tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶ୍ରେୟାନ୍ ସ୍ଵଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ଵନୁଷ୍ଠିତାତ୍ ।ସ୍ଵଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ॥

1 min read

Oplus_16908288

ଶ୍ରୀମଦ୍ ଭଗବଦ୍‌ ଗୀତା ୩:୩୫ ଶ୍ଳୋକ :

ଅନ୍ୟର ଧର୍ମ (ବା କର୍ମ) ଆଚରଣ କରିବା ଅପେକ୍ଷା ନିଜର କର୍ତ୍ତବ୍ୟ କର୍ମ (ବା ଧର୍ମ) ଯେତେ ଦୋଷଯୁକ୍ତ ହେଲେ ମଧ୍ୟ ତାହାକୁ ହିଁ ଆଚରଣ କରିବା ଶ୍ରେଷ୍ଠତର ଅଟେ । ନିଜର କର୍ତ୍ତବ୍ୟ ପାଳନ କରିବା ସମୟରେ ମୃତ୍ୟୁ ହେଲେ ମଧ୍ୟ ତାହା ଶ୍ରେଷ୍ଠ, କିନ୍ତୁ ଅନ୍ୟଙ୍କର କର୍ତ୍ତବ୍ୟ କର୍ମ ଗ୍ରହଣ କରିବା ଭୟଙ୍କର ।


ସ୍ୱଧର୍ମ ମାନେ ନିଜର ସ୍ୱଭାବ, ଯୋଗ୍ୟତା ଓ ଆନ୍ତରିକ ପ୍ରବୃତ୍ତି ସହ ସମ୍ବନ୍ଧିତ କର୍ତ୍ତବ୍ୟ । ପ୍ରତ୍ୟେକ ମଣିଷ ଅନନ୍ୟ । ପ୍ରତ୍ୟେକ ମନୁଷ୍ୟର ଚିନ୍ତା, କ୍ଷମତା, ଓ ମନୋଭାବ ଅନ୍ୟ ଠାରୁ ଭିନ୍ନ । ଏହି ଭିନ୍ନତା ହିଁ ପ୍ରତ୍ୟେକ ବ୍ୟକ୍ତିର ସ୍ୱଧର୍ମକୁ ନିର୍ଣ୍ଣୟ କରେ । ଯେତେବେଳେ ମଣିଷ ନିଜର ସ୍ୱଭାବ ଅନୁଯାୟୀ କାମ କରେ, ସେତେବେଳେ ସେ ଆନ୍ତରିକ ଶାନ୍ତି ଓ ସନ୍ତୋଷ ଅନୁଭବ କରେ । ଯଦିଓ ସେହି କାମରେ ତ୍ରୁଟି ଥାଏ, ତଥାପି ତାହା ପ୍ରକୃତ ଓ ସ୍ୱାଭାବିକ । ପରଧର୍ମ ମାନେ ଅନ୍ୟଙ୍କର କର୍ତ୍ତବ୍ୟକୁ ଗ୍ରହଣ କରିବା । ଅନେକ ସମୟରେ ମଣିଷ ଅନ୍ୟଙ୍କର ସଫଳତା ଦେଖି ତାଙ୍କୁ ଅନୁକରଣ କରିବାକୁ ଚାହେଁ । କିନ୍ତୁ ଏହା ତାହାର ନିଜସ୍ୱ ସ୍ୱଭାବ ବିରୋଧୀ ହୋଇପାରେ । ଏହିପରି ଜୀବନ ଆନ୍ତରିକ ଦ୍ୱନ୍ଦ୍ୱ, ଭୟ ଓ ଅସନ୍ତୋଷ ସୃଷ୍ଟି କରେ ।

ଜୀବନର ସତ୍ୟ ଉଦ୍ଦେଶ୍ୟ ହେଉଛି ନିଜର ସ୍ୱରୂପକୁ ଜାଣିବା ଓ ତାହା ଅନୁଯାୟୀ ଜୀବନ ବ୍ୟତୀତ କରିବା। ଅନ୍ୟର ପଥକୁ ଅନୁସରଣ କରିବା ସହଜ ଲାଗିପାରେ, କିନ୍ତୁ ଏହା ଆମକୁ ଆମର ସତ୍ୟ ଠାରୁ ଦୂରେ ନେଇଯାଏ । ନିଜର ପଥ କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ଏହା ଆତ୍ମିକ ଉନ୍ନତିର ପଥ ।

