ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ।ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ॥
1 min read
Oplus_16908288
ଶ୍ରୀମଦ୍ ଭଗବଦ୍ ଗୀତା ୩:୩୮ ଶ୍ଳୋକ :
ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ ।
ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ॥
ଯେପରି ଧୂଆଁ ଦ୍ୱାରା ଅଗ୍ନି ଆବୃତ ହୋଇଥାଏ, ଧୂଳି ଦ୍ୱାରା ଦର୍ପଣ ଢାଙ୍କି ହୋଇଥାଏ ତଥା ଉଲ୍ୱା(ଝିଲ୍ଲୀ) ଦ୍ୱାରା ଗର୍ଭ ଆବୃତ ରହେ, ସେହିପରି ଜ୍ଞାନ କାମନା ଦ୍ୱାରା ଆବୃତ ହୋଇଯାଏ ।
ଏଠାରେ ତିନୋଟି ଉପମା ଦିଆଯାଇଛି । ପ୍ରଥମ ଉପମା – ଧୂଆଁ ଦ୍ୱାରା ଅଗ୍ନିର ଆବରଣ । ଅଗ୍ନିର ଶକ୍ତି ଅବିକଳ ରହେ, କିନ୍ତୁ ଧୂଆଁ ତାହାର ଆଲୋକକୁ ଧୂସର କରେ । ଏହା ସୂଚାଏ ଯେ ମନୁଷ୍ୟର ଜ୍ଞାନ ସଦା ରହିଥାଏ, କିନ୍ତୁ ସାନ୍ତ କାମନା ତାହାକୁ ଅଳ୍ପ ସମୟ ପାଇଁ ଆବୃତ କରେ। ଯେପରି ଧୂଆଁ ହଟିଲେ ଅଗ୍ନି ପୁନଃ ପ୍ରକାଶିତ ହୁଏ, ସେହିପରି ଅଳ୍ପ ଆସକ୍ତି ଦୂର କଲେ ଜ୍ଞାନ ପୁନଃ ଉଜ୍ଜ୍ୱଳ ହୁଏ । ଦ୍ୱିତୀୟ ଉପମା- ଧୂଳି ଦ୍ୱାରା ଆଇନା ଆବୃତ ହେବା । ଆଇନାରେ ପ୍ରତିବିମ୍ବ ଦେଖାଯାଏ, କିନ୍ତୁ ଧୂଳି ଲାଗିଲେ ସେହି ପ୍ରତିବିମ୍ବ ଅସ୍ପଷ୍ଟ ହୁଏ । ଏହା ଦୃଢ଼ ଆସକ୍ତିର ପ୍ରତୀକ । ମନୁଷ୍ୟ ଯେତେବେଳେ ଇନ୍ଦ୍ରିୟ ସୁଖରେ ଆସକ୍ତ ହୁଏ, ତାହାର ବିବେକଶକ୍ତି ଧୀରେ ଧୀରେ ଧୂସର ହୋଇଯାଏ । ସଠିକ୍ ଓ ଭୁଲର ଭେଦ ଧରିବା କଷ୍ଟକର ହୁଏ । ତୃତୀୟ ଉପମା – ଗର୍ଭ ଉଲ୍ୱା ଦ୍ୱାରା ଆବୃତ । ଏହା ସବୁଠୁ ଗଭୀର ଆବରଣର ପ୍ରତୀକ । ଏଠାରେ ଜ୍ଞାନ ପ୍ରାୟଃ ସମ୍ପୂର୍ଣ୍ଣ ଭାବେ ଢାଙ୍କିଯାଏ ।

ଗଭୀର କାମନା ଓ ଅଜ୍ଞାନ ମନୁଷ୍ୟକୁ ସତ୍ୟରୁ ଦୂରେଇ ନେଇଯାଏ । ସେ ନିଜର ଆତ୍ମସ୍ୱରୂପକୁ ଭୁଲିଯାଏ ଓ ବାହ୍ୟ ଭୋଗବିଲାସରେ ଲୀନ ରହେ ।
ଧୂଆଁ ପରି କାମନା ସ୍ୱଳ୍ପ ହେଲେ ଜ୍ଞାନ ଅଳ୍ପ ପ୍ରଭାବିତ ହୁଏ । ଧୂଳି ପରି ଆସକ୍ତି ବୃଦ୍ଧି ପାଇଲେ ଜ୍ଞାନ ଧୂସର ହୁଏ । ଗର୍ଭ ପରି ଗଭୀର ଅଜ୍ଞାନ ହେଲେ ଜ୍ଞାନ ପ୍ରାୟଃ ଅପ୍ରକାଶିତ ରହେ । ଏହା ପ୍ରତିପାଦିତ କରେ ଯେ, ମନୁଷ୍ୟର ଆତ୍ମସ୍ୱରୂପ ସଦା ଉଜ୍ଜ୍ୱଳ, କିନ୍ତୁ କାମ (ଇଚ୍ଛା) ତାହାକୁ ଆବୃତ କରେ । ଧୂଆଁ ପରି ସ୍ୱଳ୍ପ ଇଚ୍ଛା ମନକୁ ଅସ୍ଥିର କରେ । ଧୂଳି ପରି ଦୃଢ଼ ଆସକ୍ତି ବ୍ୟକ୍ତିତ୍ୱକୁ ଆବୃତ କରେ । ଗଭୀର କାମନା ମନକୁ ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଦିଏ । ଜ୍ଞାନ ସ୍ୱଭାବତଃ ଉଜ୍ଜ୍ୱଳ, କିନ୍ତୁ କାମନା ତାହାକୁ ଆବୃତ କରେ। ଯେପରି ଧୂଳି ହଟାଇଲେ ଆଇନା ସ୍ପଷ୍ଟ ହୁଏ, ସେହିପରି ଆତ୍ମଚିନ୍ତନ, ସଂଯମ ଓ ସାଧନା ଦ୍ୱାରା ଜ୍ଞାନ ପୁନଃ ପ୍ରକାଶିତ ହୁଏ ।
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
