ଶ୍ରୀମଦ୍ ଭଗବଦ୍ ଗୀତା ୨: ୭ ଶ୍ଳୋକ : କାର୍ପଣ୍ୟଦୋଷୋପହତସ୍ୱଭାବଃ..
1 min read
କାର୍ପଣ୍ୟଦୋଷୋପହତସ୍ୱଭାବଃ ପୃଚ୍ଛାମି ତ୍ୱାଂ ଧର୍ମସମ୍ମୂଢଚେତାଃ ।
ୟଚ୍ଛ୍ରେୟଃ ସ୍ୟାନ୍ନିଶ୍ଚିତଂ ବ୍ରୂହି ତନ୍ମେ ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ୍ ॥
ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି – ମୋର ସ୍ୱଭାବ କାର୍ପଣ୍ୟ (ଦୁର୍ବଳତା) ଦ୍ୱାରା ଆବୃତ; ମୋ ମନ ଧର୍ମ ସମ୍ବନ୍ଧରେ ଭ୍ରମିତ । ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି – ମୋ’ ପାଇଁ ଯାହା ନିଶ୍ଚିତ ଭାବେ ଶ୍ରେୟସ୍କର, ସେହି କଥା କହନ୍ତୁ । ମୁଁ ଆପଣଙ୍କ ଶିଷ୍ୟ ରୂପେ ଶରଣାଗତ ହୋଇଥିବାରୁ ମତେ ଉପଦେଶ ଦିଅନ୍ତୁ I
ନିଜକୁ ଅସହାୟ ମନେକରୁଥିବା ଏବଂ କୌଣସି ନିର୍ଣ୍ଣୟ ନେବାରେ ଅସମର୍ଥ ଅନୁଭବ କରୁଥିବା ଅର୍ଜୁନ ସମ୍ପୂର୍ଣ୍ଣ ରୂପେ ନିଜକୁ ଶ୍ରୀକୃଷ୍ଣଙ୍କ ଚରଣରେ ସମର୍ପିତ କରିଦେଇଛନ୍ତି । ଗୀତା ୨:୭ ହେଉଛି ଅର୍ଜୁନଙ୍କ ମନୋଜଗତର ଏକ ବିପ୍ଳବୀ ମୁହୂର୍ତ୍ତ । ଏଠାରେ ସେ ନିଜ ଦୁର୍ବଳତାକୁ ସ୍ୱୀକାର କରୁଛନ୍ତି । ଏହା କୌଣସି ଭୟ ନୁହେଁ; ଏହା ଏକ ଆତ୍ମସଚେତନତା । ମନୁଷ୍ୟ ଯେତେବେଳେ ନିଜ ଅସ୍ପଷ୍ଟତାକୁ ମାନିନେଇଥାଏ, ସେତେବେଳେ ଶିକ୍ଷା ପାଇଁ ଦ୍ୱାର ଖୋଲିଯାଏ ।
ଏହି ଶ୍ଳୋକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଅର୍ଜୁନ ନିଜକୁ କୃଷ୍ଣଙ୍କ ‘ଶିଷ୍ୟ’ ରୂପେ ଘୋଷଣା କରୁଛନ୍ତି । ଏଠାରେ ବନ୍ଧୁତ୍ୱ ଶେଷ ହୋଇ, ଗୁରୁ – ଶିଷ୍ୟ ସମ୍ପର୍କ ଆରମ୍ଭ ହୋଇଅଛି । ଅହଂକାର ଯେତେବେଳେ ମନରୁ ଦୂରେଇଯାଏ, ଜ୍ଞାନ ସେତେବେଳେ ପ୍ରବେଶ କରେ । ଗୀତା ୨:୭ କେବଳ ଅର୍ଜୁନଙ୍କ କଥା ନୁହେଁ; ଏହା ପ୍ରତ୍ୟେକ ସଂକଟଗ୍ରସ୍ତ ମନୁଷ୍ୟର ଆର୍ତ୍ତନାଦ । ଯେଉଁ ମୁହୂର୍ତ୍ତରେ ମନୁଷ୍ୟ କହେ – “ମୁଁ ଜାଣେନି, ଆପଣ ମୋତେ ଶିଖାନ୍ତୁ” – ସେହି ମୁହୂର୍ତ୍ତରୁ ଗୀତାର ଉପଦେଶ ଆରମ୍ଭ ହୁଏ ।
ଅର୍ଜୁନ କହୁଛନ୍ତି ଯେ ତାଙ୍କ ଚିତ୍ତ ଧର୍ମ ବିଷୟରେ ଭ୍ରମିତ । ଏହା ଆଜିର ମନୁଷ୍ୟଙ୍କ ସ୍ଥିତି ସହ ଗଭୀର ସାମଞ୍ଜସ୍ୟତା ରଖେ । ପରିବାର, ସମାଜ, ରାଜନୀତି – ସମସ୍ତ କ୍ଷେତ୍ରରେ “ଠିକ୍ କଣ?” ଏବଂ “ଭୁଲ୍ କଣ?” ଏହି ପ୍ରଶ୍ନ ମନୁଷ୍ୟକୁ ଦ୍ୱନ୍ଦ୍ୱରେ ପକାଇଥାଏ। ଗୀତା ଏଠାରେ କହେ – ଧର୍ମ କେବଳ ନିୟମ ନୁହେଁ, ବରଂ ସଚେତନ ବିବେକ ।
