ଶ୍ରୀମଦ୍ ଭଗବଦ୍ ଗୀତା ୧: ୩୭ ଶ୍ଳୋକ : ତସ୍ମାନ୍ନାର୍ହା ବୟଂ ଧାର୍ତରା..
1 min read
ତସ୍ମାନ୍ନାର୍ହା ବୟଂ ଧାର୍ତରା ଧାର୍ତରାଷ୍ଟ୍ରାନ୍ ସବାନ୍ଧବାନ୍ ।
ସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ସ୍ୟାମ ମାଧବ ॥
- ହେ ମାଧବ ! ଏହି ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଆମର ନିଜ ଆତ୍ମୀୟ । ତେଣୁ ସେମାନଙ୍କୁ ହତ୍ୟା କରିବାକୁ ଆମେ ଯୋଗ୍ୟ ନୁହେଁ। ନିଜ ଲୋକଙ୍କୁ ହତ୍ୟା କରି କେମିତି ଆମେ ସୁଖୀ ହୋଇପାରିବୁ ?
- ଶ୍ଳୋକରେ ଅର୍ଜୁନଙ୍କ ଯୁକ୍ତି ଆହୁରି ଭାବପ୍ରବଣ ହୋଇଯାଇଛି । ପୂର୍ବ ଶ୍ଳୋକରେ ସେ “ପାପ” ଓ “ଫଳ” ନେଇ କଥା କହିଥିଲେ; ଏଠାରେ ସେ ରକ୍ତସମ୍ପର୍କ ଓ ଆତ୍ମୀୟତାକୁ ନିଜ ଦ୍ୱନ୍ଦର ମୁଖ୍ୟ କାରଣ ଭାବେ ସମ୍ମୁଖକୁ ଆଣିଛନ୍ତି । “ସ୍ୱବାନ୍ଧବ” ଓ “ସ୍ୱଜନ” ଶବ୍ଦ ଦ୍ୱାରା ସେ ଦର୍ଶାଉଛନ୍ତି ଯେ ଯୁଦ୍ଧଟି କେବଳ ରାଜନୈତିକ ସଂଘର୍ଷ ନୁହେଁ, ଏହା ଏକ ପାରିବାରିକ ବିନାଶ ।
ଅର୍ଜୁନଙ୍କ ମନରେ ସ୍ପଷ୍ଟ ଧାରଣା ହୋଇଛି ଯେ, ନିଜ ଆତ୍ମୀୟଙ୍କୁ ହତ୍ୟା କରି ପ୍ରାପ୍ତ ହେବାକୁ ଥିବା ବିଜୟ କେବେ ସୁଖ ଦେଇପାରିବ ନାହିଁ । ତାଙ୍କର ଏହି ଦୃଷ୍ଟିକୋଣ ଭାରତୀୟ ସଂସ୍କୃତିର କୁଟୁମ୍ବ, ବନ୍ଧୁତ୍ୱ ଓ ଆତ୍ମୀୟତା ମୂଲ୍ୟବୋଧ ସହ ଗଭୀର ଭାବେ ସଂପୃକ୍ତ । ଏଠାରେ ଅର୍ଜୁନ ନୀତିଗତ ନ୍ୟାୟ ଠାରୁ ଅଧିକ ଭାବେ ଆତ୍ମୀୟତାକୁ ମୂଲ୍ୟ ଦେଉଛନ୍ତି । ତାଙ୍କ ମନରେ ଏକ ଗଭୀର ଭୟ – ଯୁଦ୍ଧ ପରେ ଆସୁଥିବା ଦୋଷବୋଧ ଓ ମନୋକ୍ଳେଶ । ଏହା ମାନବ ମନର ସାଧାରଣ ଅନୁଭୂତି । ନିଜ ଲୋକଙ୍କୁ କ୍ଷତି କରି କେହି ମଧ୍ୟ ଆନ୍ତରିକ ସୁଖ ପାଇପାରେନାହିଁ । ଯେଉଁ କର୍ମ ଅନ୍ତରାତ୍ମାକୁ ଆଘାତ ଦିଏ, ସେହି କର୍ମର ଫଳ ସୁଖ ହୋଇପାରେନାହିଁ । ପରିବାରକୁ ଧ୍ଵଂସ କରି ମିଳୁଥିବା ସଫଳତା ଅସ୍ଥାୟୀ । ଅର୍ଜୁନ ଅନୁଭବ କରୁଛନ୍ତି ଯେ ଯଦି ପରିବାର ନାଶ ହୋଇଯାଏ, ତେବେ ଜୀବନର ଆଧାର ହରାଇଯାଏ । ଏହି ଭାବନା ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ – ସମ୍ପତ୍ତି, ପଦବୀ କିମ୍ବା ସତ୍ତା ପାଇଁ ପରିବାର ଭାଙ୍ଗିଲେ, ଶେଷରେ ମନୁଷ୍ୟ ଏକାକୀ ହୋଇଯାଏ ।
