । ଜ୍ଞାନ ସହ କର୍ମ, ବୁଦ୍ଧି ସହ କର୍ମ, ଏବଂ ଆସକ୍ତି ବିହୀନ କର୍ମ – ଏହି ତ୍ରିମାର୍ଗ ଗୀତାର ମୂଳ ଦାର୍ଶନିକ ସନ୍ଦେଶ।
ଗୀତା କହେ – କର୍ମ ଅନିବାର୍ଯ୍ୟ, କିନ୍ତୁ କର୍ମର ଫଳରେ ଆସକ୍ତି ବନ୍ଧନର କାରଣ । ବୁଦ୍ଧିଯୋଗ ମାଧ୍ୟମରେ କର୍ମ କଲେ, ମଣିଷ କର୍ମରେ ରହି ମଧ୍ୟ ମୁକ୍ତ ହୋଇପାରେ । ଏହାର ମୂଳ ଧାରଣା – ନିଷ୍କାମ କର୍ମ, କର୍ତ୍ତବ୍ୟବୋଧ, ଓ ଅହଂକାର-ତ୍ୟାଗ । ଅପରପକ୍ଷରେ ଆରିଷ୍ଟଟଲ୍ଙ୍କ ନୀତିଦର୍ଶନରେ ପ୍ରତ୍ୟେକ କାର୍ଯ୍ୟର ଏକ ଉଦ୍ଦେଶ୍ୟ (Telos) ଅଛି, ଏବଂ ମଣିଷର ସର୍ବୋଚ୍ଚ ଲକ୍ଷ୍ୟ “ୟୁଡେମୋନିଆ” (ସୁଖମୟ, ସମ୍ପୂର୍ଣ୍ଣ ଜୀବନ) । ଏଠାରେ କାର୍ଯ୍ୟ ଓ ଫଳ ଅଭିନ୍ନ । ଗୀତାର କର୍ମଯୋଗ ସହ ଏଠାରେ ପାର୍ଥକ୍ୟ ଦେଖାଯାଏ । ଗୀତା କହେ – କର୍ମ କର, କିନ୍ତୁ ଫଳକୁ ଛାଡ଼; ଆରିଷ୍ଟଟଲ୍ କହନ୍ତି – ଫଳ (ୟୁଡେମୋନିଆ) ହିଁ କର୍ମର ଅର୍ଥ ।
ଇମାନୁଏଲ କାଣ୍ଟ କହନ୍ତି – ନୀତିମୟ କାର୍ଯ୍ୟ ତାହା ଅଟେ, ଯାହା କରାଯାଏ କେବଳ କର୍ତ୍ତବ୍ୟବୋଧରୁ, ଫଳ କିମ୍ବା ସୁଖ ଆଶାରୁ ନୁହେଁ । ଏହା ଗୀତାର “ନିଷ୍କାମ କର୍ମ” ସହ ଅଦ୍ଭୁତ ସାମ୍ୟ ରଖେ । ଷ୍ଟୋଇକ୍ ଦାର୍ଶନିକମାନେ କହନ୍ତି ଯେ ମଣିଷ ନିଜ ନିୟନ୍ତ୍ରଣରେ ନଥିବା ବିଷୟରେ ଆସକ୍ତ ହେବା ଉଚିତ ନୁହେଁ । କର୍ମ କର, କିନ୍ତୁ ଫଳକୁ ଭାଗ୍ୟରେ ଛାଡ଼ି ଦିଅ । ଏହି ଦୃଷ୍ଟିକୋଣ ଗୀତାର କର୍ମଯୋଗ ସହ ଗଭୀର ସାମ୍ୟ ରଖେ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
