tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଗଣମାଧ୍ୟମ ସମାଜ, ଗଣତନ୍ତ୍ରର ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ

1 min read

ଭୁବନେଶ୍ୱର,//TATKAL ODISHA//

ସମ୍ବାଦପତ୍ର କେବଳ ଖବର ପରିବେଷଣ କରେ ନାହିଁ, ବରଂ ସମାଜ ଏବଂ ରାଷ୍ଟ୍ରର ପରିବର୍ତ୍ତନରେ ଏହାର ଏକ ବିଶେଷ ଭୂମିକା ରହିଥାଏ । ଗଣତନ୍ତ୍ରକୁ ଜୀବନ୍ତ ରଖିବାରେ ଗଣମାଧ୍ୟମ ଏକ ପ୍ରମୁଖ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ । ଆଜିର ଡିଜିଟାଲ୍‌ ଯୁଗରେ ଗଣମାଧ୍ୟମ ଆଗରେ ଅନେକ ନୂଆ ଆହ୍ୱାନ ରହିଛି, ତଥାପି ନିରପେକ୍ଷତା ଏବଂ ସତ୍ୟତା ବଜାୟ ରଖିବା ସବୁଠାରୁ ବଡ଼ କଥା । ତେବେ ବିଗତ ୩୦ ବର୍ଷରେ ବହୁ ଝଡ଼ଝଞ୍ଜା ଓ ଘାତପ୍ରତିଘାତ ଦେଇ ‘ସମୟ’ ଅତିକ୍ରମ କରିଛି I

  • ‘ସମୟ’ ଖବରକାଗଜ ଓଡ଼ିଶାର ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ‘ସମୟ’ ଆଗାମୀ ଦିନରେ ମଧ୍ୟ ଓଡ଼ିଶା ଓ ଓଡ଼ିଆ ଜାତିର ସ୍ୱାର୍ଥ ପାଇଁ ନିଜର ପ୍ରତିବଦ୍ଧତା ଜାରି ରଖିବ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି ।


ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟର୍ସରେ ‘ସମୟ’ର ୩୦ ତମ ବର୍ଷକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୯୬ ଅକ୍ଟୋବର ୨ ତାରିଖରେ ରାଜ୍ୟର ପ୍ରଥମ ରଙ୍ଗିନ ଖବର କାଗଜ ଭାବେ ‘ସମୟ’ ଆତ୍ମପ୍ରକାଶ କରିଥିବା ଦୂରଦୃଷ୍ଟି ସମ୍ପନ୍ନ ତଥା ଓଡ଼ିଶାରେ ନିର୍ମାଣ ଯୁଗର ସାରଥୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ଆତ୍ମପ୍ରକାଶ କରିଥିଲା I୩୦ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋରେଇ ବିଧାୟକ ଆକାଶ ଦାସନାୟକ କହିଥିଲେ, ଓଡ଼ିଆ ଦୈନିକ ସମ୍ବାଦପତ୍ର ସମୟ ତାର ପ୍ରତିଷ୍ଠାର ୩୦ ବର୍ଷ ଅତିକ୍ରମ କରି ୩୧ ବର୍ଷରେ ପଦାର୍ପଣ କରିଛି । ସମାଜ ପରିବର୍ତ୍ତନ, ବ୍ୟକ୍ତି ପରିବର୍ତ୍ତନ ଏବଂ ଚିନ୍ତାଧାରାର ପରିବର୍ତ୍ତନରେ ସମ୍ବାଦପତ୍ର ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ପୂର୍ବ କାଳରେ ସମ୍ବାଦ ସଂଗ୍ରହ ଏବଂ ଏହାର ପ୍ରସାରଣ ପ୍ରକ୍ରିୟା ଅତ୍ୟନ୍ତ କଷ୍ଟକର ଥିବାବେଳେ ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର ବିକାଶ ଯୋଗୁ ଏଥିରେ ବହୁ ପରିବର୍ତ୍ତନ ଆସିଛି । ଆଜିର ସମୟରେ ପାଠକଙ୍କ ରୁଚି ବଦଳିଛି । ଲୋକମାନେ ଛୋଟ ଖବର, ରିଲ୍ସ କିମ୍ବା ଭିଡିଓ ମାଧ୍ୟମରେ ଖବର ପାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଓଡ଼ିଆ ଓ ଓଡ଼ିଶାକୁ ଆଗକୁ ବଢ଼ାଇବା ଏବଂ ଏକ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ସମସ୍ତଙ୍କର ସାମୂହିକ ଦାୟିତ୍ୱ ରହିଛି ବୋଲି ଶ୍ରୀ ଦାସନାୟକ କହିଥିଲେ ।


ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଭଟଲୀ ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଥିଲେ, ଗଣତନ୍ତ୍ରରେ ଗଣମାଧ୍ୟମ ଏବଂ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜର ପ୍ରତ୍ୟେକ ଘଟଣା, ସରକାରୀ ନୀତି ଏବଂ ଜନସାଧାରଣଙ୍କ ସମସ୍ୟାକୁ ସଠିକ୍‌ ଭାବରେ ଲୋକଲୋଚନକୁ ଆଣିବାରେ ସମ୍ବାଦପତ୍ର ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ସରକାରଙ୍କ ଆୟୋଜିତ କାର୍ଯ୍ୟକ୍ରମ, ନୀତି ପରିବର୍ତ୍ତନ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଧାନସଭା, ରାଜ୍ୟସ୍ତର ଏବଂ ଜାତୀୟ ସ୍ତରରେ ସମ୍ବାଦପତ୍ରର ପ୍ରୟାସ ଜରୁରୀ । ଯଦି କୌଣସି ସ୍ଥାନରେ ପୋଲିସ ପ୍ରଶାସନିକ ତ୍ରୁଟି କିମ୍ବା ଅଘଟଣ ଘଟେ, ତେବେ ତାହାର ନିର୍ଭୁଲ ତଥ୍ୟ ସାଧାରଣରେ ପ୍ରକାଶ ପାଇଲେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମସ୍ୟା ସମାଧାନ ହୋଇପାରିବ ।

‘ସମୟ’ ସମ୍ବାଦପତ୍ର ଏହାର ସଫଳତାର ୩୦ ବର୍ଷ ପୂର୍ଣ୍ଣ କରିଛି ଏବଂ ଆଗାମୀ ଦିନରେ ଏହା ଆହୁରି ଆଗକୁ ବଢ଼ିବ ବୋଲି ଆଶା କରୁଛିି । ଓଡ଼ିଶାର ପ୍ରତିଟି କୋଣଅନୁକୋଣରେ ପହଞ୍ଚି ସମାଜକୁ ଏବଂ ଓଡ଼ିଶାର ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ଗଣମାଧ୍ୟମ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିବ I ତେବେ ନି ଜେ ଜଣେ ରାଜନେତା ହେବାରେ ସମ୍ବାଦପତ୍ରର ଥିବା ଭୂମିକା ସମ୍ପର୍କରେ ସେ ଅବତାରଣା କରିଥିଲେ I


ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସୌମ୍ୟଜିତ ପଟ୍ଟନାୟକ କହିଥିଲେ, ସମୟ ସହିତ ଗଣମାଧ୍ୟମ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି । ପୂର୍ବ ଅପେକ୍ଷା ଆଜି ସମସ୍ତେ ସୋସିଆଲ ମିଡିଆ ଏବଂ ଡିଜିଟାଲ୍‌ ପ୍ଲାଟଫର୍ମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଜିର ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଟେକ୍ନୋଲୋଜି ସହ ଅତି ନିବିଡ଼ ଭାବରେ ଜଡ଼ିତ ହୋଇରହିଛନ୍ତି । ସୋସିଆଲ ମିଡିଆ ଯଥା ଫେସବୁକ୍‌, ଟ୍ୱିଟର୍‌ (ଏକ୍ସ), ଇନଷ୍ଟାଗ୍ରାମ୍‌ ଏବଂୟୁଟ୍ୟୁବ୍‌ ମାଧ୍ୟମରେ ସବୁଠାରୁ ଦ୍ରୁତ ଗତିରେ ଖବର ଲୋକଙ୍କ ନିକଟରେ ପହଞ୍ଚିପାରୁଛି । କେବଳ ପାରମ୍ପରିକ ଗଣମାଧ୍ୟମ ନୁହେଁ, ବରଂ ବର୍ତ୍ତମାନ ସାଧାରଣ ଲୋକେ ମଧ୍ୟ ଟେକ୍ନୋଲୋଜିର ସହାୟତାରେ ନିଜସ୍ୱସ୍ତରରେ ଖବର ସଂଗ୍ରହ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ପାରୁଛନ୍ତି । ଆଜିର ଦିନରେ ନୂଆ ଷ୍ଟାର୍ଟଅପ୍‌ ଏବଂ ଡିଜିଟାଲ୍‌ ମାଧ୍ୟମ ମାଧ୍ୟମରେ ଯୁବପିଢ଼ି ନୂଆ ସ୍କିଲ୍‌ ଏବଂ ଜ୍ଞାନକୌଶଳ ହାସଲ କରି ଆଗକୁ ବଢ଼ୁଛନ୍ତି । ଆଗାମୀ ଦିନରେ ଗଣମାଧ୍ୟମ କ୍ଷେତ୍ରରେ ଏହି ଟେକ୍ନୋଲୋଜି ଆହୁରି ଅଧିକ ବ୍ୟାପକ ହେବ ବୋଲି ସେ କହିଥିଲେ ।
ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଥିଲେ, ଗଣତନ୍ତ୍ରକୁ ସୁରକ୍ଷିତ ଏବଂ ଜୀବନ୍ତ ରଖିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେବଳ ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ୱର ପ୍ରତିଟି ଦେଶରେ ପ୍ରିଣ୍ଟ ମିଡିଆ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆର ସଚେତନତା ନିହାତି ଆବଶ୍ୟକ । ଆଜିର ଡିଜିଟାଲ୍‌ ଯୁଗରେ ଏଆଇ ଏବଂ ଅନେକ ନୂତନ ମାଧ୍ୟମ ଆସିଯାଇଥିଲେ ମଧ୍ୟ ଖବରକାଗଜ ଏବଂ ଲେଖାର ମୂଲ୍ୟ ସବୁବେଳେ ସ୍ୱତନ୍ତ୍ର । ଗୋଟିଏ ଖବରକାଗଜକୁ ୩୦ ବର୍ଷ କିମ୍ବା ୪୦ ବର୍ଷ ଧରି ଚଳାଇବା ଏବଂ ଏହାର ସ୍ଥିତି ବଜାୟ ରଖିବା ଏକ ବଡ଼ କାଠିକର ପାଠ । ଏଥିପାଇଁ ବହୁ ପରିଶ୍ରମ, ନିଷ୍ଠା ଏବଂ ତ୍ୟାଗର ଆବଶ୍ୟକତା ରହିଥାଏ । ସାମ୍ବାଦିକମାନେ ଯେତେବେଳେ ସ୍ୱାର୍ଥପର ନ ହୋଇ କେବଳ ପ୍ରଶଂସା ପାଇଁ ନୁହେଁ, ବରଂ ନିରପେକ୍ଷ ଭାବରେ ପ୍ରକୃତ ଘଟଣାକୁ ଲୋକଙ୍କ ସାମ୍ନାକୁ ଆଣିଥାନ୍ତି, ସେତେବେଳେ ତାହା ଗଣତନ୍ତ୍ରର ମୂଳଦୁଆକୁ ଆହୁରି ମଜବୁତ କରିଥାଏ । ଖବରକାଗଜ ଏବଂ ଗଣମାଧ୍ୟମର ଏହି ନିରନ୍ତର ପ୍ରୟାସ ଦେଶର ଗଣତନ୍ତ୍ରକୁ ଅକ୍ଷୁର୍ଣ୍ଣ ରଖିବାରେ ସାହାଯ୍ୟ କରୁଛି ।


