03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରୀମଦ୍‌ ଭଗବଦ୍‌ ଗୀତା ୧: ୨୪ ଶ୍ଳୋକ :ଏବମୁକ୍ତୋ ହୃଷୀକେଶୋ…

1 min read

ସଞ୍ଜୟ ଉଵାଚ
ଏବମୁକ୍ତୋ ହୃଷୀକେଶୋ ଗୁଡାକେଶେନ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍ ॥

  • ସଞ୍ଜୟ କହିଲେ, ହେ ଭରତବଂଶଜ ! ଅର୍ଜୁନଙ୍କ ଅନୁରୋଧ ରକ୍ଷା କରି ଶ୍ରୀକୃଷ୍ଣ ଉଭୟ ସେନାର ମଧ୍ୟଭାଗରେ ସେହି ଶ୍ରେଷ୍ଠ ରଥକୁ ନେଇ ସ୍ଥାପନ କଲେ ।
    ଶ୍ରୀମଦ୍ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟର ୨୪ତମ ଶ୍ଳୋକରେ ଅର୍ଜୁନଙ୍କ ଅନୁରୋଧ କ୍ରମେ ଶ୍ରୀକୃଷ୍ଣ ତାଙ୍କ ରଥକୁ ଦୁଇ ସେନାର ମଧ୍ୟଭାଗରେ ସ୍ଥାପିତ କରୁଛନ୍ତି । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କେବଳ ରଥର ସାରଥୀ ନୁହଁନ୍ତି, ହୃଷୀକେଶ ଭାବରେ ସେ ମନ ଓ ଇନ୍ଦ୍ରିୟଙ୍କ ନିୟନ୍ତ୍ରକ । ନିଦ୍ରାକୁ ଜୟ କରିଥିବାରୁ ଅର୍ଜୁନଙ୍କର ଅନ୍ୟ ନାମ ଗୁଡ଼ାକେଶ । ଅର୍ଜୁନ ନିଦ୍ରା ଅର୍ଥାତ୍ ଅଜ୍ଞନତାକୁ ଜୟ କରିଥିଲେ । ଦୁଇ ସେନାର ମଧ୍ୟଭାଗ ହେଉଛି ଧର୍ମ ଓ ଅଧର୍ମ, ସତ୍ୟ ଓ ମୋହର ମଧ୍ୟବର୍ତ୍ତୀ ସ୍ଥାନ ।
    ପାରିବାରିକ ଜୀବନରେ ଏହି ଶ୍ଳୋକ ଶିକ୍ଷା ଦିଏ – ଜୀବନର ଯୁଦ୍ଧକ୍ଷେତ୍ରରେ ଠିକ୍ ସାରଥୀ (ନୀତି, ବିବେକ, ଆଦର୍ଶ) ଥିଲେ, ନିଷ୍ପତ୍ତି ସଠିକ୍ ହୁଏ । ଅଭିଭାବକ କିମ୍ବା ଗୁରୁ ଯଦି ସାରଥୀ ଭୂମିକା ନେବେ, ସନ୍ତାନ ସଠିକ ଦିଗକୁ ଗତିକରେ । ସେହିପରି ପାରିବାରିକ ଜୀବନରେ ମଧ୍ୟ ଦ୍ୱନ୍ଦ୍ୱ ଥାଏ – ମତଭେଦ, ପିଢ଼ୀ ମଧ୍ୟରେ ଦୂରତା, ଆର୍ଥିକ ଚାପ, ଆଶା ଓ ଆକାଂକ୍ଷା । ଯଦି ପରିବାରରେ ବିବେକ ଓ ନୀତି ସାରଥୀ ହୁଏ, ତେବେ ସମସ୍ୟା ମଧ୍ୟରେ ମଧ୍ୟ ସଠିକ୍ ପଥ ମିଳିଯାଏ ।