ଗୀତା ୨:୭ର “ଧର୍ମସମ୍ମୂଢଚେତା” ବାକ୍ୟଟି ଆଧୁନିକ ସମାଜର ଏକ ସଠିକ୍ ଚିତ୍ର । ଆଜିର ସମାଜରେ ମୂଲ୍ୟବୋଧର ଅବକ୍ଷୟ, ଲାଭ – ହାନିର ମାନସିକତା ଓ ଆତ୍ମକେନ୍ଦ୍ରିକ ଚିନ୍ତା ମନୁଷ୍ୟକୁ ନୀତିଗତ ଦ୍ୱନ୍ଦ୍ୱରେ ପକାଇଦେଇଛି । କଣ ଠିକ୍ ଓ କଣ ଭୁଲ୍ – ଏହି ପ୍ରଶ୍ନର ସରଳ ଉତ୍ତର ସମାଜ ଦେଇପାରୁନାହିଁ । ଅର୍ଜୁନଙ୍କ ପରି ସମାଜ ମଧ୍ୟ ଏକ ମାର୍ଗଦର୍ଶକ ଚାହେଁ । ନୀତିଗତ ଅସ୍ପଷ୍ଟତାରେ ନିରବ ରହିବା ଅପରାଧ ସମାନ । ସଠିକ୍ ମୂଲ୍ୟବୋଧ ଓ ବିବେକ ନ ଥିଲେ ସମାଜ ଦିଗଭ୍ରମିତ ହୁଏ । ତେଣୁ ସମାଜକୁ ସଜାଗ, ପ୍ରଶ୍ନକାରୀ ଓ ମୂଲ୍ୟନିଷ୍ଠ ହେବାକୁ ଗୀତା ପ୍ରେରଣା ଦେଇଥାଏ ।
ଅର୍ଜୁନ ନିଜ ଆତ୍ମୀୟଙ୍କ ବିରୋଧରେ ଯୁଦ୍ଧ କରିବାକୁ ମାନସିକ ଭାବେ ଅସମର୍ଥ । ଏହି ସ୍ଥିତି ଆଧୁନିକ ପରିବାରରେ ମଧ୍ୟ ଦେଖାଯାଏ – ଯେଉଁଠି ସତ୍ୟ, ନ୍ୟାୟ ଓ ସଠିକ୍ ନିଷ୍ପତ୍ତି ନେଲାବେଳେ ପାରିବାରିକ ସମ୍ପର୍କରେ ଆଘାତ ଲାଗିବା ଭୟରେ ଦମିତ ହୋଇଯାଏ । ଏହି ଶ୍ଳୋକ କହେ ଯେ ପରିବାର ପ୍ରତି ମୋହ ଯଦି ଧର୍ମକୁ ଆବୃତ କରେ, ତେବେ ସେହି ମୋହ “କାର୍ପଣ୍ୟ”ରେ ପରିଣତ ହୁଏ । ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟାୟକୁ ସ୍ୱୀକାର କରିବା ଦୀର୍ଘକାଳୀନ ଭାବେ ପରିବାରକୁ ଅଧିକ କ୍ଷତିଗ୍ରସ୍ତ କରେ । ଗୀତା ଏଠାରେ ପାରିବାରିକ ଜୀବନରେ ସତ୍ୟ, ସାହସ ଓ ନୀତିକୁ ଆଧାର କରି ନିଷ୍ପତ୍ତି ନେବାର ପଥ ଦେଖାଏ।
ଗୀତା ୨:୭ ହେଉଛି ସେଇ ମୁହୂର୍ତ୍ତ, ଯେଉଁଠାରେ କର୍ମକ୍ଷେତ୍ର ହଠାତ୍ ଜ୍ଞାନକ୍ଷେତ୍ରରେ ପରିଣତ ହୁଏ । ଅର୍ଜୁନ ଏଠାରେ ଯୋଦ୍ଧା ନୁହେଁ, ସେ ଏକ ଜିଜ୍ଞାସୁ ଚେତନା । ‘କାର୍ପଣ୍ୟଦୋଷ’ – ଅବିଦ୍ୟାର ଲକ୍ଷଣ । କାର୍ପଣ୍ୟ କେବଳ ଦୟା ନୁହେଁ; ଏହା ଅବିଦ୍ୟାରୁ ଜନ୍ମିତ ଏକ ମନୋଦୁର୍ବଳତା । ‘ଧର୍ମସମ୍ମୂଢଚେତା’ – ବୁଦ୍ଧିର ଅସ୍ପଷ୍ଟତା । ଏଠାରେ ଧର୍ମ କୌଣସି ଆଚାରସଂହିତା ମାତ୍ର ନୁହେଁ; ଧର୍ମ ହେଉଛି – “ଯାହା ଧାରଣ କରେ” – ସତ୍ୟ, ବିବେକ, ଋତ । ଅର୍ଜୁନଙ୍କ ବୁଦ୍ଧି ଧର୍ମ ସମ୍ବନ୍ଧରେ ଭ୍ରମିତ, କାରଣ ତାଙ୍କର ବୁଦ୍ଧି ଇନ୍ଦ୍ରିୟର ଦାସ ହୋଇଯାଇଛି । ବିବେକ ଓ ମୋହ ମଧ୍ୟରେ ସଂଘର୍ଷ ଲାଗିଛି । ଅର୍ଜୁନଙ୍କର କୃଷ୍ଣଙ୍କ ନିକଟରେ ସମର୍ପଣ କୌଣସି ଭାବୁକତା ନୁହେଁ । ଦାର୍ଶନିକ ଭାବେ, ଏହା ଅହଂକାରର ବିଲୟ । ଜୀବ ଓ ବ୍ରହ୍ମର ସାମୀପ୍ୟ । ଭକ୍ତି, ଜ୍ଞାନ ଓ କର୍ମ – ତିନିଏ ଏଠାରେ ଏକାତ୍ମ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