ଏହି କାର୍ଯ୍ୟକ୍ରମରେ ସମୟର ପରିଚାଳନା ସମ୍ପାଦକ ରଞ୍ଜୀବ ବିଶ୍ୱାଳ କହିଥିଲେ, ଓଡ଼ିଶାର ପ୍ରଥମ ରଙ୍ଗୀନ ଖବରକାଗଜ ସମୟ ଆଜି ତାର ଗୌରବମୟ ୩୦ ବର୍ଷ ପୂର୍ତ୍ତି ପାଳନ କରିଛି । ବହୁ ପ୍ରତିକୂଳ ପରିସ୍ଥିତି, ବାତ୍ୟା ଓ ବିଭିନ୍ନ ଚ୍ୟାଲେଞ୍ଜକୁ ସାମ୍ନା କରି ମଧ୍ୟ ସମୟ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିପାରିଛି । ପ୍ରତିଷ୍ଠା ଦିନଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ପର୍ଯ୍ୟନ୍ତ ଏହାର ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ ଥିଲା । ପ୍ରଥମେ ଗୋଟିଏ ଦିନ ପୂର୍ବରୁ ପ୍ରକାଶନ ଆରମ୍ଭ କରିବା ଏବଂ ତା’ପରେ ସମୟ ସହ ତାଳ ଦେଇ ଆଗକୁ ବଢ଼ିବା ଏହାର ଇତିହାସର ଏକ ବଡ଼ ଅଧ୍ୟାୟ । ‘ସମୟ’ କେବଳ ଏକ ଖବରକାଗଜ ନୁହେଁ, ବରଂ ଓଡ଼ିଶାବାସୀଙ୍କ ପାଇଁ ଏକ ଭାବନା ଏବଂ ଗର୍ବର ପ୍ରତୀକ ଅଟେ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମୟର ମୁଖ୍ୟ ସମ୍ପାଦକ ଡଃ. ଗୁରୁକଲ୍ୟାଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମୟର ପରିଚାଳନା ନିର୍ଦ୍ଦେଶିକା ତେଜଲ ବିଶ୍ୱାଳ ଏବଂ ସମୟର ନିର୍ଦ୍ଦେଶିକା ଅନିତା ମହାନ୍ତି ଉପସ୍ଥିତ ଥିଲେ ।

ଶେଷରେ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସମୟର ପ୍ରକାଶକ ସତ୍ୟନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

Share

Leave a Reply