    ଗୀତାରେ ବର୍ଣ୍ଣିତ ରଥ ହେଉଛି ମଣିଷର ଜୀବନ, ଅର୍ଜୁନ ହେଉଛନ୍ତି ସାଧାରଣ ମଣିଷ, ଏବଂ କୃଷ୍ଣ ସେହି ଜୀବନର ସାରଥୀ । ଆଧୁନିକ ସମାଜରେ ମଣିଷ ଦୁଇ ପକ୍ଷରେ ଘେରା – ଏକ ପଟେ ସ୍ୱାର୍ଥ, ଲୋଭ, ଅହଂକାର; ଅନ୍ୟ ପଟେ ନୀତି, ଦାୟିତ୍ୱ ଓ ମାନବିକତା । ଏମିତି ସମୟରେ ଜୀବନର ରଥକୁ ମଧ୍ୟଭାଗରେ ଆଣି ସତ୍ୟକୁ ଦେଖିବା ଅତ୍ୟନ୍ତ ଆବଶ୍ୟକ । ଏହି ଶ୍ଳୋକରେ କୃଷ୍ଣଙ୍କୁ “ହୃଷୀକେଶ” ବୋଲି ସମ୍ବୋଧନ କରାଯାଇଛି । ହୃଷୀକେଶ ଅର୍ଥ ହେଉଛି ଇନ୍ଦ୍ରିୟମାନଙ୍କ ନିୟନ୍ତ୍ରକ । ଏଠାରେ ଗୀତା ସ୍ପଷ୍ଟ କରୁଛି ଯେ ଯୁଦ୍ଧ ବାହାରେ ନୁହେଁ, ଯୁଦ୍ଧ ପ୍ରଥମେ ମଣିଷର ମନ ଭିତରେ ଘଟେ । ଅର୍ଜୁନ ନିଜ ଶାରୀରିକ ଶକ୍ତିରେ ସକ୍ଷମ, କିନ୍ତୁ ମାନସିକ ଦ୍ୱନ୍ଦ୍ୱରେ ଆବଦ୍ଧ । ସେଇ ମୁହୂର୍ତ୍ତରେ ଇନ୍ଦ୍ରିୟନିୟନ୍ତ୍ରଣର ପ୍ରତୀକ କୃଷ୍ଣ ତାଙ୍କ ସାରଥୀ । ଆଜିର ସମାଜରେ ରାଜନୀତି, ଅର୍ଥନୀତି ଓ ସାମାଜିକ ଜୀବନରେ ମୂଲ୍ୟବୋଧର ଅଭାବ ଦେଖାଯାଉଛି । ଯଦି ବିବେକ ଓ ନୀତି ସାରଥୀ ହୁଅନ୍ତି, ସମାଜ ଧ୍ୱଂସ ନୁହେଁ, ସମୃଦ୍ଧିର ପଥରେ ଆଗେଇଯିବ ।
    ମଧ୍ୟଭାଗ ମାନେ କୌଣସି ପକ୍ଷପାତ ନୁହେଁ । ଏହା ହେଉଛି ବିବେକର ସ୍ଥାନ । ଗୀତା ଏଠାରେ ଅନ୍ଧ ଆସ୍ଥା କିମ୍ବା ଭାବାବେଗକୁ ଅସ୍ୱୀକାର କରି ସଚେତନ ଦୃଷ୍ଟିକୁ ଗୁରୁତ୍ୱ ଦେଇଛି । ନିଷ୍ପତ୍ତି ନେବା ପୂର୍ବରୁ ସମ୍ପୂର୍ଣ୍ଣ ସତ୍ୟକୁ ମୁହାଁମୁହିଁ ହେବା – ଏହା ଗୀତାର ମୌଳିକ ଶିକ୍ଷା । ଏହା ଆମକୁ ଜଣାଏ ଯେ ଜୀବନର ସଠିକ୍ ନିଷ୍ପତ୍ତି ନେବା ପାଇଁ ପ୍ରଥମେ ସତ୍ୟର ସମ୍ମୁଖୀନ ହେବା ଆବଶ୍ୟକ। ଯେଉଁଠାରେ ବିବେକ ସାରଥୀ, ସେଠାରେ କର୍ମ ଧର୍ମମୟ ହୁଏ – ଏହି ହେଉଛି ଗୀତା ୧.୨୪ ର ଚିରନ୍ତନ ସମୀକ୍ଷାତ୍ମକ ସନ୍ଦେଶ।
    🌹🙏🌹
  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply