ଶ୍ରୀମଦ୍ ଭଗବଦ୍ ଗୀତା ୧: ୩୬ ଶ୍ଳୋକ :ନିହତ୍ୟ ଧାର୍ତରାଷ୍ଟ୍ରାନ୍ ନଃ କା ପ୍ରୀତିଃ…
1 min read
ନିହତ୍ୟ ଧାର୍ତରାଷ୍ଟ୍ରାନ୍ ନଃ କା ପ୍ରୀତିଃ ସ୍ୟାଜ୍ଜନାର୍ଦନ ।
ପାପମେବାଶ୍ରୟେଦସ୍ମାନ୍ ହତ୍ୱୈତାନାତତାୟିନଃ ॥
- ହେ ଜନାର୍ଦନ (ଶ୍ରୀକୃଷ୍ଣ) ! ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ବଧ କରି ଆମେ କେଉଁ ସୁଖ ପାଇବୁ ? ଏହି ଆକ୍ରମଣକାରୀମାନଙ୍କୁ ମାରିଲେ ମଧ୍ୟ ଆମକୁ ପାପ ଲାଗିବ ।
ଏହି ଶ୍ଳୋକରେ ଅର୍ଜୁନ ଯୁଦ୍ଧକୁ ନେଇ ନୀତିଗତ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଅର୍ଜୁନ କହୁଛନ୍ତି – ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ବଧ କରି ଆମେ କେଉଁ ସୁଖ ପାଇବୁ ? ସେମାନେ ଆତତାୟୀ ହେଲେ ମଧ୍ୟ, ସେମାନଙ୍କୁ ମାରିଲେ ଆମ ଉପରେ ପାପ ଆସିବ। ଏଠାରେ ଅର୍ଜୁନଙ୍କ ମନ ଧର୍ମ ଓ କରୁଣା ମଧ୍ୟରେ ଦୋଳାୟମାନ । ଶାସ୍ତ୍ର ଅନୁସାରେ ଆତତାୟୀଙ୍କ ବଧ ଧର୍ମସମ୍ମତ। କିନ୍ତୁ ଅର୍ଜୁନଙ୍କ ହୃଦୟ ଏହାକୁ ଗ୍ରହଣ କରିପାରୁନାହିଁ । ତାଙ୍କ ଦୃଷ୍ଟିରେ ଧର୍ମ କେବଳ ନିୟମ ନୁହେଁ, ଧର୍ମ ମାନେ କରୁଣା, ମାନବିକତା ଓ ଆତ୍ମସନ୍ତୋଷ । ଯେଉଁ କର୍ମର ଫଳ ଅନ୍ତରାତ୍ମାକୁ ଯନ୍ତ୍ରଣା ଦିଏ, ସେ କର୍ମକୁ ସେ ଧର୍ମ ବୋଲି ମାନୁନାହାନ୍ତି । ଏଠାରେ ଅର୍ଜୁନ କହୁଛନ୍ତି; ବିଜୟ, ରାଜ୍ୟ, ସୁଖ – ଏସବୁ ଯଦି ରକ୍ତରଂଜିତ ହୋଇଥାଏ , ତେବେ ସେଗୁଡିକର ମୂଲ୍ୟ କଣ ? ଏହା ମାନବ ମୂଲ୍ୟବୋଧର ଗଭୀର ପ୍ରଶ୍ନ । - ଅର୍ଜୁନଙ୍କ ବୁଦ୍ଧି କହୁଛି, କୌରବମାନେ ଆତତାୟୀ । କିନ୍ତୁ ତାଙ୍କ ହୃଦୟ କହୁଛି; ସେମାନଙ୍କୁ ହତ୍ୟା କଲେ ପାପ ଲାଗିବ । ଏହି ଦ୍ୱନ୍ଦ୍ୱ ଆଧୁନିକ ମଣିଷର ମନସ୍ଥିତି ସହ ସମାନ । ଆମେ ମଧ୍ୟ ଅନେକ ସମୟରେ ନ୍ୟାୟ ପାଇଁ କଠୋର ନିଷ୍ପତ୍ତି ନେବାକୁ ଭୟ କରୁ, କାରଣ ଭାବନା ଆମ ବୁଦ୍ଧିକୁ ଆବୃତ କରିଦିଏ । ଅର୍ଜୁନଙ୍କ ଏହି ମନୋଭାବକୁ ନିଷ୍ପତ୍ତି ନେବାରେ ଅକ୍ଷମତା ବୋଲି କୁହାଯାଇପାରେ; ଯେଉଁଠାରେ ଅତ୍ୟଧିକ ନୀତିଗତ ଚିନ୍ତା ମଣିଷକୁ କାର୍ଯ୍ୟହୀନ କରିଦିଏ ।
- ଏହି ଶ୍ଳୋକରେ ଅର୍ଜୁନଙ୍କ ମନରେ ପାରିବାରିକ ସମ୍ପର୍କର ଭାର ସ୍ପଷ୍ଟ । କୌରବମାନେ ଯଦିଓ ଅନ୍ୟାୟୀ, ତଥାପି ସେମାନେ ତାଙ୍କର ନିଜ ଲୋକ- ଭାଇ, ମାମୁଁ, ଗୁରୁଜନ । ପାରିବାରିକ ଜୀବନରେ ମଧ୍ୟ ଏପରି ପରିସ୍ଥିତି ଦେଖାଯାଏ । ଜଣେ ଭୁଲ୍ କରୁଥିବା ସନ୍ତାନକୁ ଶାସନ କରିବାରେ ଅଭିଭାବକ ଦ୍ୱିଧାରେ ପଡ଼ନ୍ତି । ପରିବାରର ଅନ୍ୟାୟକୁ ଜାଣିଥିଲେ ମଧ୍ୟ “ରକ୍ତ ସମ୍ପର୍କ” ଦୃଷ୍ଟିରୁ ଚୁପ୍ ରହିଯାନ୍ତି । ଆଜିର ପାରିବାରିକ ଜୀବନରେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ଅନ୍ୟାୟକୁ ଜାଣିଥିଲେ ମଧ୍ୟ ସମ୍ପର୍କ ରକ୍ଷା ପାଇଁ ନୀରବତା ଅବଲମ୍ବନ କରିବାକୁ ପଡେ ।
- ଅର୍ଜୁନଙ୍କ ପ୍ରଶ୍ନ ଏଠାରେ – ପରିବାର ରକ୍ଷା ନା ଧର୍ମ ରକ୍ଷା ? ଏହା ଏକ ଶାଶ୍ୱତ ମାନବୀୟ ଦ୍ୱନ୍ଦ୍ୱ । ଅର୍ଜୁନ କହୁଛନ୍ତି – ଏପରି ବିଜୟରୁ କ’ଣ ସୁଖ ମିଳିବ? ଆଧୁନିକ ରାଜନୀତିରେ ମଧ୍ୟ; ହିଂସା, ଦମନ, ବଳପୂର୍ବକ ଶାସନ ଦ୍ୱାରା ମିଳୁଥିବା ସତ୍ତା ଦୀର୍ଘକାଳୀନ ନୁହେଁ । “ରାଷ୍ଟ୍ରହିତ” ନାମରେ ଯଦି ମାନବିକତା ନଷ୍ଟ ହୁଏ, ତେବେ ସେହି ବିଜୟ ଅର୍ଥହୀନ । ଆଜିର କର୍ପୋରେଟ୍, ପ୍ରଶାସନିକ ଓ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅର୍ଜୁନଙ୍କ ପ୍ରଶ୍ନ ଲାଗୁହୁଏ । ସଫଳତା ପାଇଁ ଅନ୍ୟାୟ କଲେ ମନ ମାନେ କି ? ଆର୍ଥିକ ଲାଭ ପାଇଁ ନୀତି ବଳିଦାନ ଯୋଗ୍ୟ କି ? ଅନ୍ତରାତ୍ମାର ବିରୋଧରେ ମିଳୁଥିବା ସୁଖ, ଶେଷରେ ଦୁଃଖକୁ ଜନ୍ମ ଦିଏ ।
- ଅର୍ଜୁନଙ୍କ ମନରେ ବୁଦ୍ଧି କହୁଛି – “ଯୁଦ୍ଧ ଧର୍ମସମ୍ମତ”, କିନ୍ତୁ ଭାବନା କହୁଛି -“ହତ୍ୟା ପାପ”। ଏହି ବିରୋଧାଭାସ ମନକୁ ଅସ୍ଥିର କରୁଛି । ମନସ୍ତାତ୍ଵିକ ଦୃଷ୍ଟିକୋଣରୁ ଅର୍ଜୁନ ଭାବନାତ୍ମକ ମନ ଓ ତାର୍କିକ ମନ ମଧ୍ୟରେ ଫସିଯାଇଛନ୍ତି । ଅତ୍ୟଧିକ ନୀତିଗତ ଚିନ୍ତା ଅର୍ଜୁନକୁ ନିଷ୍ପତ୍ତି ନେବାରେ ଅକ୍ଷମତା ଅବସ୍ଥାରେ ପହଞ୍ଚାଇ ଦେଇଛି । କରିଲେ ପାପ, ନ କରିଲେ ଅଧର୍ମ – ଏହି ଦୁଇ ଭୟ ମଧ୍ୟରେ ତାଙ୍କ ମନ ଅଚଳ । ଅର୍ଜୁନ ଏକ ଯୋଦ୍ଧା, କିନ୍ତୁ ଏହି ମୁହୂର୍ତ୍ତରେ ସେ ନିଜକୁ ଯୋଦ୍ଧା ଭାବେ ଗ୍ରହଣ କରିପାରୁ ନାହାଁନ୍ତି।“ମୁଁ କିଏ – ନ୍ୟାୟର ରକ୍ଷକ, ନା ପରିବାରର ସଦସ୍ୟ?” ଏହି ପ୍ରଶ୍ନ ତାଙ୍କୁ ବ୍ୟକ୍ତିତ୍ୱ ସଙ୍କଟ ଭିତରକୁ ଠେଲିଦେଉଛି । ଆଜିର ମଣିଷ ମଧ୍ୟ ଏହି ଅବସ୍ଥା ଅନୁଭବ କରେ – କାର୍ଯ୍ୟକ୍ଷେତ୍ରରେ କଠୋର ନିଷ୍ପତ୍ତି, ପରିବାରରେ ଅସୁବିଧାଜନକ ସତ୍ୟ, ସମାଜରେ ଅନ୍ୟାୟ ବିରୋଧରେ ସ୍ୱର – ସବୁଠାରେ ଅର୍ଜୁନ ଆମ ମନରେ ବସିରହିଥାନ୍ତି।
- ଗୀତା ୧.୩୬ ଏକ ମନୋବୈଜ୍ଞାନିକ ଦଲିଲ । ଏହା ପ୍ରତିପାଦିତ କରେ ଯେ, ମଣିଷ ଯେତେବେଳେ କେବଳ ଭାବନା ଆଧାରରେ ନୀତିକୁ ବିଚାର କରେ, ସେତେବେଳେ ମନ ଦୁର୍ବଳ ହୁଏ । ଶ୍ରୀକୃଷ୍ଣଙ୍କ ଉପଦେଶ ଏହି ମନସ୍ତାତ୍ଵିକ ସଂକଟର ଚିକିତ୍ସା। ଗୀତାର ଯୁଦ୍ଧ ଭୂମି ଅସଲରେ ମଣିଷର ମନ ମଧ୍ୟରେ ଚାଲିଥିବା ଯୁଦ୍ଧ ।
🌹🙏🌹 - ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