ଏହି ଶ୍ଳୋକ ଭାରତୀୟ ସମାଜର ପରିବାରକେନ୍ଦ୍ରିକ ମୂଲ୍ୟବୋଧକୁ ଅତ୍ୟନ୍ତ ସ୍ପଷ୍ଟ କରେ । ପରିବାର କେବଳ ରକ୍ତସମ୍ପର୍କ ନୁହେଁ, ଏହା ମୂଲ୍ୟବୋଧ, ସଂସ୍କାର ଓ ନୀତିର ଆଧାର । ରାଜନୀତି, ସମ୍ପତ୍ତି, ସତ୍ତା କିମ୍ବା ଅହଂକାର ପାଇଁ ପରିବାର ଭାଙ୍ଗିଲେ, ଶେଷରେ ସୁଖ ମିଳେନାହିଁ। ଅର୍ଜୁନଙ୍କ ଦୃଷ୍ଟିରେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ଶତ୍ରୁ ହେଲେ ମଧ୍ୟ “ସ୍ୱଜନ”- ନିଜ ଲୋକ । ତେଣୁ ତାଙ୍କୁ ହତ୍ୟା କରି ମିଳୁଥିବା ଜୟ ତାଙ୍କ ମନରେ ସୁଖ ନୁହେଁ, ଅପରାଧବୋଧ ସୃଷ୍ଟି କରୁଛି ।
ଅର୍ଜୁନ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରଶ୍ନ ଉଠାଉଛନ୍ତି – “ନିଜ ଲୋକଙ୍କୁ ମାରି ଶାସନ କଲେ, ସେ ଶାସନ କେତେ ନୀତିସମ୍ମତ?” ବଳପ୍ରୟୋଗ କରି ହାସଲ କରିଥିବା ସତ୍ତା ଦୀର୍ଘକାଳୀନ ସ୍ଥିରତା ଦେଇପାରେନାହିଁ । ମହାଭାରତର କୁରୁକ୍ଷେତ୍ର ଯୁଦ୍ଧ କେବଳ ମାତ୍ର ଦୁଇ ପକ୍ଷର ସେନା ବାହିନୀଙ୍କ ମଧ୍ୟରେ ସଂଘର୍ଷ ନୁହେଁ, ଏହା ପ୍ରତ୍ୟେକ ମାନବର ମନ, ପରିବାର, ସମାଜ ଓ ସତ୍ତାର ଗଭୀର ସଂଘର୍ଷର ପ୍ରତୀକ। ଏହି ଶ୍ଳୋକରେ ଅର୍ଜୁନ କହୁଛନ୍ତି – “ନିଜ ଆତ୍ମୀୟଙ୍କୁ ହତ୍ୟା କରି ଆମେ କିପରି ସୁଖୀ ହେବୁ?” ଏହି ଶ୍ଳୋକ ମଧ୍ୟରେ ମନୁଷ୍ୟଜୀବନର ତିନିଟି ମୂଳ ସ୍ତମ୍ଭ – ପରିବାର, ସମାଜ ଓ ରାଜନୀତିର ସମ୍ପୂର୍ଣ୍ଣ ସଂକଟ ପ୍ରତିବିମ୍ବିତ ହୋଇଅଛି ।
