ଶ୍ରୀମଦ୍ ଦ୍ଭଗବଦ୍ ଗୀତା ୩:୩୬ ଶ୍ଳୋକ : ଅଥ କେନ ପ୍ରୟୁକ୍ତୋଽୟଂ..
1 min read
Oplus_16908288
ଅର୍ଜୁନ ଉଵାଚ
ଅଥ କେନ ପ୍ରୟୁକ୍ତୋଽୟଂ ପାପଂ ଚରତି ପୁରୁଷଃ ।
ଅନିଚ୍ଛନ୍ନପି ବାର୍ଷ୍ଣେୟ ବଲାଦିବ ନିୟୋଜିତଃ ॥
ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ – ହେ ବାର୍ଷ୍ଣେୟ (ଵୃଷ୍ଣି ବଂଶରେ ଜନ୍ମିତ ହୋଇଥିବାରୁ) ! ମଣିଷ ବଳପୂର୍ବକ ବାଧ୍ୟହୋଇ ନିଜ ଇଚ୍ଛା ନଥିଲେ ମଧ୍ୟ କାହିଁକି ପାପ କରେ ? କିଏ ତା’କୁ ବଳପୂର୍ବକ ପାପ କରିବାକୁ ବାଧ୍ୟ କରେ ?
ଏହି ପ୍ରଶ୍ନଟି ଅର୍ଜୁନଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ପଚରାଯାଇଛି । କିନ୍ତୁ ଏହା କେବଳ ଅର୍ଜୁନଙ୍କ ପ୍ରଶ୍ନ ନୁହେଁ; ଏହା ସମସ୍ତ ବିବେକବାନ୍ ମାନବଜାତିର ଚିରନ୍ତନ ପ୍ରଶ୍ନ । ଏପରି କୌଣସି ମନୁଷ୍ୟ ସଂସାରରେ ନାହିଁ, ଯାହାକୁ ଭଲ ଓ ମନ୍ଦ, ପାପ ପୁଣ୍ୟ ଇତ୍ୟାଦି ଅନୁଭବ ନ ହେଉଛି । ବୁଦ୍ଧି ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଜାଣିପାରେ ପୁଣ୍ୟ କ’ଣ ? କିନ୍ତୁ ଯେତେବେଳେ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହୁଏ, ସେତେବେଳେ ପାପରେ ହିଁ ତା’ର ପ୍ରବୃତ୍ତି ବଢିବାକୁ ଲାଗେ ।
ଯେତେବେଳେ ବୁଦ୍ଧି କହେ – “ଏହା ଭୁଲ୍”, ମନ କହେ – “ଏହାକୁ ଏବେ କର।” ଏହି ଅନ୍ତର୍ଦ୍ୱନ୍ଦ୍ୱ ମାନବଜୀବନର ଏକ ସାଧାରଣ ଅନୁଭବ ।
ମଣିଷର ମନରେ ଇଚ୍ଛା, ବାସନା ଓ ଭାବନାର ଶକ୍ତି ବହୁତ ପ୍ରବଳ। ଏହି ବାସନା କେବେ କେବେ ବୁଦ୍ଧିକୁ ଆବରଣ କରି ଦେଇଥାଏ । ଯେପରି, ରାଗ ଆସିଲେ ମଣିଷ ନିଜ ନିୟନ୍ତ୍ରଣ ହରାଇଦିଏ । ଲୋଭ ଆସିଲେ ନୈତିକତା ଦୂରେଇ ଯାଏ । ଏହି ଶ୍ଳୋକ ଆମକୁ ସୂଚନା ଦିଏ ଯେ, ମଣିଷର ଅନ୍ତରରେ ଏମିତି ଏକ ଶକ୍ତି ଅଛି, ଯାହା ତା’କୁ ବଳପୂର୍ବକ ଭୁଲ୍ ପଥରେ ନେଇଯାଏ । ଯଦି ମଣିଷ ଇଚ୍ଛା ନଥିଲେ ମଧ୍ୟ ପାପ କରୁଛି, ତେବେ ସେ କ’ଣ ସତରେ ସ୍ୱାଧୀନ ? ମଣିଷ କେବଳ ବାହ୍ୟ ପରିସ୍ଥିତିରେ ନୁହେଁ, ତା’ ଭିତରେ ଥିବା ବାସନା ଓ କାମନା ଦ୍ୱାରା ମଧ୍ୟ ପ୍ରଭାବିତ ।