Oplus_16908288


ପ୍ରତ୍ୟେକ ମଣିଷ ନିଜର ଜୀବନରେ ଏକ ଅନନ୍ୟ ଭୂମିକା ସମ୍ପାଦନ କରିଥାଏ । ସେହି ଭୂମିକାକୁ ଗ୍ରହଣ କରିବା ଓ ପୂରଣ କରିବା ହିଁ ଜୀବନର ସତ୍ୟ ସଫଳତା । ଅନ୍ୟଙ୍କର ଭୂମିକା ଗ୍ରହଣ କରିବା ମାନେ ନିଜର ସତ୍ୟକୁ ଅସ୍ୱୀକାର କରିବା । ନିଜର ପଥରେ ଚାଲିବା, ନିଜର ସତ୍ୟକୁ ଅନୁସରଣ କରିବା, ଓ ନିଜର କର୍ତ୍ତବ୍ୟକୁ ପାଳନ କରିବା ହିଁ ମଣିଷକୁ ସତ୍ୟ ଶାନ୍ତି ଓ ମୁକ୍ତି ପ୍ରଦାନ କରେ । ଅର୍ଜୁନଙ୍କ ସ୍ଵଭାବକୁ ଦେଖି ଶ୍ରୀକୃଷ୍ଣ ତାଙ୍କୁ ଯୁଦ୍ଧ କରିବାକୁ ଉପଦେଶ ଦେଇଛନ୍ତି । କ୍ଷତ୍ରିୟ କୂଳରେ ଜନ୍ମିତ ଅର୍ଜୁନ ତାଙ୍କର ବିଦ୍ୟାର୍ଥୀ ଜୀବନରେ ହିଁ ସାହସ ଓ ବୀରତା ପ୍ରଦର୍ଶନ କରିଥିଲେ । ଧନୁର୍ବିଦ୍ୟାରେ ମଧ୍ୟ ନିପୁଣତା ହାସଲ କରିଥିଲେ । ତେଣୁ ଯୁଦ୍ଧ ଭଳି ଘୋର କର୍ମ ତାଙ୍କର ସ୍ଵଭାଵ ଅନୁକୂଳ ଥିଲା । ଯୁଦ୍ଧ ଭୂମିରୁ ପଳାୟନ କରି ସନ୍ୟାସ ଭଳି ଶ୍ରେଷ୍ଟତର ଧର୍ମ ପାଳନ କରିବାକୁ ସେ ଇଛା ପ୍ରକଟ କରିଥିଲେ । ତେଣୁ ଶ୍ରୀକୃଷ୍ଣ ତାଙ୍କୁ ସ୍ମରଣ କରାଇଦେଉଛନ୍ତି କି ସ୍ଵଧର୍ମ ପାଳନରେ ଯଦି ବି କିଛି ନ୍ୟୁନତା ରହେ, ତେବେ ମଧ୍ୟ ତାକୁ ପାଳନ କରିବା ଆବଶ୍ୟକ ।


ପ୍ରତ୍ୟେକ ମଣିଷର ଏକ ନିଜସ୍ୱ ପ୍ରକୃତି ରହିଥାଏ । ମନୋବିଜ୍ଞାନ ଅନୁଯାୟୀ, ମଣିଷର ଚିନ୍ତା, ଭାବନା ଓ ଆଚରଣ ତାହାର ଆନ୍ତରିକ ପ୍ରବୃତ୍ତି ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ । ଯେତେବେଳେ ମଣିଷ ନିଜର ସ୍ୱଭାବ ଅନୁଯାୟୀ କାମ କରେ, ସେତେବେଳେ ତାହା ତାକୁ ଆନ୍ତରିକ ସନ୍ତୋଷ, ଆତ୍ମବିଶ୍ୱାସ ଓ ମାନସିକ ଶାନ୍ତି ଦେଇଥାଏ । କିନ୍ତୁ, ଯେତେବେଳେ ମଣିଷ ଅନ୍ୟଙ୍କୁ ଅନୁକରଣ କରି ତାଙ୍କର ଧର୍ମକୁ ଗ୍ରହଣ କରେ, ସେତେବେଳେ ତାହାର ମନରେ ଆନ୍ତରିକ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ମନ ଓ ବ୍ୟବହାର ମଧ୍ୟରେ ଅସମନ୍ୱୟ ଆସିଲେ ମଣିଷ ଚିନ୍ତା, ଭୟ ଓ ଅସନ୍ତୋଷ ଅନୁଭବ କରେ । ଏହି ଅବସ୍ଥା ମାନସିକ ଚାପ ଓ ଅସ୍ଥିରତାର କାରଣ ହୁଏ ।


ଦାର୍ଶନିକ ଭାବରେ “ଧର୍ମ” କେବଳ ସାମାଜିକ କର୍ତ୍ତବ୍ୟ ନୁହେଁ, ବରଂ ମଣିଷର ଆନ୍ତରିକ ସ୍ୱରୂପର ପ୍ରକାଶ । ପ୍ରତ୍ୟେକ ଜୀବର ଏକ ନିଜସ୍ୱ ସତ୍ତା ରହିଛି, ଯାହା ତାହାର କର୍ମ ଓ ଜୀବନର ଦିଗକୁ ସ୍ଥିର କରେ । ସେହି ସତ୍ତା ଅନୁଯାୟୀ ଜୀବନ ବ୍ୟତୀତ କରିବା ହିଁ ସତ୍ୟ ଧର୍ମ । ଦାର୍ଶନିକ ଦୃଷ୍ଟିରୁ ପ୍ରକୃତ ଜୀବନ ମାନେ ନିଜର ସ୍ୱରୂପକୁ ଅନୁଭବ କରି ସେହି ଅନୁଯାୟୀ କର୍ମ କରିବା । ଅନ୍ୟର ଧର୍ମକୁ ଗ୍ରହଣ କରିବା ମାନେ ନିଜର ସତ୍ୟକୁ ଅସ୍ୱୀକାର କରିବା । ଏହା ମଣିଷକୁ ତାହାର ସତ୍ୟ ସ୍ୱରୂପରୁ ଦୂରେଇ ନେଇଯାଏ ଓ ଅସ୍ତିତ୍ୱରେ ଅସତ୍ୟତା ସୃଷ୍ଟି କରେ ।
🌹🙏🌹

  • ପ୍ରଶାନ୍ତ କୁମାର ବେଉରିଆ
    ୯୪୩୭୦୪୬୮୪୯
Share

Leave a Reply