ପରିବାର ଭାଙ୍ଗିଲେ ସମାଜ ମଧ୍ୟ ଭାଙ୍ଗିଯାଏ । ଅର୍ଜୁନ ଭୟ ଅନୁଭବ କରୁଛନ୍ତି ନିଜ ଲୋକଙ୍କୁ ହତ୍ୟା କରିବା ଦ୍ୱାରା ପରବର୍ତ୍ତୀ କାଳରେ ସମାଜରେ ଏମିତି ଏକ ପରିସ୍ଥିତି ସୃଷ୍ଟି କରିବ, ଯେଉଁଠାରେ ସମ୍ପର୍କ, ମର୍ଯ୍ୟାଦା ଓ ମାନବିକତା ନଥିବ । ସମାଜର ମୂଳଭିତ୍ତି ଯଦି ରକ୍ତପାତ ଉପରେ ଗଢ଼ାଯାଏ, ତେବେ ସେ ସମାଜ ଦୀର୍ଘକାଳ ସ୍ଥିର ରହିପାରିବନାହିଁ । ଅର୍ଜୁନ ପ୍ରଶ୍ନ କରୁଛନ୍ତି- ନିଜ ଆତ୍ମୀୟଙ୍କୁ ହତ୍ୟା କରି ମିଳୁଥିବା ରାଜ୍ୟ କ’ଣ ନୀତିସମ୍ମତ? ବଳ ଦ୍ୱାରା ମିଳୁଥିବା ସତ୍ତାର ନୀତିଗତ ଆଧାର ଦୁର୍ବଳ ହୁଏ । ଅର୍ଜୁନ ଭାବୁଛନ୍ତି, ଯଦି ଶାସନର ଆଧାର ହେଉଛି ନିଜ ଲୋକଙ୍କ ମୃତ୍ୟୁ, ତେବେ ସେ ଶାସନ କେବେ ମଧ୍ୟ ମନୁଷ୍ୟଙ୍କୁ ସୁଖ ଦେଇପାରିବ ନାହିଁ। ଏହା ଆଧୁନିକ ରାଜନୀତିରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ । ହିଂସା, ବିଭେଦ ଓ ଘୃଣା ଉପରେ ନିର୍ମିତ ସତ୍ତା ଦୀର୍ଘକାଳ ତିଷ୍ଠି ରହେନାହିଁ ।
ମନୋବୈଜ୍ଞାନିକ ଭାବେ ଅର୍ଜୁନ ଶତ୍ରୁଙ୍କୁ ଶତ୍ରୁ ଭାବେ ନୁହେଁ, “ନିଜ ଲୋକ” ଭାବେ ଦେଖୁଛନ୍ତି । ଏଠାରେ କରୁଣା ଧୀରେ ଧୀରେ ମୋହର ଆକାର ନେଉଛି, ଯାହା ତାଙ୍କୁ ନିଷ୍ପତ୍ତି ନେବାରେ ଅସମର୍ଥ କରୁଛି । ଅର୍ଜୁନଙ୍କ ମନରେ ପ୍ରଶ୍ନ – “ମୁଁ କିଏ? ଏକ କ୍ଷତ୍ରିୟ ଯୋଦ୍ଧା, ନା କରୁଣାଶୀଳ ମଣିଷ?”ଏହା ଏକ ଗଭୀର ମାନସିକ ଦ୍ଵନ୍ଦ । ଯଦି ସେ ଯୁଦ୍ଧ କରନ୍ତି, ସେ ନିଜର ପ୍ରିୟଜନମାନଙ୍କୁ ହରାଇଦେବେ ବୋଲି ଭୟ । ଏହି ଭୟ ତାଙ୍କୁ ମାନସିକ ଭାବେ ଅଚଳ କରିଦେଇଛି ।
ଗୀତା ୧.୩୭ ସନ୍ଦେଶ ଦିଏ – କେବଳ “ଭଲ ଲାଗୁଛି” ବୋଲି ଭାବି କିଛି କାମ କଲେ ତାହା ସଠିକ କାର୍ଯ୍ୟ ହୋଇଯାଏନାହିଁ । ସେହିପରି କେବଳ “ମନ ମାନୁନାହିଁ” ବୋଲି ଭାବି କର୍ତ୍ତବ୍ୟକୁ ଛାଡ଼ିଦିଆଯାଇ ହେବନାହିଁ । ଏହି ମନୋଦ୍ୱନ୍ଦ୍ୱ ହେଉଛି ଗୀତାର ମନୋବିଜ୍ଞାନିକ ଆଧାର, ଯାହାକୁ ଶ୍ରୀକୃଷ୍ଣ ଜ୍ଞାନ, କର୍ମ ଓ ଭକ୍ତି ଦ୍ୱାରା ସମାଧାନ କରନ୍ତି। ଗୀତା ୧.୩୭ ହେଉଛି; ମନୁଷ୍ୟ ମନର ସତ୍ୟ ଅବସ୍ଥା, ଯାହାକୁ ଅତିକ୍ରମ କରିବା ପାଇଁ ଗୀତା ଜ୍ଞାନ ଦିଏ ।
🌹🙏🌹
ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
