03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭: ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ

1 min read

ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଦୃଢ଼ୋକ୍ତି

  • ଦେଶର ଅର୍ଥନୀତି, ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫିତି, ଏଫଡିଆଇ ଓ ଆଗାମୀ ଦିନର ଯୋଜନା ଉପରେ ଆଲୋକପାତ
  • ୫ ନମ୍ବର ଜାତୀୟ ଜଳପଥର ବିକାଶ, ‘ରେୟାର ଆର୍ଥ କରିଡର’ ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ନୂଆ ସ୍ତରକୁ ନେବ
  • ‘ଇଷ୍ଟ-କୋଷ୍ଟ ଡେଭଲପମେଣ୍ଟ କରିଡର’ ଦ୍ୱାରା ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହେବ
  • ୧୫ ଲକ୍ଷ କେନ୍ଦୁପତ୍ର ଶ୍ରମିକ, ଜନଜାତି ଭାଇଭଉଣୀଙ୍କ ଜୀବନରେ ବଜେଟ୍ ଏକ ବଡ଼ ପରିବର୍ତ୍ତନ ଆଣିବ
  • ଗହିରମଥା ପରି ସ୍ଥାନରେ ‘ଟର୍ଟଲ ଟ୍ରେଲ୍ସ’ ଭଳି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ନୂତନ ପରିଚୟ ଦେବ

ଭୁବନେଶ୍ୱର,//TATKAL ODISHA//
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ ‘ବିକଶିତ ଭାରତ’ ଗଠନର ଏକ ବଳିଷ୍ଠ ଆଧାର । ଏଥିରେ ଓଡ଼ିଶା ବ୍ୟାପକ ଭାବେ ଉପକୃତ ହେବ। ରାଜ୍ୟର କୃଷି ଭିତ୍ତିଭୂମିର ସୁଦୃଢ଼ୀକରଣ, ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିଶ୍ୱସ୍ତରୀୟ ବିକାଶ ପାଇଁ ଏଥିରେ ବିଶେଷ ପ୍ରାଥମିକତା ଦିଆଯାଇଛି। ‘ପୂର୍ବୋଦୟ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ଦେଶର ବିକାଶର ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ପାଇଁ ରେକର୍ଡ ସଂଖ୍ୟକ ୧୦,୯୨୮ କୋଟି ଟଙ୍କାର ରେଳ ବଜେଟ୍ ଅନୁଦାନ ପ୍ରଦାନ କରାଯାଇଛି, ଯାହା ୨୦୦୯-୧୪ ର ହାରାହାରି ଅନୁଦାନ ତୁଳନାରେ ପ୍ରାୟ ୧୩ ଗୁଣ ଅଧିକ । ଅପରପକ୍ଷରେ ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୋଳ ଠାରୁ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ ‘ରେୟାର ଆର୍ଥ କରିଡର’ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ । ଏହି ବଜେଟରେ ‘ନ୍ୟୁ ଏଜ୍ ଇକୋନୋମି’ ବା ନୂତନ ଯୁଗର ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ନୂତନ ଜ୍ଞାନକୌଶଳ ଓ ଖଣିଜ ସମ୍ପଦର ସଦୁପଯୋଗ ଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ଅନେକ ନୂଆ ସୁଯୋଗ ସୃଷ୍ଟି ହେବ । ରାଜ୍ୟରେ ଜଳ ସେଚନର ସୁବିଧା ପାଇଁ ଜଳାଶୟ ଓ ଅମୃତ ସରୋବରର ବିକାଶ କରାଯିବ, ଯାହା କେବିକେ ଜିଲ୍ଲାଗୁଡ଼ିକ ପାଇଁ ବରଦାନ ସଦୃଶ ହେବ।


ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତିରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍‌, ସବକା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ଏହି ବଜେଟ୍‌, ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବା ସହ ଶିକ୍ଷା, କୃଷି ଓ ପର୍ଯ୍ୟଟନ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଏହି ବଜେଟ୍ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୬.୮% ରୁ ୭.୨% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏହା ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବା ସହ ଏକ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରୁଛି । ୨୦୧୩-୧୪ରେ ଦେଶର ରପ୍ତାନୀ ପରିମାଣ ୪୬୬.୨୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଆଜି ମୋଦୀ ସରକାରରେ ତାହା ୭୭ ପ୍ରତିଶତ ବଢି ୮୨୪.୯ ବିଲିୟନ ଆମେରିକୀୟ ଡଲାର ହୋଇଛି ।

ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫଡିଆଇ ୨୦୧୩-୧୪ ବର୍ଷରେ ୩୬.୦୫ ବିଲିୟନ ଆମେରିକୀୟ ଡଲାର ଥିଲା। ଏହି ସଂଖ୍ୟା ଦୁଇ ଗୁଣା ହୋଇ ୮୧.୦୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶର ଜିଡିପି ହାର ୨୦୧୪-୧୫ରେ ୧୦୬.୫୭ କୋଟିରୁ ତିନିଗୁଣା ବଢି ୩୩୧.୦୩ କୋଟି ହୋଇଛି । ଆମ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର (ଫରେକ୍ସ ରିଜର୍ଭ) ୬୯୭.୯ ବିଲିୟନ ଆମେରିକୀୟ ଡଲାର ବଢିଛି । ମୁଦ୍ରା ସ୍ଫିତି ନିୟନ୍ତ୍ରଣ ହୋଇଛି । ୨୦୨୦ରେ ଜିଏସଟି କଲେକ୍ସନ ୧୧ ଲକ୍ଷ କୋଟି ହୋଇଥିବା ବେଳେ ଏବେ ତାହା ବଢି ୨୨ ଲକ୍ଷ କୋଟି ହୋଇଛି। ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମ ବିଶ୍ୱରେ ତୃତୀୟ ହୋଇଛି । ମୋଦୀ ସରକାରରେ ଲୋକଙ୍କ ଜନଜୀବନ ସହଜ ହୋଇଛି । ୨୦୩୫ ସୁଦ୍ଧା ଏଆଇ ୧.୭ ଟ୍ରିଲିୟନ ଡଲାର ଯୋଗଦାନ କରିବାର ଲକ୍ଷ୍ୟ ରଖାଯାଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚଳିତ ବଜେଟରେ ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦ କୋଟି ଟଙ୍କାର ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’ ମିଶନର ଶୁଭାରମ୍ଭ କରାଯାଇଛି। ଶ୍ରମ-ଭିତ୍ତିକ ବୟନ ଶିଳ୍ପ ଏବଂ ଖଦି-ହସ୍ତଶିଳ୍ପର ବିକାଶ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ’ ଅଭିଯାନ ଘୋଷଣା କରାଯାଇଛି। ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଗ୍ରୋଥ୍ ଫଣ୍ଡ୍ ଗଠନ କରାଯାଇଛି। ଯୁବପିଢ଼ିଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ‘ଇଟୁଇ’ (ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗ) ମାନକ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି । ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ‘ଏଭିଜିସି’ (ଆନିମେସନ୍‌, ଗେମିଂ) ଲ୍ୟାବ୍ ପ୍ରତିଷ୍ଠା ହେବ । ଛାତ୍ରୀମାନଙ୍କୁ ଷ୍ଟେମ ଶିକ୍ଷାରେ ସହାୟତା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ କରାଯିବ ।

ଶିକ୍ଷା ଓ ଚିକିତ୍ସା ଉଦ୍ଦେଶ୍ୟରେ ବିଦେଶକୁ ଅର୍ଥ ପ୍ରେରଣ ଉପରେ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରାଯାଇଛି । ଏହି ବଜେଟ୍ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦକୁ ୧୧ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ପ୍ରଗତି ପଥକୁ ପ୍ରଶସ୍ତ କରିବ। ଦେଶରେ ୭ଟି ହାଇ-ସ୍ପିଡ୍ ରେଳ କରିଡର ସହ ପର?୍ୟ୍ୟଟନର ବିକାଶ ପାଇଁ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ଗଠନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ସ୍ଥାପନ ହେବ। ଏହି ବଜେଟ୍ ସାମଗ୍ରିକ ଭାବେ ଏକ ସମୃଦ୍ଧ ଓ ସଶକ୍ତ ଭାରତ ଗଠନରେ ସହାୟକ ହେବ ।


ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ପ୍ରାୟ ୧୫ ଲକ୍ଷ କେନ୍ଦୁପତ୍ର ଶ୍ରମିକ ଓ ଜନଜାତି ଭାଇଭଉଣୀଙ୍କ ଜୀବନରେ ଏହି ବଜେଟ୍ ଏକ ବଡ଼ ପରିବର୍ତ୍ତନ ଆଣିବ । କେନ୍ଦୁପତ୍ର ଉପରେ ଟିକସ ୫% ରୁ ୨% କୁ ହ୍ରାସ କରାଯିବା ଦ୍ୱାରା ସମ୍ବଲପୁରଠାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଶ୍ରମିକମାନେ ଉପକୃତ ହେବେ । ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଓ କୋକୋ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସରକାରଙ୍କ ଗରିବ ଓ ଚାଷୀ କଲ୍ୟାଣର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକୁ ଷ୍ଟାର୍ଟଅପ୍ ମାଧ୍ୟମରେ ବଜାର ସହ ଯୋଡିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ଚାଷକୁ ସୁଦୃଢ଼ କରାଯିବ । ଏହି ପଦକ୍ଷେପ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆୟ ବୃଦ୍ଧି କରିବା ସହ ବ୍ଲୁ ଇକୋନୋମୀକୁ ଅଧିକ ସୁଦୃଢ଼ କରିବ

ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ସମୁଦ୍ର କୂଳରେ ଗହିରମଥା ପରି ସ୍ଥାନଗୁଡ଼ିକରେ ‘ଟର୍ଟଲ ଟ୍ରେଲ୍ସ’ ଭଳି ପ୍ରକଳ୍ପ ରାଜ୍ୟ ପର?୍ୟ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ଅର୍ଥନୀତିକୁ ମଜଭୂତ କରିବ । ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ମୋଦୀ ସରକାର ଏହି ବଜେଟରେ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି।

Share

Leave a Reply