ସତ୍ୟ ସ୍ୱାଧୀନତା ସେତେବେଳେ ଆସେ, ଯେତେବେଳେ ମଣିଷ ନିଜ ଅନ୍ତରକୁ ଜିତିପାରେ । ଏହି ଶ୍ଳୋକ ମାନବ ମନର ଗଭୀର ସତ୍ୟକୁ ପ୍ରକାଶ କରେ । ମଣିଷ ସବୁବେଳେ ନିଜ ଇଚ୍ଛାର ମାଲିକ ନୁହେଁ, ଭିତରର ବାସନା ତାକୁ ନିୟନ୍ତ୍ରଣ କରେ । ଏହାକୁ ବୁଝିବା ହିଁ ଆତ୍ମଜ୍ଞାନର ଆରମ୍ଭ ।
ମନୋବିଜ୍ଞାନ ଅନୁସାରେ ମଣିଷର ମନ ଦୁଇଟି ସ୍ତରରେ କାମ କରେ । ପ୍ରଥମଟି ହେଲା ବୁଦ୍ଧି – ଯାହା ଠିକ୍ ଓ ଭୁଲକୁ ବିଚାର କରେ । ଦ୍ଵିତୀୟଟି ହେଲା ଭାବନା ଓ ବାସନା – ଯାହା ତତ୍ କ୍ଷଣିକ ସୁଖ ଓ ସନ୍ତୋଷକୁ ଚାହେଁ । ଯେତେବେଳେ ଭାବନା ବହୁତ ପ୍ରବଳ ହୁଏ, ସେତେବେଳେ ବୁଦ୍ଧି ଦୁର୍ବଳ ହୋଇଯାଏ । ଏହି ସମୟରେ ମଣିଷ ଜାଣିଥିଲେ ମଧ୍ୟ ଭୁଲ୍ କାମ କରେ । ଏହାବ୍ୟତୀତ ମଣିଷର ଅନେକ କାର୍ଯ୍ୟ ସଚେତନ ଭାବରେ ନୁହେଁ, ଅଚେତନ ମନ ଦ୍ୱାରା ପ୍ରଭାବିତ ହୁଏ । ପୂର୍ବ ଅଭ୍ୟାସ, ଦମିତ ଇଚ୍ଛା, ଓ ଗଭୀର ବାସନା ଅଚେତନ ମନରେ ସଂଗ୍ରହିତ ହୋଇ ରହେ ।
ସୁଯୋଗ ମିଳିଲେ ସେଗୁଡିକ ମଣିଷକୁ ପ୍ରଭାବିତ କରେ । ଉଦାହରଣ ସ୍ୱରୂପ – କେହି ରାଗ କରିବାକୁ ଚାହେଁନି, କିନ୍ତୁ ଅଚାନକ ରାଗିଯାଏ । କେହି ଖରାପ ଅଭ୍ୟାସ ଛାଡ଼ିବାକୁ ଚାହେଁ, କିନ୍ତୁ ପୁଣି ସେହି ଅଭ୍ୟାସକୁ ଫେରିଯାଏ । ଏହା ଦର୍ଶାଏ ଯେ, ମଣିଷ ସବୁବେଳେ ନିଜ ମନର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନଥାଏ । କାମ, କ୍ରୋଧ, ଲୋଭ, ଭୟ ପରି ଭାବନା ମଣିଷର ନିଷ୍ପତ୍ତିକୁ ନିୟନ୍ତ୍ରଣ କରେ । ଏହି ସମୟରେ ମଣିଷର ବୁଦ୍ଧି ଅସ୍ଥାୟୀ ଭାବେ ନିଷ୍କ୍ରିୟ ହୋଇଯାଏ ଓ ଭାବନା ତାକୁ ଚାଳନା କରେ ।
ଆମର ହୃଦୟରେ ସ୍ଥିତ ଦୈବୀ ଗୁଣ ବ୍ୟକ୍ତ ହୋଇ ଶ୍ରେଷ୍ଠତର ଉପଲବ୍ଧି ପ୍ରାପ୍ତ କରାଇଥାଏ । କିନ୍ତୁ ପାଶବିକ ପ୍ରବୃତ୍ତିଗୁଡିକ ଆମକୁ ପ୍ରଲୋଭିତ କରି ଶ୍ରେୟମାର୍ଗରୁ ଦୂରକୁ ନେଇ ଯାଆନ୍ତି । ଆମେ ନିମ୍ନସ୍ତରୀୟ ଶାରରୀକ ସୁଖରେ ହିଁ ଆନନ୍ଦ ପାଇଥାଉ । ଅଧିକାଂଶ ସମୟରେ ଏସବୁ ଆମର ଅନିଚ୍ଛା ସତ୍ତ୍ୱେ ହୋଇଥାଏ । ଅର୍ଜୁନ ପ୍ରଶ୍ନ କରୁଛନ୍ତି, ମନରେ ବସିଥିବା ଏହି ଶକ୍ତିର ସ୍ୱରୂପ କ’ଣ, ଯିଏ ଆମଠାରେ ଥିବା ଦୈବୀ ଗୁଣଗୁଡିକ ସୁନିୟୋଜିତ ଢଙ୍ଗରେ ଲୁଟି ନେଇଯାଉଛି ?
🌹🙏🌹
- ପ୍ରଶାନ୍ତ କୁମାର ବେଉରିଆ
୯୪୩୭୦୪୬୮୪୯
